ବିଗ୍‌ ଟେକ୍‌ ଫାର୍ମର ଚକ୍ରାନ୍ତ

ଦୁଇ ବର୍ଷ ପୂର୍ବେ ଅଷ୍ଟ୍ରେଲିଆ ସଂସଦ ନ୍ୟୁଜ ମିଡିଆ ବାର୍ଗେନିଂ କୋଡ୍‌ ନାମକ ଏକ ଆଇନ ପାସ୍‌ କରିଥିଲା। ମେଟା (ଫେସ୍‌ବୁକ୍‌) ଏବଂ ଆଲ୍‌ଫାବେଟ(ଗୁଗଲ) ସେମାନଙ୍କ ପ୍ଲାଟ୍‌ଫର୍ମରେ ଶେୟାର କରୁଥିବା ନ୍ୟୁଜ୍‌ ତଥ୍ୟ ପାଇଁ ପାଉଥିବା ରାଜସ୍ବକୁ ମିଡିଆ ସଂସ୍ଥାଗୁଡ଼ିକୁ ଦେବା ଲାଗି ଏହିି ଆଇନ ବାଧ୍ୟକରିଛି। ଏହି ଆଇନ ଏବେ ଆଖିଦୃଶିଆ ସଫଳତା ପାଇଛି। ଅଷ୍ଟ୍ରେଲିଆ ମିଡିଆଗୁଡ଼ିକ ଏବେ ବୃହତ୍‌ ଟେକ୍‌ ଫାର୍ମଗୁଡ଼ିକଠାରୁ ୨୦୦ ମିଲିୟନ ଅଷ୍ଟ୍ରେଲିୟ ଡଲାର (୧୩୩ ମିଲିୟନ ଆମେରିକୀୟ ଡଲାର)ରୁ ଊର୍ଦ୍ଧ୍ୱ ଅର୍ଥ ପାଉଛନ୍ତି। ସ୍ଥାନୀୟ ନ୍ୟୁଜ୍‌ ଲାଗି ଅର୍ଥଯୋଗାଣ ହ୍ରାସ ପାଇବା, ସାମ୍ବାଦିକତା ଚାକିରି ସଂଖ୍ୟା କମିବା ଓ ଉଚ୍ଚ ମାନର ନ୍ୟୁଜ ପ୍ରଡକ୍‌ସନ ଜାରି ରଖିବା ପାଇଁ ନୂତନ ନୀତିଗୁଡ଼ିକର ଜରୁରୀ ଆବଶ୍ୟକତା ଥିବାରୁ ଅଷ୍ଟ୍ରେଲିଆ ମିଡିଆ ଆଇନ ବିଶ୍ୱରେ ଅଧିକ ଦୃଷ୍ଟି ଆକର୍ଷଣ କରିଛି। ଗୁଗଲ ଏବଂ ଫେସ୍‌ବୁକ୍‌ ଅବୈଧ ଭାବେ ବିପୁଳ ପରିମାଣର ଅର୍ଥ ବୈଧ ମିଡିଆ ସଂସ୍ଥାଗୁଡ଼ିକଠାରୁ ନେଇଛନ୍ତି ଏବଂ ବିଶ୍ୱ ସାରା ଆଇନ ନିର୍ମାତାମାନେ ସ୍ବୀକାର କରୁଛନ୍ତି ଯେ, ସାର୍ବଜନୀନ ସ୍ବାର୍ଥ ସମ୍ବଳିତ ସାମ୍ବାଦିକତାକୁ ସମର୍ଥନ କରିବା ପାଇଁ ପ୍ରମୁଖ ଟେକ୍‌ ପ୍ଲାଟଫର୍ମଗୁଡ଼ିକର ଏକ ଗୁରୁଦାୟିତ୍ୱ ରହିଛି। ଅଷ୍ଟ୍ରେଲିଆ ଆଇନର ଦୃଷ୍ଟି ଆକର୍ଷଣକାରୀ କାର୍ଯ୍ୟକୁ ଦେଖି ବ୍ରାଜିଲ, କାନାଡା, ଇଂଲଣ୍ଡ ଏବଂ ଆମେରିକା ସମେତ ଅନ୍ୟ ଦେଶଗୁଡ଼ିକ ଉକ୍ତ ଆଇନ ଭଳି ସେମାନଙ୍କ ଦେଶର ନିଜସ୍ବ ଆଇନ ପାଇଁ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ଜନସ୍ବାର୍ଥ ସମ୍ବଳିତ ମିଡିଆ ପାଇଁ ଗଠିତ ନୂଆ ଅନ୍ତର୍ଜାତୀୟ ପାଣ୍ଠିର ଡାଇରେକ୍ଟର ଅଫ୍‌ ପୋର୍ଟଫୋଲିଓ ପେରିକ୍‌ ଜୁଡେଅକ୍ସଙ୍କ ଦ୍ୱାରା ନିକଟରେ କରାଯାଇଥିବା ଅନୁଧ୍ୟାନ ଅନୁଯାୟୀ ମିଡିଆ କୋଡ୍‌ ଅଷ୍ଟ୍ରେଲିଆ ‘ସଫ୍ଟ ପାଓ୍ବାର’ର ଅଂଶ ହୋଇଯାଇଛି। ଗତ ଦୁଇବର୍ଷରେ ଅଷ୍ଟ୍ରେଲୀୟ ଅଧିକାରୀମାନେ ଏହିି ଆଇନକୁ ଉତ୍ସାହିତ କରିବା ଲାଗି ବିଶ୍ୱ ସାରା ଗସ୍ତ କରିଛନ୍ତି। ସେମାନେ ସେମାନଙ୍କ ସାଥୀମାନଙ୍କୁ ସତର୍କ କରି ଦେଇଛନ୍ତି ଯେ, ଗୁଗଲ ଓ ଫେସ୍‌ବୁକ୍‌ ଏଥିପାଇଁ ଜୋରଦାର ଲବି କରିବେ, ଅତ୍ୟଧିକ ଖର୍ଚ୍ଚ କରିବେ, ଏପରି କି ଏଭଳି ବିଲ୍‌ଗୁଡ଼ିକୁ ଆଗକୁ ନ ବଢିବା ଲାଗି ବାଧା ଦେବାକୁ ଅନୁଚିତ ଆଚରଣ ଆପଣାଇବେ।
ବିଶେଷକରି ଗୁଗଲ ଏଭଳି ଆଇନଗୁଡ଼ିକୁ ବନ୍ଦ କରିବା ସକାଶେ ଜୋରସୋର ଉଦ୍ୟମ କରିଛି। ଅନେକ ଦେଶରେ କ୍ଷୁଦ୍ର ଏବଂ ଅନ୍‌ଲାଇନ ସଂସ୍ଥାଗୁଡ଼ିକ ଚିନ୍ତିତ ଯେ, ମିଡିଆ କୋଡ୍‌ ମୁଖ୍ୟତଃ ବୃହତ୍‌ ପାରମ୍ପରିକ ପ୍ରକାଶକମାନଙ୍କୁ ଲାଭ ପହଞ୍ଚାଇବ। ଏଭଳି ଦ୍ୱନ୍ଦ୍ୱର ସୁଯୋଗ ନେଇ ଏକ ବିଭାଜନ ସୃଷ୍ଟି କରିବାକୁ ଗୁଗଲ ଚକ୍ରାନ୍ତ କରିଛି। କାନାଡାର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ପ୍ରକାଶକମାନଙ୍କ ସହ ଚୁକ୍ତି କରିଛି ଏବଂ ଆସନ୍ତା ସପ୍ତାହରେ ଦକ୍ଷିଣ ଆଫ୍ରିକାରେ ପ୍ରକାଶକମାନଙ୍କ ସହିତ ଓପଚାରିକ ବୁଝାମଣା ଆରମ୍ଭ କରିବାକୁ ଅଗ୍ରସର ହୋଇଛି। କମ୍ପାନୀଠାରୁ ଆର୍ଥିକ ସହଯୋଗ ପାଇବାକୁ ହେଲେ ପ୍ରକାଶକମାନେ ଲାଗୁ କରାଯାଇଥିବା ନୂଆ ଆଇନ ଅନୁଯାୟୀ ଅତିରିକ୍ତ ଅର୍ଥ ବା ଲାଭ ପାଇବାକୁ ଚାହିଁବେ ନାହିଁ ବୋଲି ପ୍ରତିଶ୍ରୁତି ଦେବାକୁ ପଡ଼ିବ। କେବଳ ପ୍ରମୁଖ ମିଡିଆ ସଂସ୍ଥାଗୁଡ଼ିକ ଅଷ୍ଟ୍ରେଲିଆର ମିଡିଆ କୋଡ୍‌ରୁ ଲାଭ ପାଇବେ ଏହି କଥାକୁ ଗୁଗଲ ଅଧିକ ପ୍ରାଧାନ୍ୟ ଦେବା ସହ ବାରମ୍ବାର ଦୋହରାଉଛି। ରୁପେଟ ମୁର୍‌ଡକ୍‌ ମାଲିକାନାରେ ଅଷ୍ଟ୍ରେଲିଆରେ ଥିବା ଉଭୟ ବୃହତ୍‌ ଏବଂ କ୍ଷୁଦ୍ର ମିଡିଆ ସଂସ୍ଥାଗୁଡ଼ିକ ଏହି ଆଇନରୁ ଲାଭ ପାଇଛନ୍ତି ବୋଲି ଗୁଗଲର ଦାବି ସମ୍ପୂର୍ଣ୍ଣ ଭୁଆଁ ବୁଲାଇବା ଭଳି କଥା। ନୂଆ ଆଇନ ଉପରେ ଅଷ୍ଟ୍ରେଲିଆ ଟ୍ରେଜେରିର ସଦ୍ୟତମ ସମୀକ୍ଷାରୁ ଜଣାପଡ଼ିଛି ଯେ, ପାଣ୍ଠି ଯୋଗାଣ ଉପରେ ଏଯାବତ ୩୦ଟି ଚୁକ୍ତି କରାଯାଇଛି, ଯେଉଁଥିରେ ଏକ ଡଜନରୁ ଊର୍ଦ୍ଧ୍ୱ ପ୍ରକାଶନ ସଂସ୍ଥାଗୁଡ଼ିକ ସାମିଲ କରାଯାଇଛି।
ମିଡିଆ କୋଡ୍‌ ଏକ ଗୁରୁତ୍ୱପୂର୍ଣ୍ଣ ସାଧନ ଯାହା ଉପରେ ଆକ୍ରମଣ କରିବା ବଦଳରେ ମଜଭୁତ କରିବା ଉଚିତ। ଅଷ୍ଟ୍ରେଲିଆ ଆଇନ ଉପରେ ଦୋଷ ଲଦାଯାଉଛି ଯେ ମିଡିଆ ସଂସ୍ଥାଗୁଡ଼ିକୁ ଟେକ୍‌ କମ୍ପାନୀଗୁଡ଼ିକ ଦେଇଥିବା ଅର୍ଥକୁ ଗୁପ୍ତ ରଖାଯାଇଛି। ଏଭଳି ଅଭିଯୋଗକୁ ଲକ୍ଷ୍ୟକରି, କାନାଡାରେ ଅଣାଯାଇଥିବା ଆଇନକୁ ଯଦି ପାସ୍‌ କରାଯାଏ, ତେବେ ଖବର ପ୍ରକାଶନ ସଂସ୍ଥାସବୁର ଆବଶ୍ୟକତାକୁ ଦୃଷ୍ଟିରେ ରଖି କେବଳ ନିୟାମକଗୁଡ଼ିକୁ(ସାଧାରଣରେ ନୁହେଁ) ତଥ୍ୟ ପ୍ରକାଶ କରିବାରେ ଅଧିକ ସ୍ବଚ୍ଛତା ଆଣିବାକୁ ହେବ। ତେବେ କାନାଡାର ବିଲ୍‌ ଯାହା ନିର୍ଦ୍ଦିଷ୍ଟ ସମ୍ପାଦକୀୟ ମାନ ହାସଲ କରିବା ଏବଂ ଅତିକମ୍‌ରେ ଫୁଲ୍‌ ଟାଇମ ଷ୍ଟାଫ୍‌ ନିଯୁକ୍ତ କରିବା ପାଇଁ ମଧ୍ୟ ଯୋଗ୍ୟତା ମାନଦଣ୍ଡ ସ୍ଥାପିତ କରିଛି। ଯୋଗ୍ୟ ସଂସ୍ଥାଗୁଡ଼ିକ ନିୟାମକ ସଂସ୍ଥାକୁୁ ସେମାନଙ୍କ ବାର୍ଷିକ ରିପୋର୍ଟ ଦେବାକୁ ପଡ଼ିବ।
ମିିଡିଆ ଆଇନର ଭବିଷ୍ୟତର ଯାତ୍ରାରେ କିଛି ବାଧ୍ୟତାମୂଳକ ପ୍ରାବଧାନ ରଖାଯିବା ଉଚିତ, ଯାହା ମିଡିଆ ସଂସ୍ଥା ଓ ଟେକ୍‌ କମ୍ପାନୀଗୁଡ଼ିକ ମଧ୍ୟରେ ହେଉଥିବା ଚୁକ୍ତିଗୁଡ଼ିକୁ ସାର୍ବଜନୀନ କରିବ। ଡିଜିଟାଲ ପ୍ଲାଟ୍‌ଫର୍ମସବୁ ପ୍ରସାରଣ କରୁଥିବା ନ୍ୟୁଜ ଭାଲ୍ୟୁର ମୂଲ୍ୟାୟନ କିଭଳି କରୁଛନ୍ତି ସେସମ୍ପର୍କିତ ତଥ୍ୟ ଏବଂ ସେମାନଙ୍କର ପେମେଣ୍ଟ ଯୋଜନା କେମିତି ସ୍ଥିର ହେଉଛି ତାହା ମଧ୍ୟ ସାଧାରଣରେ ଉପଲବ୍ଧ କରାଇବା ଉଚିତ। ଏହି ସ୍ତରର ସ୍ବଚ୍ଛତା ଅତି ଗୁରୁତ୍ୱପୂର୍ଣ୍ଣ। ମିଡିଆକୁ ସମର୍ଥନ କରୁଥିବା ସଂଗଠନଗୁଡ଼ିକ ଯଥା ଇଂଲଣ୍ଡର ପବ୍ଲିକ ଇଣ୍ଟରେଷ୍ଟ ନ୍ୟୁଜ ଫାଉଣ୍ଡେଶନ, ଦକ୍ଷିଣ ଆଫ୍ରିକାର ନ୍ୟାଶନାଲ ଏଡିଟର୍ସ ଫୋରମ୍‌ ଏବଂ ବ୍ରାଜିଲର ଆସୋସିଏଶନ ଅଫ୍‌ ଡିଜିଟାଲ ଜର୍ନାଲିଜମ୍‌ ଏହା ଉପରେ ଗୁରୁତ୍ୱ ଦେଇଥିବାରୁ ଏହି ଆଇନରେ କ୍ଷୁଦ୍ର ସଂସ୍ଥାଗୁଡ଼ିକୁ ସାମିଲ କରାଯିବା ଉଚିତ। ସରକାରଗୁଡ଼ିକ ସେମାନଙ୍କ ତରଫରୁ ଅଭିବ୍ୟକ୍ତିର ସ୍ବାଧୀନତା ଉପରେ କଟକଣା ଲଗାଇବା ଭଳି ଆଇନରୁ ବିରତ ହେବା ଦରକାର ।
ବ୍ରାଜିଲର ସାମ୍ବାଦିକ ନାଟାଲିଆ ଭିଏନା ଉଲ୍ଲେଖ କରିଛନ୍ତି ଯେ, ଗୁଗଲର ରଣନୀତି ତା’ବିରୋଧରେ ଏକ ପ୍ରତିକ୍ରିୟା ସୃଷ୍ଟି କରିଛି। ଅଷ୍ଟ୍ରେଲିଆ ମିଡିଆ ଆଇନର ଲୋକପ୍ରିୟତା ବୃଦ୍ଧିକୁ ଲକ୍ଷ୍ୟ କରି ଗୁଗଲ ଧମକାଇବାର ସାହାରା ନେଇଛି। ତାହା ସୂଚାଇ ଦେଇଛି ଯେ, ନ୍ୟୁଜ୍‌ ପାଇଁ ଯଦି ଦେୟ ଦେବାକୁ ପଡ଼ିବ ତେତେ ତାହା ନ୍ୟୁଜ ନେବା ବନ୍ଦ କରିଦେବ । ସାମ୍ବାଦିକମାନଙ୍କୁ କହିଛି ଯେ, ମିଡିଆ ସଂସ୍ଥାଗୁଡ଼ିକରୁ ଆର୍ଥିକ ସହାୟତା ପ୍ରତ୍ୟାହର କରିନେବ। ବ୍ରାଜିଲର ଅଧିକାରୀମାନେ ତାଙ୍କ ଦେଶର ମିଡିଆ କୋଡ୍‌ ବିରୋଧରେ ଗୁଗଲ କରୁଥିବା ଲବି ସମ୍ପର୍କିତ କାର୍ଯ୍ୟକଳାପ ଉପରେ ତଦନ୍ତ କରୁଛନ୍ତି।
ଦକ୍ଷିଣ ଆଫ୍ରିକାରେ ପ୍ଲାଟ୍‌ଫର୍ମ ଏବଂ ନ୍ୟୁଜ ସଂସ୍ଥାଗୁଡ଼ିକ ମଧ୍ୟରେ ଗୁପ୍ତ ବୁଝାମଣା ଯୋଗୁ ସେଠାରେ ହତାଶ ପ୍ରକାଶକମାନେ ଗୁଗଲ ସହ ଏକ ଚୁକ୍ତି କରିବାକୁ ଆଗେଇଛନ୍ତି। ଏହା ବାସ୍ତବରେ ସାମ୍ପ୍ରତିକ ସଙ୍କଟର ଗଭୀରତା ପ୍ରକାଶ କରୁଛି। ପାଣ୍ଠି ଯୋଗାଣଭିତ୍ତିକ ସାମ୍ବାଦିକତା ଏକ ସମ୍ମିଳିତ ପଦକ୍ଷେପ ଆବଶ୍ୟକ କରେ। ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯେ, ବୃହତ ଟେକ୍‌ ଫାର୍ମଗୁଡ଼ିକ ସେମାନଙ୍କ ପକ୍ଷରୁ ମଧ୍ୟ ଆବଶ୍ୟକ ପଦକ୍ଷେପ ନେବା ଦରକାର। ଗୁଗଲ ଓ ଫେସ୍‌ବୁକ କପିରାଇଟ ପେମେଣ୍ଟକୁ ବିରୋଧ କରିବା ଅର୍ଥ ସେମାନେ ଟ୍ୟାକ୍ସ ଦେବାକୁ ଚାହଁୁନାହାନ୍ତି। ସେମାନେ ମଧ୍ୟ ଆଇନ ନିର୍ମାତା ଓ ସାମ୍ବାଦିକମାନଙ୍କୁ ପ୍ରଭାବିତ କରିବା ଲାଗି ଜୋରସୋର ଲବି ଚଳାଇଛନ୍ତି। ସେମାନେ କୌଣସି ପାଣ୍ଠି ଯୋଗାଣ ଯୋଜନାକୁ ଗ୍ରହଣ କରିବେ କି ନାହିଁ ତାହା ସ୍ପଷ୍ଟ ନୁହେଁ। କିନ୍ତୁ ଦୀର୍ଘ ବର୍ଷ ହେଲା ଅନ୍ୟମାନଙ୍କ ଦ୍ୱାରା ପ୍ରସ୍ତୁତ ଉଚ୍ଚମାନର ସାମ୍ବାଦିକତାରୁ ବିପୁଳ ଲାଭ ପାଇବା ପରେ , ଏବେ ସେମାନେ ଅନ୍ୟ ମିଡିଆକୁ ଅର୍ଥ ଦେବାର ସମୟ ଉପନୀତ ହୋଇଛି।

  • ଅନ୍ୟା ସ୍କିଫ୍ରିନ୍‌
    ସିନିୟର ଲେକ୍‌ଚରର, କଲମ୍ବିଆ ସ୍କୁଲ ଅଫ୍‌ ଇଣ୍ଟରନ୍ୟାଶନାଲ ଆଣ୍ଡ୍‌ ପବ୍ଲିକ ଆଫେୟାର୍ସ

Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri