ବଦଳି ନ ହେବା ଆବହାୱାରେ ଭ୍ରଷ୍ଟାଚାର

ବାୟୁ ଚଳାଚଳ ନ ଥିବା କୋଠରିରେ କୋଭିଡ୍‌-୧୯ ଭାଇରସ୍‌ ଯେପରି ଆର୍ଦ୍ରବାୟୁବିନ୍ଦୁ (ଡ୍ରପ୍‌ଲେଟ୍‌)ରେ ବ୍ୟାପେ, ଭ୍ରଷ୍ଟାଚାର ମହାମାରୀର ବୀଜ ସେହିଭଳି ‘ରୁଦ୍ଧ’ ରାଜନୈତିକ ଆବହାୱାରେ ବ୍ୟାପେ। ଛୋଟ ବଡ଼ କର୍ମଚାରୀ ହୁଅନ୍ତୁ କି ମନ୍ତ୍ରୀ ହୁଅନ୍ତୁ, ସେ ଯଦି ଗୋଟିଏ ବିଭାଗରେ ଚାକିରିକାଳ ଯାକ (ପ୍ରମୋଶନ ପାଇ ବି) ରୁହନ୍ତି, ତାଙ୍କ ରକ୍ତରେ ଭ୍ରଷ୍ଟାଚାରର ଭୂତାଣୁ ନିଶ୍ଚୟ ଉଧେଇବ। ମନ୍ତ୍ରୀ ହେଉ କି କର୍ମଚାରୀ, ସେ ଲାଞ୍ଚ ଛାଙ୍କିବାର ଖଇଞ୍ଚି ତିଆରି କରିନିଏ। ଲାଞ୍ଚ ଯିଏ ଦିଏ ତା’ ପାଇଁ ଲାଞ୍ଚ ଏକ ଇକନମିକ ଆକ୍ଟିଭିଟି, ବ୍ୟବସାୟିକ କାରବାର। ଇକନମିକ୍ସରେ ନୀତି ଅନୀତି ବିଚାର ନ ଥାଏ, ଲାଭ ହିଁ ଅର୍ଥନୈତିକ କାରବାରର ମୂଳ। ଲାଞ୍ଚ ଦେବାବାଲା ଆକଳନ କରେ ଯାହାକୁ ଘୁସ୍‌ ଦେବ ସେ ଫଳ ଦେବା ପର୍ଯ୍ୟନ୍ତ ରହିବ ତ? ଯଦି ବଦଳି ହେବା ନିଶ୍ଚିତ, ଲାଞ୍ଚ ଦେବନାହିଁ। ତେଣୁ ବିଭାଗ ଛାଡୁ ନ ଥିବା ଅଫିସର ଏବଂ ବଦଳି ହେଲେ ବି ସେହି ବିଭାଗରେ କାମ କରୁଥିବା କର୍ମଚାରୀଙ୍କୁ ଲାଞ୍ଚ ଦେଲେ କାମ ହେବ ଓ ସହଳରେ ହେବ ବୋଲି ସରକାରୀ-କାମର ଆଶାୟୀ (ବେନିଫିସିଆରି) ଲାଞ୍ଚ ଦେଇଥାଏ। ଏ ଏକ ପଦ୍ଧତି ହୋଇଯାଇଛି। ଯଦି କାହାର ସନ୍ଦେହ ଥାଏ ସେ ଯାଇ ‘ଡିଭିଜନାଲ୍‌ ଇଞ୍ଜିନିୟରଙ୍କ ଅଫିସରେ ଟେଣ୍ଡର ପଡିବା ବାକ୍ସ’କୁ ଲକ୍ଷ୍ୟ କରନ୍ତୁ, ସେଥିରେ ଟେଣ୍ଡର କାଗଜ ସାଙ୍ଗରେ ବି ନୋଟ୍‌ ପଡ଼ିବାର ଅବସର ଅଛି। ସ୍ବୀକୃତି ଦେବା, ଲାଇସେନ୍ସ ଦେବା, ଖଣିଲିଜ୍‌ ବା ନିର୍ମାଣ କାର୍ଯ୍ୟର ଠିକା ବା ପ୍ରାକୃତିକ ସମ୍ପଦର ବ୍ୟବହାର ପାଇଁ ଲାଇସେନ୍ସ ଦେବା ଭଳି ମନ୍ତ୍ରାଳୟର ମୁଖ୍ୟ (ଅର୍ଥାତ୍‌ ମନ୍ତ୍ରୀ) ଲାଞ୍ଚ ନେବା କଥା କିଏ ନ ଜାଣେ! ଘରୋଇ ସ୍କୁଲ୍‌ କଲେଜ ମଞ୍ଜୁରୀ ପାଇଁ ଓ ସରକାରୀ ଶିକ୍ଷାୟତନମାନଙ୍କରେ ଶିକ୍ଷକ ନିଯୁକ୍ତି ଓ ବଦଳି ପାଇଁ ଲାଞ୍ଚ ନେବା ଘଟଣା ଅବିଦିତ ନୁହେଁ। ଆଇନ ଅନୁଯାୟୀ ସବୁ ପ୍ରକାରର ନିଯୁକ୍ତି ମନ୍ତ୍ରୀ-ମୁକ୍ତ ସଂସ୍ଥା ଦ୍ୱାରା ହେଲେ ବି ସେ ସଂସ୍ଥାର କର୍ମଚାରୀମାନେ ଯଦି ମଝିରେ ମଝିରେ ନ ବଦଳନ୍ତି (ଯେପରି ସବ୍‌ଅର୍ଡିନେଟ୍‌ ସର୍ଭିସ୍‌ ସିଲେକ୍ସନ ବୋର୍ଡର ଚେଆରମ୍ୟାନ୍‌ ଓ ତାଙ୍କ ତଥା ମେମ୍ବରମାନଙ୍କ ପିଏ ବା ଷ୍ଟେନୋ) ତେବେ ଲାଞ୍ଚ କାରବାର ଚାଲିବ। ରାଜ୍ୟର ସଚିବମାନେ ଓ ମନ୍ତ୍ରୀମାନେ ଯେଉଁ ପଦବୀକୁ ଗଲେ ବି ସେମାନଙ୍କ ଆଗ ପଦର ପିଏ, ପିଏସ୍‌ ବା ଓଏସ୍‌ଡିକୁ ସାଙ୍ଗରେ ନିଅନ୍ତି। ସମ୍ଭବତଃ ତାହାଦ୍ୱାରା ନିଜର ଇଚ୍ଛାସାଧନ କରିପାରିବେ। ତଳ ଉପର ଉଭୟ କର୍ମଚାରୀଙ୍କ ମାନସିକ ତରଙ୍ଗ ସମାନ ରହିଲେ ଲାଞ୍ଚ କାରବାର ଚାଲିପାରେ। କେବଳ ଇଞ୍ଜିନିୟରିଂ, ସ୍ବାସ୍ଥ୍ୟ, ଖଣି, ଏକ୍ସସାଇଜ୍‌, ରେଭେନ୍ୟୁ, ଜଙ୍ଗଲ, ଶିକ୍ଷା ଭଳି ବିଭାଗ ନୁହେଁ, ସବୁ ବିଭାଗରେ କର୍ମଚାରୀ, ମନ୍ତ୍ରୀ ମଧ୍ୟ ଏକାଧିକ ବର୍ଷକାଳ ରହିଲେ ବା ସେହି ବିଭାଗରେ ପ୍ରମୋଶନ୍‌ ପାଇ ଉପରକୁ ଗଲେ କେତେକ ଅଧିକାରୀ ଲାଞ୍ଚ ନ ନେଲେ କାମ କରନ୍ତି ନାହିଁ। ତେଣୁ କାର୍ଯ୍ୟର ଆବଶ୍ୟକତାକୁ ଚାହିଁ ଅଧିକାରୀଙ୍କ କାର୍ଯ୍ୟକାଳକୁ ଯେତେ କମ୍‌ କରାଯାଇପାରେ କରାଯିବା ଉଚିତ।
ଗରିବ ଲୋକଟିଏ ଖଣ୍ଡିଏ ନୋଟ୍‌ ପାଇଲେ ମୁଣ୍ଡରେ ମାରି ଠଣାରେ ସାଇତି ରଖେ। ସୁଖରାମ ଓ ପାର୍ଥ ଚାଟାର୍ଜୀଙ୍କ ଭଳି ଭ୍ରଷ୍ଟାଚାରୀ ମନ୍ତ୍ରୀମାନେ ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍‌ର ବିଡ଼ା ବିଡ଼ା ପାଇଲେ ବିଛଣା ଚାଦରରେ, ତକିଆ ଭିତରେ, ଏପରିକି ଗୋଡ଼ରେ ଦଳିହେଉଥିବା ପାପୋଛ ଭିତରେ ଝୋଟ ରଖିଲା ଭଳି ରଖନ୍ତି। ନୈତିକତାର କି ଅଧଃପତନ! ସରକାରୀ କାମର ଠିକା, କର୍ମଚାରୀ ନିଯୁକ୍ତି, ରାଜ୍ୟ ସମ୍ପତ୍ତିର ଆବଣ୍ଟନ (ଭୂତଳ ଖଣି, ଉପର ବାୟୁର ସ୍ପେକ୍ଟ୍ରମ୍‌, ବାଲି ପଥରର ସଇରାତ୍‌) ଆଦି ମନ୍ତ୍ରୀ ତାଙ୍କର ପ୍ରଭାବରେ କରାଇଦିଅନ୍ତି ବୋଲି ପ୍ରଭାବର ଭଡା (ଲାଞ୍ଚ ନ କହି ଇକନମିକ୍ସରେ ରେଣ୍ଟ୍‌ କହନ୍ତି) ବାବଦରେ ଯଥେଚ୍ଛା ଲାଞ୍ଚ ନିଅନ୍ତି, ସେ ମନ୍ତ୍ରୀ ଟେଲିକମ୍‌ ଘୋଟାଲାର ସୁଖରାମ (୧୯୯୬) ହୁଅନ୍ତୁ କି କୋଇଲା ଆବଣ୍ଟନ ଘୋଟାଲାର ଦିଲ୍ଲୀପ ରାୟ (୧୯୯୯) ବା ୨-ଜି ସ୍ପେକ୍ଟ୍ରମ୍‌ ଘୋଟାଲାର ରାଜା ଓ କାନିମୋଝି (୨୦୧୦) ହୁଅନ୍ତୁ, ଅଥବା ଶିକ୍ଷକ ନିଯୁକ୍ତି ଘୋଟାଲାରେ ବାନ୍ଧବୀ ଘରେ ୫୦ କୋଟି ଟଙ୍କାର ନୋଟ୍‌ ରଖିଥିବା ପାର୍ଥ ଚାଟାର୍ଜୀ (୨୦୨୨) ହୁଅନ୍ତୁ। ଖିଲାପି ଋଣର ଟଙ୍କାରେ ବିଦେଶୀ ନାଗରିକତ୍ୱ କିଣିଥିବା ନୀରବ ମୋଦି ଓ ମାଲ୍ୟା ଅନ୍ୟ ପ୍ରକାରର ଘୋଟାଲା କରିଛନ୍ତି। ଡାଇରେକ୍ଟ ଡେବିଟ୍‌ ଟ୍ରାନ୍ସଫର୍‌ (ଡିବିଟି) ପ୍ରକ୍ରିୟାରେ ଉପଭୋକ୍ତା ବିନା ଲାଞ୍ଚରେ ପ୍ରାପ୍ୟ ପାଇବ ବୋଲି ପ୍ରଧାନମନ୍ତ୍ରୀ କହୁଥିଲା ବେଳେ କେତେକ କିରାଣି ଘୁସ୍‌ ନ ପାଇଲେ ଉପଭୋକ୍ତାର ନାଁ ଏଣ୍ଟ୍ରି କରୁନାହାନ୍ତି, ଡିବିଟି ନିରର୍ଥକ। କେତେକ ନେତା ନିଜ ପତିଆରା ଜଣାଇ ବେନାମି ବ୍ୟବସାୟ କରୁଛନ୍ତି, ଯେପରି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ତାଙ୍କ ଏମଏଲ୍‌ଏତ୍ୱର ପ୍ରତିନିିଧି ପଙ୍କଜ ମିଶ୍ରଙ୍କ ଜରିଆରେ ୩୦ କୋଟି ଟଙ୍କା ଦାମ୍‌ର ଏକ ଷ୍ଟିମର୍‌ ରଖି ପଥର ଖାଦାନରୁ ବେଆଇନ ଭାବେ ପଥର ଉତ୍ତୋଳନ କରି ବିକ୍ରିବଟା ଚଳାଉଛନ୍ତି।
ଆମ ରାଜ୍ୟ ସରକାର ଟାଇମ୍‌ ଅନୁଯାୟୀ କାମ କରିବାକୁ ସୂଚାଉଥିବା ଟି ଟିକୁ ପାସୋରି ଦେଉଛନ୍ତି। ନଗର ଉନ୍ନୟନ ଓ ଗୃହନିର୍ମାଣ ବିଭାଗର ସଚିବଙ୍କ କଥା ଦେଖନ୍ତୁ, ସେ ପ୍ରାୟ ୨୦ ବର୍ଷ ହେଲା ସେହି ପଦବୀରେ ଅଛନ୍ତି, ପ୍ରମୋଶନ୍‌ ପାଇଲେ ବି ସେଇଠି। ସେ ଉକ୍ତ ବିଭାଗର ସଚିବ ଭାବରେ ବିଏମ୍‌ସି, ସିଏମ୍‌ସି, ହାଉସିଂ ବୋର୍ଡ ଆଦିର ଜମି ଓ ଗୃହ ବଣ୍ଟନ କାମରେ ମେମ୍ବର, ସେଠାରେ ଆଲଟମେଣ୍ଟରେ କିଛି ତ୍ରୁଟି ଥିଲେ ସେଥିପାଇଁ ସେ ଦାୟୀ। ତାରାଦତ୍ତ କମିଟିର ମେମ୍ବର ହୋଇ ସେ ନିଜ ଦୋଷକୁ ମାନିଛନ୍ତି ବୋଲି କୁହାଯାଇପାରେ। ପୁଣି ତାରାଦତ୍ତ କମିଟିର ସୁପାରିସକୁ କାର୍ଯ୍ୟକାରୀ କରିବାରେ ସେ ହିଁ ଦାୟୀ। ତାଙ୍କ ସୁପାରିସ ବା ଟିପ୍ପଣୀ ଉପରେ ସରକାର ପଦକ୍ଷେପ ନେବେ। ମନେହୁଏ ଆସାମୀ ହିଁ ବିଚାରପତି ହେବା ଦରକାର ବୋଲି ସରକାର ଭାବିନେଇଛନ୍ତିି। ରାସ୍ତା ଓ ସେତୁ ନିର୍ମାଣର ଯେଉଁ ନିରୀକ୍ଷଣ ଅଧିକାରୀ ତଳିଆ କର୍ମଚାରୀଙ୍କୁ ଦୋଷ ଦେଇ ବାରମ୍ବାର ସେତୁ-ଦୁର୍ଘଟଣା ଘଟାଉଥିବା ଠିକାଦାରଙ୍କୁ ପୁଣି ଠିକା ଦିଏ ସିଏ ଯଦି ସେହି ପଦରେ ମୁଖ୍ୟଯନ୍ତ୍ରୀ ରହେ ଏବଂ ଅବସର ପରେ ରାଜ୍ୟର ଶାସକ ଦଳର ଏମ୍‌ପି ପ୍ରାର୍ଥୀ ରୂପେ ମନୋନୀତ ହୁଏ ତେବେ ରାଜ୍ୟର ରାଜନୀତିରେ ଅସାଧୁତାର ହାୱା ବହୁଛି ବୋଲି କହିବା ସିନା! ସରକାରଙ୍କ ସହ ଭିତିରି ଭଲ ଭାବ ରଖିଲେ ଭ୍ରଷ୍ଟାଚାରୀମାନଙ୍କ ପ୍ରାୟଶ୍ଚିତ୍ତ ହୋଇଯାଉଛି ବୋଲି ମନେହୁଏ। ଅରୁଚିକର ଶାସନବ୍ୟବସ୍ଥା ରାଜ୍ୟ ପାଇଁ ଭଲ ନୁହେଁ। ଏଭଳି ପରିସ୍ଥିତି ଦେଖୁଥିବା ଭଲ ଅଧିକାରୀ ମାନେ ବି ସରକାରଙ୍କ ସହିତ ଲୀଳା ଆରମ୍ଭ କରିଦେବେ। ଅବସର ପରେ ଶାସକ ଦରବାରର ଜଣେ ଅଧେ ଅଧିକାରୀ ନିର୍ବାଚନ ରଣାଙ୍ଗନରେ ସୈନ୍ୟ ସାଜିବାର ଖବର ବି ତ ଅଛି। ଅତଏବ ଏକ ଜାଗାରେ ରହିବା ମାନେ ନେତାଙ୍କ ରାଜନୈତିକ ମଙ୍ଗର ଫାଇଦା ନେବା, ଗୁଡାଏ କଳାଧନ ଗୋଟେଇବା। ଏଭଳି ଗୋଟେଇବାରେ ଅଭ୍ୟସ୍ତ ରହିବା ଓ ଧରା ନ ପଡିବା ଲାଗି ଶାସକ ଦଳର ଚାମଚା ହେବାକୁ ପଡ଼ିବ। ଅମଲାତନ୍ତ୍ରରେ ଭ୍ରଷ୍ଟାଚାର-ବନ୍ୟା ରୋକିବାରେ ବଦଳି ହିଁ ଯେପରି ଏକ ବଡ ବନ୍ଧ ହୋଇପାରେ, ବର୍ଷେ ଦି ବର୍ଷରେ ବିଭାଗ ବଦଳେଇବା ମନ୍ତ୍ରୀମାନଙ୍କ ଭିତରେ ଭ୍ରଷ୍ଟାଚାର ରୋକିବାର ଏକ କାନ୍ଥ ହୋଇପାରିବ। ୫ ବର୍ଷରେ ନିର୍ବାଚନ ହେବା ଦେଶର ଶାସନରେ ଏଭଳି ଏକ ବଦଳ ଆଣିବାର ସୁଯୋଗ ଆଣେ ବୋଲି ତାହା ଗଣତନ୍ତ୍ରକୁ ସୁସ୍ଥ ରଖେ। ଯଦି ଲୋକେ ଶାସକ ଦଳକୁ ମଝିରେ ମଝିରେ ନ ବଦଳାଇବେ ତେବେ ଦଳତନ୍ତ୍ର ବା ଫାସିବାଦ ମୁଣ୍ଡ ଟେକିବ! ଲୋକଙ୍କ ଭଲ ଚାହିଁବା ଅପେକ୍ଷା ଦଳ କିପରି ଅତି କମ୍‌ରେ ଜିତିବା ଭଳି ଭୋଟ ପାଇପାରିବ ତାହା ଦେଖିବା ଶ୍ରେୟସ୍କର ମନେହୁଏ!

  • ସହଦେବ ସାହୁ
    sahadevas@yahoo.com

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri