କର୍ପୋରେଟ୍‌ ସପକ୍ଷବାଦୀ ବଜେଟ

ଭାଲଚନ୍ଦ୍ର ଷଡ଼ଙ୍ଗୀ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଚଳିତ ବର୍ଷର ସାଧାରଣ ବଜେଟ ସଂସଦରେ ଉପସ୍ଥାପନ କରିଛନ୍ତି। କୋଭିଡ୍‌ ମହାମାରୀ ଯୋଗୁ ଜନଗଣଙ୍କ ବର୍ଦ୍ଧିତ ଆର୍ଥିକ ସଙ୍କଟ ତଥା ଉତ୍ତର ପ୍ରଦେଶ ସମେତ ପାଞ୍ଚ ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଅର୍ଥମନ୍ତ୍ରୀ ନିଜ ବଜେଟରେ ସାଧାରଣ ଲୋକଙ୍କୁ ଆକର୍ଷିତ କଲାଭଳି କିଛି ଆଖିଦୃଶିଆ ରିହାତି ଓ ପ୍ୟାକେଜ୍‌ ଦେବେ ବୋଲି ଅନେକେ ଆଶା କରୁଥିଲେ। କିନ୍ତୁ ଅର୍ଥମନ୍ତ୍ରୀଙ୍କ ବଜେଟ ଭାଷଣ ସମସ୍ତଙ୍କୁ ଏକଦମ୍‌ ନିରାଶ କରିଛି। ସେ ନିଜ ସରକାରର ତଥାକଥିତ ସଫଳତାକୁ ଦେଖାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବଜେଟର ବ୍ୟୟବରାଦର ପରିସଂଖ୍ୟାନଟି ସରକାରଙ୍କ ଜନବିରୋଧୀ ଆଭିମୁଖ୍ୟକୁ ଉଜାଗର କରିଦେଇଛି। ବଜେଟ ମାଧ୍ୟମରେ ମୋଦି ସରକାର ଦେଶୀ ବିଦେଶୀ କର୍ପୋରେଟ୍‌ମାନଙ୍କୁ ଖୁସି କରିବାକୁ ଚେଷ୍ଟା କରିଥିବା ବେଳେ ସାଧାରଣ ଜନତା ବିଶେଷ କରି କୃଷକ, ଶ୍ରମିକ, ବେକାର ଯୁବତୀ ଯୁବକ ତଥା ମଧ୍ୟବିତ୍ତ ଶ୍ରେଣୀଙ୍କୁ ପ୍ରତାରିତ କରିଛନ୍ତି ବୋଲି କୁହାଯାଇପାରେ।
ସରକାରଙ୍କ କର୍ପୋରେଟ୍‌ ସପକ୍ଷବାଦୀ ନୀତି କାରଣରୁ ଗତ ସାତ ବର୍ଷ ମଧ୍ୟରେ ଦେଶର ବଡ଼ ବଡ଼ କର୍ପୋରେଟ୍‌ମାନଙ୍କ ସମ୍ପତ୍ତିରେ ଅସମ୍ଭବ ବୃଦ୍ଧି ଦେଖିବାକୁ ମିଳିଛି। ବିଶେଷ କରି କୋଭିଡ୍‌ ମହାମାରୀ ସମୟରେ ଦେଶର ନବେ ଭାଗ ଲୋକଙ୍କ ଆର୍ଥିକ ସ୍ଥିତି ଦୋହଲିଯାଇଥିବା ବେଳେ ଆଦାନୀ, ଅମ୍ବାନୀଙ୍କ ପରି ସୁପର୍‌ ଧନୀମାନଙ୍କ ସମ୍ପତ୍ତିରେ ଦୁଇରୁ ଅଢ଼େଇ ଗୁଣା ବୃଦ୍ଧି ପାଇଛି। ନିକଟରେ ପ୍ରକାଶିତ ‘ଅକ୍ସଫାମ୍‌’ ସଂସ୍ଥାର ରିପୋର୍ଟରେ ଦେଶର ୮୪ ପ୍ରତିଶତ ଲୋକଙ୍କ ଆୟ କୋଭିଡ୍‌ ସମୟରେ ହ୍ରାସ ପାଇଥିବା ଜଣାପଡ଼ିଛି। ୪.୬କୋଟି ଭାରତୀୟ ଗରିବୀ ଭିତରକୁ ଠେଲି ହୋଇଯାଇଛନ୍ତି। ଏଭଳି ପରିସ୍ଥିତିରେ ଦେଶର ଆର୍ଥିକ ସ୍ଥିତିର ସୁଧାର ପାଇଁ ସରକାର କର୍ପୋରେଟ୍‌ମାନଙ୍କ ଉପରେ କିଛି ଅତିରିକ୍ତ କର ବା ଟିକସ ବସାଇବେ ବୋଲି ଆଶା କରାଯାଉଥିଲା। କିନ୍ତୁ ତା’ର ବିପରୀତ ସରକାର ସେମାନଙ୍କ ପାଇଁ କର ଛାଡ଼ କରିଛନ୍ତି। ପାଞ୍ଚ ବର୍ଷ ତଳେ ଏହି ସରକାର ହିଁ କର୍ପୋରେଟ୍‌ମାନେ ଦେଉଥିବା ସମ୍ପତ୍ତି କରକୁ ଉଚ୍ଛେଦ କରିଥିଲେ। ଚଳିତ ବଜେଟରେ କର୍ପୋରେଟ୍‌ ଟିକସକୁ ୧୮ ପ୍ରତିଶତରୁ ୧୫ ପ୍ରତିଶତକୁ ହ୍ରାସ କରାଯାଇଥିବା ବେଳେ ସର୍‌ଚାର୍ଜକୁ ୧୨ ପ୍ରତିଶତରୁ ୭ ପ୍ରତିଶତକୁ ହ୍ରାସ କରାଯାଇଛି। କମ୍ପାନୀଙ୍କ ଦ୍ୱାରା ପରିଚାଳିତ ଷ୍ଟାର୍ଟଅପ୍‌ଗୁଡ଼ିକୁ ଦିଆଯାଉଥିବା ଟିକସ ରିହାତିକୁ ପୁଣି ଥରେ ବଢ଼େଇ ଦିଆଯାଇଛି।
ଅନ୍ୟପକ୍ଷରେ ଦେଶର ସାଧାରଣ ଜନତା ବିଶେଷ କରି ମଧ୍ୟବିତ୍ତମାନଙ୍କ ପାଇଁ କୌଣସି ପ୍ରକାର ଟିକସ ରିହାତି ଦିଆଯାଇନି। ଗତ ବର୍ଷକ ମଧ୍ୟରେ ଦେଶରେ ପେଟ୍ରୋଲ,ଡିଜେଲ ଉପରେ ଟିକସରେ ଯେଉଁ ୭୯ ପ୍ରତିଶତ ବଢ଼ାଯାଇଛି, ସେଥିରେ କୌଣସି ରିହାତି ଘୋଷଣା କରାଯାଇନାହିଁ। ବରଂ ବର୍ତ୍ତମାନ ପାଞ୍ଚଟି ରାଜ୍ୟର ନିର୍ବାଚନ ଦୃଷ୍ଟିରୁ ସ୍ଥଗିତ ରହିଥିବା ତୈଳଦର ବୃଦ୍ଧି, ନିର୍ବାଚନ ପରେ ପରେ ଯେ ଊର୍ଦ୍ଧ୍ୱମୁଖୀ ହେବ ସେକଥା ଜଳଜଳ ଦିଶୁଛି।
ବଜେଟରେ କୃଷି ଓ ଗ୍ରାମାଞ୍ଚଳର ବିକାଶ ପାଇଁ ବ୍ୟୟବରାଦରେ ବ୍ୟାପକ ହ୍ରାସ କରି ନିଜର କୃଷକ ବିରୋଧୀ ଆଭିମୁଖ୍ୟକୁ ଅବ୍ୟାହତ ରଖିଛନ୍ତି। ୨୦୧୬ ଫେବୃୟାରୀ ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୨ସୁଦ୍ଧା ଦେଶର କୃଷକମାନଙ୍କ ଆୟକୁ ଦ୍ୱିଗୁଣିତ କରିବାକୁ ଯେଉଁ ଐତିହାସିକ ଘୋଷଣା କରିଥିଲେ ଏବଂ ଗତ ପାଞ୍ଚବର୍ଷ ଧରି ପ୍ରତ୍ୟେକ ବଜେଟ ଭାଷଣରେ ଅର୍ଥମନ୍ତ୍ରୀ ଯାହାକୁ ବାରମ୍ବାର ଦୋହରାଇ ଦମ୍ଭୋକ୍ତି ପ୍ରକାଶ କରୁଥିଲେ, ସେ ସମ୍ପର୍କରେ ଚଳିତ ବଜେଟ ଭାଷଣ କିମ୍ବା ବଜେଟ ଦଲିଲରେ ପଦୁଟିଏ ଉଲ୍ଲେଖ କରାଯାଇନାହିଁ।
ଜିଡିପି ତୁଳନାରେ ବଜେଟରେ କୃଷି ବାବଦରେ ବ୍ୟୟବରାଦକୁ ଗତବର୍ଷର ୪.୨୬ ପ୍ରତିଶତରୁ ଚଳିତ ବର୍ଷ ୩.୮୪ ପ୍ରତିଶତକୁ ହ୍ରାସ କରାଯାଇଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବାବାଦରେ ୫.୫୯ ପ୍ରତିଶତରୁ ୫.୨୩ ପ୍ରତିଶତକୁ ହ୍ରାସ କରାଯାଇଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ବାବଦ ବ୍ୟୟକୁ ୧୬,୦୦୦କୋଟିରୁ ୧୫,୫୦୦ କୋଟି ଟଙ୍କାକୁ ହ୍ରାସ କରାଯାଇଛି। ଗ୍ରାମାଞ୍ଚଳରେ ରୋଜଗାରର ଏକମାତ୍ର ସରକାରୀ ଯୋଜନା ଭାବେ ପରିଚିତ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପାଇଁ ଅନୁଦାନକୁ ଗତବର୍ଷର ୯୮,୦୦୦ କୋଟିରୁ ଚଳିତ ବଜେଟରେ ୭୩,୦୦୦ କୋଟିକୁ ହ୍ରାସ କରାଯାଇଛି। ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମ୍‌ଏସ୍‌ପି ପାଇଁ ଆଇନ କରିବାକୁ କୃଷକମାନେ ଦାବି କରୁଥିବା ବେଳେ ସରକାର ଆଇନ କରିବାକୁ ତ ଘୋଷଣା କରିନାହାନ୍ତି ବରଂ ସେ ବାବଦରେ ଚଳିତ ବର୍ଷ କମ୍‌ ବ୍ୟୟବରାଦ କରିଛନ୍ତି। ଗତବର୍ଷ ଏ ବାବଦରେ ୨.୪୨ ଲକ୍ଷ କୋଟି ଟଙ୍କା ବିନିଯୋଗ କରିଥିବା ବେଳେ ଚଳିତ ବଜେଟରେ ତାକୁ ୨.୩୭ ଲକ୍ଷ କୋଟିକୁ କମାଇଛନ୍ତି। ଏହା ବ୍ୟତୀତ ଦେଶର କୃଷିର ବିକାଶ ପାଇଁ ଜରୁରୀ ଭିତ୍ତିଭୂମି ଯଥା ଜଳସେଚନ, ଶୀତଳଭଣ୍ଡାର ଓ ଗୋଦାମ ଗୃହର ନିର୍ମାଣ ପାଇଁ ବଜେଟରେ କୌଣସି ବ୍ୟୟବରାଦ କରିନାହାନ୍ତି।
ଚଳିତ ବଜେଟରେ ଦେଶର ସାମାଜିକ କ୍ଷେତ୍ର ରୂପେ ପରିଚିତ ଶିକ୍ଷା, ସ୍ବାସ୍ଥ୍ୟସେବା, ମହିଳା ଓ ଶିଶୁବିକାଶ ପ୍ରତି ଭୟଙ୍କର ଅବହେଳା କରାଯାଇଛି। ବିଶେଷ କରି କୋଭିଡ୍‌ର ତୃତୀୟ ଲହର ଚାଲିଥିବା ବେଳେ ସରକାର ସ୍ବାସ୍ଥ୍ୟକ୍ଷେତ୍ରରେ ଭିତ୍ତିଭୂମିକୁ ସମ୍ପ୍ରସାରିତ କରିବା ପାଇଁ ପୂର୍ବାପେକ୍ଷା ୫୦ପ୍ରତିଶତ ଅନୁଦାନ ବୃଦ୍ଧି କରିବେ ବୋଲି ଶୁଣାଯାଉଥିଲା। କିନ୍ତୁ ସ୍ବାସ୍ଥ୍ୟ ବାବଦରେ ଗତବର୍ଷର ୮୬,୦୦୦.୬୫ କୋଟିରେ ମାତ୍ର ୨୦୦ କୋଟି ହିଁ ବୃଦ୍ଧି କରାଯାଇଛି। ଦରବୃଦ୍ଧିକୁ ଦେଖିଲେ ଏହା ବୃଦ୍ଧି ନୁହେଁ ବରଂ ହ୍ରାସ ବୋଲି କୁହାଯିବ।
ଶିକ୍ଷାକ୍ଷେତ୍ରରେ ବି ସରକାର ଗତବର୍ଷ ୯୩,୨୨୪କୋଟି ବ୍ୟୟବରାଦ କରିଥିଲେ ମଧ୍ୟ କୋଭିଡ୍‌ ଯୋଗୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ଯୋଗୁ ପ୍ରାୟ ୫୨୦୦ କୋଟି ଖର୍ଚ୍ଚ ନ କରି ବଳକା କରିଛନ୍ତି। କିନ୍ତୁ ଚଳିତ ବଜେଟରେ ତାକୁ ସାମାନ୍ୟ ବୃଦ୍ଧି କରି ୧,୦୪,୨୭୮କୋଟି କରିଛନ୍ତି। ମୁଦ୍ରାସ୍ଫୀତିକୁ ଦେଖିଲେ, ଏହି ବୃଦ୍ଧି ବି କିଛି ନୁହେଁ।
ଖାଦ୍ୟ ସୁରକ୍ଷା ବାବଦରେ ବି ସରକାର ବଜେଟରେ ବ୍ୟାପକ ଖର୍ଚ୍ଚକାଟ କରିଛନ୍ତି। ଗତବର୍ଷ ଏଥିପାଇଁ ୨,୯୯,୩୫୪.୬ କୋଟି ବ୍ୟୟବରାଦ କରିଥିବା ବେଳେ ଚଳିତ ବର୍ଷ ତାହା ୨,୦୭,୨୯୧.୧ କୋଟିକୁ ହ୍ରାସ କରିଛନ୍ତି। ୬-୧୪ ବର୍ଷ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଏବଂ ୬ବର୍ଷରୁ କମ୍‌ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ‘ପୋଷଣ’ ଯୋଜନାରେ ବି ସରକାର ଗତବର୍ଷ ୨୦,୨୬୩କୋଟି ବ୍ୟୟବରାଦ କରିଥିବା ବେଳେ ଚଳିତ ବର୍ଷ ତାକୁ ୨୦,୦୦୦କୋଟିକୁ ହ୍ରାସ କରିଛନ୍ତି। ବିଶ୍ୱ କ୍ଷୁଧା ସୂଚକାଙ୍କରେ ଆମଦେଶ ଲଗାତର ତଳେ ରହିଥିବା ବେଳେ ଏଭଳି ବ୍ୟୟ ହ୍ରାସ କରିବା ସରକାରଙ୍କ ସମ୍ବେଦନହୀନତାକୁ ହିଁ ବୁଝାଉଛି।
ଦେଶରେ ଚାଲିଥିବା ସାମାଜିକ ସୁରକ୍ଷା ଯୋଜନାରେ ବୃଦ୍ଧା, ବୃଦ୍ଧ, ବିଧବା ଓ ଭିନ୍ନକ୍ଷମମାନଙ୍କୁ କେନ୍ଦ୍ର ସରକାର ପୂର୍ବବର୍ଷଗୁଡ଼ିକ ପରି ଚଳିତ ବଜେଟରେ ପ୍ରତାରଣା କରିଛନ୍ତି। ଉପରୋକ୍ତ ଯୋଜନାରେ ସେମାନଙ୍କୁ ଦିଆଯାଉଥିବା ମାସିକ ପେନ୍‌ସନ୍‌ରେ କେନ୍ଦ୍ର ନିଜର ଅଂଶକୁ ବୃଦ୍ଧି କରିନାହାନ୍ତି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ କେନ୍ଦ୍ର ସରକାର ୨୦୦୬ରେ ଏହି ପେନ୍‌ସନ୍‌ରେ ନିଜର ଅଂଶକୁ ୧୫୦ଟଙ୍କାରୁ ବଢ଼ାଇ ୨୦୦ ଟଙ୍କା କରିଥିଲେ। ଦରଦାମ୍‌ ବୃଦ୍ଧି ସତ୍ତ୍ୱେ ଗତ ୧୬ ବର୍ଷ ଧରି ତାକୁ ବୃଦ୍ଧି ନ କରି ସରକାର ସମାଜର ଏହି ବଞ୍ଚିତ ଓ ଅବହେଳିତ ସମୁଦାୟଙ୍କ ପ୍ରତି ନିଜର ସମ୍ବେଦନହୀନତାର ପ୍ରମାଣ ଦେଇଛନ୍ତି।
ରୋଜଗାର ବିହୀନ ବିକାଶର ନୀତିକୁ ଆପଣେଇବା ଫଳରେ ଦେଶରେ ବେରୋଜଗାରୀ ଭୟଙ୍କର ରୂପ ଧାରଣ କରିଛି। ଏଭଳି ପରିସ୍ଥିତିରେ ସରକାର ନିଜର ବହୁ ପ୍ରଚାରିତ ପ୍ରତିଶ୍ରୁତି ବାର୍ଷିକ ଦୁଇ କୋଟି ରୋଜଗାର ଦେବା କଥା ଛାଡ଼, କମ୍‌ସେ କମ୍‌ କେନ୍ଦ୍ର ସରକାରଙ୍କ ଅଧୀନରେ ଖାଲି ପଡ଼ିଥିବା ୮.୭୨ ଲକ୍ଷ ଖାଲି ପଦବୀକୁ ପୂରଣ କରିବାକୁ ବଜେଟରେ ଘୋଷଣା କରିପାରିଥାନ୍ତେ। କିନ୍ତୁ ସେପରି ନ କରି ବେରୋଜଗାରୀ ନେଇ ଏକଦମ୍‌ ନୀରବ ରହିଛନ୍ତି। ନିଜର ବଜେଟ ଭାଷଣରେ ଅର୍ଥମନ୍ତ୍ରୀ ଚଳିତ ବର୍ଷ ୬୦ ହଜାର ଚାକିରି ସୃଷ୍ଟି କରିବାକୁ ଯେଉଁ ଉଲ୍ଲେଖ କରିଛନ୍ତି, ସେନେଇ ସରକାରଙ୍କ ପାଖରେ କୌଣସି ଠୋସ୍‌ ଯୋଜନା ଥିବା ମନେହେଉନି। ଶେଷରେ ଏତିକି କୁହାଯାଇପାରେ ଯେ ବଜେଟ ମାଧ୍ୟମରେ ସରକାର ଦେଶୀ ବିଦେଶୀ କର୍ପୋରେଟ୍‌ଙ୍କ ସ୍ବାର୍ଥ ପୂରଣ ପାଇଁ ତ ଭରପୂର ଉଦ୍ୟମ କରିଛନ୍ତି, କିନ୍ତୁ ଦେଶର ସିଂହଭାଗ ଜନତାଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବାରେ ଅସମର୍ଥ ହୋଇଛନ୍ତି।
bhalachandra.odisha@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri