ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ପାଞ୍ଚ ବର୍ଷରେ ଖାଲିଥିବା ସମସ୍ତ  ପଦ ପୂରଣ ହେବ

ଭୁବନେଶ୍ୱର,୧୨।୧୨(ରବିନାରାୟଣ ଜେନା):  ରାଜ୍ୟରୁ କିପରି ଦୁର୍ନୀତିର ମୂଳୋତ୍ପାଟନ ହୋଇପାରିବ ଏବଂ ରାଜ୍ୟବାସୀ ସୁଶାସନ ପାଇବେ ସେନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ପୁଣି ଥରେ ଗୁରୁତ୍ୱ ଦେଇଛନ୍ତି। ଓୟୁଏଟିସ୍ଥିତ କୃଷି ଶିକ୍ଷା ସଦନଠାରେ ଆୟୋଜିତ ତ୍ରୟୋଦଶ ନିଯୁକ୍ତି ମେଳା ଅବସରରେ ନବନିଯୁକ୍ତମାନଙ୍କୁ ଉପଦେଶ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାରୀ ଚାକିରିକୁ ସବୁବେଳେ ଜନସେବା ଭାବେ ମନେକରନ୍ତୁ। ସରକାରୀ ଚାକିରି ମିଳିଯିବା ପରେ କେବେହେଲେ କାର୍ଯ୍ୟରେ ଅବହେଳା କରନ୍ତୁ ନାହିଁ  ଓ ଦୁର୍ନୀତିଠାରୁ ଲକ୍ଷେ କୋଶ ଦୂରରେ ରୁହନ୍ତୁ ବୋଲି ସେ  କହିଛନ୍ତି।
ମୁଖ୍ୟମନ୍ତ୍ରୀ ରାଜ୍ୟର ବିଭିନ୍ନ ଜଳସେଚନ କାର୍ଯ୍ୟର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରି କହିଥିଲେ, ଗତ ୧୮ ମାସ ମଧ୍ୟରେ  ୩୭ ହଜାର ୯୧୬ ଜଣଙ୍କୁ ନିଯୁକ୍ତି ଦିଆଗଲାଣି। ଆଗାମୀ ୬ ମାସ ମଧ୍ୟରେ ଆଉ ୩୦ ହଜାର ପଦବୀ ପୂରଣ କରିବା ପାଇଁ କାର୍ଯ୍ୟ ଜାରି ରହିଛି। ପାଞ୍ଚ ବର୍ଷରେ ଖାଲିଥିବା ସମସ୍ତ ଦେଢ଼ ଲକ୍ଷ ପଦ ପୂରଣ କରିବା ସହ ଦୁଇ ବର୍ଷ ଭିତରେ ୬୫ ହଜାର ସରକାରୀ ପଦବୀ ପୂରଣ କରିବା ପାଇଁ ଆମ ସରକାର ପ୍ରତିଶ୍ରୁତି ଦେଇଥିଲେ। ତେଣୁ ଆପଣମାନେ ସମସ୍ତେ ଦୁର୍ନୀତିରୁ ଊର୍ଦ୍ଧ୍ୱରେ ରହି ସରକାରଙ୍କ ସମସ୍ତ ଜନ କଲ୍ୟାଣକାରୀ କାର୍ଯ୍ୟର ସଫଳ ରୂପାୟନ ପାଇଁ ଦୃଢ଼ ପ୍ରତିବଦ୍ଧ ହୋଇପାରିଲେ ସମାଜ ତଥା ରାଜ୍ୟ ବିକଶିତ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଥିଲେ, ବିକଶିତ ଗାଁ ଓ ବିକଶିତ ଓଡ଼ିଶା ମାଧ୍ୟମରେ ପ୍ରଚଳିତ ସମସ୍ତ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆପଣମାନେ ସରକାରଙ୍କ ବିଭିନ୍ନ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟକୁ ସଫଳତାର ସହ ନିର୍ବାହ କରି ଜନସାଧାରଣଙ୍କୁ ଉନ୍ନତ ସେବା ଯୋଗାଇଦେବାରେ ନିଜର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସୂଚାରୁରୂପେ ସମ୍ପାଦନ କରିବେ। ପୌର ସଂସ୍ଥାରେ ସୁସଂଗଠିତ ଯୋଜନା, ସୁଚିନ୍ତିତ ବିକାଶ ଓ ପ୍ରଶାସନିକ କାର୍ଯ୍ୟକଳାପରେ ଯୋଜନା ସହାୟକମାନଙ୍କର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ l
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ଆଗାମୀ ଦିନରେ ଓଡ଼ିଶାରେ ଭିତ୍ତିଭୂମି ନିର୍ମାଣରେ ଏକ ପ୍ରକାର ଆନ୍ଦୋଳନ ହେବାକୁ ଯାଉଛି, କାରଣ ଓଡ଼ିଶାରେ ଆଶାତୀତ ଭାବେ ପୁଞ୍ଜି ବିନିଯୋଗ ପାଇଁ ବଜେଟରେ ପ୍ରାବଧାନ କରାଯାଇଛି।  ପୁଞ୍ଜି ବିନିଯୋଗ କ୍ଷେତ୍ରରେ ରାଜ୍ୟ ଜିଡିପି ଅନୁପାତରେ ଓଡ଼ିଶା ଦେଶର ସବୁଠାରୁ ଅଧିକ ଖର୍ଚ୍ଚ କରୁଥିବା ରାଜ୍ୟ। ଏହା ୬.୧ ପ୍ରତିଶତରୁ ଅଧିକ ଏବଂ ସାମଗ୍ରିକ ବଜେଟର ପ୍ରାୟ ୨୨ ପ୍ରତିଶତ।  ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଭିତ୍ତିଭୂମି ନିର୍ମାଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଶେଷକରି ଜଳସେଚନ ଭିତ୍ତିଭୂମିକୁ ସୁଦୃଢ଼ କରି କୃଷକ ମାନଙ୍କର ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି କରିବା ଆମର ଲକ୍ଷ୍ୟ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମାଝୀ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ମଧ୍ୟ ଲୋକାର୍ପିତ କରିଥିଲେ।  ଏହାଦ୍ୱାରା ରାଜ୍ୟରେ ପ୍ରାୟ ୪୮ ହଜାର ହେକ୍ଟର ଜମିରେ ଜଳସେଚନର ସୁବିଧା ମିଳିପାରିବ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ଯୋଜନାରେ   ୨୨ଟି ଜିଲାରେ ୧୦୧ଟି ଚେକ୍‌ଡ୍ୟାମ୍‌ ଲୋକାର୍ପିତ କରାଯାଇଥିଲା। ଏଥିପାଇଁ ୭୦ କୋଟି ୨୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ଏହାଦ୍ୱାରା ୨୪୧୬ ହେକ୍ଟର ଜମିରେ ଜଳସେଚନ ସୁବିଧା ମିଳିବ।
ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ଯୋଜନା ୩.୦ରେ ଆଜି ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲାରେ ୨୦୧ଟି ଚେକ୍‌ଡ୍ୟାମ୍‌ ପାଇଁ ଭିତ୍ତିପ୍ରସ୍ତର ମଧ୍ୟ ରଖାଯାଇଛି। ପ୍ରାୟ ୧୬୦ କୋଟି ଟଙ୍କା ବିନିଯୋଗରେ ଏହା ନିର୍ମାଣ କରାଯିବ ଏବଂ ଏହାଦ୍ୱାରା ୫୩୪୨ ହେକ୍ଟର ଜମିରେ ଜଳସେଚନର ସୁବିଧା ମିଳିବ।  ୧୨୫ କୋଟି ଟଙ୍କା ବିନିଯୋଗରେ ମୟୂରଭଞ୍ଜ ଓ ଗଜପତି ଜିଲାରେ ଦୁଇଟି ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପର ଉଦ୍‌ଘାଟନ କରାଯାଇଛି । ଏହାଦ୍ୱାରା ୪ ହଜାର ହେକ୍ଟର ଜମିରେ ଜଳସେଚନର ସୁବିଧା ମିଳିବା ସହିତ ପ୍ରାୟ ୧୦ ହଜାର ଚାଷୀ ଉପକୃତ ହେବେ। ଏହା ସହିତ ଆନନ୍ଦପୁର ବ୍ୟାରେଜର ଶାଳନ୍ଦୀ ବାମପାର୍ଶ୍ୱ କେନାଲ, ଅନୁଗୋଳର ଅଙ୍ଗପଡ଼ାଠାରେ ୩୩ କୋଟି ଟଙ୍କା ବିନିଯୋଗରେ ଏକ ନୂତନ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଆଜି ଉଦ୍‌ଘାଟିତ ହୋଇଥିବା ଜଳସେଚନ ପ୍ରକଳ୍ପ ଗୁଡ଼ିକ ଦ୍ୱାରା ୧୬,୨୫୨ ହେକ୍ଟର ଚାଷଜମିରେ ଜଳସେଚନର ସୁବିଧା ସହିତ  ୬୪ ହଜାର ଚାଷୀଭାଇ ଉପକୃତ ହେବେ। ସେହିପରି ଭିତ୍ତିପ୍ରସ୍ତର ରଖାଯାଇଥିବା ପ୍ରକଳ୍ପ ଦ୍ୱାରା ୧, ୫୫,୩୬୦ ହେକ୍ଟର ଜମିରେ ଜଳସେଚନ ସୁବିଧାର ବିକାଶ ହେବ ଏବଂ ପ୍ରାୟ ୬୩ ହଜାର କୃଷକ ଉପକୃତ ହେବେ। ସମୁଦାୟ ପ୍ରାୟ ୧ ଲକ୍ଷ ୨୭ ହଜାର କୃଷକ ଉପକୃତ ହେବେ।
ଏହି ଅବସରରେ  ଜଳ ସମ୍ପଦ ବିଭାଗର ୨୩୨, ପୂର୍ତ୍ତ ବିଭାଗର ୧୯୭,  ଗୃହ ଓ ନଗର ଉନ୍ନୟନ ବିଭାଗର ୧୪୨ ଜଣ ସହାୟକ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ, ୫ ଜଣ ଅର୍ଥ ଓ ହିସାବ ଅଧିକାରୀ ଏବଂ ୧୫ ଜଣ ଯୋଜନା ସହାୟକଙ୍କୁ ନିଯୁକ୍ତିପତ୍ର ଦିଆଯାଇଥିଲା।  ସମୁଦାୟ ୫୯୧ ଜଣଙ୍କୁ ନିଯୁକ୍ତି ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ, ଉନ୍ନତି ପାଇଁ ନିଯୁକ୍ତି ଆବଶ୍ୟକ ଏବଂ ଏହି କଥାକୁ ମୁଖ୍ୟମନ୍ତ୍ରୀ ହୃଦୟଙ୍ଗମ କରି ତ୍ୱରିତ ଗତିରେ ଆଜି ଅନେକ ଖାଲି ପଦବୀ ପୂରଣ କରୁଛନ୍ତି। ସତ୍ୟନିଷ୍ଠା, ପେସାଦାରିତା ଓ ନିଷ୍ଠାର ସହ ଆଜିଠାରୁ ଭବିଷ୍ୟତ ପାଇଁ ମାନସିକତା ନେଇ କାର୍ଯ୍ୟ କରିବାକୁ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ନବ ନିଯୁକ୍ତମାନଙ୍କୁ କହିଥିଲେ। କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର  ଅନୁ ଗର୍ଗ ସ୍ବାଗତଭାଷଣ ଦେଇଥିବା ବେଳେ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ  ଉଷା ପାଢ଼ୀ ଧନ୍ୟବାଦ ଦେଇଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ବଜାରରେ ତେଲ ନିଆଁ: ୯୫ ଦେଶରେ ମହଙ୍ଗା ହେଲା ପେଟ୍ରୋଲ, ଭାରତରେ…

ନୂଆଦିଲ୍ଲୀ/ୱାଶିଂଟନ,୧୮।୩: ୨୦୨୬ ଫେବୃଆରୀ ଶେଷ ଭାଗରେ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ପରେ ବିଶ୍ୱ ଶକ୍ତି ବଜାର (Global Energy Market) ରେ…

ମା’ ସମଲେଶ୍ୱରୀଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ: ସମ୍ପନ୍ନ ହେଲା ପାରମ୍ପରିକ ‘ଖଣ୍ଡାଧୁଆ’ ନୀତି

ବରଗଡ଼, ୧୮/୩ (ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ପବିତ୍ର ଚୈତ୍ର ନବରାତ୍ର ବା ବାସନ୍ତୀକ ନବରାତ୍ର ପୂଜା ପାଇଁ ଶୁଭାରମ୍ଭ…

କୋଟଗଡ଼ରେ ବାଘ ଆତଙ୍କ: ଲଗାଗଲା ସ୍ବତନ୍ତ୍ର କ୍ୟାମେରା, ଗର୍ଜନରେ ଅଞ୍ଚଳବାସୀ ଭୟଭୀତ

ବାଲିଗୁଡା, ୧୮।୩ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକରେ ବାଘର ଗର୍ଜନକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆତଙ୍କ ଖେଳିଯାଇଛି।…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

୫ ଦିନ ଯାଏ ଯୁଦ୍ଧ କରିବେନି ପାକିସ୍ତାନ-ଆଫଗାନିସ୍ତାନ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୮।୩: ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଉଭୟ ଦେଶ ଏକ ଅସ୍ଥାୟୀ ଯୁଦ୍ଧବିରତି ଘୋଷଣା କରିଛନ୍ତି ।…

ବ୍ରାହ୍ମଣୀଗାଁରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର; ଯୋଗଦେଲେ ୨୫୦ଜଣ, ଚି଼ହ୍ନଟ ହେଲେ ୧୮୫

ଦାରିଙ୍ଗବାଡି,ବ୍ରାହ୍ମଣୀଗାଁ,୧୮।୩(ଅରୁଣ ସାହୁ/ମନୋରଞ୍ଜନ ରଣା ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ବୁଧବାର ୨୦୨୫/୨୬ଆର୍ଥିକ ବର୍ଷର ଦ୍ଵିତୀୟ ପର୍ଯ୍ୟାୟ ଭୀମଭୋଇ…

ଲିଭ୍‌ ଇନ୍‌ରେ ରହି ଯୁବତୀଙ୍କୁ କରି ଆସୁଥିଲେ ବଳାତ୍କାର, କୌଶଳ କ୍ରମେ ହୋଇଯାଇଥିଲେ ଫେରାର, ଅଭିଯୁକ୍ତଙ୍କୁ ବାନ୍ଧିି…

ଦିଗପହଣ୍ଡି,୧୮।୩(ଅଶେଷ ନାଥ ମିଶ୍ର): ବିବାହର ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ପାଟପୁର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ…

ତୁଳସୀ ଗାବାର୍ଡଙ୍କ ବୟାନକୁ ନେଇ ହଇଚଇ, ପାକିସ୍ତାନ ଏବଂ ଚୀନ୍ ଆମେରିକା ପାଇଁ…

ନୂଆଦିଲ୍ଲୀ,୧୮।୩: ଆମେରିକାର ନ୍ୟାସନାଲ ଇଣ୍ଟେଲିଜେନ୍ସ ଡାଇରେକ୍ଟର ତୁଳସୀ ଗାବାର୍ଡ ପାକିସ୍ତାନ ଏବଂ ଚୀନକୁ ଆମେରିକାର ବିପଦ ବୋଲି ବୟାନ ଦେଇଛନ୍ତି । ବୁଧବାର ସେ କହିଥିଲେ ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri