ଖୁଚୁରା ବଜାରରେ କରୋନା ପ୍ରହାର: ବ୍ୟବସାୟିକ କ୍ଷତି ୩ ହଜାର କୋଟି

ଭୁବନେଶ୍ୱର,୨୬।୭(ବ୍ୟୁରୋ): କୋଭିଡ୍‌-୧୯ ଏବଂ ଲକ୍‌ଡାଉନ୍‌ ଯୋଗୁ ଓଡ଼ିଶାର ରିଟେଲ ବିଜ୍‌ନେସ୍‌ ବା ଖୁଚୁରା ବ୍ୟବସାୟ ବିଶେଷମାତ୍ରାରେ ପ୍ରଭାବିତ ହୋଇଛି। ଏହି ସମୟ ମଧ୍ୟରେ ପ୍ରାୟ ୩ହଜାର କୋଟି ଟଙ୍କାର କ୍ଷତି ଖୁଚୁରା ବ୍ୟବସାୟକୁ ସହିବାକୁ ପଡ଼ିଛି। କେବଳ ଏତିକି ନୁହେଁ, ରାଜ୍ୟର ବ୍ୟବସାୟୀଙ୍କ ୩୦ହଜାର କୋଟିର ବ୍ୟବସାୟ ମାନ୍ଦା ହୋଇଛି। କରୋନା ମହାମାରୀ ସମୟରେ ରାଜ୍ୟର ରିଟେଲ୍‌ ବ୍ୟବସାୟ ମାସିକ ମାତ୍ର ୬,୫୦୦ କୋଟି ଟଙ୍କାରେ ସୀମିତ ରହୁଥିବା ଓଡ଼ିଶା ବ୍ୟବସାୟୀ ମହାସଂଘ ତଥ୍ୟରୁ ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ, ଓଡ଼ିଶାରେ ୨୦ଲକ୍ଷ ରିଟେଲର୍‌ ଥିବାବେଳେ ସେମାନଙ୍କ ମଧ୍ୟରେ ୧୬ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ଅଛନ୍ତି। ସେହିପରି ୩ ଲକ୍ଷ ୫୦ ହଜାର ମଧ୍ୟମ ବର୍ଗର ବ୍ୟବସାୟୀ ରହିଥିବା ବେଳେ ୫୦ହଜାର ହୋଲ୍‌ସେଲର ଅଛନ୍ତି। ରାଜ୍ୟର ରିଟେଲ୍‌ ମାର୍କେଟ ଭାଲ୍ୟୁ ଏହି ବ୍ୟବସାୟୀଙ୍କ ଉପରେ ନିର୍ଭର କରିଥାଏ। ହେଲେ କରୋନାଜନିତ ଲକ୍‌ଡାଉନ୍‌ ପାଇଁ ଏହି ବ୍ୟବସାୟୀମାନେ ବିପୁଳ କ୍ଷତି ସହିଥିବା ଜଣାପଡ଼ିଛି।

କରୋନା ସଂକ୍ରମଣକୁ ରୋକିବାକୁ ସରକାର ମାର୍ଚ୍ଚ ମାସରୁ ୩ମାସ ଲଗାତର ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ଏହାପରେ ଉଜୁଡ଼ିି ଯାଇଥିବା ଅର୍ଥନୀତିକୁ ଟ୍ରାକ୍‌କୁ ଆଣିବା ଲାଗି ଅନ୍‌ଲକ୍‌ ବା ତାଲା ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଅନ୍‌ଲକ୍‌ ପରେ ସବୁକିଛି ସ୍ବାଭାବିକ ହୋଇଯିବ ବୋଲି ରାଜ୍ୟ ବ୍ୟବସାୟୀମାନେ ଆଶା କରିଥିଲେ। ହେଲେ କରୋନା ସ୍ଥିତି ଆହୁରି ଖରାପ ହେବାରୁ ରାଜ୍ୟ ସରକାର ପୁଣିଥରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ରାଜଧାନୀ ଭୁବନେଶ୍ୱର ଓ କଟକକୁ ମିଶାଇ ୪ଟି ପ୍ରମୁଖ ଜିଲା ଏବଂ ରାଉରକେଲାକୁ ୧୪ଦିନ ପାଇଁ ଅର୍ଥାତ ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଫଳରେ ପୁଣିଥରେ ଖୁଚୁରା ବ୍ୟବସାୟୀଙ୍କ ପେଟଉପରେ ପ୍ରହାର ପଡ଼ିଛି। ସାଧାରଣ ସମୟରେ ରାଜ୍ୟର ରିଟେଲ୍‌ ମାର୍କେଟ ଭାଲ୍ୟୁ ବାର୍ଷିକ ୧.୫୦ଲକ୍ଷ କୋଟି ଟଙ୍କା ରହିଥାଏ। ୧୨,୫୦୦ କୋଟି ଟଙ୍କାର ମାସିକ ବ୍ୟବସାୟ ହେଉଥିବା ବେଳେ ଦିନକୁ ୪୧୫ କୋଟି ଟଙ୍କାର ବ୍ୟବସାୟ ହୋଇଥାଏ।

ମାତ୍ର ବର୍ତ୍ତମାନର କରୋନା ପରିସ୍ଥିତିରେ ୫୦% ବ୍ୟବସାୟ ଘାଟା ହୋଇଛି। ବର୍ତ୍ତମାନ ମାସକୁ ମାତ୍ର ୬,୫୦୦ କୋଟି ଟଙ୍କାର ବେପାର ହେଉଛି। ବ୍ୟବସାୟୀମାନେ ଦିନକୁ ୨୦ କୋଟି ଟଙ୍କାର କ୍ଷତି ସହୁଥିବା ଓଡ଼ିଶା ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି। କରୋନା ପାଇଁ ଗତ ୪ମାସ ମଧ୍ୟରେ ୩,୦୦୦ କୋଟି ଟଙ୍କାର ବ୍ୟବସାୟିକ କ୍ଷତି ହୋଇଛି। ସେହିଭଳି ୪ମାସରେ ୩୦,୦୦୦ କୋଟି ଟଙ୍କାର ସେଲ୍‌ ଡାଉନ୍‌ ବା ବିକ୍ରି ମାନ୍ଦା ହୋଇଥିବା ମହାସଂଘ ପକ୍ଷରୁ କୁହାଯାଇଛି। ନନ୍‌-ଏସେନ୍‌ସିଆଲ ବା ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ବ୍ୟବସାୟୀମାନେ ସର୍ବାଧିକ କ୍ଷତି ସହିଛନ୍ତି। ଏହି ଦୋକାନଗୁଡ଼ିକ ୪ମାସରେ ଅତିବେଶିରେ ୧ମାସ ଖୋଲାଯାଇଥିବା ବେଳେ ୩ ମାସ ସମ୍ପୂର୍ଣ୍ଣଭାବେ ବନ୍ଦ ଥିଲା। ଫଳରେ ଏହି ବର୍ଗରେ ମାତ୍ର ୩୦% ବିକ୍ରି ହୋଇଛି। ସେହିଭଳି ଅତ୍ୟାବଶ୍ୟକ ସାମଗ୍ରୀ ବର୍ଗରେ ୭୦% ବିକ୍ରି ହୋଇଥିବାବେଳେ ୩୦% ସେଲ୍‌ ଡାଉନ୍‌ ରହୁଛି। ବାହାଘର, ହୋଟେଲ, ହଷ୍ଟେଲ ଆଦି ଏବେ ବନ୍ଦ ରହିଛି। ସେମାନେ ଯେଉଁ ମୋଟା ଅଙ୍କରେ ସାମଗ୍ରୀ କିଣୁଥିଲେ ଏବେ ତାହା ହେଉନି। ଏହାବ୍ୟତୀତ ଦିନ ୧ଟା ପରେ ଦୋକାନ ବନ୍ଦ ରହିବା, ଯିବା ଆସିବାରେ ସମସ୍ୟା ଏବଂ ଜିଲା-ଜିଲା ମଧ୍ୟରେ ଗମନାଗମନରେ ପ୍ରତିବନ୍ଧକ ରହୁଥିବାରୁ ଖୁଚୁରା ବ୍ୟବସାୟୀମାନେ ବିଶେଷଭାବେ କ୍ଷତି ସହୁଛନ୍ତି। ଏଭଳିସ୍ଥଳେ ରାଜ୍ୟ ସରକାର କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ୩ ହଜାର ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଥିବାବେଳେ ଏହାଦ୍ୱାରା ମାତ୍ର ୫ହଜାର ବ୍ୟବସାୟୀ ଉପକୃତ ହୋଇଛନ୍ତି। ଏପଟେ କେନ୍ଦ୍ର ସରକାରଙ୍କ ପକ୍ଷରୁ କିନ୍ତୁ କୌଣସି ପ୍ରକାର ସହାୟତା ମିଳି ନ ଥିବା ଓଡ଼ିଶା ବ୍ୟବସାୟୀ ମହାସଂଘ ଅଭିଯୋଗ କରିଛି।

କେନ୍ଦ୍ର ସରକାରଙ୍କ ‘ପିଏମ୍‌ ସ୍ବନିଧି’ ଯୋଜନାରେ ଦେଶର ୫୦ଲକ୍ଷରୁ ଊର୍ଦ୍ଧ୍ୱ କ୍ଷୁଦ୍ର ବ୍ୟବସାୟୀ ଉପକୃତ ହେବେ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ କହିଥିଲେ। ଏହି ଯୋଜନା ମାଧ୍ୟମରେ ଫୁଟ୍‌ପାଥ ତଥା ଛୋଟ ଛୋଟ ବ୍ୟବସାୟୀମାନେ ୧୦ହଜାର ଟଙ୍କାର ଋଣ ନେଇ ଆଗାମୀ ବର୍ଷେ ମଧ୍ୟରେ ପରିଶୋଧ କରିବାକୁ କୁହାଯାଇଥିଲା। ହେଲେ ଏପର୍ଯ୍ୟନ୍ତ ରାଜ୍ୟର କୌଣସି ବ୍ୟବସାୟୀ ଏହି ଅର୍ଥ ପାଇ ନାହାନ୍ତି, ଯାହାକି କେନ୍ଦ୍ରର ବୃହତ୍‌ ଆର୍ଥିକ ପ୍ୟାକେଜ୍‌ ଏବଂ ଏହାର ବାସ୍ତବତାକୁ ସୂଚାଉଛି। ନିଯୁକ୍ତି ହ୍ରାସ ଏବଂ ରୋଜଗାର ପନ୍ଥା ବନ୍ଦ ହୋଇଯିବା ଯୋଗୁ ଅନେକ ଲୋକ ଖର୍ଚ୍ଚକାଟ କରୁଛନ୍ତି, ଯେଉଁଥିପାଇଁ ରାଜ୍ୟରେ ଖୁଚୁରା ବ୍ୟବସାୟ ସବୁଠାରୁ ଖରାପ ସ୍ଥିତିଦେଇ ଗତିକରୁଛି। ଏଭଳିସ୍ଥଳେ ସରକାରୀ ଘରଭଡ଼ା ଓ ବିଦ୍ୟୁତ୍‌ ବିଲ୍‌ ଛାଡ଼ ସହ ଆର୍ଥିକ ପ୍ରୋତ୍ସାହନ ଦିଆ ନ ଗଲେ ବ୍ୟବସାୟୀମାନେ ପୁଣିଥରେ ଅଣ୍ଟା ସଳଖି ଛିଡ଼ା ହୋଇପାରିବେ ନାହିଁ ବୋଲି ପଣ୍ଡା କହିଛନ୍ତି।