CORONAVIRUS UPDATE: ପୁଣି ୬୪୭ ନୂଆ କରୋନା ପଜିଟିଭ୍‌ ଚିହ୍ନଟ,୨୧୬ ସ୍ଥାନୀୟ ଅଞ୍ଚଳର

ଭୁବନେଶ୍ୱର,୨୧।୭(ବ୍ୟୁରୋ): ରାଜ୍ୟରେ ପୁଣି ୬୪୭ ନୂଆ କରୋନା ପଜିଟିଭ୍‌ ମଙ୍ଗଳବାର ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୭୫୭କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୪୩୧ ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୧୬ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ସେଥିମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୨୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୩୭, ବାଲେଶ୍ୱରରୁ ୪୦, ବରଗଡ଼ରୁ ୪, ଭଦ୍ରକରୁ ୧୨, ବଲାଙ୍ଗୀରରୁ, ୫, କଟକରୁ ୮୪, ଢେଙ୍କାନାଳରୁ ୧୦, ଜଗତ୍‌ସିଂହପୁରରୁ ୭, ଯାଜପୁରରୁ ୨, କନ୍ଧମାଳରୁ ୫, କେନ୍ଦ୍ରାପଡ଼ାରୁ ୧୩, ଖୋର୍ଦ୍ଧାରୁ ୬୮, କେନ୍ଦୁଝରୁ ୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସମାନ ଭାବେ କୋରାପୁଟରୁ ୨୮, ମାଲକାନଗିରି ୧୦, ମୟୂରଭଞ୍ଜରୁ ୩, ନବରଙ୍ଗପୁରରୁ ୨, ନୟାଗଡ଼ରୁ ୪,ରାୟଗଡ଼ାରୁ ୪୭ ଓ ସମ୍ବଲପୁରରୁ ୧୦ ଜଣ ଆକ୍ରାନ୍ତ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୮,୭୫୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୭୧୫ ଚିକିତ୍ସାଧୀନ ଅଛନ୍ତି। ୧୨,୯୦୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।