Odisha Elections 2024

ସଙ୍କୁଚିତ ବଜେଟ

ଡ. ସନ୍ତୋଷ କୁମାର ମହାପାତ୍ର

ଗତ ଫେବୃୟାରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ କେନ୍ଦ୍ର ବଜେଟ ଉପସ୍ଥାପନ କରିଛନ୍ତି। ସାଧାରଣତଃ, ଯେଉଁ ଦଳ ଶାସନ କରୁ ବା ଯିଏ ପ୍ରଧାନମନ୍ତ୍ରୀ ବା ଅର୍ଥମନ୍ତ୍ରୀ ହେଉନା କାହିଁକି, ପ୍ରତ୍ୟେକ ବର୍ଷ ଅଧିକ ଟିକସ ଆଦାୟ ବୃଦ୍ଧି ଘଟିବ ଏବଂ ବଜେଟର ଆକାର ମଧ୍ୟ ବୃଦ୍ଧି ପାଇବ। ଏପରି କି ମୁଦ୍ରାସ୍ଫୀତି ଯୋଗୁ ନାମାଙ୍କନ ମୂଲ୍ୟରେ ଆପେ ଆପେ ବୃଦ୍ଧି ପାଇବ। ଯେପରି ୧୯୫୦-୫୧ରେ ବଜେଟର ଆକାର ମାତ୍ର ୩୫୭.୪୯ କୋଟି ଟଙ୍କା ଥିଲାବେଳେ ବର୍ତ୍ତମାନ ୩୯ ଲକ୍ଷ କୋଟି ଟଙ୍କା ଅତିକ୍ରମ କଲାଣି।
ଏକ ବଜେଟକୁ ଭଲ କୁହାଯିବ, ଯଦି ବିତ୍ତୀୟ ଶୃଙ୍ଖଳା ବଜାୟ ରଖିବା ସହିତ ତାହାର ଆକାର ଜିଡିପି ବୃଦ୍ଧି ଅନୁସାରେ ବୃଦ୍ଧିପାଏ ଏବଂ ସରକାର ପୁଞ୍ଜିପତି, ଶିଳ୍ପପତିଙ୍କ ତଥା ଧନିକ ଶ୍ରେଣୀଠାରୁ ଅଧିକ ହାରରେ ଟିକସ ଆଦାୟ କରି ବିଭିନ୍ନ କ୍ଷେତ୍ରରେ ମୁଦ୍ରାସ୍ଫୀତିକୁ ବିଚାରକୁ ନେଲାପରେ ଆହୁରି ଅଧିକ ବ୍ୟୟ କରନ୍ତି ବିଶେଷକରି ଶିକ୍ଷା, ସ୍ବାସ୍ଥ୍ୟ, ଗୃହନିର୍ମାଣ ଆଦି ସାମାଜିକ କ୍ଷତ୍ରରେ ଏବଂ ବିଭିନ୍ନ ଜନହିତକର କ୍ଷେତ୍ରରେ ଅଧିକ ବ୍ୟୟ କରିବା ସହିତ ନିଯୁକ୍ତି ବୃଦ୍ଧି ଓ ଦାରିଦ୍ର୍ୟ, ବେକାରି , କ୍ଷୁଧା, ବାସହୀନତା ଓ ବୈଷମ୍ୟ ହ୍ରାସ କରିବା ସହିତ ସାମ୍ପ୍ରତିକ ଆର୍ଥିକ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିଥାନ୍ତି ଏବଂ ସର୍ବୋପରି ସାଧାରଣ ଜନତାଙ୍କ ଜୀବନ ଧାରଣର ମାନରେ ଉନ୍ନତି ଆଣିବା ସହିତ ପ୍ରୟାସ କରିଥାନ୍ତି। କିନ୍ତୁ ବଜେଟରେ ଏସବୁ ପ୍ରତି ଧ୍ୟାନ ଦିଆଯାଇନାହିଁ। ଏକ ବଜେଟରେ ବ୍ୟୟ ବୃଦ୍ଧି ଘଟିଛି ବୋଲି କୁହାଯିବ ଯଦି ଏହା ନାମାଙ୍କନ ବୃଦ୍ଧି ସହିତ ତାଳ ଦେଇ ବୃଦ୍ଧିପାଏ ବା ମୋଟ ଜିଡିପି ଅନୁସାରେ ବୃଦ୍ଧି ପାଏ। ଅର୍ଥମନ୍ତ୍ରୀ ୨୦୨୨-୨୩ ବଜେଟ ଆକଳନ ବେଳେ ନାମାଙ୍କନ ଅଭିବୃଦ୍ଧି ୧୧.୧ ପ୍ରତିଶତ ଏବଂ ବାସ୍ତବ ଅଭିବୃଦ୍ଧି ୮ରୁ ୮.୫ ପ୍ରତିଶତ ହେବ ବୋଲି ଆକଳନ କରିଛନ୍ତି।
ଏଣୁ ପୂର୍ବବର୍ଷ ତୁଳନାରେ ବ୍ୟୟ ଅଟକଳ ଅତିକମ୍‌ରେ ୧୧.୧ ପ୍ରତିଶତରୁ ଅଧିକ ବୃଦ୍ଧିପାଇବା ଉଚିତ। ଉଲ୍ଲେଖଯୋଗ୍ୟ, ୨୦୨୧-୨୨ ବଜେଟରେ ମୋଟ ବ୍ୟୟ ବରାଦ ୩୪.୮୩ ଲକ୍ଷ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିଲାବେଳେ, ସଂଶୋଧିତ ଅଟକଳରେ ଏହା ୩୭.୭୦ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି । କିନ୍ତୁ ୨୦୨୨-୨୩ରେ ମୋଟ ବ୍ୟୟ ବରାଦ ୩୯.୪୫ ଲକ୍ଷ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି; ଯାହା ପୂର୍ବବର୍ଷର ସଂଶୋଧିତ ଅଟକଳଠାରୁ ମାତ୍ର ୪.୬ ପ୍ରତିଶତ। ଯାହା ଧାର୍ଯ୍ୟ ନାମାଙ୍କନ ବୃଦ୍ଧିଠାରୁ କେବଳ କମ୍‌ ନୁହେଁ, ବାସ୍ତବ ବୃଦ୍ଧି (ମୁଦ୍ରାସ୍ଫୀତିକୁ ବିଚାରକୁ ନେଲେ) ମଧ୍ୟ ବିଯୁକ୍ତାତ୍ମକ ହେବ। ବିଭିନ୍ନ କ୍ଷେତ୍ରରେ ନାମାଙ୍କନ ମୂଲ୍ୟରେ କିଛି ବ୍ୟୟ ବୃଦ୍ଧି ପାଇଲା ବେଳେ କିଛି କ୍ଷେତ୍ରରେ ବ୍ୟୟ ହ୍ରାସ ପାଇଛି। ସେହିପରି ମୁଦ୍ରାସ୍ଫୀତିକୁ ବିଚାରକୁ ନେଲେ କିଛି କ୍ଷେତ୍ରରେ ବାସ୍ତବ ବ୍ୟୟ ବୃଦ୍ଧି ପାଇଲା ବେଳେ କିଛି କ୍ଷେତ୍ରରେ ବାସ୍ତବ ବ୍ୟୟ ହ୍ରାସ ପାଇଛି।
୨୦୨୦-୨୧ରେ ମୋଟ ବ୍ୟୟବରାଦ ଜିଡିପିର ୧୭.୮ ପ୍ରତିଶତ ଥିଲାବେଳେ ୨୦୨୨-୨୩ରେ ୧୫.୩ ପ୍ରତିଶତକୁ ଖସି ଆସିଛି। ଉଲ୍ଲେଖଯୋଗ୍ୟ ଯେ, ଡିସେମ୍ବର ୨୦୨୦ ସୁଦ୍ଧା ଜିଡିପି ଅନୁସାରେ ସରକାରୀ ଖର୍ଚ୍ଚ ଭାରତରେ ୧୭.୬ ପ୍ରତିଶତ ହୋଇଥିଲାବେଳେ ସର୍ବାଧିକ ୬୨.୧ ପ୍ରତିଶତ ଫ୍ରାନ୍ସରେ ହୋଇଛି। ଅନ୍ୟ ଉନ୍ନତ ତଥା ସ୍କାଣ୍ଡିନାଭିଆ ଦେଶଗୁଡ଼ିକ ଯଥା ନରୱେ ୫୮.୪ ପ୍ରତିଶତ, ୟୁରୋଅଞ୍ଚଳ ୫୪.୧ ପ୍ରତିଶତ, ବ୍ରିଟେନ ୫୨ ପ୍ରତିଶତ , ସ୍ବିଡେନ ୫୨.୪ ପ୍ରତିଶତ, ବେଲଜିୟମ ୬୦ପ୍ରତିଶତ, ଇଟାଲି ୫୭.୩ ପ୍ରତିଶତ, ଜର୍ମାନୀ ୫୧.୧ ପ୍ରତିଶତ, ଆମେରିକା ୪୪. ପ୍ରତିଶତ, ଜାପାନ ୩୮.୭ ପ୍ରତିଶତ ହୋଇଛି। ତେଣୁ ବଜେଟ ଏକ ସଙ୍କୁଚିତ ବଜେଟ। କେନ୍ଦ୍ର ସରକାରଙ୍କ ବ୍ୟୟ ଜିଡିପି ଅନୁସାରେ ସଙ୍କୁଚିତ ହେଉନି ବରଂ ରାଜ୍ୟକୁ ଦେଉଥିବା ତାଙ୍କ ଅଂଶ ମଧ୍ୟ ହ୍ରାସ ପାଉଛି । ଅର୍ଥ କମିଶନ ଅନୁସାରେ ବିଭାଜିତ ପାଣ୍ଠିରୁ ରାଜ୍ୟମାନେ ୪୨ ପ୍ରତିଶତ (ପଞ୍ଚଦଶ ଅର୍ଥ କମିଶନ ଅନୁସାରେ ୪୧ପ୍ରତିଶତ) ପାଇବା କଥା। କିନ୍ତୁ ସରଚାର୍ଜ , ସେସ୍‌ ଯୋଗୁ ୨୦୧୬-୧୭ ବେଳେ ରାଜ୍ୟମାନେ ୩୫% ପାଉଥିଲା ବେଳେ ବର୍ତ୍ତମାନ ୩୦ ପ୍ରତିଶତ ପାଉଛନ୍ତି । ପୁନଶ୍ଚ ଜିଡିପି ଅନୁସାରେ ରାଜ୍ୟକୁ କେନ୍ଦ୍ରର ସମ୍ବଳ ସ୍ଥାନାନ୍ତର ଯାହା ୨୦୨୦-୨୧ରେ ୬.୯୧ପ୍ରତିଶତ ଥିଲା, ତାହା ୨୦୨୨-୨୩ରେ ୬.୨୫ ପ୍ରତିଶତକୁ ହ୍ରାସ ପାଇବ।
ଉପା ସରକାର ଅମଳରେ ଭାଜପା ଏମ୍‌ଜିଏନ୍‌ଆର୍‌ଇଜିଏସ୍‌କୁ ଦୃଢ଼ ବିରୋଧ କରୁଥିଲା, କିନ୍ତୁ କରୋନା ମହାମାରୀ ସମୟରେ ଏହା ଅନେକ ଗରିବଙ୍କୁ ନିଯୁକ୍ତି ଦେଇ ତାଙ୍କ ଜୀବନ ଓ ଜୀବିକା ବଞ୍ଚାଇଦେଇଛି। ଏଣୁ ବୁଦ୍ଧିଜୀବୀମାନେ ଅନୁରୂପଭାବେ ସହରାଞ୍ଚଳରେ ସେହିପରି ଏକ ଯୋଜନା କରିବାକୁ ମତ ଦେଇଥିଲେ। କିନ୍ତୁ ସରକାର ତାହା ନ କରି ବ୍ୟୟ ଆହୁରି ସଙ୍କୁଚିତ କରିଛନ୍ତି। ୨୦୨୧-୨୨ର ସଂଶୋଧିତ ଅଟକଳରେ ଏହି ଯୋଜନା ବାବଦ ବ୍ୟୟ ବରାଦ ୯୮,୦୦୦ କୋଟି ଟଙ୍କା ହୋଇଥିଲାବେଳେ ଏହି ବଜେଟରେ ୨୫,୦୦୦ କୋଟି ଟଙ୍କା କମ୍‌ କରାଯାଇ ମାତ୍ର ୭୩,୦୦୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ଯଦି ମହାମାରୀ ସମୟରେ ଯୁକ୍ତାତ୍ମକ ଅଭିବୃଦ୍ଧି କେଉଁ କ୍ଷେତ୍ରରେ ହୋଇଥାଏ ତାହା ହେଉଛି କୃଷି କ୍ଷେତ୍ର । କିନ୍ତୁ କୃଷକମାନଙ୍କ ପାଇଁ ସମସ୍ତ ପ୍ରମୁଖ ଯୋଜନା ବଣ୍ଟନରେ ବ୍ୟୟ ହ୍ରାସ କରାଯାଇଛି। ଯେତେବେଳେ କୃଷକମାନେ ତାଙ୍କ ଦ୍ରବ୍ୟର ସର୍ବ ନିମ୍ନ ସହାୟକ ମୂଲ୍ୟର ବୃଦ୍ଧି ପାଇଁ ଆନ୍ଦୋଳନରତ, ସେତେବେଳେ କ୍ରୟ ଓ ବଣ୍ଟନ ଏବଂ ବିକେନ୍ଦ୍ରୀକରଣ ସ୍କିମ ଅଧୀନରେ ଏଫ୍‌ସିଆଇ ପାଇଁ ବ୍ୟୟବରାଦ ୨୮% ହ୍ରାସ କରାଯାଇଛି। ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ୧୨.୫ କୋଟି କୃଷକ ପରିବାରକୁ ବାର୍ଷିକ ୬୦୦୦ ଟଙ୍କା ଯୋଗାଇ ଦିଆଯିବା କଥା। ଏଥିପାଇଁ ୭୫,୦୦୦ କୋଟି ଟଙ୍କାର ଆବଶ୍ୟକତା ଥିଲାବେଳେ ମାତ୍ର ୬୮,୦୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଗତବର୍ଷର ସଂଶୋଧିତ ଅଟକଳ ତୁଳନାରେ ମାତ୍ର ୫୦୦ କୋଟି ଟଙ୍କା ଅଧିକ।
ଫସଲ ବୀମା ଯୋଜନା ପାଇଁ ବ୍ୟୟବରାଦ ପ୍ରାୟ ୫୦୦ କୋଟି ଟଙ୍କା ହ୍ରାସ ପାଇଛି। ସାର ସବ୍‌ସିଡି ବାବଦ ବ୍ୟୟବରାଦ ଗତବର୍ଷର ୧୪୦,୧୨୨ କୋଟି ଟଙ୍କା ଥିଲାବେଳେ ତାହା ଏହି ବଜେଟରେ ୧୦୫,୨୨୨ କୋଟି ଟଙ୍କାକୁ ହ୍ରାସ ପାଇଛି । ଭାରତ ପରି ଭୋକିଲା ଦେଶରେ ଖାଦ୍ୟ ସବ୍‌ସିଡି ଅଧିକ ଗୁରୁତ୍ୱପୂଣ୍ଣର୍ର୍ । ଖାଦ୍ୟ ସବ୍‌ସିଡି ବାବଦ ବ୍ୟୟବରାଦ ଗତବର୍ଷର ସଂଶୋଧିତ ଅଟକଳରେ ୨୮୬,୨୧୯ କୋଟି ଟଙ୍କା ଥିଲାବେଳେ ତାହା ଏହି ବଜେଟରେ ୨୦୬,୪୮୧ କୋଟି ଟଙ୍କାକୁ ହ୍ରାସ ପାଇଛି । ଇନ୍ଧନ ସବ୍‌ସିଡି ଯାହା ୨୦୧୯-୨୦ରେ ୩୮,୨୫୯ କୋଟି ଟଙ୍କା ଥିଲା, ତାହା କ୍ରମଶଃ ହ୍ରାସ ପାଇ ଏହି ବଜେଟରେ ୫,୮୧୨.୫କୋଟି ଟଙ୍କାରେ ପହଞ୍ଚିଛି। ଗରିବଙ୍କ ପାଇଁ ଆବଶ୍ୟକ ଏହି ସବୁ ସବ୍‌ସିଡି ବାବଦରେ ମୋଟ ବ୍ୟୟବରାଦ ଗତବର୍ଷର ସଂଶୋଧିତ ଅଟକଳରେ ୪୮୭,୮୭୨ କୋଟି ଟଙ୍କା ଥିଲାବେଳେ ତାହା ଏହି ବଜେଟରେ ୩୫୫,୬୩୯ କୋଟି ଟଙ୍କାକୁ ହ୍ରାସ ପାଇଛି।
ସାମ୍ପ୍ରତିକ ବର୍ଷଗୁଡିକରେ, ସରକାର ଶିଶୁମାନଙ୍କ କଲ୍ୟାଣ ପାଇଁ ଅଳ୍ପ ଖର୍ଚ୍ଚ ମଧ୍ୟ କରୁଛନ୍ତି। ୨୦୨୧-୨୨ରେ ପିଲାମାନଙ୍କର କଲ୍ୟାଣ ପାଇଁ ଧାର୍ଯ୍ୟ ବ୍ୟୟବରାଦ ସଂଶୋଧିତ ଆକଳନ ଠାରୁ ୫୭୦୦ କୋଟି ଟଙ୍କା ହ୍ରାସ ପାଇଛି। ପିଲାମାନଙ୍କୁ ବି ମହାମାରୀ ଯୋଗୁ ବିଦ୍ୟାଳୟ ଏବଂ ଅଙ୍ଗନୱାଡି ବନ୍ଦ ହେବାର ଭୟଙ୍କର ପ୍ରଭାବକୁ ସାମ୍ନା କରିବାକୁ କିଛି କରାଯାଇ ନାହିଁ। ଯେଉଁ ୨୦୦ ଟିଭି ଚାନେଲ ଏବଂ ଅପ୍‌ଟିକ ଫାଇବର କଥା କୁହାଯାଇଛି ତାହା ଅବାସ୍ତବ ପରି ଲାଗୁଛି। କାରଣ ଗ୍ର୍ରାମାଞ୍ଚଳରେ ବିଦ୍ୟୁତ୍‌ ବହୁ ସମୟରେ ରହୁନାହିଁ । ଭାରତରେ ଇଣ୍ଟରନେଟ ସର୍ବାଧିକ ମାନ୍ଦା। ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିର କଲ୍ୟାଣ ପାଇଁ ବ୍ୟୟବରାଦ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ମୁଦ୍ରାସ୍ଫୀତିକୁ ବିଚାରକୁ ନେଲେ ବାସ୍ତବ ବୃଦ୍ଧି ବିଯୁକ୍ତାତ୍ମକ। ସେହିଭଳି, ମଧ୍ୟାହ୍ନଭୋଜନ (ଯୋଜନାର ନାମ ପରିବର୍ତ୍ତନ କରି ପିଏମ୍‌ ପୋଷଣ)ରେ ଏବେ ବି ୩୫ ପ୍ରତିଶତ ଶିଶୁ ବଞ୍ଚିତ ହେଲାବେଳେ, ସେଥିରେ ବ୍ୟୟବରାଦ ବୃଦ୍ଧି ହୋଇନାହିଁ।
ପୁଞ୍ଜି ବ୍ୟୟ ବୃଦ୍ଧି ସ୍ବାଗତଯୋଗ୍ୟ, କିନ୍ତୁ ଏହା ସମାଜର ଅସୁରକ୍ଷିତ ବିଭାଗକୁ ସାହାଯ୍ୟ କରିବ ନାହିଁ। ବଜେଟରେ, ପୁଞ୍ଜି ବ୍ୟୟ ୩୫.୪ % ବୃଦ୍ଧି କରାଯାଇ ୭.୫ଲକ୍ଷ କୋଟି ଟଙ୍କା (ଜିଡିପିର ୨.୯ ପ୍ରତିଶତ)କୁ ବୃଦ୍ଧି କରାଯାଇଛି। ଏହା ସ୍ବାଗତଯୋଗ୍ୟ, କିନ୍ତୁ ଅନ୍ୟ ବ୍ୟୟ ହ୍ରାସ କରି ଏହାକୁ ବୃଦ୍ଧି କଲେ ଲାଭ କାହାର ହେବ। ଗତବର୍ଷ ମଧ୍ୟ ବଜେଟରେ, ପୁଞ୍ଜି ବ୍ୟୟ ୩୫ ପ୍ରତିଶତ ବୃଦ୍ଧି କରାଯାଇ ୫.୫ଲକ୍ଷ କୋଟି ଟଙ୍କାରେ (ଜିଡିପିର ୨.୫ ପ୍ରତିଶତ) ରଖାଯାଇଥିଲା। ଏହାଦ୍ୱାରା କର୍ପୋରେଟ ଜଗତ ବେଶି ଲାଭବାନ ହେବେ। ଏବେ ସୁଦ୍ଧା ଗତବର୍ଷର ବ୍ୟୟବରାଦର ମାତ୍ର ୬୩.୩ ପ୍ରତିଶତ ଖର୍ଚ୍ଚ ହୋଇଛି। ପୁନଶ୍ଚ ଠିକ୍‌ ସମୟରେ ପ୍ରକଳ୍ପ ଶେଷ ନ ହେବାରୁ ପ୍ରାୟ ୧୬୭୩ଟି ଭିତ୍ତିଭୂମି ପ୍ରକଳ୍ପ ପାଇଁ ଧାର୍ଯ୍ୟ ବ୍ୟୟଠାରୁ ଆହୁରି ଅଧିକ ୪.୩୮ ଲକ୍ଷ କୋଟି ଟଙ୍କା ବ୍ୟୟ କରିବାକୁ ପଡ଼ିବ। ଏହାର ଲାଭ ବହୁତ ଡେରିରେ ମିଳିବ।
ମୋ: ୯୪୩୭୨୦୮୭୬୨
Email:skmohapatra67@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସିଗାରେଟ ବଟ୍‌କୁ ରିସାଇକେଲ କରି ପରିବେଶ ସୁରକ୍ଷାରେ ଲାଗିଛନ୍ତି ନଏଡାର ନମନ ଗୁପ୍ତା। ସେ ସିଗାରେଟ ବଟ୍‌ରୁ ଖେଳଣା, କାଗଜ ଓ ଖତ ପ୍ରସ୍ତୁତ କରୁଛନ୍ତି।...

ସାର୍ଥକ ମାର୍ଗ

ଅନୀତା ପଟ୍ଟନାୟକ ପାଞ୍ଚ ଝିଅଙ୍କ ପରେ ଆମ ଘରେ ପ୍ରଣବର ଜନ୍ମ। ସେଥିପାଇଁ ପ୍ରଣବର ସ୍ଥାନ ଆମ ଘରେ ସ୍ବତନ୍ତ୍ର ଥିଲା। ମୋର ମାତାପିତା ତାକୁ...

ଓଡ଼ିଶା ଓ ଅସ୍ମିତାର ବିତର୍କ

ବିଚିତ୍ର ବିଶ୍ୱାଳ ଅସ୍ମିତା ପରି ଏକ କ୍ଳିଷ୍ଟ ଓ କମ୍‌ ଲୋକପ୍ରିୟ ଶବ୍ଦ ସମ୍ପ୍ରତି ନିର୍ବାଚନ ସମୟରେ ଆମ ରାଜ୍ୟରେ ବହୁଳ ବ୍ୟବହାର ହୋଇ ହଠାତ୍‌...

Dillip Cherian

କୂଟନୀତିଜ୍ଞଙ୍କ କାହାଣୀ

ନିର୍ବାଚନ ଋତୁ ହେଉଛି ଏକ ସମୟ, ଯେତେବେଳେ ପ୍ରତ୍ୟେକ ପ୍ରସଙ୍ଗ, ଯେତେଦିନ ନଜର ଆଢୁଆଳରେ ରହିଥିଲେ ମଧ୍ୟ ତାହା ହଠାତ୍‌ ଜନସାଧାରଣଙ୍କ ସାମ୍ନାକୁ ଆସିଯାଇଥାଏ। ଏହି...

ପାରଦର୍ଶିତା ପାଇଁ ଦୃଢ଼ ମାନସିକତା

ପିଲାମାନେ, କ’ଣ ସବୁ ଛୁଟିରେ କିପରି ସମୟ କାଟୁଛ? ମୁଁ ନିଶ୍ଚିନ୍ତ ଜାଣେ ତୁମେମାନେ କିଛି କିଛି ପାଠପଢ଼ା ସହ ମଧ୍ୟ ନିଜକୁ ବ୍ୟସ୍ତ ରଖୁଥିବ।...

ଓଡ଼ିଶା ହେବ ଏକ ନମ୍ବର

ବର୍ତ୍ତମାନ ପ୍ରଚାର ଚାଲିଛି ଓଡ଼ିଶାକୁ ଏକ ନମ୍ବର କରିବା ପାଇଁ। ଏକ ରାଜନୈତିକ ଦଳ ଗୋଟିଏ ରାଜ୍ୟରେ କ୍ଷମତାକୁ ଆସିଲେ ବିକାଶ ପ୍ରକ୍ରିୟା ତ୍ୱରାନ୍ବିତ ହେବ...

କ୍ୱାଡ୍‌ର ବାସ୍ତବତା

ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର (ଇଣ୍ଡୋ ପାସିଫିକ) ଚାରୋଟି ପ୍ରମୁଖ ଗଣତାନ୍ତ୍ରିକ ରାଷ୍ଟ୍ର ଅଷ୍ଟ୍ରେଲିଆ, ଭାରତ, ଜାପାନ ଏବଂ ଆମେରିକା ୨୦୧୭ରେ ଦୀର୍ଘଦିନ ଧରି ମାନ୍ଦା ପଡ଼ିଥିବା...

ଏଇ ଭାରତରେ

ବୋନ୍‌ କ୍ୟାନ୍‌ସରରେ ପୀଡ଼ିତ ହୋଇ ବି ହାର୍‌ ମାନିନାହାନ୍ତି ଉତ୍ତରପ୍ରଦେଶର ସନ୍ଦୀପ କୁମାର। ଗ୍ରାମୀଣ ଅଞ୍ଚଳରେ ସ୍ବାସ୍ଥ୍ୟସେବାର ଆବଶ୍ୟକତାକୁ ଉପଲବ୍ଧି କରି ସେ ସେଠାରେ ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri