ଉପକୂଳ ବିମାନବନ୍ଦର ସମସ୍ୟା

ପୁରୀଠାରେ ଏକ ଆନ୍ତର୍ଜାତିକ ବିମାନବନ୍ଦର ପ୍ରତିଷ୍ଠା ପ୍ରସ୍ତାବକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି।
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଜେ ସ୍ଥଳୀ ପାଇଁ ପୁରୀ ଜଗତ ପ୍ରସିଦ୍ଧ। ଧାର୍ମିକ ଦୃଷ୍ଟିରୁ ଦେଶର ଚତୁର୍ଦ୍ଧାମ ମଧ୍ୟରୁ ପୁରୀ ବା ଜଗନ୍ନାଥ ଧାମ ଅନ୍ୟତମ। ଅନ୍ୟ ୩ ଧାମ ହେଲା ରାମେଶ୍ୱର ଧାମ (ଦକ୍ଷିଣ), ବଦ୍ରିକା ଧାମ (ଉତ୍ତର) ଓ ଦ୍ୱାରକା ଧାମ (ଦକ୍ଷିଣ)। ଏଥିସହ ବିସ୍ତୀର୍ଣ୍ଣ ବେଳାଭୂମି, ବଙ୍ଗୋପସାଗରର ନୀଳ ତରଙ୍ଗ ଶ୍ରୀକ୍ଷେତ୍ରକୁ ଉଭୟ ଧାର୍ମିକ ଓ ପରିବେଶ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ପୁରୀଠାରୁ ମାତ୍ର ୩୦ କି.ମି. ଦୂର କୋଣାର୍କଠାରେ ରହିଛି ଅନ୍ୟତମ କାରୁକାର୍ଯ୍ୟଭରା ଏକ ସୂର୍ଯ୍ୟ ମନ୍ଦିର। ମୂଳ ମନ୍ଦିରଟି ଭାଙ୍ଗି ଯାଇଛି। ରହିଯାଇଛି ମୁଖଶାଳା। ଅନେକ ପର୍ଯ୍ୟଟକ ଓ ଗବେଷକଙ୍କ ପାଇଁ ଏହା ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇ ରହିଆସିଛି। ଶ୍ରୀମନ୍ଦିର ହେଉଛି ଏକାଦଶ ଶତାବ୍ଦୀର କଳିଙ୍ଗ କଳାକୃତିର ସ୍ଥାପତ୍ୟ। ସୂର୍ଯ୍ୟ ମନ୍ଦିର ହେଉଛି ଦ୍ୱାଦଶ ଶତାବ୍ଦୀର ଐତିହ୍ୟ। ପୁରୀସ୍ଥିତ ଶ୍ରୀଜଗନ୍ନାଥ ଧାମର ନବୀକରଣ କାର୍ଯ୍ୟ ମଧ୍ୟ ଜାରି ରହିଛି । ଏହାଦ୍ୱାରା ବିଶ୍ୱପ୍ରସିଦ୍ଧ ଶ୍ରୀକ୍ଷେତ୍ର ଧାମ ନବକଳେବର ରୂପରେ ଉଭା ହେବ, ଯାହା ଏକବିଂଶ ଶତାବ୍ଦୀର ଅନନ୍ୟ କାର୍ଯ୍ୟ ଭାବେ ଇତିହାସରେ ଲିପିବଦ୍ଧ ହୋଇ ରହିବ। ଏ ସମସ୍ତ ବିଷୟକୁ ନେଇ ପୁରୀଠାରେ ଏକ ବିମାନବନ୍ଦର ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଛି, ଫଳରେ ରାଜ୍ୟର ପର୍ଯ୍ୟଟନ ଅର୍ଥନୀତିରେ ଦ୍ରୁତ ଅଭିବୃଦ୍ଧି ସାଧିତ ହେବ ବୋଲି ଆଶା କରାଯାଉଛି। ତେବେ ଉପର ଆଲୋଚ୍ୟ ଧାର୍ମିକ ପୀଠଗୁଡ଼ିକ ବିଚାରକୁ ନେଲେ ଉକ୍ତ ସ୍ଥାନରେ ବୃହତ୍‌ ବିମାନବନ୍ଦର ନାହିଁ, ଯାହା ପୁରୀ କ୍ଷେତ୍ରରେ ହେବାକୁ ଯାଉଛି। ବଦ୍ରିକା ଧାମ ଓ ଯୋଶୀମଠ ପାଇଁ ନିକଟବର୍ତ୍ତୀ ବିମାନବନ୍ଦର ୨୩୯ କିଲୋମିଟର ଦୂର ଡେରାଡ଼ୁନଠାରେ ରହିଛି। ଦ୍ୱାରକାଠାରୁ ନିକଟତମ ବିମାନବନ୍ଦର ଦୂରତା ୧୩୭ କିଲୋମିଟର। ଏହା ଜାମନଗରଠାରେ ପ୍ରତିଷ୍ଠା କରାଯାଇଛି। ଉପକୂଳ ସୁରକ୍ଷା ପାଇଁ ଏହା ମୁଖ୍ୟତଃ ଏକ ବାୟୁସେନା ଘାଟି ଭାବେ କାର୍ଯ୍ୟ କରିଥାଏ। ରାମେଶ୍ୱରମ୍‌ର ନିକଟବର୍ତ୍ତୀ ବିମାନବନ୍ଦର ୧୭୭ କିଲୋମିଟର ଦୂର ମଦୁରାଇଠାରେ ଅବସ୍ଥିତ। ଶ୍ରୀଙ୍ଗେରୀ ମଠଠାରୁ ବିମାନବନ୍ଦର ଦୂରତା ୧୧୦ କିଲୋମିଟର ମାଙ୍ଗାଲୋରଠାରେ ଅବସ୍ଥିତ। ପୁରୀରୁ ସବୁଠାରୁ କମ୍‌ ଦୂରତାର ବିମାନବନ୍ଦର ଓଡ଼ିଶାର ରାଜଧାନୀ ସହର ଭୁବନେଶ୍ୱରଠାରେ ଅବସ୍ଥିତ। ମାତ୍ର ୬୦ କିଲୋମିଟର ଦୂର। ଏହାସତ୍ତ୍ୱେ ପୁରୀଠାରେ ଆଉ ଏକ ବିମାନବନ୍ଦର ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଛି, ଯାହା ପ୍ରତିଷ୍ଠା ହେଲେ ଧାର୍ମିକ ସହର ପୁରୀ ବିମାନ ସଂଯୋଗ ସହ ଯୋଡ଼ି ହେବ।
ପୁରୀ ଏକ ଉପକୂଳବର୍ତ୍ତୀ ସହର। ସହରଠାରୁ ମାତ୍ର ୫ କିଲୋମିଟର ଦୂରରେ ୧୦୦୦ ଏକର ଜମିରେ ଏହି ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା କରାଯିବ। ଏଥିପାଇଁ ଭାରତୀୟ ବିମାନବନ୍ଦର ପ୍ରାଧିକରଣ କର୍ତ୍ତୃପକ୍ଷ ଅନୁଧ୍ୟାନ କରିଛନ୍ତି। ସମଗ୍ର ବିଶ୍ୱରେ ଉପକୂଳ ବିମାନବନ୍ଦର ପ୍ରତି ବିପଦ ସୃଷ୍ଟି ହୋଇଥିବାବେଳେ ପୁରୀ ବିମାନବନ୍ଦର ପ୍ରତି ସରକାର ଜୋର ଦେଇଛନ୍ତି। ପାଣିପାଗ ପରିବର୍ତ୍ତନ, ଝଡ଼ବାତ୍ୟା, ତାପମାତ୍ରା ବୃଦ୍ଧି ଯୋଗୁ ସମୁଦ୍ର ପତ୍ତନ ବୃଦ୍ଧି ଆଦି ଉପକୂଳ ବିମାନବନ୍ଦର ପ୍ରତି ଘାତକ ସାଜିଛି। ବିମାନବନ୍ଦର ସୁରକ୍ଷା ପାଇଁ ସାରା ବିଶ୍ୱରେ ପଦକ୍ଷେପ ଗ୍ରହଣ କରାଗଲାଣି। ଝଡ଼ବାତ୍ୟା ବୃଦ୍ଧି ଓ ସମୁଦ୍ର ଜଳପତ୍ତନ ବୃଦ୍ଧି ଯୋଗୁ ଆମେରିକାର ନ୍ୟୁୟର୍କ, କାଲିଫର୍ନିଆ ଓ ଫ୍ଲୋରିଡ଼ାରେ ଥିବା ଅନୂ୍ୟନ ୧୩ଟି ବିମାନବନ୍ଦର ବିପଦ ଘେରକୁ ଚାଲିଆସିଲାଣି। ଝଡ଼ବାତ୍ୟାଜନିତ ମାଧ୍ୟମରୁ ଉଚ୍ଚ ସାମୁଦ୍ରକି ଜୁଆରରେ ଏଗୁଡ଼ିକ ଜଳମଗ୍ନ ହେବାର ଆଶଙ୍କା କରାଗଲାଣି। ଫିଲାଡେଲଫିଆ ବିମାନବନ୍ଦରର ଗୋଟିଏ ରନୱେ ଏବେ ସମୁଦ୍ରପତ୍ତନଠାରୁ ୧୨ ଫୁଟ ତଳକୁ ଚାଲିଗଲାଣି ଏବଂ ଏହାର କେତେ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଏବେ ୧୫ ଫୁଟ ତଳେ ରହିଗଲାଣିି। କ୍ଲାଇମେଟ୍‌ ରିସ୍କ ମ୍ୟାନେଜମେଣ୍ଟ ପତ୍ରିକାର ଗତ ଜାନୁୟାରୀ ମାସରେ ପ୍ରକାଶିତ ଏକ ଗବେଷଣାତ୍ମକ ସନ୍ଦର୍ଭ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ବିଶ୍ୱର ୨୬୦ଟି ବିମାନବନ୍ଦର ଜଳମଗ୍ନ ଓ ବନ୍ୟା ପ୍ଲାବନ ପ୍ରତି ସମ୍ବେଦନଶୀଳ। ୨୧୦୦ ମସିହା ଶେଷ ବେଳକୁ ବିଶ୍ୱର ୫୭୨ ବିମାନବନ୍ଦର ହାରାହାରି ସମୁଦ୍ରପତ୍ତନ ତଳକୁ ଚାଲିଯାଇଥିବେ। ଏସିଆ ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବିମାନବନ୍ଦର ସର୍ବାଧିକ କ୍ଷତିଗ୍ରସ୍ତ ହେବା ଆକଳନ କରାଯାଇଛି।
୨୦୧୧ ସୁନାମିରେ ଜାପାନର ସେଣ୍ଡାଇ ବିମାନବନ୍ଦର ସମ୍ପୂର୍ଣ୍ଣ ବିଧ୍ୱସ୍ତ ହୋଇଗଲା। ବିମାନବନ୍ଦରରେ ସୃଷ୍ଟି ହେଲା ଜଳ ପ୍ରାଚୀର। ପୁନର୍ବାର ବିମାନବନ୍ଦର କାର୍ଯ୍ୟକ୍ଷମ ହେବାକୁ ଲାଗିଗଲା ୬ ବର୍ଷ। ଏଥିପାଇଁ ଜାପାନ ଭଳି ରାଷ୍ଟ୍ରକୁ ପ୍ରଭୂତ ଅର୍ଥ ବ୍ୟୟ କରିବାକୁ ପଡ଼ିଲା। ୨୦୧୮ ସୁନାମିରେ ଜାକର୍ତ୍ତା ବିମାନବନ୍ଦର ବିଧ୍ୱସ୍ତ ହୋଇଗଲା। ୨୦୦୪ ଭାରତ ମହାସାଗର ସୁନାମିରେ ଭାରତର ଦକ୍ଷିଣ ପୂର୍ବ ଉପକୂଳ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ସାନ୍‌ଫ୍ରାନ୍‌ସିସ୍‌କୋ ଅନ୍ତର୍ଜାତୀୟ ବିମାନବନ୍ଦର ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ ଇତିମଧ୍ୟରେ ଆରମ୍ଭ ହୋଇଛି। ଏଥିପାଇଁ ଉପକୂଳ ସୁରକ୍ଷା ପ୍ରାଚୀର ନିର୍ମାଣ କରାଯିବ। ଏବାବଦକୁ ୫୮୭ ନିୟୁତ ଡଲାର ବ୍ୟୟ କରାଯିବ। ଫିଲାଡେଲଫିଆ ବିମାନବନ୍ଦର ସୁରକ୍ଷା ପାଇଁ ୨ ଲକ୍ଷ ଡଲାର ବିନିଯୋଗ ଲାଗି ଲକ୍ଷ୍ୟ ରଖାଯାଇଛି। ଆଗାମୀ ଦିନରେ ବିମାନବନ୍ଦର ଭିତ୍ତିଭୂମି ରକ୍ଷଣାବେକ୍ଷଣ ପାଇଁ ବିପୁଳ ବ୍ୟୟବରାଦ କରାଯାଉଛି।
୨୦୧୯ରେ ବାତ୍ୟା ‘ଫନି’ ପୁରୀ ଉପକୂଳରେ ସ୍ଥଳଭାଗ ଅତିକ୍ରମ କଲା। ଏହା ପ୍ରଭାବ ୧୦୦ କି.ମି. ଦୂର ପର୍ଯ୍ୟନ୍ତ ରହିଲା। ରାଜଧାନୀ ସହର ଭୁବନେଶ୍ୱର ଓ ବାଣିଜି୍ୟକ ସହର କଟକ ଗୁରୁତର ଭାବେ ପ୍ରଭାବିତ ହେଲା। ପୁରୀ ଉପକୂଳ ପରିଚାଳନା ଜୋନ୍‌ (ସିଆର୍‌ଜେଡ୍‌) ଅଧୀନରେ ରହୁଛି। କିନ୍ତୁ ଯେଉଁ ସ୍ଥାନରେ ବିମାନବନ୍ଦର ପାଇଁ ସ୍ଥାନ ନିରୂପଣ କରାଯାଇଛି ତାହା ସିଆର୍‌ଜେଡ୍‌ ଅନ୍ତର୍ଭୁକ୍ତ ନୁହେଁ ବୋଲି କୁହାଯାଉଛି। ସିଆର୍‌ଜେଡ୍‌ ହୋଇ ନ ଥିଲେ ମଧ୍ୟ ଝଡ଼ବାତ୍ୟାରେ ଏହା ପ୍ରଭାବିତ ହେବା ସମ୍ଭାବନା ରହିଛି। ଏଥିସହ ଚିହ୍ନିତ ଅଞ୍ଚଳ ଜଳ ନିଷ୍କାସନର ପ୍ଲାବିତ ଭୂମି। ଏହା ଏକ ପୁରୁଣା ଆର୍ଦ୍ରଭୂମି ଶ୍ରେଣୀଭୁକ୍ତ କହିଲେ ଚଳେ। ଏଣୁ ଏଠାରେ ମୃତ୍ତିକା ସମ୍ପର୍କରେ ଗଭୀର ଅନୁଧ୍ୟାନର ଆବଶ୍ୟକତା ରହିଛି। ବଙ୍ଗୋପସାଗର ତଟରୁ ମାତ୍ର ୫ କିଲୋମିଟର ଦୂରରେ ପ୍ରସ୍ତାବିତ ଏହି ବିମାନବନ୍ଦର ଭବିଷ୍ୟତ ପାଇଁ କେତେ ସୁରକ୍ଷିତ ରହିବ ସେସମ୍ପର୍କରେ ଗଭୀର ଅନୁଧ୍ୟାନର ଆବଶ୍ୟକତା ରହିଛି। ଏହି ବିମାନବନ୍ଦରର ୩୦ କି.ମି. ପରିସୀମା ମଧ୍ୟରେ ପ୍ରାଚୀନ ସୂର୍ଯ୍ୟ ମନ୍ଦିର, ଶ୍ରୀଜଗନ୍ନାଥ ମନ୍ଦିର। ଏଥିସହ ବିଶ୍ୱାସର ମନ୍ଦିର ରାମଚଣ୍ଡୀ, ହରଚଣ୍ଡୀ, ଅଲାରନାଥଙ୍କ ମନ୍ଦିର ରହିଛି। ବିମାନର ଅବତରଣ ଓ ଉଡ଼ାଣର କମ୍ପନର ପ୍ରଭାବ ପ୍ରାଚୀନ ମନ୍ଦିର ଉପରେ କିପରି ରହିବ ତାହା ପର୍ଯ୍ୟାଲୋଚନାର ବିଷୟ। ଏ ସମ୍ପର୍କରେ ମତାମତ ଦେବାରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା ଅଧିକାରପ୍ରାପ୍ତ। ନିକଟରେ ରହିଛି ଏସିଆ ମହାଦେଶର ସର୍ବବୃହତ୍‌ ଲୁଣାହ୍ରଦ ଚିଲିକା। ଶୀତଦିନେ ଅନ୍ତତଃ ୩ ମାସ ପାଇଁ ବିଦେଶାଗତ ପକ୍ଷୀଙ୍କ ଆଗମନ ଚିଲିକାକୁ ଘଟିଥାଏ। ଏହି ପକ୍ଷୀଗୁଡ଼ିକ ଏଠାକାର ଆକାଶମାର୍ଗ ଉପଯୋଗ କରିଥାନ୍ତି। ଚିଲିକାର ପରିବେଶ ଓ ପକ୍ଷୀ ଆଗମନ ଉପରେ ଏହାର କ’ଣ ପ୍ରଭାବ ରହିବ ସେ ସମ୍ପର୍କରେ ପକ୍ଷୀ ବିଜ୍ଞାନୀଙ୍କ ମତାମତ ଜରୁରୀ। ବହୁ ସମୟରେ ଆକାଶ ମାର୍ଗରେ ପକ୍ଷୀଙ୍କ ସଂସ୍ପର୍ଶରେ ଆସି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥାଏ। ତେଣୁ ପକ୍ଷୀ ଚଳପ୍ରଚଳ ଦୃଷ୍ଟିରୁ ପୁରୀ ଆକାଶ ମାର୍ଗ ବିମାନ ଚଳାଚଳ ପାଇଁ ସୁରକ୍ଷିତ ନୁହେଁ ବୋଲି ମନେହେଉଛି। ଏହାପରକୁ ପାଣିପାଗ ଓ ସାମୁଦ୍ରିକ ବିଜ୍ଞାନର ବିଷୟ। ଅଯୋଧ୍ୟାରେ ବିମାନବନ୍ଦର ପ୍ରତିଷ୍ଠା ହେବା, ଆଉ ପୁରୀରେ ବିମାନବନ୍ଦର ପ୍ରତିଷ୍ଠା କରାଯିବାକୁ ବିକାଶର ଗୋଟିଏ ଧାରା ବୋଲି କୁହାଯାଇପାରିବ ନାହିଁ। ମଦୁରାଇରେ ବିମାନବନ୍ଦର ରହିଛି, କିନ୍ତୁ ଏହାର ପ୍ରଭାବ ମୀନାକ୍ଷୀ ମନ୍ଦିର ଉପରେ ରହୁନାହିଁ, କାରଣ ମୁଖ୍ୟ ମନ୍ଦିରର ଉଚ୍ଚତା କମ୍‌। ରାଜନୈତିକ ଇଚ୍ଛାଶକ୍ତି ଦ୍ୱାରା ପୁରୀରେ ବିମାନବନ୍ଦର ପ୍ରତିଷ୍ଠା କରାଯାଇପାରେ, କିନ୍ତୁ ବିଶେଷଜ୍ଞଙ୍କ ମତାମତକୁ ଉପେକ୍ଷା କରି ଏହା କରାଯିବା ଉଚିତ ନୁହେଁ। ନିଜକୁ ସୁହାଇଲା ପରି ବିଶେଷଜ୍ଞ ମତାମତ ଲୋଡ଼ାଯିବା ମଧ୍ୟ ଉଚିତ ନୁହେଁ। ଏପରି ହେଲେ ପୁରୀ ବିମାନବନ୍ଦର ରକ୍ଷଣାବେକ୍ଷଣ ବ୍ୟୟ ଏହାର ଆୟକୁ ଟପିଯିବ। ଦେଶବିଦେଶର ଲକ୍ଷାଧିକ ଭକ୍ତଙ୍କ ସମାଗମରେ ଆୟୋଜିତ ହେଉଥିବା ମୁଖ୍ୟ ରଥଯାତ୍ରା ସ୍ଥଳ ଶ୍ରୀକ୍ଷେତ୍ରରେ ବିମାନବନ୍ଦର ପ୍ରତିଷ୍ଠା ସ୍ବାଗତଯୋଗ୍ୟ, କିନ୍ତୁ ଏହାର ଭାଗ୍ୟ ୫୦ ବର୍ଷରେ ପରିତ୍ୟକ୍ତ ନ ହେଉ।

ସୌଭାଗ୍ୟ ସୁନ୍ଦରରାୟ
ମୋ:୯୪୩୭୨୨୯୨୩୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri