ଡ୍ରପ୍‌ ଆଉଟ୍‌ ପିଲାଙ୍କ ଥଇଥାନ ଚିନ୍ତା

ଯାଜପୁର,୧୧ା୭(ହର୍ଷବର୍ଦ୍ଧନ ବେହେରା): ବହୁଳ ପ୍ରସାରିତ ସର୍ବଶିକ୍ଷା ଅଭିଯାନ ଯାଜପୁର ଜିଲାର ଗ୍ରାମାଞ୍ଚଳରେ ବିଫଳ ହୋଇଛି। ବିଶେଷକରି ଜିଲାର ଶିଳ୍ପ ସମୃଦ୍ଧ ଦାନଗଦି ବ୍ଲକରେ ଅଧାରୁ ପାଠ ଛାଡି(ଡ୍ରପ ଆଉଟ) କିମ୍ବା ସ୍କୁଲ ବାରଣ୍ଡା ମାଡି ନ ଥିବା ୬ ରୁ ୧୪ ବର୍ଷର ୬୫୪ ଜଣ ଛାତ୍ରୀଛାତ୍ରଙ୍କୁ ବେସରକାରୀ ଭାବେ ଚିହ୍ନଟ କରାଯାଇଛି। ଏଥିରେ ଅଧିକାଂଶ ତଫସିଲଭୁକ୍ତ ଜାତି ଓ ଜନଜାତିର ରହିଛନ୍ତି। ଏହି ଡ୍ରପ୍‌ଆଉଟ ଛାତ୍ରୀଛାତ୍ରମାନେ ଦେଶୀ ମଦ ଦୋକାନ, ଚାଷ କାର୍ଯ୍ୟ, ଚୁକ୍ତି ଭିତ୍ତିକ ଶ୍ରମିକ, ଗ୍ୟାରେଜ ଆଦି ସ୍ଥାନରେ ବାଧ୍ୟ ହୋଇ କାମ କରୁଛନ୍ତି। ଫଳରେ ସେମାନଙ୍କ ଶାରୀରିକ ଓ ମାନସିକସ୍ତରରେ ଖରାପ ପ୍ରଭାବ ପଡୁଛି। ଏନେଇ ସାମାଜିକ କର୍ମୀ ମଣ୍ଟୁ ଦାସ ଉକ୍ତ ଶିଶୁମାନେ ଶିକ୍ଷା, ପୃଷ୍ଟିକର ଖାଦ୍ୟ ଓ ସ୍ବାସ୍ଥ୍ୟସେବା ପରି ମୌଳିକ ଅଧିକାରରୁ ବଞ୍ଚିତ ହେଉଥିବା ଅଭିଯୋଗ କରି ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା(ନଂ. ୧୭୨୯/୨୦୨୩) ଦାୟର କରିଥିଲେ। ଏହି ମାମଲା ଉପରେ ହାଇକୋର୍ଟଙ୍କ ପକ୍ଷରୁ ଗତ ୨୪ା୧ା୨୦୨୩ରେ ଶୁଣାଣୀ କରି ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କୁ ଅଭିଯୋଗ ଉପରେ ତଦନ୍ତ କରିବା ସହ ଉପଯୁକ୍ତ ଭାବେ ଥଇଥାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଉକ୍ତ ନିର୍ଦ୍ଦେଶର ୬ ମାସ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ଡ୍ରପ୍‌ଆଉଟ ପିଲାମାନେ ଥଇଥାନ ପାଇଁ ରାହା ଖୋଜୁଥିବା ଅଭିଯୋଗ ହେଉଛି।
ସୂଚନା ଅନୁଯାୟୀ, ଦାନଗଦି ବ୍ଲକର ବଙ୍ଗାରକୋଟ, ନଛିପୁରା, ଓସ୍ତପାଲ, ଉଚ୍ଚବାଲି, କିଆଝର, ଦେଉଳକଣା, ନଡିଆଭଙ୍ଗା, ପଙ୍କପାଳ, ରାଛିପୁର, ଖପୁରିଆପଡା, ଚାନ୍ଦିଆ, ତ୍ରିଜଙ୍ଗା, ଯଖପୁରା, ଚିତିରି, ଧଳିଗଡ, ରାଣୀପଡା, ସାଲିଜଙ୍ଗା ପଞ୍ଚାୟତରେ ଅଧିକାଂଶ ଡ୍ରପ୍‌ ଆଉଟ ପିଲା ରହିଥିବାର ତାଲିକା ପ୍ରସ୍ତୁତ ହୋଇଛି। ଉକ୍ତ ତାଲିକାରେ ପଞ୍ଚାୟତ, ଗ୍ରାମ, ଡ୍ରପ୍‌ ଆଉଟ ପିଲା ଓ ବାପାଙ୍କ ନାମ, ଶ୍ରେଣୀ, ଲିଙ୍ଗ, ବୟସ ଓ ଜାତି ଅନୁଯାୟୀ ପ୍ରସ୍ତୁତ ହୋଇଛି। ୨୦୨୨ ସେପ୍ଟେମ୍ବରରୁ ପ୍ରାୟ ୩ ମାସ ଧରି ସାମାଜିକ କର୍ମୀ ମଣ୍ଟୁଙ୍କ ନେତୃତ୍ୱରେ ଘରକୁ ଘର ବୁଲି ସର୍ଭେ କରାଯାଇ ଏହି ତଥ୍ୟ ହାସଲ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟାହ୍ନ ଭୋଜନ, ସପ୍ଲିମେଣ୍ଟାରୀ ନ୍ୟୁଟ୍ରିଶନ ପ୍ରୋଗ୍ରାମ, କିଶୋରୀ ଶକ୍ତି ଯୋଜନା, କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟ ଆଦି ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କିନ୍ତୁ ଏହିସବୁ ଯୋଜନା କାର୍ଯ୍ୟକାରୀ କରିବାରେ ଆନ୍ତରିକତାର ଅଭାବ ଯୋଗୁ ଡ୍ରପ୍‌ଆଉଟ ପିଲା ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଛି। ଏହାବାଦ୍‌ ଛାତ୍ରୀଛାତ୍ରଙ୍କ ପାଇଁ ପ୍ରବେଶ ଉତ୍ସବ, ବୟସ ଅନୁସାରେ ବିିଭିନ୍ନ ଶ୍ରେଣୀରେ ନାମଲେଖା ବ୍ୟବସ୍ଥା, ସ୍ବତନ୍ତ୍ର ତାଲିମ ଭିତ୍ତିକ ଶିକ୍ଷା ବ୍ୟବସ୍ଥା ଆଦି ଯୋଜନାର ସଫଳତା ସମ୍ପୂର୍ଣ୍ଣ ବିଫଳ ବୋଲି ସ୍ପଷ୍ଟ ଅନୁମେୟ ା ଅନ୍ୟପକ୍ଷେ ଉଚ୍ଚ କର୍ତ୍ତୃପକ୍ଷଙ୍କ ରୋଷରୁ ବଞ୍ଚିବାକୁ ଯାଇ ସରକାରଙ୍କ ନିକଟରେ ଜିଲାରେ ମାତ୍ର ୨ ଜଣ ଡ୍ରପ୍‌ଆଉଟ ପିଲା ରହିଛନ୍ତି ବୋଲି ବିଭାଗୀୟ ଅଧିକାରୀମାନେ ରିପୋର୍ଟ ପ୍ରଦାନ କରୁଥିବାର ଅଭିଯୋଗ ହୋଇଛି।
ସରକାରୀ ଭାବେ ମିଳିଥିବା ରିପୋର୍ଟ ଅନୁଯାୟୀ, ଜିଲାରେ ୯୫୯ ସରକାରୀ ଓ ଅନୁଦାନପ୍ରାପ୍ତ ପ୍ରାଥମିକ ଏବଂ ୭୫୭ ଗୋଟି ସରକାରୀ ଓ ଅନୁଦାନପ୍ରାପ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି। ଏହି ବିଦ୍ୟାଳୟଗୁଡିକରେ ୨,୦୨,୭୪୭ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଗତ ୨୦୦୪ରୁ ସର୍ବଶିକ୍ଷା ଅଭିଯାନ ଆରମ୍ଭ ହୋଇଛି । ୬ରୁ ୧୪ବର୍ଷର ବାଳିକାବାଳକମାନଙ୍କୁ ବାଧ୍ୟତାମୂଳକ ଏବଂ ଗୁଣାମତ୍କ ଶିକ୍ଷା ଯୋଗାଇ ଦେବା ଏହି ଯୋଜନାର ମୂଳ ଲକ୍ଷ୍ୟ ା ହେଲେ ତାହା ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇ ପାରୁନାହିଁ। ଏହାସହ ଦାରିଦ୍ର୍ୟତା, ଗ୍ରାମବସତିଠାରୁ ସ୍କୁଲର ଦୂରତା କାରଣରୁ ପାଠପଢାରୁ ଦୂରେଇ ରହିଥିବା ଛାତ୍ରୀଛାତ୍ର ଓ ସେମାନଙ୍କ ଅଭିଭାବକଙ୍କ ମଧ୍ୟରେ ପାଠପଢା ପ୍ରତି ଆଗ୍ରହ ଜନ୍ମାଇବା ଦିଗରେ ସର୍ବଶିକ୍ଷା ଅଭିଯାନର ବିଫଳତା ଏହାର ଏକ ପ୍ରମୁଖ କାରଣ ହୋଇପାରେ ବୋଲି ମତ ପ୍ରକାଶ ପାଇଛି। ସେହିପରି ଗ୍ରାମାଞ୍ଚଳ ସ୍କୁଲଗୁଡିକରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ଅଭାବ, ବିଭିନ୍ନ ସରକାରୀ କାର୍ଯ୍ୟରେ ଶିକ୍ଷକମାନଙ୍କୁ ନିୟୋଜନ, ଜଣେ ମାତ୍ର ଶିକ୍ଷକ ଥିଲେ ସେ ବିଭାଗୀୟ କାର୍ଯ୍ୟରେ ବ୍ୟସ୍ତ ରହିଲେ ସ୍କୁଲ ବନ୍ଦ ରହିବା ମଧ୍ୟ ଛାତ୍ରୀଛାତ୍ରଙ୍କୁ ସ୍କୁଲକୁ ଆକର୍ଷିତ କରି ନ ପାରିବା ଅନ୍ୟ ଏକ କାରଣ ହୋଇପାରେ ବୋଲି ମତପ୍ରକାଶ ପାଇଛି । ବୟସ ଅନୁସାରେ ଶ୍ରେଣୀରେ ନାମ ଲେଖା ଯାଉଛି ସତ ହେଲେ ସେହି ବାଳିକାବାଳକମାନେ ଘର କାମ କିମ୍ବା ଶିଶୁ ଶ୍ରମିକ ଭାବେ ନିୟୋଜିତ ରହୁଛନ୍ତି । ଡ୍ରପ୍‌ ଆଉଟ ବାଳିକାମାନଙ୍କୁ ଖୋଜି କସ୍ତୁରବା ଗାନ୍ଧୀ ବାଳିକା ଆବାସିକ ବିଦ୍ୟାଳୟ(କେଜିବିଭି)ରେ ନାମ ଲେଖାଇବା ପରିବର୍ତ୍ତେ ସାଧାରଣ ପିଲାଙ୍କୁ ସହଜରେ ଆଣି ନାମ ଲେଖାଯାଉଛି । ଜିଲାର ଯାଜପୁର ବ୍ଲକ ସୁଜନପୁର ଓ ସୁକିନ୍ଦା ବ୍ଳକ ହାତିବାରୀଠାରେ ୨ଟି କେଜିବିଭି ରହିଛି । ହଷ୍ଟେଲ ସୁବିଧା କରାଯାଇ ପ୍ରତ୍ୟେକ କେଜିବିଭିରେ ୬ଷ୍ଠ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀ ଅଧ୍ୟୟନ କରୁଛନ୍ତି । ଡ୍ରପ୍‌ ଆଉଟ ବାଳିକାଙ୍କୁ ଅଧିକ ଗୁରୁତ୍ୱ ଦେବାକୁ ଏହି ସ୍କୁଲରେ ଗାଇଡ୍‌ଲାଇନରେ ରହିଛି । କିନ୍ତୁ ସିଟ୍‌ ପୂରଣ କରିବା ଲକ୍ଷ୍ୟରେ ରହି ଡ୍ରପ୍‌ଆଉଟ ପରିବର୍ତ୍ତେ ସାଧାରଣ ସ୍କୁଲ ପିଲାଙ୍କ ନାମ ଲେଖାଯାଉଥିବା ଅଭିଯୋଗ ହେଉଛି । ଏ ସଂକ୍ରାନ୍ତରେ ଯାଜପୁର ଜିଲା ଶିକ୍ଷାଧିକାରୀ ରଞ୍ଜନ କୁମାର ଗିରିଙ୍କ ମତାମତ ନେବାକୁ ତାଙ୍କ ମୋବାଇଲକୁ ସୋମବାର ରାତି ପ୍ରାୟ ୭ଟା୧୨ ମିନିଟରେ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ କଲ ଗ୍ରହଣ କରି ନ ଥିଲେ।