Categories: ଖେଳ

କେକେଆରର ପ୍ରସିଦ୍ଧ କ୍ରିଷ୍ଣାଙ୍କୁ କରୋନା

ବେଙ୍ଗାଲୁରୁ, ୯ା୫ (ପି.ଟି.)-କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ପେସ୍‌ ବୋଲର ପ୍ରସିଦ୍ଧ କ୍ରିଷ୍ଣା କରୋନା ସଂକ୍ରମିତ ହୋଇଥିବା କୋଭିଡ୍‌ ଟେଷ୍ଟରୁ ଜଣାପଡ଼ିଛି। ସେ ତାଙ୍କ ହୋମ୍‌ ଟାଉନ୍‌ ବେଙ୍ଗାଲୁରୁରେ କ୍ୱାରାଣ୍ଟାଇନ୍‌ରେ ରହିଥିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ସୂତ୍ରରୁ ପ୍ରକାଶ ପାଇଛି। ୨୫ବର୍ଷୀୟ କ୍ରିଷ୍ଣା ଇଂଲଣ୍ଡ ଟୁର୍‌ ପାଇଁ ଶୁକ୍ରବାର ଘୋଷଣା କରାଯାଇଥିବା ଭାରତୀୟ କ୍ରିକେଟ ଦଳରେ ସ୍ଥାନ ପାଇଛନ୍ତି। କରୋନା ସଂକ୍ରମିତ ହେବାରେ ସେ କେକେଆର୍‌ରୁ ଚତୁର୍ଥ ଖେଳାଳି। ପୂର୍ବରୁ ପଜିଟିଭ ଚିହ୍ନଟ ହୋଇସାରିଥିବା କେକେଆର୍‌ର ଅନ୍ୟ ଖେଳାଳିମାନେ ହେଲେ ବରୁଣ ଚକ୍ରବର୍ତ୍ତୀ, ସନ୍ଦୀପ ଓ୍ବାରିୟର ଓ ନ୍ୟୁଜିଲାଣ୍ଡର ଉଇକେଟକିପର ବ୍ୟାଟ୍ସମ୍ୟାନ ଟିମ୍‌ ସିଫର୍ଟ। ବିସିସିଆଇ ସୂତ୍ରରୁ ପ୍ରକାଶ ଉଭୟ କ୍ରିଷ୍ଣା ଓ ଓ୍ବାରିୟର ଟ୍ରେନିଂ ସେସନ ବେଳେ ଚକ୍ରବର୍ତ୍ତୀଙ୍କଠାରୁ ସଂକ୍ରମିତ ହୋଇଛନ୍ତି। କ୍ରିଷ୍ଣା ହେଉଛନ୍ତି ଚକ୍ରବର୍ତ୍ତୀଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁ। ଅନ୍ୟ ସମସ୍ତ ଭାରତୀୟ ଖେଳାଳିଙ୍କ ଭଳି ପ୍ରସିଦ୍ଧ ଦୁଇଟି ନେଗେଟିଭ୍‌ ଫଳାଫଳ ପରେ ମେ’ ୩ରେ ବାୟୋବବଲ ପ୍ରସ୍ଥାନ କରିଥିଲେ। ୟୁନାଇଟେଡ୍‌ କିଙ୍ଗ୍‌ଡମ (ୟୁକେ) ଗସ୍ତ କରିବାକୁ ଥିବା ଖେଳାଳିମାନେ ପ୍ରଥମେ ଭାରତରେ ବାୟୋବବଲରେ ରହିବେ। ସେତେବେଳକୁ କ୍ରିଷ୍ଣାଙ୍କ ଫଳାଫଳ ନେଗେଟିଭ ଆସିଯାଇଥିବ ବୋଲି ବିସିସିଆଇ ଆଶା କରୁଛି। ନ୍ୟୁଜିଲାଣ୍ଡ ଉଇକେଟକିପର ବ୍ୟାଟ୍ସମ୍ୟାନ ସିଫର୍ଟ ଅହମଦାବାଦରେ ଆଇସୋଲେଶନରେ ଅଛନ୍ତି। ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଇବା ଲାଗି ତାଙ୍କୁ ଚେନ୍ନାଇ ନିଆଯିବ। ସିଫର୍ଟ ଉଭୟ ଆରଟି-ପିସିଆର୍‌ ଟେଷ୍ଟରେ ବିଫଳ ହୋଇଥିଲେ। ତାଙ୍କ ନିକଟରେ କରୋନା ଲକ୍ଷଣ ଦେଖା ଦେଇଥିଲା। ବାୟୋବବଲରେ କରୋନା ପ୍ରବେଶ ଦ୍ୱାରା ବହୁୁ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ସଦସ୍ୟ ସଂକ୍ରମିତ ହୋଇଥିଲେ। ଫଳତଃ ଆଇପିଏଲ୍‌କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବାକୁ ପଡ଼ିଥିଲା।

Share