କରୋନା ଓ ଦିବ୍ୟାଙ୍ଗ ଶିଶୁ

ନାରାୟଣ ଚନ୍ଦ୍ର ବିଶ୍ୱାଳ

 

କରୋନା ମହାମାରୀ ପିଲାମାନଙ୍କ ପାଇଁ ଅଧିକ ଯନ୍ତ୍ରଣାଦାୟକ ହୋଇଛି । କାରଣ ଶିଶୁମାନଙ୍କ ମାନସିକ, ଶାରୀରିକ, ବୌଦ୍ଧିକ ଓ ମନସ୍ତାତ୍ତ୍ୱିକ ଦିଗ, ସବୁକିଛିକୁ ଏହା ଦୁଃଖଦ କରିଛି। ଦିବ୍ୟାଙ୍ଗ ଶିଶୁଙ୍କ ସ୍ବାସ୍ଥ୍ୟ ସତର୍କତା ଆମପରି ବାକ୍‌ଶ୍ରବଣ ବିଶେଷଜ୍ଞଙ୍କ ପାଇଁ ବଡ଼ ଆହ୍ବାନ ମଧ୍ୟ ସୃଷ୍ଟି କରିଛି। ଦିବ୍ୟାଙ୍ଗ ପିଲାମାନେ ଅନେକ କ୍ଷେତ୍ରରେ ସେମାନଙ୍କ ଦୃଷ୍ଟିଶକ୍ତି ହେଉ ବା ଶ୍ରବଣ ଶକ୍ତି ବା ମାନସିକ ଅନଗ୍ରସରତା ଏ ସବୁ ସେମାନଙ୍କ ପାଇଁ ଅତ୍ୟନ୍ତ ଘାତକ ସାଜୁଛି। ତଥ୍ୟ ଅନୁସାରେ ଭାରତରେ ୭.୮ ମିଲିୟନ ପିଲା (-୧୯ ବର୍ଷ) ଶାରୀରିକ ଅଥବା ମାନସିକସ୍ତରରେ ଦିବ୍ୟାଙ୍ଗ । ଏହି ଦିବ୍ୟାଙ୍ଗ ଏବଂ ବିଳମ୍ବିତ ବିକାଶ ଶିଶୁମାନଙ୍କର ଶାରୀରିକ, ମାନସିକ ଓ ବୌଦ୍ଧିକ କ୍ଷେତ୍ରରେ ପରିପୂର୍ଣ୍ଣ ବିକାଶ ପାଇଁ ଏମାନଙ୍କୁ ବିଭିନ୍ନ ପ୍ରକାରର ଥେରାପି ଯଥା ଫିଜିଓଥେରାପି, ଅକୁପେସନାଲ ଥେରାପି, ସ୍ପିଚ ଥେରାପି, ସ୍ପେଶାଲ ଏଜୁକେଶନ ଏବଂ ସର୍ବୋପରି ଶ୍ରବଣଯନ୍ତ୍ରର ଆବଶ୍ୟକତା ପଡ଼ିଥାଏ। ଏହି ପିଲାମାନେ ଅସାମାନ୍ୟ ହୋଇଥିବାରୁ ଏବଂ ଅନେକ କ୍ଷେତ୍ରରେ ଏମାନଙ୍କ ଯତ୍ନ ନେବା ପାଇଁ ଜଣେ ସଦସ୍ୟ ସବୁ ସମୟରେ ଆବଶ୍ୟକ ହୁଏ। କରୋନା ମହାମାରୀ ସମୟରେ ସାମାଜିକ ଦୂରତା ଅବଲମ୍ବନ କାରଣରୁ ବହୁ ଥେରାପି କେନ୍ଦ୍ର, ଡେ କେୟାର ସେଣ୍ଟର ମଧ୍ୟ ବନ୍ଦ ରହୁଛି। ଏବେ ଏହି ଦିବ୍ୟାଙ୍ଗ ପିଲାମାନେ ଘରେ ବନ୍ଦ। ଏମାନଙ୍କର ଏକମାତ୍ର ସହାୟ ହେଉଛନ୍ତି ପରିବାରର ସଦସ୍ୟ। ପରିବାର ସଦସ୍ୟ ଓ ବାପା, ମାଆଙ୍କର ଯେଉଁ ଚିନ୍ତା ବଢ଼ିଯାଏ ତାହା ପିଲାମାନଙ୍କ ମନସ୍ତାତ୍ତ୍ୱିକ ସ୍ଥିତି ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। କିଛି କ୍ଷେତ୍ରରେ ଦେଖାଯାଉଛି ଯେ, ଯଦି ଶିଶୁମାନଙ୍କର ପ୍ରାଥମିକ ଯତ୍ନ ପ୍ରଦାନ କରୁଥିବା ବ୍ୟକ୍ତି କରୋନା ଅଥବା ଅନ୍ୟ ରୋଗରେ ପୀଡ଼ିତ ହେଉଛି ତେବେ ଏମାନଙ୍କ କ୍ଷେତ୍ରରେ ଏହା ବଡ଼ ସମସ୍ୟା ସୃଷ୍ଟି କରୁଛି। ଦିବ୍ୟାଙ୍ଗ ଶିଶୁମାନଙ୍କ କ୍ଷେତ୍ରରେ ଖାଇବା, ଶୋଇବା ଓ ସେମାନଙ୍କର ଶାରୀରିକ ବିକାଶ କ୍ଷେତ୍ର ମଧ୍ୟ ବିଳମ୍ବିତ ହେଉଛି। ଅନେକ ମାଆବାପା ସେମାନଙ୍କୁ ଚିକିତ୍ସା କରିବା ପାଇଁ ନା ସେମାନଙ୍କ ପାଖରେ ସମ୍ବଳ ଥାଏ ନା ସଚେତନତା। ଛୋଟପିଲା ଅନେକ ସମୟରେ ପାଟିରେ, କାନରେ ହାତ ପୂରାଇଥାନ୍ତି। ସେମାନେ ଶରୀରର ଅପରିଷ୍କାର ପଦାର୍ଥ ସଂସ୍ପର୍ଶରେ ଆସିବା ପରେ ସେମାନେ ଭଲ ଭାବେ ପରିଷ୍କାର ପରିଚ୍ଛନ୍ନ ହେବାକଥା।
ପରିବାରର ପ୍ରତି ସଦସ୍ୟ ବାହାରୁ ଘରକୁ ଆସିବା ପରେ ଭଲରେ ହାତ ଗୋଡ଼ ଧୋଇ, ସାନିଟାଇଜ କରିବା ପରେ ପିଲାଙ୍କ ପାଖକୁ ଯାଆନ୍ତୁ। ଦିବ୍ୟାଙ୍ଗ ଶିଶୁମାନଙ୍କୁ କିପରି ଘରେ ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମ କରାଯାଇ ପାରିବ ସେଥିପ୍ରତି ଗୁରୁତ୍ୱ ନ ଦେଲେ ସେମାନଙ୍କ ବିକାଶ ପ୍ରଭାବିତ ହେବ। ଶିଶୁର ମାଂସପେଶୀକୁ ସବଳ କରିବା ପାଇଁ ବୟସାନୁସାରେ ବିକାଶ ହେବା ଲାଗି ଘରେ ଥିବା ଭାରି ବସ୍ତୁକୁ ଠେଲିବା ବା ଟାଣିବା, ଗୁରୁଣ୍ଡିବା ବା ଆଣ୍ଠେଇବା, ଖଟ ଉପରେ ଡେଇଁବା, ଦଉଡିର ଦୁଇ ପାର୍ଶ୍ୱକୁ ଟାଣିବା, ଶିଡ଼ିରେ ଉପରତଳ ହେବା ପରି ଖେଳ ଖେଳିବା ଆଦି କାର୍ଯ୍ୟରେ ପିଲାଙ୍କୁ ବ୍ୟସ୍ତ ରଖନ୍ତୁ। ଏହି ସମୟରେ ଧ୍ୟାନ ଦିଅନ୍ତୁ, ଯେପରି ପିଲାଟିକୁ କୌଣସି ଆଘାତ ନ ଲାଗେ। ନିଜ ପିଲାକୁ ବୋତଲର ଠିପି ଖୋଲିବା, ବନ୍ଦ କରିବା, ମାଳି ଗୁନ୍ଥିବା, କାଦୁଅ ବା ଅଟାରେ ବିଭିନ୍ନ ବସ୍ତୁ ତିଆରି କରିବା, ଓଦା ବାଲି ଉପରେ ଅକ୍ଷର ଲେଖିବା, କାଗଜକୁ ବିଭିନ୍ନ ଆକାରରେ ଭାଙ୍ଗିବା, ରଙ୍ଗ କରିବା ପାଇଁ ଉତ୍ସାହିତ କଲେ ଶରୀରର ଛୋଟ ମାଂସପେଶୀ ସବଳ ହେବା ସହ ସୂକ୍ଷ୍ମ କାର୍ଯ୍ୟଶୈଳୀର ବିକାଶ ହୋଇଥାଏ। ଶିଶୁର ମାନସିକ ଓ ସ୍ମୃତି ଶକ୍ତିର ବିକାଶ ପାଇଁ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଚିହ୍ନାଇବା, ଅକ୍ଷର ମ୍ୟାଚ କରିବା, ଘରର ପ୍ରତିଟି ବ୍ୟକ୍ତିଙ୍କ ନଁା କହିବା, ଘର ଭିତରେ ପିଲାର ବୟସାନୁସାରେ ଖେଳ ଖେଳାଇବା ଇତ୍ୟାଦି କାର୍ଯ୍ୟରେ ପିଲାକୁ ନିୟୋଜିତ କରିବା ଜରୁରୀ। ଘରେ ଥିବା ସମସ୍ତ ସଦସ୍ୟ ଦିବ୍ୟାଙ୍ଗ ପିଲାଙ୍କ ସହିତ ଆଖିରେ ଆଖି ନ ମିଶାଇ କଥା ହେବା ଅଟିଜିମ୍‌ର ଲକ୍ଷଣ। ତେଣୁ ଏ ଶ୍ରେଣୀ ବିଲକ୍ଷଣ ପିଲାଙ୍କ ସହିତ ଆଖିରେ ଆଖି ମିଶାଇ କଥା ହୁଅନ୍ତୁ। ଆମେ ଏପରି କଲେ ଶିଶୁ ଅଧିକ ସମାଜଧର୍ମୀ ହୁଏ। ସେମାନଙ୍କ ସହିତ ଖେଳନ୍ତୁ। ଧ୍ୟାନ ଓ ଏକାଗ୍ରତା ବଢ଼ାଇବା ପାଇଁ ନିଜ ମୁଣ୍ଡରେ ଲାଲ ରଙ୍ଗର ବିନ୍ଦି ଲଗାଇ ପିଲାଙ୍କୁ ଛୁଇଁବା ବା କାଢ଼ିବା ପାଇଁ କୁହନ୍ତୁ। ଆବଶ୍ୟକ ହେଲେ ପିଲାର ପ୍ରିୟ କଣ୍ଢେଇର ବିଭିନ୍ନ ଅଙ୍ଗରେ ଲାଲ ବିନ୍ଦି ମାରିବାକୁ ଏବଂ କାଢ଼ିବାକୁ ଶିଖାଇବା ସଙ୍ଗେ ସଙ୍ଗେ ଏହି ଖେଳଟିକୁ ବୁଲେଇ ବଙ୍କେଇ ଶିଶୁ କୈନ୍ଦ୍ରିକ କରନ୍ତୁ। ସେମାନଙ୍କୁ ବଡ଼ ପାଟିରେ ତାଗିଦ୍‌ କରନ୍ତୁ ନାହିଁ। ପାଟିରୁ ଲାଳ ଗଡ଼ୁଥିବା ବା ଗଡ଼ାଇବା ପରି ସମସ୍ୟା ଲାଗି ରହିଥିବା ଶିଶୁମାନଙ୍କୁ ପାଟିର ବ୍ୟାୟାମ ଯଥା ବେଲୁନ ଫୁଙ୍କିବା, ନଳୀରେ ପାଣି ଶୋଷି ପିଇବା, ହୁଇସିଲ ବଜାଇବା, ମହମବତିକୁ ଫୁଙ୍କି ଲିଭାଇବା, ଜିଭକୁ ପାଟି ଭିତରେ ତଳ ଉପରେ କରିବା, ଓଠରେ ଖଟା ବା ମିଠା ଲଗାଇ ଚଟାଇବା, ଛୋଟ ଜିଭ ବା ଘଣ୍ଟିକାର ମସାଜ କରିବା ଏବଂ ଖାଦ୍ୟକୁ ଚୋବାଇ ଖାଇବା ପାଇଁ ପ୍ରୋତ୍ସାହିତ କରନ୍ତୁ। ଶିଶୁକୁ ବିଭିନ୍ନ ପ୍ରକାରର ଶବ୍ଦ ଯଥା ଘଣ୍ଟି ବଜାଇ ଶୁଣାଇବା, ଘରର ଲୋକମାନଙ୍କର କଣ୍ଠ ସ୍ବର ଶୁଣାଇବା, ଗୀତ ଶୁଣାଇବା ଓ ତାଙ୍କୁ ଶବ୍ଦ ଶୁଣି ଦିଗ ବାରିବା ଏବଂ କହିବା ପାଇଁ ଉତ୍ସାହିତ କରନ୍ତୁ। ଶ୍ରବଣହୀନ ପିଲାମାନେ ନିୟମିତ ଶ୍ରବଣଯନ୍ତ୍ର ବ୍ୟବହାର କରନ୍ତୁ। ନିୟମିତ ବ୍ୟବଧାନରେ ଶ୍ରବଣଯନ୍ତ୍ର ଠିକ୍‌ କାମ କରୁଛି ନା ନାହିଁ, ଅଭିଭାବକମାନେ ତାହା ପରୀକ୍ଷା କରାଇନିଅନ୍ତୁ।
ବାକ୍‌ଶ୍ରବଣ ବିଶେଷଜ୍ଞ, ମଙ୍ଗଳାବାଗ, କଟକ
ମୋ: ୯୪୩୮୨୭୬୭୬୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri