Categories: ଖେଳ

କୋପା ଆମେରିକା ମ୍ୟାଚ୍‌ ପରିଚାଳନା କରିବେ ସ୍ପାନିଶ୍‌ ରେଫରି

କୁଇଆବା(ବ୍ରାଜିଲ),୧୭।୬: ଚଳିତ କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟରେ ଏକ ସ୍ପାନିଶ୍‌ ରେଫରିଂ କ୍ରିୟୁ ମ୍ୟାଚ୍‌ ପରିଚାଳନା କରିବେ। ଏ ନେଇ ୟୁରୋପ ଓ ଦକ୍ଷିଣ ଆମେରିକା ଫୁଟ୍‌ବଲ ପ୍ରଶାସନର ଦୁଇ ସର୍ବୋଚ୍ଚ ସଂସ୍ଥା ୟୁନିୟନ ଅଫ୍‌ ୟୁରୋପିଆନ ଫୁଟ୍‌ବଲ ଆସୋସିଏଶନ (ୟୁଏଏଫ୍‌ଏ) ଓ କନ୍‌ମେବୋଲ ମଧ୍ୟରେ ଏକ ଚୁକ୍ତି ହୋଇଛି। ପ୍ରଥମଥର ପାଇଁ କୋପା ଆମେରିକା ମ୍ୟାଚ୍‌ରେ ୟୁରୋପିଆନ କ୍ରିୟୁ କାର୍ଯ୍ୟ କରିବେ ବୋଲି କନମେବୋଲ ତରଫରୁ କୁହାଯାଇଛି।
ଠିକ୍‌ ସେହିପରି ଗୁରୁବାର ୟୁରୋପିଆନ ଚାମ୍ପିୟନଶିପ୍‌ରେ ଆର୍ଜେଣ୍ଟିନାର କ୍ରିୟୁ କାର୍ଯ୍ୟ କରିବେ। ଏହି କ୍ରିୟୁ ୟୁକ୍ରେନ୍‌ ଓ ଉତ୍ତର ମାସିଡୋନିଆ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌ରେ ପରିଚାଳନା ଦାୟିତ୍ୱରେ ରହିବେ। ଶୁକ୍ରବାର ଚିଲି ଓ ବଲିଭିଆ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌ରେ ସ୍ପେନ୍‌ର ଜେସସ ଜିଲ ମାଞ୍ଜାନୋ ରେଫରି ଭାବେ କାର୍ଯ୍ୟ କରିବେ। ମାଞ୍ଜାନୋଙ୍କୁ ଏହି ମ୍ୟାଚ୍‌ରେ ସ୍ପେନ୍‌ର ଅନ୍ୟ ୩ ଆସିଷ୍ଟାଣ୍ଟ ସହାୟତା କରିବେ। ସେହିପରି ଫର୍ନାଣ୍ଡୋ ରାପାଲିନି ଓ ତାଙ୍କ ଆର୍ଜେଣ୍ଟିନା ଆସିଷ୍ଟାଣ୍ଟମାନେ ରୋମାନିଆର ବୁକାରେଷ୍ଟରେ ମ୍ୟାଚ୍‌ ପରିଚାଳନା କରିବେ। ଦୁଇଟି କନ୍‌ଫେଡେରେଶନରେ ରେଫରିଂକୁ ଆହୁରି ଶାଣିତ କରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି କନମେବୋଲ ତରଫରୁ କୁହାଯାଇଛି।

Share