ପ୍ରଶାସନରେ ଦୁର୍ନୀତି ଓ ଅପାରଗତା

ଡ. ସିଦ୍ଧାର୍ଥ କାନୁନ୍‌ଗୋ

“ଦୁଇ ପ୍ରକାରର ବାଟ ଅଛି। ଚାଲିଥିବା ବସ୍‌ରେ ଉଠିଯାଅ, ଯେଉଁଥିରେ ଦୁର୍ନୀତି ବୋଝେଇ ହୋଇଛି, ନ ହେଲେ ଚୁପ୍‌ଚାପ୍‌ ରାସ୍ତାର ଅନ୍ୟ ପାର୍ଶ୍ୱରେ ଚାଲ, କିନ୍ତୁ ଚଳନ୍ତା ବସ୍‌ ଆଗକୁ ଆସି ଦୁର୍ନୀତିର ପ୍ରତିରୋଧ କରିବାର କିଛି ଅର୍ଥ ନାହିଁ।” ଷାଠିଏ ଦଶକରେ ହଂକଂରେ ଦୁର୍ନୀତି କାୟା ବିସ୍ତାରକୁ ଲକ୍ଷ୍ୟ କରି କେହି ଜଣେ ମନୀଷୀ ଏହି କଥା କହିଥିଲେ। ଅଶୀ ଦଶକରେ ଆମେ ଛାତ୍ର ଥିଲାବେଳେ ଜଣେ ପ୍ରମୁଖ ସମ୍ବାଦପତ୍ରର ସମ୍ପାଦକଙ୍କୁ ସାକ୍ଷାତ୍‌କାରରେ ଡ. ହରେକୃଷ୍ଣ ମହତାବ କହିଥିଲେ- “ଦୁର୍ନୀତିକୁ ନୀତି କରିଦେଲେ ସବୁ ସମସ୍ୟାର ସମାଧାନ ହୋଇଯିବ।” ଯୌବନର ଉଦ୍ଦାମତାରେ ଆମେ କିଛି ଛାତ୍ରବନ୍ଧୁ ସେତେବେଳେ ଡ. ମହତାବଙ୍କୁ ଭୁଲ୍‌ ବୁଝିଥିଲୁ। ସମୟ ଯେତିକି ଯେତିକି ଆଗଉଛି, ଡ. ମହତାବଙ୍କର ଏହି କଥାଟି ଯେ କେତେ ବାସ୍ତବବାଦୀ ତାହା ମନେହେଉଛି। ଦିନକୁ ଦିନ ଦୁର୍ନୀତିର ଚେର ମାଡ଼ିଚାଲୁଛି ସିନା, ଏହାକୁ ପ୍ରତିହତ କରିବା ଏକ ପ୍ରକାର ଅସମ୍ଭବ ମନେହେଉଛି। ଏ ଦେଶ ତଥା ସମାଜ ଦୁର୍ନୀତି, ବ୍ୟଭିଚାର, ଅନ୍ୟାୟ ତଥା ଅନୀତିରେ ବୁଡ଼ିରହିଛି। ପରିସ୍ଥିତିର ଫାଇଦା ଉଠାଇ କିଛି ଲୋକ କଳାକୁ ଧଳା ଓ ମିଛକୁ ସତ କହି ବେଶ୍‌ ସୁବିଧାରେ ନିଜର କାର୍ଯ୍ୟ ହାସଲ କରିପାରୁଛନ୍ତି।
ଅତ୍ୟଧିକ ଶାସନ ଓ ଅତି ଅଳ୍ପ ପ୍ରଶାସନ; ଅତ୍ୟଧିକ ଆଇନ ଓ ନାମମାତ୍ର ନ୍ୟାୟ ଅତ୍ୟଧିକ ଲୋକସେବକ ଏବଂ କ୍ଷୀଣ ଜନସେବା; ଅତ୍ୟଧିକ ନିୟନ୍ତ୍ରଣ; ସାମାନ୍ୟ କଲ୍ୟାଣ- ଏହା ହେଉଛି ଭାରତର ସ୍ଥାୟୀ ପ୍ରବୃତ୍ତି। ଭାରତର ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାକୁ ଲକ୍ଷ୍ୟ କରି ଏକଦା ବିଶିଷ୍ଟ ଆଇନଜ୍ଞ ପାଲ୍‌ତିୱାଲା ଏକଥା କହିଥିଲେ।
ହଁ, ଏଠାରେ ଅଛି କଠୋର ଆଇନ, ଅଧିକ ଟିକସ, ସେବା ଯୋଗାଣରେ ଅଭାବ ଅସୁବିଧା। ରାଜନୈତିକ ଭ୍ରଷ୍ଟାଚାର, ଶାସନଗତ ତ୍ରୁଟି, ସ୍ବଚ୍ଛ ବ୍ୟବସ୍ଥାର ଅଭାବ ଏବଂ ଏହା ସହିତ ରହିଛି ଦୁର୍ବଳ ଦୁର୍ନୀତି ବିରୋଧୀ ଆଇନ ଓ ବ୍ୟବସ୍ଥା। ଏଥିଯୋଗୁ ଭ୍ରଷ୍ଟାଚାର ଦିନକୁ ଦିନ ବଢ଼ିଚାଲିଛି ସିନା କମିବାର ନଁା ନେଉନାହିଁ। ନୈତିକ ମୂଲ୍ୟବୋଧ ଆଜି ସୁଦୂର ପରାହତ। ଆମ ଶାସନ ବ୍ୟବସ୍ଥାର ପ୍ରତିଟି ସ୍ତରରେ ଦୁର୍ନୀତି ଏପରି କାୟା ବିସ୍ତାର କରିଚାଲିଛି ଯେ, ସାଧାରଣ ଲୋକଟିଏ ସେହି ପରିସ୍ଥିତିକୁ ସାମ୍ନା କରି ନ ପାରି ଅଣନିଃଶ୍ୱାସୀ ହୋଇପଡ଼ୁଛି।
ଏସବୁ କଥା ଚିନ୍ତା କଲାବେଳକୁ ମନରେ କେଜାଣି କାହିଁକି ଖୁବ୍‌ କ୍ଷୋଭ ଜାତ ହୁଏ। ଆଜି ଗଣତନ୍ତ୍ରର ଗର୍ଭପାତ ହୋଇଛି ବୋଲି ମନେହୁଏ। ଗଣତନ୍ତ୍ରର ମୂଳତତ୍ତ୍ୱ ହେଲା- ଏହା ବହୁମତ ଶାସନ, କିନ୍ତୁ ବାସ୍ତବରେ ଏଠାରେ ହେଉଛି କ’ଣ? ଅଳ୍ପ କିଛି ଲୋକ କ୍ଷମତାର ଅଧିକାରୀ ହୋଇ ସମସ୍ତ ସୁବିଧା ସୁଯୋଗକୁ ଆପଣେଇ ନେଉଛନ୍ତି। ‘ସମାନତା’ ବୋଲି ଏକ ଶବ୍ଦ କେବଳ ତତ୍ତ୍ୱ ହୋଇ ରହିଗଲା। ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଗଣତନ୍ତ୍ରର ନୈତିକ ମୂଲ୍ୟବୋଧ ଆଜି ସୁଦୂରପରାହତ।
ବର୍ତ୍ତମାନ ଆମେ ଦେଶ କଥା ଟିକେ ଚିନ୍ତା କରିବା। ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାଶନାଲ ସଂସ୍ଥାର ୨୦୨୧ ବିଶ୍ୱ ଦୁର୍ନୀତି ସୂଚକାଙ୍କ ଅନୁସାରେ ୧୮୦ ଦେଶ ମଧ୍ୟରେ ଭାରତର ସ୍ଥାନ ୮୫ରେ ଅଛି। ବ୍ୟାଙ୍କ ଦୁର୍ନୀତି, ଶହୀଦଙ୍କର କଫିନ୍‌କିଣା ଦୁର୍ନୀତି, ଲୋକ ସଭା ବା ବିଧାନସଭାରେ ପ୍ରଶ୍ନ ପଚାରିବାରେ ଟଙ୍କା ନେବା ଦୁର୍ନୀତି, ଅସ୍ତ୍ରକିଣା ଦୁର୍ନୀତି ଇତ୍ୟାଦି ଏପରି ବହୁ ଦୁର୍ନୀତିର ତାଲିକା ଲମ୍ବା। ଏହାକୁ ନେଇ କିଛିଦିନ ସଂସଦ ତଥା ବିଧାନସଭା ହୁଲସ୍ଥୂଲ୍‌ ହୁଏ। ଦରକାର ପଡ଼ିଲେ ବିଚାର ବିଭାଗୀୟ କମିଶନ କିମ୍ବା ଜଏଣ୍ଟ ପାର୍ଲାମେଣ୍ଟ କମିଟି ଦ୍ୱାରା ତଦନ୍ତ ହୁଏ। କିନ୍ତୁ ପର୍ବତର ମୂଷିକ ପ୍ରସବ ଭଳି କିଛିଦିନ ପରେ ଏସବୁ କଥାକୁ ଲୋକ ଭୁଲିଯାଆନ୍ତି ଏବଂ ଆମର ବିଧିବ୍ୟବସ୍ଥା ଥିବା ଦୁର୍ବଳତାକୁ ଆୟୁଧ କରି ଦୁର୍ନୀତି କରିଥିବା ଲୋକଟି ମୃତ୍ୟୁ ସଂଜୀବନୀ ପାଇଲା ପରି ପୁଣି ତା’ କାମରେ ଲାଗିଯାଏ।
ବର୍ତ୍ତମାନ ବହୁ କିଛି ହୋଇଗଲା। ଗଣତାନ୍ତ୍ରିକ ଉଦାରବାଦ ନାମରେ ଏଠି ଲୋକ ବ୍ୟାଙ୍କରୁ ଟଙ୍କା ନେଇ ଶୁଝିବେ ନାହିଁ। ଭୋଟ ବେଳେ ନେତା ଋଣଛାଡ଼ ପାଇଁ ପ୍ରତିଶ୍ରୁତି ଦେବେ। ଅଫିସକୁ ଆସିବା ଓ ଅଫିସକୁ ଯିବାରେ ସମୟାନୁବର୍ତ୍ତିତା ନାହିଁ। ଆମେମାନେ ଅଧିକାର ପ୍ରତି ଯେତିକି ସଚେତନ; ଅନୁରୂପ ଭାବେ କର୍ତ୍ତବ୍ୟ ପାଇଁ ସଚେତନ ନୁହଁ। ବିଧାନସଭା ବା ସଂସଦ ଦୀର୍ଘ ଦିନ ଧରି ଛୋଟିଆ ଛୋଟିଆ କଥାରେ ଅଚଳ ହୋଇଯାଉଛି, କିନ୍ତୁ ଲୋକପ୍ରତିନିଧିମାନେ ସେମାନଙ୍କ ଭତ୍ତା ପାଇବାରେ କିଛି ଅସୁବିଧା ହୁଏ ନାହିଁ। ଏସବୁ କଥା ଭାବିଲା ବେଳକୁ ସତରେ ମନରେ ଭାରି ଦୁଃଖ ହେଉଛି।
କିଛି ଦିନର ସରକାରୀ ଚାକିରି ଅଭିଜ୍ଞତାକୁ ଭିତ୍ତିକରି ଆମେ ଏକଥା କହିପାରୁ ଯେ, ବହୁ ଲୋକ ଭାବନ୍ତି ବଜେଟରେ ଅର୍ଥ ବ୍ୟବସ୍ଥା କଲେ ସବୁ ସମସ୍ୟାର ସମାଧାନ ହୋଇଯିବ। ମାତ୍ର ଏହା ବାସ୍ତବରେ ଠିକ୍‌ ନୁହେଁ। ଅସଲ କଥା ହେଉଛି, ଏହାର ସୁଫଳ ଲୋକମାନଙ୍କ ପାଖରେ ଠିକ୍‌ ଭାବେ ପହଞ୍ଚତ୍ପାରିଛି ନା ନାହିଁ। ଯୋଜନାର ୮୫ ପ୍ରତିଶତ ଅର୍ଥ ବାଟମାରଣା ହେଉଛି ବୋଲି ଖୋଦ୍‌ ଯେତେବେଳେ ପ୍ରଧାନମନ୍ତ୍ରୀ ସ୍ବୀକାର କରନ୍ତି, ସେତେବେଳେ ସାଧାରଣ ଜନତା ଏଥିରୁ କି ଲାଭ ପାଇଛି ତାହା ଊଣାଅଧିକେ ସମସ୍ତେ ଜାଣନ୍ତି । ଏହାର ମୂଳ କାରଣ ହେଉଛି ଆମ ଜାତୀୟ ଚରିତ୍ରର ଘୋର ଅଭାବ। ସେଦିନ ସମ୍ବିଧାନ ପ୍ରଣେତା ବାବା ସାହେବ ଡକ୍ଟର ଆମ୍ବେଡକର ସମ୍ବିଧାନ ପ୍ରଣୟନ ସଭାରେ ଭାଷଣ ପ୍ରସଙ୍ଗରେ କହିଥିଲେ- ”ଭବିଷ୍ୟତରେ ଯଦି କିଛି ଅଘଟଣ ଘଟେ, ତାହାର କାରଣ ଏହି ସମ୍ବିଧାନରେ କିମ୍ବା ତ୍ରୁଟି ଯୋଗୁ ନୁହେଁ, ବରଂ ଲୋକଙ୍କର ଭ୍ରଷ୍ଟ ଚରିତ୍ର ଏଥିପାଇଁ ଦାୟୀ ହେବ।“
ଭ୍ରଷ୍ଟ ରାଜନେତା, ଅସାଧୁ ସରକାରୀ କର୍ମଚାରୀ, ମୁନାଫାଖୋର ବ୍ୟବସାୟୀଙ୍କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି। ଏଠାରେ ଗୋଟିଏ କଥା କହିବାକୁ ଇଚ୍ଛା ହେଉଛି, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଇତିମଧ୍ୟରେ ପ୍ରାୟ ୧୬୦୦ କମିଶନ ବସିଲାଣି। ଏ ଦିଗରେ ବହୁ ଟଙ୍କା ଖର୍ଚ୍ଚ ହେଉଛି। ମାତ୍ର ଫଳ କ’ଣ ହେଉଛି? ବହୁ ଚର୍ଚ୍ଚିତ ଚିଟ୍‌ଫଣ୍ଡ କମିଶନ ଏହାର ଏକ ଉଦାହରଣ ନୁହେଁ କି? ବର୍ତ୍ତମାନ ପର୍ଯ୍ୟନ୍ତ କ’ଣ ଜମାକାରୀମାନେ ସେମାନଙ୍କର ଟଙ୍କା ଫେରସ୍ତ ପାଇଲେଣି? ଏହି କମିଶନ ପିଛା ଜନସାଧାରଣଙ୍କ ସ୍ବେଦ ଓ ଶୋଣିତର ଉଦ୍‌ବୃତ୍ତ ଟିକସ ଟଙ୍କା କେତେ ଖର୍ଚ୍ଚ ହୋଇଛି ତାହା ଖୋଦ୍‌ ସରକାର ହିଁ କହିପାରିବେ। ସେହିପରି ବିଧାନସଭାରେ ହୋଇଥିବା ଦୁର୍ନୀତି ନେଇ ଯେଉଁ ତଦନ୍ତ କମିଶନ ବସିଥିଲା, ସେ ବିଷୟରେ ଆମେ ବିଶେଷ କିଛି କହିପାରିବୁ ନାହିଁ।
ଏ ଦେଶର ଆଇନ ବ୍ୟବସ୍ଥା ଏପରି ଯେ, ନ୍ୟାୟାଳୟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସୁଯୋଗ ପାଇନଥିବା ବ୍ୟକ୍ତିର ସହଧର୍ମିଣୀ ମଧ୍ୟ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ଏବଂ ପରୋକ୍ଷରେ ଦୁର୍ନୀତିଗ୍ରସ୍ତ ଲୋକଟି ଶାସନ ଚଳାଏ। ଏକଥା କ’ଣ ଆମକୁ ଅଛପା ଅଛି? ନିକଟ ଅତୀତରେ ଲାଲୁ ପ୍ରସାଦ ଯାଦବ ସିବିଆଇ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସବୁଠାରୁ ଉଲ୍ଲେଖଯୋଗ୍ୟ କଥା, ଷଣ୍ଢ ଏବଂ ଗାଈମାନଙ୍କୁ ସ୍କୁଟର ଓ ସ୍କୁଟିରେ ବୁହା ହୋଇ ଅଣାଯାଇଥିବା ଦର୍ଶାଇ ଟ୍ରେଜେରିରୁ କୋଟି କୋଟି ଟଙ୍କା ତୋସରପାତ ହୋଇଛି। ବର୍ତ୍ତମାନ ଲାଲୁପ୍ରସାଦ ଯାଦବଙ୍କ ପୁଅ ସଗର୍ବେ କହୁଛନ୍ତି, ତଳକୋର୍ଟର ଦଣ୍ଡାଦେଶ ବିରୁଦ୍ଧରେ ସେମାନେ ଉପର କୋର୍ଟରେ ଅପିଲ କଲେ। ଆମେ ଜାଣୁ କାଲି ସକାଳୁ ଯଦି ଉପର କୋର୍ଟ ଦ୍ୱାରା ଲାଲୁ ପ୍ରସାଦ ଯାଦବ ନିର୍ଦ୍ଦୋଷରେ ଖଲାସ ହୁଅନ୍ତି, ତେବେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।
ଆମର କହିବାର କଥା, ଦୁର୍ନୀତିକୁ ହଟାଇବା ପାଇଁ କେବଳ କଠୋର ଆଇନ ଯଥେଷ୍ଟ ନୁହେଁ। ଆମ ଅଦାଲତ ଦ୍ୱାରା ଦଣ୍ଡବିଧାନ ହାର କମ୍‌ ରହିଥିବାରୁ ବ୍ୟକ୍ତିଟି ପରବର୍ତ୍ତୀ ସମୟରେ ଦୁର୍ନୀତି କରିବାକୁ ଉତ୍ସାହିତ ହେଉଛି। କୁହାଯାଉଛି, ରାଜ୍ୟ ସରକାର ଏପର୍ଯ୍ୟନ୍ତ ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦେଲେଣି ବା ବରଖାସ୍ତ କଲେଣି। ସେକଥା ବଡ଼ କଥା ନୁହେଁ। ଅସଲ କଥା ହେଉଛି, ଏତେ ଧରପଗଡ଼ ସତ୍ତ୍ୱେ ପ୍ରାୟ ପ୍ରତିଦିନ ବୈଦ୍ୟୁତିକ ଗଣମାଧ୍ୟମ ହେଉ ବା ଛପା ଗଣମାଧ୍ୟମ; ଏକଥା ପ୍ରକାଶ ପାଉଛି ଯେ, ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପ୍ରତି ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଅସଲ କଥା ହେଲା, ସେ ରାଜନେତା ହୁଅନ୍ତୁ ବା ସରକାରୀ କର୍ମଚାରୀ ହୁଅନ୍ତୁ; ଦୁର୍ନୀତି ଦୂର କରିବାକୁ ହେଲେ ଦୃଢ଼ ରାଜନୀତିର ଆବଶ୍ୟକତା ଅଛି।
ଦେଶ ସ୍ବାଧୀନ ହେବାର ୭୫ ବର୍ଷ ପରେ ମଧ୍ୟ ଏପରି ବହୁ ପ୍ରଶ୍ନ ଆମମାନଙ୍କ ମନକୁ ଆନ୍ଦୋଳିତ କରୁଛି। ବର୍ତ୍ତମାନ ବହୁତ କିଛି ହୋଇଗଲା। ଦେଶ ରସାତଳଗାମୀ ହେବା ପୂର୍ବରୁ ରାଜନେତା ଓ ସରକାରୀ କର୍ମଚାରୀ ସମସ୍ତେ ଜନସାଧାରଣଙ୍କ ମୌଳିକ ସମସ୍ୟା ପ୍ରତି ଦୃଷ୍ଟି ଦିଅନ୍ତୁ। ବିଜ୍ଞାପନ ଯୁଗରେ ”ମେରା ଭାରତ ମହାନ୍‌ ବୋଲି ନ କହି ଭାରତର ଅନ୍ତରାତ୍ମାକୁ ଚିହ୍ନିବାକୁ ସମସ୍ତେ ପ୍ରୟାସୀ ହୁଅନ୍ତୁ। ତେବେ ଯାଇ ଦେଶର ମଙ୍ଗଳ ହେବ।“ ନହେଲେ କାହାକୁ କହିବା, କପାଳରେ ସିନା କର ମାରିବା ହିଁ ସାର ହେବ।
– ସେବାନିବୃତ ଅତିରିକ୍ତ ଶାସନ ସଚିବ, ଓଡ଼ିଶା ସରକାର ଚୈତନ୍ୟ ଧାମ, ଶବର ସାହି, ଭୁବନେଶ୍ୱର, ମୋ: ୯୪୩୮୦୭୨୮୫୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…

ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri