ତ୍ରୁଟି ଘୋଡ଼ାଉଛନ୍ତି

ଭାରତର ନିର୍ବାଚନ କମିଶନ (ଇସି) ଏକ ସାମ୍ବିଧାନିକ ସଂସ୍ଥା। ୧୯୫୧ ସାଧାରଣ ନିର୍ବାଚନ ବେଳୁ ନିର୍ବାଚନଗୁଡ଼ିକୁ ପରିଚାଳନା କରିଆସୁଥିବା ଏହି ସଂସ୍ଥାର ଗୁରୁତ୍ୱ ଟି.ଏନ୍‌. ଶେଷାନ ମୁଖ୍ୟ ନିର୍ବାଚନ କମିଶନର ହେବା ପରେ ବଢ଼ିଥିଲା। ଭାରତୀୟଙ୍କୁ ୧୯୯୬ରେ ଭୋଟର ପରିଚୟପତ୍ର ଦିଆଯିବା ପରେ ଆଶା କରାଯାଇଥିଲା ଯେ ନିର୍ବାଚନ ପ୍ରକ୍ରିୟାରେ ଜାଲିଆତି ହ୍ରାସ କରାଯାଇପାରିବ। କିନ୍ତୁ ଆଜିଯାଏ ନିର୍ବାଚନ ପରିଚାଳନାକୁ ନେଇ ଅସରନ୍ତି ପ୍ରଶ୍ନ ଉତ୍ଥାପନ ହୋଇଚାଲିଛି। ଏବେ ସମଗ୍ର ଦେଶରେ ଯେଉଁ ବିଷୟଟି ବିତର୍କର ଶୀର୍ଷରେ ରହିଛି ତାହା ସେହି ଇସିଙ୍କ ଭୂମିକାକୁ ଇଙ୍ଗିତ କରୁଛି। ୭ ଅଗଷ୍ଟରେ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏକ ଖବରଦାତା ସମ୍ମିଳନୀରେ କର୍ନାଟକର ମହାଦେବପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟର ତାଲିକାରେ ବ୍ୟାପକ ହେରଫେର ହୋଇଥିବା ନେଇ ଅଭିଯୋଗ କରିଥିଲେ। ପୂର୍ବରୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭୋଟ ଜାଲିଆତି ଓ ଆସନ୍ତା ନଭେମ୍ବରରେ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଇସିଙ୍କ ଦ୍ୱାରା କରାଯାଇଥିବା ସ୍ପେଶାଲ ଇଣ୍ଟେନସିଭ୍‌ ରିଭିଜନ ବା ସ୍ବତନ୍ତ୍ର ସଘନ ସଂଶୋଧନ(ଏସ୍‌ଆଇଆର୍‌)କୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ଅଣ-ଭାଜପା ଦଳଗୁଡ଼ିକର ପ୍ରମୁଖ ନେତାମାନେ ଇସି ଓ ଭାଜପାକୁ ବିଭିନ୍ନ ପ୍ରଶ୍ନମାନ ପଚାରି ଚାଲିଛନ୍ତି। ବିରୋଧୀଙ୍କ ଅଭିଯୋଗ ହେଉଛି ଯେ, ଭାଜପାକୁ ସୁହାଇଲା ଭଳି ଇସି କାର୍ଯ୍ୟ କରୁଛି। ଏହା ପଛରେ କାରଣ ହେଉଛି ଯେ ମୁଖ୍ୟ ନିର୍ବାଚନ କମିଶନର ଓ ୨ ନିର୍ବାଚନ କମିଶନର ମୋଟ ୩ ଜଣ ଅବସରପ୍ରାପ୍ତ ସରକାରୀ ଅଫିସର, ଯେଉଁମାନେ ଏକ ସାମ୍ବିଧାନିକ ପଦବୀ ପାଇଯାଇ ଶାସକ ଦଳ ପାଖରେ କୃତକୃତ୍ୟ ହେଉଛନ୍ତି। ଏହି ଦୋଷାରୋପ ବିଶ୍ୱାସଯୋଗ୍ୟ ମଧ୍ୟ ହେଉଛି। କାରଣ ମୁଖ୍ୟ ନିର୍ବାଚନ କମିଶନର ଓ ୨ କମିଶନର ଯେଉଁଭଳି ଭାବରେ ଗଣମାଧ୍ୟମରେ ମତ ପ୍ରକାଶ କରୁଛନ୍ତି, ସେଥିରୁ ସେମାନଙ୍କର ଏକତରଫା ଚିନ୍ତାଧାରା ସ୍ପଷ୍ଟ ବୁଝାପଡ଼ୁଛି। ଆଶା କରାଯାଇଥାଏ ଯେ ଏଭଳି ପଦବୀ ପାଉଥିବା ବ୍ୟକ୍ତି କେବଳ ସମ୍ବିଧାନକୁ ନିଜର କୃତଜ୍ଞତା ଜ୍ଞାପନ କରିବା କଥା, କିନ୍ତୁ ଆଜିର ଭାରତରେ ତାହା ସମ୍ଭବପର ନୁହେଁ।
ଭୋଟ ଜାଲିଆତି ପ୍ରସଙ୍ଗ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଓ ନିର୍ଦ୍ଦେଶ ପର୍ଯ୍ୟନ୍ତ ଯାଇଛି। ଏବର ଘଟଣାକ୍ରମକୁ ଦେଖିଲେ ୧୭ ଅଗଷ୍ଟରେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାର ଏକ ଖବରଦାତା ସମ୍ମିଳନୀରେ ଲୋକ ସଭା ବିରୋଧୀ ଦଳ ନେତା ଆଣିଥିବା ‘ଭୋଟ ଚୋରି’ ଅଭିଯୋଗ ସପକ୍ଷରେ ୭ ଦିନ ମଧ୍ୟରେ ସେ ସତ୍ୟପାଠ ସମ୍ବଳିତ ଘୋଷଣାନାମା ଦାଖଲ କରନ୍ତୁ ବୋଲି କହିଛନ୍ତି। ଜ୍ଞାନେଶ କହିଛନ୍ତି, ଯଦି କୌଣସି ବ୍ୟକ୍ତି ଏକ ନିର୍ବାଚନମଣ୍ଡଳୀର ଭୋଟର ନ ଥାଇ ସମ୍ପୃକ୍ତ ଆସନ ଉପରେ ଅଭିଯୋଗ ଦାଖଲ କରନ୍ତି, ତେବେ ସେ କେବଳ ଜଣେ ସାକ୍ଷୀ ହିସାବରେ ଏପରି କରିପାରିବେ। ସେଥିପାଇଁ ତାଙ୍କୁ ସତ୍ୟପାଠ ଦାଖଲ କରିବାକୁ ପଡ଼ିବ। ଯଦି ସତ୍ୟପାଠ ଜରିଆରେ ୭ ଦିନ ମଧ୍ୟରେ ଘୋଷଣାନାମା ଦାଖଲ କରା ନ ଯାଏ, ତେବେ ଅଭିଯୋଗକୁ ଭିତ୍ତିହୀନ ବୋଲି ଧରାଯିବ। ଏପରି ଅଭିଯୋଗ ଆଣୁଥିବା ବ୍ୟକ୍ତିମାନେ ଦେଶକୁ କ୍ଷମା ମାଗିବା ଉଚିତ ବୋଲି ସିଇସି କହିଛନ୍ତି। ଏହି ଅବସରରେ ସେ କହିଛନ୍ତି, ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୁଅନ୍ତି, ଏ କଥାକୁ ଅସ୍ବୀକାର କରିଦେଲେ ସୂର୍ଯ୍ୟୋଦୟର ଦିଗ ପରିବର୍ତ୍ତନ ହୋଇ ନ ଥାଏ। ତେବେ ଭୋଟ ଜାଲିଆତି ଅଭିଯୋଗକୁ ନେଇ ଜ୍ଞାନେଶଙ୍କ ମନ୍ତବ୍ୟକୁ ବିରୋଧୀ ଇଣ୍ଡିଆ ବ୍ଲକ୍‌ ସମାଲୋଚନା କରିଛି। ତାଙ୍କୁ ବିଦା କରିବା ପାଇଁ ପାର୍ଲାମେଣ୍ଟରେ ମହାଭିଯୋଗ ପ୍ରସ୍ତାବ ଆଣିବା ନିମନ୍ତେ ବିରୋଧୀ ବିଚାର କରୁଥିବା ବିଷୟ ଚର୍ଚ୍ଚାର ବିଷୟ ପାଲଟିଲାଣି।
ସିଇସି ଯେଉଁଭଳି ଢଙ୍ଗରେ ନିର୍ବାଚନ କମିଶନକୁ ପ୍ରଦର୍ଶନ କରିଛନ୍ତି, ଲାଗୁଛି ଯେମିତି ଭୋଟିଂ ପ୍ରକ୍ରିୟାରେ କେବେ କେଉଁଠାରେ ଗଡ଼ବଡ଼ ହୋଇ ନାହିଁ। ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ତରବରିଆ ଭାବେ ଇସି ଏସ୍‌ଆଇଆର୍‌ କରିବାର ସମୟକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇବା ସ୍ବାଭାବିକ। ତେଣୁ ଇସି ନିଜର ସ୍ବଚ୍ଛତା ଦର୍ଶାଇବାକୁ ଯାଇ ଅଭିଯୋଗ ହେଉଥିବା ସ୍ଥାନଗୁଡ଼ିକ ଉପରେ ସ୍ବତନ୍ତ୍ର ଧ୍ୟାନ କେନ୍ଦ୍ରିତ କରିବା କଥା। ହେଲେ ଅଭିଯୋଗକାରୀଙ୍କ ମୁହଁ ବନ୍ଦ କରିଦେବାକୁ ଯାଇ ସତ୍ୟପାଠ କରିବା ଲାଗି କହୁଛନ୍ତି। ଜଣେ ବ୍ୟକ୍ତି ନିର୍ବାଚନମଣ୍ଡଳୀର ଭୋଟର ହୋଇ ନ ଥିଲେ ମଧ୍ୟ ଦେଶର ଯେଉଁଠାରେ ପାରିବେ ନିର୍ବାଚନ ଲଢ଼ିପାରୁଛନ୍ତି। ସେହି କ୍ରମରେ ଦେଖିଲେ ଅନ୍ୟ ନିର୍ବାଚନମଣ୍ଡଳୀରେ ହୋଇଥିବା ନିର୍ବାଚନ ସଂକ୍ରାନ୍ତରେ ଜଣେ ଯଦି କିଛି ଅସଙ୍ଗତି ଥିବା ଅନୁଭବ କରନ୍ତି, ସେହି ବିଷୟରେ ସ୍ବର ଉଠାଇବାରେ କେଉଁଠାରେ ଅସ୍ବାଭାବିକତା ରହିଲା ବୋଲି କୁହାଯାଇପାରେ। ପ୍ରତିକଥାରେ ସତ୍ୟପାଠ ଭଳି ଆଇନଗତ ଦିଗକୁ ଛନ୍ଦି ଦେଇ ଇସି ନିଜ ଦାୟିତ୍ୱରୁ ଦୂରେଇଯିବା ଅନେକଙ୍କ ମନରେ ଭିନ୍ନ ଆଶଙ୍କା ସୃଷ୍ଟି କରିବା ସ୍ବାଭାବିକ। ସିଧାସଳଖ ସମ୍ପୃକ୍ତି ନ ଥିଲେ ମଧ୍ୟ ଏକ ଦୃଷ୍ଟାନ୍ତକୁ ଏଠାରେ ଉପସ୍ଥାପନ କରାଯାଇପାରେ। ନିଅଁା ଲାଗିଲା ବେଳେ ଯେଉଁ ବ୍ୟକ୍ତି ଦମକଳକୁ ଖବର ଦେବ ସିଏ ନିଜେ ସେହି ବସ୍ତିର ବାସିନ୍ଦା ବୋଲି ପ୍ରଥମେ ଦମକଳ କର୍ତ୍ତୃପକ୍ଷଙ୍କ ସାମ୍ନାରେ ନିଜର ବାସସ୍ଥାନ ପ୍ରମାଣ ଦେବା ନିହାତି ଆବଶ୍ୟକ ବୋଲି କହିବା ଭଳି ଜ୍ଞାନେଶ କୁମାରଙ୍କ ଯୁକ୍ତି ଶୁଣାଯାଉଛି। ଅବାସ୍ତବ କଥା କହିବା ମାତ୍ରକେ ଜଣାପଡ଼ୁଛି ଯେ, ସେଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ସତ୍ୟତା ରହିଛି, ଯାହାକୁ ଘୋଡ଼ାଇବା ପାଇଁ ଅଯୁକ୍ତିକର ବିଷୟର ଆଶ୍ରା ନିଆଯାଉଛି। ଜ୍ଞାନେଶଙ୍କ କଥାକୁ ଆହୁରି ତର୍ଜମା କଲେ ଅନ୍ୟ ଏକ ଦିଗ ଦେଖାଯାଇପାରେ। ଯିଏ ଯେଉଁ ନିର୍ବାଚନମଣ୍ଡଳୀର ହୋଇ ନ ଥିଲେ ଯେଭଳି ପ୍ରଶ୍ନ ପଚାରିବାକୁ ଅଛୁଆଁ ଭାବେ ଦର୍ଶାଯାଉଛି, ତେବେ ନିର୍ବାଚନ ପର୍ଯ୍ୟବେକ୍ଷକମାନେ ସମ୍ପୃକ୍ତ ଅଞ୍ଚଳର ହୋଇ ନ ଥିଲେ ମଧ୍ୟ ସେମାନଙ୍କୁ ପରିଚାଳନା ଦାୟିତ୍ୱ ସଅଁପି ଦେବା କେତେ ଯୁକ୍ତିଯୁକ୍ତ ତାହାକୁ ମଧ୍ୟ ଗଭୀର ଭାବେ ଅନୁଶୀଳନ କରାଯିବା ଦରକାର। କୁହାଯାଇପାରେ ସେମାନେ ସରକାରୀ ଅଧିକାରୀ ହୋଇଥିବାରୁ ନିଜ କାର୍ଯ୍ୟ ତୁଲାଇଥାଆନ୍ତି। ମୋଟାମୋଟି ଦେଖିଲେ ସେମାନେ ତ ଜଣେ ଜଣେ ବ୍ୟକ୍ତି ଓ କୌଣସି ନା କୌଣସି ରାଜନୈତିକ ଦଳ ପ୍ରତି ଶ୍ରଦ୍ଧା ରଖିଥାଆନ୍ତି। ଏଠାରେ ଇସିଙ୍କ ନିର୍ଦ୍ଦେଶକୁ ସମାଲୋଚନା କରାଯାଉ ନାହିଁ, ବରଂ ପ୍ରସ୍ତାବ ଦିଆଯାଇପାରେ ଯେ, ଗୋଟେ ସଂସ୍ଥା ବା ବ୍ୟବସ୍ଥାରେ ସ୍ବଚ୍ଛତା ବଜାୟ ରଖିବାକୁ ହେଲେ ଅଭିଯୋଗଗୁଡ଼ିକୁ ସକାରାତ୍ମକ ଦୃଷ୍ଟିରେ ଦେଖାଯିବା ଦରକାର। ଏବଂ ଅଭିଯୋଗକାରୀଙ୍କଠାରୁ ପ୍ରମାଣ ମାଗିବାର କ୍ଷମତା ଇସିଙ୍କ ପାଖରେ ରହିବା କଥା ନୁହେଁ। ଯଦି ମଗାଯାଉଛି, ତେବେ ତାହାର ସ୍ପଷ୍ଟ ଅର୍ଥ ହେଲା ସମସ୍ୟାର ସମାଧାନ ପରିବର୍ତ୍ତେ ତ୍ରୁଟିପୂର୍ଣ୍ଣ କାର୍ଯ୍ୟକୁ ଜାଣିଶୁଣି ଘୋଡ଼ାଇବାର ଉଦ୍ୟମ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏ କି ସଙ୍କେତ! ରାତାରାତି ରକ୍ତ ପରି ନାଲି ହୋଇଗଲା ସମୁଦ୍ର; ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୭ା୧୨: ଇରାନର ହରମୁଜ୍ ଦ୍ୱୀପର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଅଦ୍ଭୁତ ଏବଂ ଚମତ୍କାର ପରିବର୍ତ୍ତନ ଦେଖିବାକୁ ମିଳିଛି। ସାମ୍ପ୍ରତିକ ପ୍ରବଳ ବର୍ଷା ପରେ ଦ୍ୱୀପର ବେଳାଭୂମି...

ସାରା ଦେଶରେ ‘ନକଲି ପନିର’ ବିପଦ; ୮୩% ନମୁନା ବିଫଳ ହେବା ପରେ FSSAI’ର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭ା୧୨: ଦେଶରେ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟରେ ବଢୁଥିବା ଭେଜାଲ ଓ ମିସ୍‌ବ୍ରାଣ୍ଡିଂ ସମସ୍ୟାର ସମାଧାନ ପାଇଁ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ...

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri