ପୁରୁଷୋତ୍ତମପୁର,୧୫।୮(ସବିତା ମିଶ୍ର): ସାରାଦେଶ ସ୍ବାଧିନତା ଦିବସକୁ ମହାଆଡ଼ମ୍ବରରେ ପାଳନ କରୁଥିବାବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସିର ଜନସାଧାରଣ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ପରାଧୀନ ଅବସ୍ଥାରେ ରହିଥିବା ଅଭିଯୋଗ ଆଣିଛନ୍ତି। ଏନଏସିର କାଉନସିଲର ଏବଂ ସ୍ଥାନୀୟ ବାସିନ୍ଦାମାନେ ଖୋଦ୍ ଏନଏସି କାର୍ଯ୍ୟାଳୟ ଆଗରେ ଧାରଣାରେ ବସି ପ୍ରତିବାଦ କରିଛନ୍ତି, ଯାହାକି ସ୍ଥାନୀୟ ଅଞ୍ଚଳରେ ଏକପ୍ରକାର ଲଜ୍ଜାଜନକ ଘଟଣା ପାଲଟିଛି।
ପୁରୁଷୋତ୍ତମପୁର ଏନଏସିରେ ଷ୍ଟ୍ରିଟ୍ଲାଇଟ୍ଠାରୁ ଆରମ୍ଭ କରି ଡ୍ରେନ୍, ଶୌଚାଳୟ, ପାନୀୟ ଜଳ ଏବଂ ଅତି ଜରୁରୀ ମୌଳିକ ସମସ୍ୟାଗୁଡ଼ିକ ଦୀର୍ଘଦିନ ହେଲା ଲାଗି ରହିଥିଲେ ମଧ୍ୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉ ନଥିବାରୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଉଗ୍ର ରୁପ ନେଇଥିଲା। ଏହି ସମୟରେ ନିର୍ବାହୀ ଅଧିକାରୀ ବଡ଼ ନା ଲାଇଟ୍ ଲଗାଉଥିବା କର୍ମଚାରୀ ଶୁଭକାନ୍ତ ବାରିକ ବଡ଼ ବୋଲି ପ୍ରଶ୍ନ କରି ଆନ୍ଦୋଳନକାରୀମାନେ ବିଭିନ୍ନ ନାରାବାଜି କରିଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ, ତୁରନ୍ତ ପଦକ୍ଷେପ ନ ନେଲେ ଜନସାଧାରଣ ଆତ୍ମାହୁତି ଦେବାର ଚେତାବନୀ ମଧ୍ୟ ଦେଇଛନ୍ତି।
ଘଟଣା ସମ୍ପର୍କରେ ଖବର ପାଇ ପୁରୁଷୋତ୍ତମପୁର ତହସିଲଦାର ବିନୋଦ ବେହେରା ଓ ଆଇଆଇସି କୁଳମଣି ସେଠି ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଏହାପରେ ତହସିଲଦାରଙ୍କ ତତ୍ତ୍ବାବଧାନରେ ନିର୍ବାହୀ ଅଧିକାରୀ ସଂଗୀତା ସେଠି, ଏନଏସି ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା, ବିଧାୟକଙ୍କ ପ୍ରତିନିଧି ସୁଦର୍ଶନ ବେହେରା, ଏମପି ପ୍ରତିନିଧି ବିଶ୍ବଭୂଷଣ ମହାପାତ୍ର, କାଉନସିଲର ଏବଂ ସ୍ଥାନୀୟ ବୁଦ୍ଧିଜୀବୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
ବୈଠକରେ କପିଳେଶ୍ବର ମନ୍ଦିର ନିକଟରେ ଶ୍ମଶାନ ଘାଟ ନିର୍ମାଣ, ରଥସାହି ପଛପଟ କେନାଲ ରାସ୍ତାରେ ଷ୍ଟ୍ରିଟ୍ଲାଇଟ୍ ପୋଲ ପୋତି ଆଲୋକୀକରଣ ବ୍ୟବସ୍ଥା, ରଥସାହି ଛକ ଓ କାଳୀମନ୍ଦିର ଛକଠାରେ ଆକ୍ୱାଗାର୍ଡ ମାଧ୍ୟମରେ ପାନୀୟ ଜଳ ଯୋଗାଣ, କାଳୀମନ୍ଦିର ଛକଠାରେ ଶୌଚାଳୟ ନିର୍ମାଣ ତଥା ବିଭିନ୍ନ ସାହିବସ୍ତିରେ ରାସ୍ତାଘାଟ ମରାମତି ଓ ଡ୍ରେନେଜ୍ ବ୍ୟବସ୍ଥାର ସୁଧାର ଆଦି ଜରୁରୀ କାର୍ଯ୍ୟଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ କରାଯିବା ନେଇ ଜିଲ୍ଲାପାଳଙ୍କୁ ଜଣାଇ ପଦକ୍ଷେପ ନେବାକୁ ତହସିଲଦାର ପ୍ରତିଶ୍ରୁତି ଦେଇଥିଲେ।
ଅନ୍ୟପକ୍ଷରେ, ଏନଏସି ନିର୍ବାହୀ ଅଧିକାରୀ ସଂଗୀତା ସେଠି କହିଛନ୍ତି ଯେ ଶୌଚାଳୟ ନିର୍ମାଣ ପାଇଁ ଟେଣ୍ଡର ପକାଇଥିବା ଠିକାଦାର ବହୁମୂଲ୍ୟ କାଟି ଟେଣ୍ଡର ଦେଇଥିବାରୁ କାମ ଠିକ୍ ଭାବେ ହେବା ନେଇ ବୈଷୟିକ କମିଟି ଆଶଙ୍କା ପ୍ରକାଶ କରିଛନ୍ତି, ଯାହାଫଳରେ ସେଠାରେ ସମସ୍ୟା ଦେଖାଦେଇଛି। ଏଥିସହ ଆନ୍ଦୋଳନ ସମ୍ପର୍କରେ ତାଙ୍କୁ କେହି ପୂର୍ବରୁ ଜଣାଇ ନଥିଲେ ଏବଂ ସେ ବାହାରକୁ ଯିବା ସମୟରେ ଧାରଣାରେ ବସିଥିବାର ଦେଖି କାରଣ ପଚାରି ବୁଝିଥିଲେ ବୋଲି ସେ ପ୍ରକାଶ କରିଛନ୍ତି।