Categories: ରାଜ୍ୟ

ଅଜୟ କୁମାର ଓଡ଼ିଶା ପ୍ରଦେଶ କଂଗ୍ରେସର ନୂଆ ପ୍ରଭାରୀ

ଭୁବନେଶ୍ୱର,୨୩।୧୨: ଓଡ଼ିଶା ପ୍ରଦେଶ କଂଗ୍ରେସ ପାଇଁ ନୂଆ ପ୍ରଭାରୀଙ୍କୁ ନିଯୁକ୍ତି ମିଳିଛି। ଆଗାମୀ ଲୋକସଭା ଏବଂ ଓଡ଼ିଶା ବିଧାନସଭା ନିର୍ବାଚନ ପୂର୍ବରୁ ଝାଡ଼ଖଣ୍ଡ ଜାମସେଦପୁରର ପୂର୍ବତନ ଏମପି ଡା. ଅଜୟ କୁମାରଙ୍କୁ ଏହି ଗୁରୁଦାୟିତ୍ୱ ମିଳିଛି। ଓଡ଼ିଶା ସହ ତାମିଲନାଡୁ ଏବଂ ପଡୁଚେରୀ ଦାୟିତ୍ୱ ମଧ୍ୟ ଅଜୟ କୁମାରଙ୍କୁ ମିଳିଛି।

ପୂର୍ବରୁ ଓଡ଼ିଶା ପ୍ରଭାରୀ ଥିବା ଚେଲ୍ଲା କୁମାରଙ୍କୁ ସେ ପରିବର୍ତ୍ତନ କରିବେ। ସେପଟେ ଚେଲ୍ଲା କୁମାରଙ୍କୁ ମେଘାଳୟ, ମିଜୋରାମ ଏବଂ ଅରୁଣାଚଳ ପ୍ରଭାରୀ ଦାୟିତ୍ୱ ମିଳିଛି। ସେହିପରି ଆଉ କିଛି ରାଜ୍ୟର ପ୍ରଭାରୀ ଅଦଳ ବଦଳ କରି ଏଆଇସିସି ଦଳର ଅନ୍ୟ ବରିଷ୍ଠ ନେତା ବିଭିନ୍ନ ରାଜ୍ୟ ପାଇଁ ଦାୟିତ୍ୱ ଦେଇଛି।

ଏହି କ୍ରମରେ ସଚିନ ପାଇଲଟଙ୍କୁ ଛତିଶଗଡ଼ କଂଗ୍ରେସ ପ୍ରଭାରୀ ଦାୟିତ୍ୱ ମିଳିଥିଲା ବେଳେ ରମେଶ ଚେନିଥାଲା ମହାରାଷ୍ଟ୍ର, ମୋହନ ପ୍ରକାଶ ବିହାର ପ୍ରଭାରୀ, ରାଜୀବ ଶୁକ୍ଳା ହିମାଚଳ ପ୍ରଦେଶ, ମୁକୁଲ ୱାସନିକ୍‌ ଗୁଜରାଟ ପ୍ରଭାରୀ, ଅଭିନାଶ ପାଣ୍ଡେଙ୍କୁ ଉତ୍ତରପ୍ରଦେଶ, କୁମାରୀ ସେଲଜାଙ୍କୁ ଉତ୍ତରାଖଣ୍ଡ, ରଣଦୀପ ସିଂହ ସୁରଜୱାଲାଙ୍କୁ କର୍ନାଟକ, ଦୀପକ ବବାରିଆଙ୍କୁ ଦିଲ୍ଲୀ ଏବଂ ହରିୟାଣା, ଜି.ଏ ମିରଙ୍କୁ ଝାଡ଼ଖଣ୍ଡ, ଦୀପା ଦେଶମୁଖଙ୍କୁ କେରଳା, ଲାକ୍ଷାଦ୍ଵୀପ ଏବଂ ତେଲଙ୍ଗାନା ଦାୟିତ୍ୱ ମିଳିଛି।