ପ୍ରସାଧନ ବିପଣିର ମତିଗତ

ଡ. ନିଖିଳାନନ୍ଦ ପାଣିଗ୍ରାହୀ

ଏରିକା ଜେନିଫର ଫର୍ଣ୍ଣାଡିସ୍‌। ମୁମ୍ବାଇରେ ଜନ୍ମିତା ଏଇ ଯୁବ-କଳାକାର ଜଣକ ଫିଲ୍ମ ଓ ଟେଲିଭିଜନ ଇଣ୍ଟଷ୍ଟ୍ରିରେ ସମ୍ପ୍ରତି ବେଶ୍‌ ଅଭିଜ୍ଞତାସମ୍ପନ୍ନ। ତେବେ ସେ ଅଭିନେତ୍ରୀ ଭାବେ ନିଜର ତିକ୍ତ ଅନୁଭୂତି ବିଷୟରେ ଉଲ୍ଲେଖ କରିଛନ୍ତି। କୃତ୍ରିମ ଆବରଣ ଓ ଶାରୀରିକ ସଂରଚନା ତାଙ୍କୁ ବେଳେ ବେଳେ ଅସହନୀୟ ଓ ବିରକ୍ତିକର ମନେହୁଏ। ପ୍ରକାରାନ୍ତରେ ସେ ନିଜକୁ ଧିକ୍କାର କରନ୍ତି ଯେ, ଏତାଦୃଶ ମେକ୍‌ଅପ୍‌ ତାଙ୍କ ଈଶ୍ୱରଦତ୍ତ ଶରୀରକୁ ଘୋର ଅପମାନିତ କରିବା ସହ ସମାନ। ଫିଲ୍ମରେ ଅଭିନୟ ବେଳେ ଯେମିତି ରଙ୍ଗଢଙ୍ଗରେ ତାଙ୍କୁ ଉପସ୍ଥାପନ କରାଯାଏ, ତା’ର ସେ ବିରୋଧ କରିଛନ୍ତି। ତେବେ ଫର୍ଣ୍ଣାଡିସ୍‌ଙ୍କ ଏତାଦୃଶ ନକାରାତ୍ମକ ମନୋଭାବ ଯଥାର୍ଥ ନୁହେଁ। ଫିଲ୍ମର ପ୍ରଯୋଜକ ବ୍ୟବସାୟିକ ଦୃଷ୍ଟିରୁ ଚଳଚ୍ଚିତ୍ର ନିର୍ମାଣ କରନ୍ତି। ତାଙ୍କ ଲକ୍ଷ୍ୟ ହେଉଛି ଦର୍ଶକଙ୍କ ରୁଚିକୁ ସନ୍ତୁଷ୍ଟ କରିବା। ପୁଣି ନିର୍ଦ୍ଦେଶକ ଫିଲ୍ମ କାହାଣୀର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପାତ୍ର-ପାତ୍ରୀଙ୍କୁ ସଜାଇବା ଜରୁରୀ ମନେକରନ୍ତି। ମନୋରଞ୍ଜନ-ଶିଳ୍ପରେ ତେଣୁ ଫର୍ଣ୍ଣାଡିସ୍‌ଙ୍କ ବ୍ୟକ୍ତିଗତ ଇଚ୍ଛା ପୂରଣ କରିବା ଅବାସ୍ତବ।
ଯଦି ଜଣେ କାଦୁଅକୁ ଗଲା, ସେ ସଫାସୁତରା ହେବା ପାଇଁ ଗୋଡ଼ଧୁଆକୁ ବିରୋଧ ବା ନାପସନ୍ଦ କରିବା ଠିକ୍‌ ନୁହେଁ। ଫର୍ଣ୍ଣାଡିସ୍‌ ଇତ୍ୟବସରରେ ଅବଶ୍ୟ ହୃଦୟଙ୍ଗମ କରିବେଣି ଯେ କେବଳ ଫିଲ୍ମ ପାଇଁ ଅଭ୍ୟାସ ବେଳେ ନୁହେଁ, ରିହରସାଲ ସାରି ରାଜରାସ୍ତାରେ ପାଦଦେବା ମାତ୍ରେ ନିଜ ଚେହେରା, ପୋଷାକପରିପାଟୀ ପ୍ରତି ସ୍ବତନ୍ତ୍ର ଦୃଷ୍ଟିଦେବାକୁ ପଡ଼ିବ। ପ୍ରତ୍ୟେକ କାଳାକାର ଦର୍ଶକ ଓ ପ୍ରଶଂସକ ମହଲରେ ନିଜ ଛବିକୁ ଆକର୍ଷଣୀୟ ରଖିବାକୁ ଏମିତି ଆଚରଣ ପ୍ରଦର୍ଶନ କରିବାକୁ ବାଧ୍ୟ ହୋଇଥାନ୍ତି। ସାଧାରଣ ବ୍ୟକ୍ତିଙ୍କ ପରି ସେମାନେ ସ୍ବାଧୀନ ଓ ମୁକ୍ତ ହୋଇ ପାରି ନ ଥାନ୍ତି।
ପ୍ରସଙ୍ଗ କ୍ରମେ ଯୁକ୍ତରାଷ୍ଟ୍ରର ହ୍ୟୁଷ୍ଟନ (ଟେକ୍‌ସାସ୍‌)ଠାରେ ୧୯୮୧ରେ ଜନି୍ମତା ବେୟନସଙ୍କ ଉକ୍ତି ଉଲ୍ଲେଖନୀୟ। ସେ ଜଣେ ନାମଜାଦା ଗାୟିକା, ନର୍ତ୍ତକୀ, ଅଭିନେତ୍ରୀ। ତତ୍‌ସହ ଜଣେ ସଫଳ ବ୍ୟବସାୟୀ। ସେ ‘ପ୍ରେଟି ହାର୍ଟସ’ ଶୀର୍ଷକ ଗୋଟିଏ ମ୍ୟୁଜିକ୍‌ ଭିଡିଓ ପ୍ରସ୍ତୁତ କରି ଅପାର ଜନପ୍ରିୟତା ପ୍ରାପ୍ତହେଲେ। ଜେନେରେଶନ ଜେଡ୍‌ ଦ୍ୱାରା ‘କୁଇନ୍‌ ବି’ ଭାବେ ପରିଚିତା ବେୟନସ ଏହି ଭିଡିଓରେ ଉଲ୍ଲେଖ କରିଛନ୍ତି ଯେ, ସୌନ୍ଦର୍ଯ୍ୟର ସ୍ବତନ୍ତ୍ର ମାନଦଣ୍ଡ ଅଛି। ଏହା ସମାଜ ଦ୍ୱାରା ନିର୍ଦ୍ଧାରିତ। ଜଣେ ସୁନ୍ଦରୀ କେଉଁ ପ୍ରକାର ହେବା କଥା, ତାହା ସେ ସୂଚାଇଛନ୍ତି। ନାରୀର ମେଧା-ଶକ୍ତି ପ୍ରତି ସମାଜ ଯେତେ ଜୋର ଦିଏ ନାହିଁ, ତା’ ଅପେକ୍ଷା ତା’ର ଚେହେରା ଓ ବାହ୍ୟ-ଆଡମ୍ବର ବିଷୟରେ ଅଧିକ ଧ୍ୟାନ ଦିଏ। ବିଶେଷତଃ ମନୋରଞ୍ଜନ ଶିଳ୍ପ ସହ ସମ୍ପୃକ୍ତ ନାୟିକା ସାଧାରଣ-ଦର୍ଶକଙ୍କ ଆଶାନୁରୂପ ନିଜକୁ ସଜେଇ ଅହରହ ଚଳପ୍ରଚଳ ହେବା ଜରୁରୀ। ସମାଜର ଏମିତି ମାନସିକତା ଅଭିନେତ୍ରୀମାନଙ୍କୁ ସତତ ଚାପଗ୍ରସ୍ତ କରେ-ଚଳଚ୍ଚିତ୍ରରେ ହେଉ ବା ବାହାରେ। ଲୋକଙ୍କ ଆଶା ପୂରଣ କରିବାକୁ ସେ ସଚେତନ ରହି ସ୍ବାଭାବିକତା ହରାଏ।
ଅବଶ୍ୟ ବଲିଉଡ୍‌ରେ ଏମିତି କେତେଜଣ ନାୟିକା ଅଛନ୍ତି, ଯେଉଁମାନଙ୍କର ନିଜର ଈଶ୍ୱରଦତ୍ତ ତଥା ଜନ୍ମଗତ ସୌନ୍ଦର୍ଯ୍ୟ ବିଷୟରେ ଦୃଢ଼ ଆସ୍ଥା ଅଛି। ବଜାରରେ ସଉଦା କରିବା ବେଳେ ହେଉ ବା ପ୍ରମୋଦ ଉଦ୍ୟାନରେ ଭ୍ରମଣ ହେଉ, ସେମାନେ ବିନା ବା ସାମାନ୍ୟ ମେକ୍‌ଅପ୍‌ରେ ଚଳପ୍ରଚଳ ହୋଇଥାନ୍ତି। ଜଣେ ଅଭିନେତ୍ରୀ ଯେ ପୋର୍ସିଲିନ କଣ୍ଢେଇ ପରି ମସୃଣ, ଚିକିମିକିଆ ହେବାକୁ ବାଧ୍ୟ, ସେମାନେ ଏହି ଚିନ୍ତାଧାରାକୁ ଅବଜ୍ଞା କରିଥାନ୍ତି। ହୁଏତ ଖାଦ୍ୟପେୟରେ ସେମାନେ ସଂଯମୀ। କିନ୍ତୁ ଅହର୍ନିଶ ଚବିଶ ଘଣ୍ଟା ସ୍ବର୍ଗର ଅପସରା ପରି ରହିବା ପ୍ରସଙ୍ଗକୁ ସେମାନେ ଜଣେ ଅଭିନେତ୍ରୀର ଜୀବନର ମୂଳମନ୍ତ୍ର ବୋଲି ସ୍ବୀକାର କରି ନ ଥାନ୍ତି। ଅବଶ୍ୟ ଏମାନେ ହେଉଛନ୍ତି ବ୍ୟତିକ୍ରମ ଓ ତାଙ୍କ ସଂଖ୍ୟା ମୁଷ୍ଟିମେୟ।
ପ୍ରକାଶ ଥାଉ କି, ରଙ୍ଗମଞ୍ଚ ସହ ସଂଶ୍ଳିଷ୍ଟ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଶାରୀରିକ ସୌନ୍ଦର୍ଯ୍ୟବର୍ଦ୍ଧନ ସୀମିତ ନୁହେଁ। ସର୍ବସାଧାରଣ ମଧ୍ୟ ଏହି ପ୍ରବୃତ୍ତିର ଊଣା ଅଧିକେ ବଶବର୍ତ୍ତୀ। ତେଣୁ ପ୍ରସାଧନ ଶିଳ୍ପର ଚାହିଦା କ୍ରମଶଃ ଆକାଶଛୁଅଁା ହେବାର ଳକ୍ଷଣ ପ୍ରକଟ ହେଉଛି। ସାଧାରଣ ଭାବେ ଗୋଟିଏ ଧାରଣା ଆମ ମନରେ ବଳବତ୍ତର ଅଛି ଯେ, ନାରୀମାନେ ପ୍ରସାଧନ ସାମଗ୍ରୀର ବ୍ୟବହାର ପାଇଁ ବ୍ୟାକୁଳ। କିନ୍ତୁ ପରିସଂଖ୍ୟାନର ବିଶ୍ଳେଷଣ ଏକ ଭିନ୍ନ ଚିତ୍ର ପ୍ରଦାନ କରେ। ଦ ଇକୋନୋମିକ ଟାଇମ୍ସରେ ରିତଙ୍କର ମୁଖାର୍ଜୀଙ୍କ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ (୧ ମାର୍ଚ୍ଚ ୨୦୧୪) ଅନୁଯାୟୀ ବିଶ୍ୱସ୍ତରରେ ମହିଳାମାନେ ପ୍ରସାଧନ ସାମଗ୍ରୀର ପ୍ରମୁଖ ବ୍ୟବହାରିଣୀ ବୋଲି ଯଦିଓ ସିଦ୍ଧ ହୁଏ, କିନ୍ତୁ ଭାରତରେ ଏହି କ୍ଷେତ୍ରରେ ପୁରୁଷମାନଙ୍କ ଆଗ୍ରହକୁ ନୂ୍ୟନ ମନେ କରାଯାଇପାରିବ ନାହିଁ। ବିଶ୍ୱସ୍ତରୀୟ ହାରଠାରୁ ଆମ ଦେଶରେ ଏହା ଯଥେଷ୍ଟ ଅଧିକ। ତ୍ୱଚାର ଯତ୍ନ ପାଇଁ ଖର୍ଚ୍ଚ, ଅତର କ୍ରୟରେ ଭାରତୀୟମାନେ ଅଧିକ ଆଗ୍ରହୀ। (ଲ’ ଓରିଅଲ୍‌ର ରିପୋର୍ଟ)। ତେଣୁ ଡ୍ରେସିଂ ଟେବୁଲ ବା ବ୍ୟୁଟିପାର୍ଲର ପ୍ରତି ମହିଳାମାନଙ୍କ ଆସକ୍ତିକୁ ଅତିରଞ୍ଜିତ କରି ପୁରୁଷମାନେ ଉପସ୍ଥାପନ କରିବା ସତ୍ୟର ଅପଳାପ। ଏହା ଏକ ପାରମ୍ପରିକ ଅପବାଦ ଏବେ ହେଲାଣି।
ସ୍ତ୍ରୀ ଓ ପୁରୁଷ ନିର୍ବିଶେଷରେ ତ୍ୱଚାର ଯତ୍ନ, କେଶବିନ୍ୟାସ, ଶରୀରର ଦୁର୍ଗନ୍ଧ ଦୂର ପଦାର୍ଥ, ଫୁଲରୁ ସଂଗୃହୀତ ସୁଗନ୍ଧ ତରଳ ରସ, ଅତର ମେକଅପ୍‌ ସାମଗ୍ରୀ ଇତ୍ୟାଦି ପ୍ରସାଧନ ବସ୍ତୁର ଚାହିଦା ବଜାରରେ ରହିଛି। ପୂର୍ବାପେକ୍ଷା ଅଧିକ ତ୍ୱଚାର ଯତ୍ନ ଶତକଡ଼ା ବୟାଳିଶ ଭାଗ ସାମଗ୍ରୀ ବିକ୍ରି ହୁଏ। ୨୦୨୫ରେ କେବଳ ଯୁକ୍ତରାଷ୍ଟ୍ରରେ ଏଥିରୁ ଡଲାରରେ ୧୭୭ ବିଲିଅନ ରାଜସ୍ବ ପ୍ରାପ୍ତ ହେବ ବୋଲି ଅନୁମିତ। ଭାରତରେ ୨୦୨୨ରେ ପ୍ରସାଧନ କାରବାରରେ ସିଏଜିଆର୍‌ (କମ୍ପାଉଣ୍ଡ ଆନୁଆଲ ଗ୍ରୋଥ୍‌ ରେଟ୍‌) ଶତକଡ଼ା ୪.୨୩ ହାରରେ ବଢ଼ିବ ବୋଲି ମୋରଡୋର ଇଣ୍ଟେଲିଜେନସ ଅଟକଳ କରିଛି। ଆଇଏମ୍‌ଏଆର୍‌ସି ୨୦୨୨-୨୭ ଅବଧିରେ ଏହା ଶତକଡ଼ା ୬.୫ରେ ପହଞ୍ଚତ୍ବା କଥା ଜଣାଇଛି। ଷ୍ଟାଟିଷ୍ଟିଆ ରସର୍ଚ୍ଚ ଡିପାର୍ଟମେଣ୍ଟ ଦ୍ୱାରା ୨୧ ଫେବୃୟାରୀ ୨୦୨୨ରେ ସୂଚିତ ହିସାବ ଅନୁଯାୟୀ ୨୦୨୦ରେ ଏସିଆ ପାସିଫିକ୍‌ ଭୂଖଣ୍ଡର ପ୍ରସାଧନ-ବିପଣି ବିଶ୍ୱର ଶତକଡ଼ା ୪୩ ଭାଗ ଅକ୍ତିଆର କରିଥିଲା। ୨୦୦୪ରୁ ୨୦୧୯ ପର୍ଯ୍ୟନ୍ତ କସ୍ମେଟିନ୍‌ ଇଣ୍ଡଷ୍ଟ୍ରିର ବାର୍ଷିକ ଅଭିବୃଦ୍ଧି ହାର ଯୁକ୍ତରାଷ୍ଟ୍ର (୨୦୦୯ରେ ସର୍ବନିମ୍ନ ଶତକଡ଼ା ଏକ ହୋଇଥିବା ବେଳେ ୨୦୧୮ରେ ସର୍ବାଧିକ ୫.୫)ର ରହିଆସିଛି। ତେବେ ୨୦୨୦ରେ କରୋନା ମହାମାରୀର ତାଣ୍ଡବ ଲୀଳାରୁ ଯେମିତି ଅର୍ଥନୈତିକ ବିପର୍ଯ୍ୟୟ ଓ ସାମାଜିକ ଅଚଳାବସ୍ଥା ଦେଖାଦେଲା, ତା’ର କୁପ୍ରଭାବରେ ପ୍ରସାଧନର ବ୍ୟବହାର ଅତିଶୟ ନିମ୍ନଗାମୀ ହୋଇ ଏହି ସଂଖ୍ୟା ବିଯୁକ୍ତ ଆଡ଼କୁ ଖସିଗଲା, ଯାହାକି ଏକ ନିର୍ଘାତ ପତନର ସୂଚକ।
ଏହି ଡାଟାରୁ ସ୍ପଷ୍ଟ ହୁଏ ଯେ, କସ୍ମେଟିକ୍‌ର ଚାହିଦା ସାମାଜିକ ସମୃଦ୍ଧି ଓ ଅର୍ଥନୈତିକ ଅଭିବୃଦ୍ଧି ବେଳେ ଊର୍ଦ୍ଧ୍ୱଗାମୀ ହୁଏ। ସେମିତି ସମାଜ ଦୁର୍ଦ୍ଦଶାଗ୍ରସ୍ତ ହେଲେ ଏବଂ ଆର୍ଥିକ ଅଧୋଗତି ସମୟରେ ଏହା ନିମ୍ନଗାମୀ ହୁଏ। ତେଣୁ ପ୍ରକାରାନ୍ତରେ ସମାଜର ଭଲମନ୍ଦ ପରଖିବା ପାଇଁ ପ୍ରସାଧନର ବ୍ୟବହାର ଏକ ବିଶ୍ୱସନୀୟ କାରକ। ଏହାର କ୍ରମୋନ୍ନତି ହେବା ସମାଜ ଓ ଦେଶ ପାଇଁ ମଙ୍ଗଳକାରକ।
ମୋ- ୯୦୭୮୭୪୩୮୪୩


Enter your email to get our daily news in your inbox.

All Right Reserved By Dharitri.Com

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

ଯୁକ୍ତିଯୁକ୍ତ ଦୃଷ୍ଟିକୋଣ

ଭାରତର ସଦ୍ୟତମ ବାବୁ ଅଦଳବଦଳ ପ୍ରକୃତରେ ବଦଳି କିମ୍ବା ନିଯୁକ୍ତି ବିଷୟକୁ ନୁହେଁ, ବରଂ ନୂଆଦିଲ୍ଲୀର ଶାସକୀୟ ଦୃଷ୍ଟିକୋଣର ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରୁଛି। ସୂତ୍ରରୁ…

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଏକ ମରୁଡ଼ିପ୍ରବଣ ଅଞ୍ଚଳ। ବର୍ଷାଦିନ ପରେ ଏଠାରୁ ଭାରଓ୍ବାଡ ଯାଯାବର ସମ୍ପ୍ରଦାୟର ଲୋକେ ଗୃହପାଳିତ ପଶୁଙ୍କୁ ନେଇ ଅନ୍ୟ ଚାରଣଭୂମି ଅଞ୍ଚଳକୁ ଚାଲିଯାଆନ୍ତି। ସେମାନେ…

ପ୍ରକୃତିର ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା-୧୮ରେ କୁହାଯାଇଛି, ”ପ୍ରକାଶ କ୍ରିୟା ସ୍ଥିତି ଶୀଳଂ ଭୂତେନ୍ଦ୍ରିୟାତ୍ମକଂ ଭେଗାପବର୍ଗାଥଂ ଦୃଶ୍ୟମ“। ଏହାର ଅର୍ଥ ହେଲା ପ୍ରକାଶ, କ୍ରିୟା…

ସବୁଜ ସାଧକ କାଳିନ୍ଦୀ ଚରଣ

ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ୍‌ ମାନ, ଆମ ଝିଅବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ“। କବିତାରେ ସର୍ବହରା ମଣିଷର ଏହି ଇସ୍ତାହାର…

ଜଳବାୟୁ ଆଇନ ପାଇଁ ଆହ୍ବାନ

ଗତବର୍ଷ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ) ଜଳବାୟୁ ପରିବର୍ତ୍ତନ ଉପରେ ଏକ ଆଇନଗତ ମତ ବା ରାୟ ପ୍ରକାଶ କରିଥିଲେ, ଯାହା ୨୦୧୫ ପ୍ୟାରିସ ଚୁକ୍ତି…

ସେବାରୁ ଆରମ୍ଭ, ସ୍ୱାର୍ଥରେ ଶେଷ

ଏବକାର ଭାରତରେ ରାଜନୀତିଜ୍ଞମାନେ ଇଂଲିଶ ଅକ୍ଷର ଏସ୍‌(S)କୁ ଜପାମାଳି କରି ଦେଇଛନ୍ତି। ଏହା ମାଧ୍ୟମରେ ସେମାନେ ଦେଶସେବା କରିବାର ଛଳନା କରୁଛନ୍ତି। ପ୍ରତ୍ୟେକ ସ୍ଲୋଗାନ, ପ୍ରତ୍ୟେକ ଯୋଜନା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri