ଛଦ୍ମ ଜାତୀୟତା

ଆକାର ପଟେଲ

ଚାଇନାର ଅନୁପ୍ରବେଶ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟକୁ ନେଇ ସମସ୍ତେ ବିସ୍ମିତ ହୋଇଛନ୍ତି। ମୋଦି ନିଜକୁ ଜଣେ ଜାତୀୟତାବାଦୀ ବୋଲି ବିଜ୍ଞାପିତ କରିଆସିଛନ୍ତି। ତେଣୁ କେହି ଆଶା କରି ନ ଥିଲେ ଯେ ଭାରତମାତାଙ୍କ ଉପରେ ଆକ୍ରମଣ ହେଉଥିଲା ବେଳେ ସେ ଏହାକୁ ଅସ୍ବୀକାର କରିବେ। ଚାଇନା ପ୍ରସଙ୍ଗରେ ମୋଦି କେବଳ ଗୋଟିଏ ସାର୍ବଜନୀନ ବିବୃତି ଦେଇଛନ୍ତି ଏବଂ ଏହା ହେଉଛି: ”ନ କୋଇ ଓହାଁ ହମାରୀ ସୀମା ମେଁ ଘୁସ୍‌ ଆୟା ହୈ, ନହି କୋଇ ଘୁସା ହୁଆ ହୈ, ନହି ହମାରୀ କୋଇ ପୋଷ୍ଟ କିସି ଦୁସ୍‌ରେ କେ କବ୍‌ଜେ ମେଁ ହୈଁ।“ ମୋଦିଙ୍କର ଏହି ବିବୃତିକୁ ବ୍ୟବହାର କରି ଚାଇନା ଦାବି କରିଛି ଯେ ସମଗ୍ର ଗଲୱାନ୍‌ ଉପତ୍ୟକା ଉପରେ ତା’ର ନିୟନ୍ତ୍ରଣ ରହିଛି। ପ୍ରକୃତରେ ଗଲଓ୍ବାନ୍‌ ଉପତ୍ୟକା ଭାରତର ଏବଂ ଚାଇନା ଏହା ଭିତରକୁ ଅନୁପ୍ରବେଶ କରିଛି।
ମୋଦିଙ୍କ ଏହି ବିବୃତି ଏତେ ଲଜ୍ଜାଜନକ ଯେ ତାହାକୁ ସରକାରୀ ପିଏମ୍‌ଓ ଭିଡିଓରୁ ହଟାଇ ଦିଆଯାଇଛି। ଏହାପରେ ମୋଦି ଏହି ପ୍ରସଙ୍ଗରେ କିଛି କହିନାହାନ୍ତି ଏବଂ ଏହା କୌଣସି ଅନୁପ୍ରବେଶ ହୋଇନାହିଁ ବୋଲି ଦର୍ଶାଉଛି। କିନ୍ତୁ ସାଟେଲାଇଟ୍‌ ଚିତ୍ରରୁ ଜଣାପଡ଼ୁଛି ଯେ ଆମ ସୈନିକମାନେ ଯେଉଁସବୁ ତମ୍ବୁ ଅପସାରଣ କରିବାକୁ ଚେଷ୍ଟା କଲାବେଳେ ଚାଇନା ସେନାର ଆକ୍ରମଣରେ ନିହତ ହୋଇଛନ୍ତି, ସେଗୁଡ଼ିକ ଆମ ପାର୍ଶ୍ୱରେ ଚାଇନା ତିଆରି କରିଥିଲା। ସରକାର ଅସ୍ବୀକାର କରି ନ ଥିବା ରିପୋର୍ଟରେ କୁହାଯାଇଛି ଯେ, ଭାରତ ଭିତରକୁ ୧୮ କିଲୋମିଟର ଦୂରରେ ଥିବା ଡେପ୍‌ସାଙ୍ଗରେ ଚାଇନା ଚତୁର୍ଥ ଥର ଅନୁପ୍ରବେଶ କରିଛି। ଏ ବାବଦରେ ଆମର ପ୍ରତିକ୍ରିୟା ଏତେ ନିଃଶବ୍ଦ ଯେ ବିସ୍ମୟକର। ସରକାରରେ ସମସ୍ତେ ଚିନ୍ତିତ ଥିବା ପରି ମନେହୁଏ। ବୈଦେଶିକ ମନ୍ତ୍ରଣାଳୟର ଏକ ଦୀର୍ଘ ବିବୃତିରେ ଏବଂ ବେଜିଂରେ ଥିବା ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଏକ ସାକ୍ଷାତ୍‌କାରରେ ଚାଇନାକୁ ଲାଇନ୍‌ ଅଫ୍‌ ଆକ୍‌ଚୁଆଲ୍‌ କଣ୍ଟ୍ରୋଲ (ଏଲ୍‌ଏସି)କୁ ସମ୍ମାନ ଦେବାକୁ କୁହାଯାଇଛି। କିନ୍ତୁ ଏଥି ସହ ଚାଇନା ଅନୁପ୍ରବେଶ କରିଛି ବୋଲି କେହି କହୁ ନାହାନ୍ତି, କାରଣ ସେମାନେ ମୋଦିଙ୍କ କଥାକୁ ବିରୋଧ କଲାଭଳି କଥା କହିବାକୁ ଭୟ କରୁଛନ୍ତି।
ପ୍ରତିରକ୍ଷା ମନ୍ତ୍ରଣାଳୟ ସାମ୍ବାଦିକମାନଙ୍କୁ କାହାରି ନାମ ନ ନେଇ କହିଛନ୍ତି ଯେ, ସେନାକୁ ପୂର୍ଣ୍ଣ ସ୍ବାଧୀନତା (ଫ୍ରି ହ୍ୟାଣ୍ଡ୍‌) ଦିଆଯାଇଛି। ଅର୍ଥାତ୍‌ ପରିସ୍ଥିତିକୁ ଚାହିଁ ସେମାନେ ପ୍ରତିଆକ୍ରମଣ କରିପାରିବେ। କିନ୍ତୁ ଆମେ ଚାଇନା ସହିତ ଯୁଦ୍ଧ କରିବୁ କି ନାହିଁ ତାହା ସେନା ସ୍ଥିର କରିପାରିବ ନାହିଁ। ଏହା ଏକ ରାଜନୈତିକ ନିଷ୍ପତ୍ତି। ମୋଦି ହିଁ ନିଷ୍ପତ୍ତି ନେବେ ଚାଇନାକୁ ତଡ଼ିବା ପାଇଁ ଭାରତ ସାମରିକ ଶକ୍ତି ପ୍ରୟୋଗ କରିବ କି ନାହିଁ, ଯେପରି ନେହେରୁ ନିଷ୍ପତ୍ତି ନେଇଥିଲେ ଏବଂ ତା’ପରେ ହିଁ ସୈନ୍ୟବାହିନୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ।
ଏହି ପରିସ୍ଥିତିରେ ସେନାକୁ ସ୍ବାଧୀନତା (ଫ୍ରି ହ୍ୟାଣ୍ଡ୍‌) ଦିଆଗଲା ବୋଲି କହିବା ଅର୍ଥ ହେଉଛି ନିଜର କର୍ତ୍ତବ୍ୟ ଓ ଦାୟିତ୍ୱବୋଧରୁ ଦୂରେଇଯିବା ଏବଂ ସେନାକୁ ରାଜନୈତିକ ଉତ୍ତରଦାୟିତ୍ୱ ଦେଇଦେବା। ସରକାର ଏହାକୁ ଏକ ସ୍ଥାନୀୟ ଆଇନଶୃଙ୍ଖଳା ରକ୍ଷା ଭଳି ପ୍ରସଙ୍ଗ ଭାବରେ ଦେଖୁଛନ୍ତି, ଯଦିଓ ଚାଇନାର ଉଦ୍ଦେଶ୍ୟ ରଣନୀତିପୂର୍ଣ୍ଣ। ଭାରତ ବିପଦର ସମ୍ମୁଖୀନ ହେଉଥିବା ବେଳେ ସରକାର ଏହାକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି।
ଆମେ ଭିନ୍ନ ଭିନ୍ନ ସ୍ବରରେ କହୁଥିବାରୁ ଚାଇନା ବିରୋଧରେ ଅନ୍ତର୍ଜାତୀୟ ସମର୍ଥନ ହାସଲ କରିବାର ସୁଯୋଗ ହରାଉଛୁ। ଯଦି ଆମେ ଚାଇନାର ଅନୁପ୍ରବେଶ ଓ ଆକ୍ରମଣ ବିଷୟରେ ସ୍ବଚ୍ଛ ହୋଇଥା’ନ୍ତେ, ତା’ହେଲେ ସି. ଜିନ୍‌ପିଙ୍ଗ ଆମ ଅପେକ୍ଷା ଅଧିକ ଅସୁବିଧାଜନକ ସ୍ଥିତିରେ ଥାନ୍ତେ। କିନ୍ତୁ ଚାଇନା ମୋଦିଙ୍କ ବିବୃତିକୁ ବ୍ୟବହାର କରି ଦାବି କରୁଛି ଯେ, ଏହା ଭାରତ ଭିତରେ ଅନୁପ୍ରବେଶ କରିନାହିଁ ଏବଂ ଭାରତର ଆଭିମୁଖ୍ୟକୁ ଦୋଷ ଦେଇ ଆମ ଜମି ଉପରେ ନିଜର ଦାବିକୁ ଦୋହରାଇଛି। ମୋଦିଙ୍କ ସମର୍ଥକମାନେ ଏହା ଉପରେ ନୀରବ ରହିଛନ୍ତି କାରଣ ଏହାକୁ ଯେପରି ଦକ୍ଷତାହୀନଭାବେ ପରିଚାଳନା କରାଯାଇଛି ତାକୁ ନେଇ ସେମାନେ ବିସ୍ମିତ ହୋଇଛନ୍ତି।
ଆମେ ପୁଣି ମୂଳକୁ ଫେରିବା- ଏଭଳି ପ୍ରସଙ୍ଗରେ ମୋଦି ନରମ ହେବେ ବୋଲି କେହି ଭାବି ନ ଥିଲେ। ଉପା କ୍ଷମତାରେ ଥିବାବେଳେ ଚାଇନାର ସାମୟିକ ଅନୁପ୍ରବେଶକୁ ନେଇ ମୋଦି ଯେଉଁ ସାହସିକ ବାକ୍ୟବାଣ ମାରୁଥିଲେ, ଏବେ ସେମାନେ ଅନୁପ୍ରବେଶକୁ ସ୍ଥାୟୀ କରିବାକୁ ଗଲାବେଳେ ସେ ସାହସ କୁଆଡ଼େ ଗଲା?
ଏହା ତାଙ୍କର କିଭଳି ଜାତୀୟତା? ଆମେ ଏହାକୁ କୃତ୍ରିମ ଜାତୀୟତା ବୋଲି କହିପାରିବା। ଏହା ନକଲି। ଅଭିଧାନରେ ଜାତୀୟତା ମାନେ ଏକ ଦେଶପ୍ରେମୀ ଭାବନା ଏବଂ ନିଜର ଦେଶ ପ୍ରତି ଅତ୍ୟଧିକ ଭକ୍ତି। ଏହା ଏକ ଆଦର୍ଶ ଯାହା ନିଜ ଦେଶର ସାର୍ବଭୌମତ୍ୱକୁ ରକ୍ଷା କରିବା ସହିତ ବିଦେଶୀ ପ୍ରଭାବକୁ ପ୍ରତିରୋଧ କରେ।
ଲଦାଖରେ ଆମେ ଯାହା ଦେଖୁଛୁ ତାହା ଏହାର ବିପରୀତ। ଏହା ହେଉଛି ଛଦ୍ମ ଜାତୀୟତା ଯେଉଁଥିରେ କେବଳ ବଡ଼ବଡ଼ କଥା କୁହାଯାଏ, କିନ୍ତୁ କାମରେ ଶୂନ। ଆମେ ଚାଇନା ଅପେକ୍ଷା ଏକ ଗରିବ, ଛୋଟ ଓ କମ୍‌ ଶକ୍ତିଶାଳୀ ରାଷ୍ଟ୍ର ଅଟୁ କି ନାହିଁ ସେଥିରେ କିଛି ଯାଏ ଆସେ ନାହିଁ। କିନ୍ତୁ ବର୍ତ୍ତମାନ ଯାହା ଘଟୁଛି, ବିନା ପ୍ରତିରୋଧରେ ସେମାନେ ଆମ ଅଞ୍ଚଳକୁ ଜବରଦଖଲ କରିବାକୁ ଯାଉଛନ୍ତି। ଏହି ସମୟରେ ମୋଦି ଆମର ଏକତାର ମୂଲ୍ୟ ବୁଝିବା ଦରକାର। ଯଦି ସେ କହିବେ ଯେ ଚାଇନାର ଆକ୍ରମଣାତ୍ମକ ଅନୁପ୍ରବେଶ ଦ୍ୱାରା ଦେଶର ସାର୍ବଭୌମତ୍ୱ ପ୍ରତି ବିପଦ ଆସିଛି, ତା’ହେଲେ ଏପରି କି ଯେଉଁମାନେ ତାଙ୍କୁ ପସନ୍ଦ କରନ୍ତି ନାହିଁ (ମୋଦି ବିରୋଧୀ), ସେମାନେ ମଧ୍ୟ ତାଙ୍କ ଆହ୍ବାନରେ ଏକଜୁଟ ହୋଇଯିବେ। ଆମ ଭିତରେ ଅନ୍ୟାନ୍ୟ ରାଜନୈତିକ ବାଦବିବାଦ ଯାହା ଥାଉନା କାହିଁକି, ସେସବୁ ଦୂରରେ ରଖି ବାହ୍ୟ ବିପଦ ହଟିବା ପର୍ଯ୍ୟନ୍ତ ଭାରତବାସୀ ମୋଦିଙ୍କ ହାତରେ ହାତ ମିଳେଇ ଲଢ଼ିବା ପାଇଁ ବାହାରି ଆସିବେ। ବିଦେଶୀ ଶତ୍ରୁ ବିରୋଧରେ ଲୋକଙ୍କୁ ଏକଜୁଟ କରିବା ହେଉଛି ସରକାର ଏବଂ ପ୍ରଧାନମନ୍ତ୍ରୀଙ୍କ ଦାୟିତ୍ୱ। କିନ୍ତୁ ତା’ ବଦଳରେ ଶତ୍ରୁଙ୍କୁ ସୁହାଇଲା ଭଳି କୌଣସି ଆକ୍ରମଣ ବା ଅନୁପ୍ରବେଶ ହୋଇନାହିଁ ବୋଲି ସେ କହିଛନ୍ତି। ଏହାକୁ କେବେହେଲେ ଜାତୀୟତା କୁହାଯାଇପାରିବ ନାହିଁ।

Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri