Categories: ଖେଳ

କରୋନା ଆଶଙ୍କାରେ ଗିନି ଓହରିଲା

କୋନାକ୍ରି (ଗିନି), ୨୩ା୭ (ଏପି)- କରୋନା ଭାଇରସ ପାଇଁ ଆଫ୍ରିକୀୟ ଦେଶ ଗିନି ଟୋକିଓ ଅଲିମ୍ପିକ୍ସରୁ ଓହରିଯାଇଛି। ଗେମ୍ସରେ ଏହାର ୫ଜଣ ଆଥ୍‌ଲେଟ ଅଂଶଗ୍ରହଣ କରିଥାନ୍ତେ। ଦେଶର କ୍ରୀଡ଼ାମନ୍ତ୍ରୀ ସାନୋସି ବାନ୍ତାମା ସୋ ବୁଧବାର ଗିନି ଅଲିମ୍ପିକ କମିଟି ନିକଟକୁ ଏକ ଚିଠି ଲେଖିଥିଲେ। ଦେଶର ଆଥ୍‌ଲେଟଙ୍କ ସ୍ବାସ୍ଥ୍ୟ ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କରୋନା ଭାଇରସ ଏବଂ ଏହାର ଭାଇରାଣ୍ଟ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିଛି। ତେଣୁ ଏଥର ଗିନି ଅଲିମ୍ପିକ୍ସରେ ଅଂଶଗ୍ରହଣ ନ କରିବା ଲାଗି ନିଷ୍ପତ୍ତି ନେଇଥିବା ସେଥିରେ ଉଲ୍ଲେଖ କରିଛନ୍ତି। କିଛିଦିନ ପୂର୍ବେ ଗିନି ଅଲିମ୍ପିକ କମିଟି ସାଧାରଣ ସମ୍ପାଦକ ବେନ୍‌ ଡାଓଡା ନାସୋକୋ ଏକ ଖରଦାତା ସମ୍ମିଳନୀରେ କହିଥିଲେ ଯେ, ଟୋକିଓ ଗେମ୍ସ ପାଇଁ ପ୍ରତିନିଧି ଦଳ ପଠାଇବା ଲାଗି ପାଣ୍ଠି ମଞ୍ଜୁର ହୋଇ ସାରିଛି। ୫ଜଣ ଆଥ୍‌ଲେଟଙ୍କ ମଧ୍ୟରୁ ଫାତୋମାତା ୟାରି କାମରା ନାମକ ଜଣେ ଫ୍ରିଷ୍ଟାଇଲ ରେସ୍‌ଲର ଏହି ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି। କରୋନା ଭାଇରସ ସତ୍ତ୍ୱେ ଜାପାନ ଗେମ୍ସ ଆୟୋଜନକୁ ବାତିଲ କରି ନ ଥିବାବେଳେ ଗିନି କାହିଁକି ଅଂଶଗ୍ରହଣରୁ ଓହରିଯିବା ଲାଗି ନିଷ୍ପତ୍ତି ନେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଗିନିର ଅନ୍ୟ ଆଥ୍‌ଲେଟମାନେ ହେଲେ ସନ୍ତରଣକାରୀ ମାମାଦୋ ତାହିରୋ ବାହ ଓ ଫାତୋମାତା ଲାମାରାନା ତୋରେ, ୧୦୦ମିଟର ରନର ଆଇସାତା ଦିନ୍‌ କୋନ୍ତେ ଏବଂ ଜୁଡୋ ପ୍ରତିଯୋଗୀ ମାମାଦୋ ସାମ୍ବା ବାହ। ସୂଚନାଯୋଗ୍ୟ, ଗିନି ୧୧ଥର ଅଲିମ୍ପିକ୍ସରେ ଭାଗ ନେଇଥିଲେ ହେଁ ଥରେ ହେଲେ ପଦକ ଜିତିପାରି ନାହିଁ। ପୂର୍ବରୁ ଉତ୍ତର କୋରିଆ ସମାନ କାରଣ ଦର୍ଶାଇ ଟୋକିଓ ଅଲିମ୍ପିକ୍ସରୁ ଓହରିଯାଇଛି।

Share