Categories: ଖେଳ

ଇଂଲଣ୍ଡ ‘ବି’ ଟିମ୍‌କୁ ହରାଇଥିବାରୁ ଭାରତକୁ ଅଭିନନ୍ଦନ: ପିଟରସନ

ଚେନ୍ନାଇ,୧୭।୨(ପି.ଟି): ବିଜୟୀ ଭାରତୀୟ ଦଳକୁ ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସନ ଅଭିନନ୍ଦନ ଜଣାଇଛନ୍ତି। ତେବେ ଭାରତ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡର ‘ବି’ ଟିମ୍‌କୁ ହରାଇଛି ବୋଲି ସେ ହିନ୍ଦୀରେ ଟୁଇଟ୍‌ କରିଛନ୍ତି। ଟୁଇଟରରେ ‘ବଧାଇ ହୋ ଇଣ୍ଡିଆ, ଇଂଲଣ୍ଡ ‘ବି’ ଦଳକୁ ହରାଇଥିବାରୁ’ ଉଲ୍ଲେଖ କରିଛନ୍ତି ପିଟରସନ। ଏହା ମାଧ୍ୟମରେ ସେ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି)ର ରୋଟେସନ ପଲିସିକୁ କଡ଼ା ସମାଲୋଚନା କରିଛନ୍ତି। ଭାରତ ଭଳି ହାଇଫ୍ରୋଫାଇଲ ଦଳ ବିପକ୍ଷରେ ଏକ ଶ୍ରେଷ୍ଠ ଦଳ ଚୟନ କରିବାର ଆବଶ୍ୟକତା ଥିଲା। ଏହା ଇଂଲଣ୍ଡର ଶ୍ରେଷ୍ଠ ଦଳ ନ ଥିଲା ବୋଲି ସେ ସ୍ପଷ୍ଟ କରିଛନ୍ତି। ପୁଣି ଦ୍ୱିତୀୟ ଟେଷ୍ଟରେ ୮ ଉଇକେଟ ହାସଲ କରିଥିବା ଅଭିଜ୍ଞ ସ୍ପିନ ବୋଲିଂ ଅଲରାଉଣ୍ଡର ମୋଇନ ଅଲୀଙ୍କୁ ଘରକୁ ପଠାଇବା ନିଷ୍ପତ୍ତି ଆଶ୍ଚର୍ଯ୍ୟଜନକ ବୋଲି ସେ କହିଛନ୍ତି। ଯୁବ ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କ ଏଲ୍‌ବୋ ଇଞ୍ଜୁରୀ ସତ୍ତ୍ୱେ ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟରେ ଅଭିଜ୍ଞ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନଙ୍କୁ ବିଶ୍ରାମ ଦେଇଛି। ପ୍ରଥମ ଟେଷ୍ଟର ପଞ୍ଚମ ଦିବସରେ ଆଣ୍ଡରସନଙ୍କ ରିଭର୍ସ ସୁଇଙ୍ଗ୍‌ରେ ଭାରତୀୟ ଇନିଂସର ବିପର୍ଯ୍ୟୟ ଘଟିଥିଲା ବୋଲି ସେ କହିଛନ୍ତି। ସେହିପରି ଦ୍ୱିତୀୟ ଟେଷ୍ଟରେ ଜୋସ ବଟ୍‌ଲରଙ୍କୁ ଖେଳାଯାଇ ନ ଥିଲା। ଅଫ୍‌- ସ୍ପିନର ଡୋମ ବେସ୍‌ଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଥିଲା ବୋଲି ସେ କହିଛନ୍ତି।

Share