ଜି-୭ରେ ଜଳବାୟୁ ପ୍ରସଙ୍ଗ

ଡ. ଜୟକୃଷ୍ଣ ପାଣିଗ୍ରାହୀ

ବ୍ରିଟେନ୍ କର୍ନଓ୍ବାଲ ପ୍ରଦେଶର କାର୍ବିସ ଉପକୂଳରେ ଜୁନ ୧୧ରେ ଯେତେବେଳେ ବିଶ୍ୱର ଜି-୭ ବା ସପ୍ତ-ରାଷ୍ଟ୍ର ଗୋଷ୍ଠୀର ରାଷ୍ଟ୍ରମୁଖ୍ୟମାନେ ୪୭ତମ ଶିଖର ସମ୍ମିଳନୀ ନିମନ୍ତେ ପଦାର୍ପଣ କଲେ, ସେତେବେଳେ ପ୍ରତିଷ୍ଠିତ ଅନ୍ତର୍ଜାତୀୟ ବେସରକାରୀ ସଂସ୍ଥା ଗ୍ରୀନପିସ୍‌ ଏକ ପ୍ରମୁଖ ବିଶ୍ୱ ସମସ୍ୟା ଆଡ଼କୁ ସେମାନଙ୍କର ଦୃଷ୍ଟି ଆକର୍ଷଣ ଉଦ୍ଦେଶ୍ୟରେ ଗୋଟିଏ ଭିନ୍ନ ପ୍ରୟାସର ପ୍ରଦର୍ଶନ କରିଥିଲା ା ବିଶ୍ୱର ଏହି ରାଜନୈତିକ ନେତୃବୃନ୍ଦଙ୍କୁ ଏକ ଚମତ୍କାର ନୂତନ ଶୈଳୀର ଭିଡିଓ ବାର୍ତ୍ତାରେ, ୩୦୦ଟି ଆଲୋକିତ ଡ୍ରୋନ୍‌କୁ ନିୟୋଜିତ କରି ସେଗୁଡ଼ିକ ମାଧ୍ୟମରେ ବିପଦଗ୍ରସ୍ତ ବିବିଧ ପ୍ରାଣୀଙ୍କର ପ୍ରତିକୃତି ସୃଷ୍ଟି କରାଯାଇଥିଲା, ଯେପରି କି ସେମାନେ ଏକ ମିଳିତ ବାର୍ତ୍ତା ପ୍ରଦାନ କରିବାକୁ କର୍ନଓ୍ବାଲରେ ଅବତରଣ କରିଥିଲେ ା ବାର୍ତ୍ତାଟି ହେଉଛି, ‘ଆମ ବିଲୁପ୍ତିକୁ ବନ୍ଦ କର, ବର୍ତ୍ତମାନ ହିଁ କାର୍ଯ୍ୟ ଆରମ୍ଭ କର’ ା ପରିବେଶ ଦୃଷ୍ଟିକୋଣରୁ ସମ୍ମିଳନୀର ଅନ୍ୟ ଏକ ବୈଶିଷ୍ଟ୍ୟ ହେଉଛି ବିଶିଷ୍ଟ ପରିବେଶବିତ୍‌ ସାର୍‌ ଡେଭିଡ୍‌ ଆଟେନବୋରୋଙ୍କର ବକ୍ତବ୍ୟ ପ୍ରଦାନ ା ସେ ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରଣ ଉଦ୍ଦେଶ୍ୟରେ ‘ବୈଶ୍ୱିକ ଆନ୍ତରିକତା’ ପ୍ରଦର୍ଶନ ନିମନ୍ତେ ଏ ସମସ୍ତ ଅଗ୍ରଣୀ ଗଣତାନ୍ତ୍ରିକ ରାଷ୍ଟ୍ରଙ୍କର ନେତୃବର୍ଗଙ୍କ ଉପରେ ଚାପ ପ୍ରୟୋଗ କରିଥିଲେ ା
ବିଶ୍ୱ ସମ୍ପତ୍ତିର ପ୍ରାୟ ୬୦%ର ଅଧିକାରୀ ଥିବା ସପ୍ତ ସଦସ୍ୟ ରାଷ୍ଟ୍ର, ବ୍ରିଟେନ, ଆମେରିକା, କାନାଡା, ଜାପାନ, ଫ୍ରାନ୍ସ, ଜର୍ମାନୀ ଏବଂ ଇଟାଲି ସହିତ ଚଳିତବର୍ଷର ଆୟୋଜକ ବ୍ରିଟେନ ଏହି ତ୍ରିଦିବସୀୟ ସମ୍ମିଳନୀକୁ ଭାରତ, ଅଷ୍ଟ୍ରେଲିଆ, ଦକ୍ଷିଣକୋରିଆ ଏବଂ ଦକ୍ଷିଣ ଆଫ୍ରିକାକୁ ଅତିଥି ଦେଶ ଭାବେ ଆମନ୍ତ୍ରଣ କରିଥିଲା। ସର୍ବ ସହମତିରେ ପ୍ରସ୍ତୁତ ଜି-୭ର ଏଜେଣ୍ଡା ବା କାର୍ଯ୍ୟସୂଚୀରେ କେତେକ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ସମ୍ପାଦନ ନିମନ୍ତେ ନିଷ୍ପତ୍ତି ଗ୍ରହଣ ଉଦ୍ଦେଶ୍ୟରେ ଏହି ଶିଖର ସମ୍ମିଳନୀ ଆୟୋଜନ ହୋଇଥିଲା। ପ୍ରମୁଖ ବିଷୟବସ୍ତୁରେ ଅନ୍ତର୍ଭୁକ୍ତ ଥିଲା କୋଭିଡ୍‌-୧୯ର ସମାପ୍ତି, ଅର୍ଥନୀତିର ପୁନରୁଦ୍ଧାର, ନ୍ୟାୟଯୁକ୍ତ ବାଣିଜ୍ୟର ସ୍ଥାପନ, ଧରିତ୍ରୀର ସୁରକ୍ଷା ନିମନ୍ତେ ପଦକ୍ଷେପ, ଅନ୍ୟ ରାଷ୍ଟ୍ରଗୁଡ଼ିକ ସହ ସହଭାଗିତାର ବୃଦ୍ଧି ଏବଂ ଜି-୭ ଗୋଷ୍ଠୀ ମୂଲ୍ୟବୋଧର ଭିତ୍ତିକୁ ସୁଦୃଢ଼ କରିବା ା ଏହି ଗୋଷ୍ଠୀ ଆଶା ବ୍ୟକ୍ତ କରିଥିଲା ଯେ, ବିଶ୍ୱର କଲ୍ୟାଣ ନିମନ୍ତେ ଅନ୍ୟ ଦେଶଗୁଡ଼ିକ ସହଯୋଗରେ ସମ୍ମିଳନୀର ଏହି ଖୋଲା ଏଜେଣ୍ଡାକୁ ଆଗକୁ ନେବାକୁ ପ୍ରଚେଷ୍ଟା ଜାରି ରଖିବ ା ତେବେ ପରିବେଶ କ୍ଷେତ୍ର, ବିଶେଷ ରୂପେ ଆଲୋଚନାର ପ୍ରମୁଖ ବିଷୟ ପାଲଟିଥିବା ଜଳବାୟୁ ପରିବର୍ତ୍ତନକୁ କେନ୍ଦ୍ର କରି ବିଶ୍ୱ ଦୃଶ୍ୟପଟ୍ଟ ପରିପ୍ରେକ୍ଷୀରେ ହୋଇଥିବା ଆଲୋଚନାର କେତୋଟି ଦିଗ ଉପରେ ଆଲୋକପାତ କରିବା ହେଉଛି ଏହି ପ୍ରବନ୍ଧର ଈପ୍‌ସିତ ଉଦ୍ଦେଶ୍ୟ ା
ବ୍ରିଟିଶ ପରିବେଶବିତ୍‌ ଆଟେନବୋରୋ ଏକ ପୂର୍ବ ପ୍ରସ୍ତୁତ ଭିଡିଓ ବାର୍ତ୍ତା ମାଧ୍ୟମରେ ବ୍ୟକ୍ତ କରିଥିଲେ ଯେ, ପୃଥିବୀ ପୃଷ୍ଠରେ ସମ୍ପ୍ରତି ଘଟୁଥିବା ଘଟଣାବଳୀ ସମ୍ପର୍କରେ ଆମେ ଅବଗତ ଅଛେ ଏବଂ ଚଳିତ ଦଶନ୍ଧିରେ ଏସବୁର ସମାଧାନ ଦିଗରେ ଆମକୁ ଅନେକ କାର୍ଯ୍ୟକ୍ରମ ବାସ୍ତବତାରେ ରୂପାନ୍ତରିତ କରିବାକୁ ଅଛି, ସେ ବିଷୟରେ ମଧ୍ୟ ଆମେ ସଚେତନ ରହିଛେ ା କୋଭିଡ୍‌ ସଂକ୍ରମଣ ପ୍ରତିହତ କରିବା ନିମନ୍ତେ ଚିକିତ୍ସା ଓ ଟିକାର ଉଦ୍ଭାବନ ପାଇଁ ବୈଜ୍ଞାନିକ ସହଯୋଗିତା ପରିପ୍ରେକ୍ଷୀରେ ସେ କହିଲେ, ଯେତେବେଳେ ଆମର ଲକ୍ଷ୍ୟ ସ୍ପଷ୍ଟ ଏବଂ ଜରୁରୀ, ସେତେବେଳେ ଆମେ ସମ୍ମିଳିତ ଭାବରେ ତାହା ହାସଲ କରିବା ସହଜସାଧ୍ୟ ହେବ ା ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ବର୍ତ୍ତମାନ ଯେତିକି ବୈଜ୍ଞାନିକ କିମ୍ବା ବୈଷୟିକ ଜ୍ଞାନକୌଶଳ ସମ୍ପର୍କିତ ଅଟେ, ଏହା ମଧ୍ୟ ସେତିକି ରାଜନୈତିକ ଏବଂ ଯୋଗାଯୋଗ ସ୍ଥାପନ କ୍ଷେତ୍ର ପାଇଁ ଆହ୍ବାନ ସୃଷ୍ଟିକାରୀ ା
ପ୍ରାକୃତିକ ଦୁନିଆ ହ୍ରାସ ପାଇ ଚାଲିଛି ଏବଂ ସମଗ୍ର ଗ୍ରହରେ ଅସ୍ଥିରତା ସୃଷ୍ଟି ଦିଗରେ କାର୍ଯ୍ୟଧାରା ଚାଲୁ ରହିଛି ା
ଏହାକୁ ଠିକ୍‌ ସମୟରେ ସମାଧାନ କରିବାର ଦକ୍ଷତା ଆମର ଅଛି, କିନ୍ତୁ ତାହା କାର୍ଯ୍ୟକାରୀ କରିବାକୁ ଆମକୁ କେବଳ ଲୋଡ଼ା ବିଶ୍ୱସ୍ତରୀୟ ଇଚ୍ଛାଶକ୍ତି ା ସମ୍ମିଳନୀର ନେତୃବର୍ଗଙ୍କୁ ଚେତାଇ ଦେବା ଉଦ୍ଦେଶ୍ୟରେ ସେ ବ୍ୟକ୍ତ କରିଥିଲେ ଯେ ସମ୍ପ୍ରତି ଜି-୭ ଗୋଷ୍ଠୀ ଜଳବାୟୁ ପରିବର୍ତ୍ତନର ମୁକାବିଲା ନିମନ୍ତେ ପ୍ରଚେଷ୍ଟା କଲାବେଳେ ମାନବ ଇତିହାସର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁଡିକର ସମ୍ମୁଖୀନ ହେଉଛନ୍ତି। ସମ୍ମିଳନୀର ପରିଶେଷରେ ପ୍ରକାଶିତ ଇସ୍ତାହାରରେ ଜି-୭ ଗୋଷ୍ଠୀ ନିଜର ସ୍ଥିରୀକୃତ ଏଜେଣ୍ଡାର କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିିବା ସହିତ ଯେଉଁ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁକୁ ଅନ୍ତର୍ଭୁକ୍ତ କରିଛନ୍ତି ସେଗୁଡ଼ିକ ହେଲା: ୧- ପ୍ରଗାଢ଼ ଅନ୍ତର୍ଜାତୀୟ ପ୍ରୟାସ ମାଧ୍ୟମରେ ଜାରି ରହିଥିବା କୋଭିଡ୍‌ ମହାମାରୀକୁ ପରାସ୍ତ କରି ଭବିଷ୍ୟତ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବା,୨- ପୁନରୁଦ୍ଧାର ଯୋଜନାରେ ଅଗ୍ରଗତି ହାସଲ କରି ଅର୍ଥନୀତିକୁ ପୁନର୍ଜୀବିତ କରିବା, ୩- ଏକ ସଂସ୍କାରିତ ବାଣିଜି୍ୟକ ବ୍ୟବସ୍ଥା ମାଧ୍ୟମରେ ଭବିଷ୍ୟତ ସମୃଦ୍ଧିକୁ ନିଶ୍ଚିତ କରିବା, ୪- ଏକ ସବୁଜ ବିପ୍ଳବକୁ ପ୍ରୋତ୍ସାହିତ କରି ଧରିତ୍ରୀକୁ ସୁରକ୍ଷା ପ୍ରଦାନ କରିବା, ୫- ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡ଼ିକ ସହିତ ଜି-୭ ଗୋଷ୍ଠୀର ସହଭାଗିତାକୁ ମଜଭୁତ କରିବା ଏବଂ ୬- ସଦା ପରିବର୍ତ୍ତନଶୀଳ ଏ ଦୁନିଆରେ ଜି-୭ର ମୂଲ୍ୟବୋଧ ଭିତ୍ତିକୁ ସ୍ଥାୟୀ ମୂଳଦୁଆ ଭାବେ ଶକ୍ତିଶାଳୀ କରି ସଫଳତା ଦିଗରେ ଅଗ୍ରସର ହେବା। ତେବେ ଏଥିରେ ପରିବେଶ କ୍ଷେତ୍ରକୁ ପ୍ରାଧାନ୍ୟ ପ୍ରଦାନ କରି ଲକ୍ଷ୍ୟ ହାସଲ ନିମନ୍ତେ ଏହା ପ୍ରତିବଦ୍ଧତା ପ୍ରକାଶ କରିଛି। ଜଳବାୟୁ ପରିବର୍ତ୍ତନ ଏବଂ ଜୈବବିବିଧତା ଅବକ୍ଷୟ ଏବେ ଜନସାଧାରଣ, ସମୃଦ୍ଧି, ସୁରକ୍ଷା ଏବଂ ପ୍ରକୃତିର ଅସ୍ତିତ୍ୱ ପ୍ରତି ବିପଦ ସୃଷ୍ଟି କରିଛିି। ଜି-୭ ଗୋଷ୍ଠୀ ଆଶାବ୍ୟକ୍ତ କରିିଛି ଯେ ବିଶ୍ୱସ୍ତରୀୟ କାର୍ଯ୍ୟ ଏବଂ ସମ୍ମିଳିତ ନେତୃତ୍ୱ ମାଧ୍ୟମରେ ୨୦୨୧ ଆମ ଗ୍ରହ ପାଇଁ ଏକ ନିର୍ଣ୍ଣାୟକ ମୁହୂର୍ତ୍ତ ହେବା ଉଚିତ, ଯେହେତୁ ଏହା ଏକ ସବୁଜ ପରିବର୍ତ୍ତନ ପ୍ରତି ପ୍ରତିବଦ୍ଧ ।
ଚୁକ୍ତିନାମା (୨୦୧୫)ର ଲକ୍ଷ୍ୟ ସାଧନ ନିମନ୍ତେ ଗ୍ରୀନ୍‌ହାଉସ୍‌ ଗ୍ୟାସ୍‌ ନିର୍ଗମନରେ ହ୍ରାସ ଘଟାଇବା ଏବଂ ବିଶ୍ୱ ତାପମାତ୍ରା ବୃଦ୍ଧିକୁ ୧.୫ ଡିଗ୍ରୀ ସେଲ୍‌ସିୟସ ମଧ୍ୟରେ ସୀମିତ ରଖିବାର ପ୍ରୟାସକୁ ତ୍ୱରାନ୍ବିତ କରିବା, ଲୋକମାନଙ୍କୁ ଜଳବାୟୁ ପରିବର୍ତ୍ତନର ପ୍ରଭାବରୁ ସୁରକ୍ଷିତ ରଖିବା ପାଇଁ ଦକ୍ଷତା ବୃଦ୍ଧି (ଆଡପ୍ଟେସନ) ଏବଂ ସ୍ଥିରତାକୁ ସୁଦୃଢ଼ କରିବା, ଜୈବବିବିଧତା ଅବକ୍ଷୟକୁ ବନ୍ଦ କରିବା ଓ ଏଥିରେ ଉନ୍ନତି ଘଟାଇବା, ନୀତି ଏବଂ ବୈଷୟିକ ପରିବର୍ତ୍ତନ ମାଧ୍ୟମରେ ନୂତନ, ଉଚ୍ଚ ଗୁଣବତ୍ତାର ନିଯୁକ୍ତି ସୃଷ୍ଟି କରିବା, ସମୃଦ୍ଧତା ଓ ସୁସ୍ଥାବସ୍ଥାରେ ଉନ୍ନତି ଘଟାଇବା ଏବଂ ସର୍ବୋପରି ଏହି ଲକ୍ଷ୍ୟଗୁଡିକ ହାସଲ ନିମନ୍ତେ ଅର୍ଥ ସଂଗ୍ରହ ଏବଂ ନବସୃଜନକୁ ଉପଯୋଗ କରିବା ଏହି ଇସ୍ତାହାରରେ ଅନ୍ତର୍ଭୁକ୍ତ। ୨୦୫୦ ସୁଦ୍ଧା ‘ପରିଶେଷ ଶୂନ୍ୟ’ ନିର୍ଗମନ ହାସଲ କରିବା, ୨୦୩୦ ପର ଦୁଇ ଦଶନ୍ଧିରେ ସାମୂହିକ ନିର୍ଗମନକୁ ଅର୍ଦ୍ଧେକକୁ ହ୍ରାସ କରିବା, ୨୦୨୫ ସୁଦ୍ଧା ଜଳବାୟୁ ଆର୍ଥିକ ସହାୟତାରେ ବୃଦ୍ଧି ଓ ଉନ୍ନତି ଘଟାଇବା ଏବଂ ୨୦୩୦ ସୁଦ୍ଧା ସ୍ଥଳଭାଗ ଓ ସମୁଦ୍ର ପରିସଂସ୍ଥାର ଅତିକମ୍‌ରେ ୩୦ ପ୍ରତିଶତକୁ ସଂରକ୍ଷଣ କିମ୍ବା ସୁରକ୍ଷା ପ୍ରଦାନ କରିବାର ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି। ଏତଦ୍‌ ବ୍ୟତୀତ, ଶକ୍ତି ଉପତ୍ାଦନ, କୋଇଲା ବ୍ୟବହାର, ପରିବହନ, ଶିଳ୍ପ ଓ ନବସୃଜନ, ଗୃହ ଏବଂ ଅଟ୍ଟାଳିକା, କୃଷି, ଜଙ୍ଗଲ ଏବଂ ଅନ୍ୟାନ୍ୟ ଜମି ବ୍ୟବହାର କ୍ଷେତ୍ରରେ ଆବଶ୍ୟକ ଉନ୍ନତି ନିମନ୍ତେ ମଧ୍ୟ ପ୍ରତିବଦ୍ଧତା ଦୋହରାଇଛନ୍ତି। ଭବିଷ୍ୟତ ପିଢ଼ି ନିମନ୍ତେ ଆମ ଗ୍ରହକୁ ସୁରକ୍ଷିତ ରଖିବା ଆମର ପରମ କର୍ତ୍ତବ୍ୟ ତାହା ଏଥିରେ ସ୍ବୀକାର କରାଯାଇଛି।
ଜି-୭ ରାଷ୍ଟ୍ରଗୁଡ଼ିକ ଜଳବାୟୁ ପରିବର୍ତ୍ତନକୁ ରୋକିବା ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣକୁ ତ୍ୱରାନ୍ବିତ କରିବା ଏବଂ ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ କୋଇଲା ଜାଳେଣି ବର୍ଜନ କରି ନିର୍ଗମନ ହ୍ରାସ ନିମନ୍ତେ ସାହାଯ୍ୟ ପ୍ରଦାନକୁ ବାର୍ଷିକ ୧୦୦ ବିଲିୟନ ଡଲାର ପର୍ଯ୍ୟନ୍ତ ବୃଦ୍ଧି କରିବାର ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି, କେତେକ ପରିବେଶ ଗୋଷ୍ଠୀ କିନ୍ତୁ ଏହାକୁ ସନ୍ଦେହ ଚକ୍ଷୁରେ ପରଖୁଛନ୍ତି। ସହାୟତା ପ୍ରଦାନରେ ସବିଶେଷ ତଥ୍ୟର ଅଭାବ ମଧ୍ୟ ପରିଲକ୍ଷିତ ହେଉଛି। ପୂର୍ବରୁ ୨୦୦୯ରେ ବିକଶିତ ରାଷ୍ଟ୍ରଗୁଡ଼ିକ ୨୦୨୦ ସୁଦ୍ଧା ଗରିବ ଦେଶଗୁଡ଼ିକୁ ଏହି ଉଦ୍ଦେଶ୍ୟରେ ବର୍ଷକୁ ୧୦୦ ବିଲିୟନ ଡଲାର ଦେବାର ପ୍ରତିଶ୍ରୁତି ଏପର୍ଯ୍ୟନ୍ତ ଅପୂର୍ଣ୍ଣ ରହିଛି। କୋଇଲା ହେଉଛି ବିଦ୍ୟୁତ ଉପତ୍ାଦନ ନିମନ୍ତେ ବ୍ୟବହୃତ ହେଉଥିବା ସବୁଠୁ ଅପରିଷ୍କୃତ, ପ୍ରଦୂଷଣ ସୃଷ୍ଟିକାରୀ ପ୍ରମୁଖ ଇନ୍ଧନ ଏବଂ ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌ ଉତ୍ସର୍ଜନର ଏକ ପ୍ରମୁଖ ଉତ୍ସ। ଏହାର ବ୍ୟବହାରର ସମାପ୍ତି ଲକ୍ଷ୍ୟରେ ଧନିକ ରାଷ୍ଟ୍ରଗୁଡ଼ିକ ବିକଳ୍ପ, ସ୍ବଚ୍ଛ ଶକ୍ତିର ଉପଲବ୍ଧତା ନିମନ୍ତେ ଗରିବ ଦେଶଗୁଡ଼ିକୁ ସହାୟତାର ହାତ ବଢ଼ାଇବା ସମୟର ଆହ୍ବାନ। ଅନ୍ୟପକ୍ଷରେ ବ୍ରିଟେନ, ଜର୍ମାନୀ ଏବଂ ଆମେରିକା ପୃଥକ୍‌ ଭାବେ ଘୋଷଣା କରିଛନ୍ତି ଯେ ସେମାନେ ବିଶ୍ୱର ଦୁର୍ବଳ ସମ୍ପ୍ରଦାୟଙ୍କୁ ଜଳବାୟୁ ପରିବର୍ତ୍ତନର ପ୍ରଭାବରୁ ସୁରକ୍ଷା ପ୍ରଦାନ ପାଇଁ ଶହ ଶହ ନିୟୁତ ପାଉଣ୍ଡ ଖର୍ଚ୍ଚ କରିବେ। ଏହା ଚରମ ପାଣିପାଗ ଏବଂ ଜଳବାୟୁ ସମ୍ପର୍କିତ ବିପର୍ଯ୍ୟୟର ସମ୍ମୁଖୀନ ହେବାର ସକ୍ଷମତା ପ୍ରଦାନ କରିବ। ତେବେ ପରିବେଶ ସମର୍ଥକ ସଙ୍ଗଠନଗୁଡ଼ିକର ମଙ୍ଗ ଧରିଥବା ଜଳବାୟୁ ଆକ୍ସନ ନେଟଓ୍ବର୍କର ନିର୍ଦ୍ଦେଶକ କ୍ୟାଥରିନ୍‌ ପେଟେଙ୍ଗେଲ୍‌ଙ୍କ ମତରେ ଜଳବାୟୁ ସହାୟତା ପ୍ରଦାନର ବାସ୍ତବ ଚ୍ୟାଲେଞ୍ଜକୁ ଗ୍ରହଣ କରିବାରେ ଜି-୭ ଶିଖର ସମ୍ମିଳନୀ ବିଫଳ ହୋଇଛି। ଅଭିଯାନକାରୀମାନେ ଚେତାବନୀ ଦେବା ସହ ମତ ପୋଷଣ କରିଛନ୍ତି ଯେ, କୋଭିଡ୍‌ ମହାମାରୀ ଏବଂ ଜଳବାୟୁ ପରିବର୍ତ୍ତନର ମୁକାବିଲା ନିମନ୍ତେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ ପର୍ଯ୍ୟାପ୍ତ ସହାୟତା ପ୍ରଦାନ ନ କଲେ ଆସନ୍ତା ନଭେମ୍ବରରେ ଗ୍ଲାସ୍‌ଗୋଠାରେ ଅନୁଷ୍ଠିତ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଜଳବାୟୁ ଶିଖର ସମ୍ମିଳନୀ କପ୍‌-୨୬ରେ ସେମାନେ ଅସହଯୋଗ କରିବେ।
ଏହା ନିଃସନ୍ଦେହ ଯେ, ବିକଶିତ ରାଷ୍ଟ୍ରଗୁଡ଼ିକ ଶିଳ୍ପ ବିପ୍ଳବ ପରଠାରୁ ଅଧିକ ପ୍ରଦୂଷଣ ଏବଂ ସବୁଜଗୃହ ବାଷ୍ପ ନିର୍ଗମନ ନିମନ୍ତେ ଦାୟୀ ରହି ସମ୍ପ୍ରତି ତାପମାତ୍ରା ବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟା ସୃଷ୍ଟିରେ ମୁଖ୍ୟ ଭୂମିକା ନିର୍ବାହ କରିଛନ୍ତି, ପରନ୍ତୁ ଶିଳ୍ପବିକାଶ ପ୍ରକ୍ରିୟାରେ ସେମାନେ ଧନିକ ଦେଶର ମର୍ଯ୍ୟାଦା ହାସଲ କରିଛନ୍ତି। ଏବେ ମାନବଜାତି ଯେତେବେଳେ ଏହି ସଙ୍କଟରୁ ନିସ୍ତାର ଲକ୍ଷ୍ୟରେ ପ୍ରତିରୋଧକ ପଦକ୍ଷେପ ଗ୍ରହଣ କରିଛି, ନୈତିକତା ଦୃଷ୍ଟିରୁ ସେମାନେ ବିକାଶ ପ୍ରକ୍ରିୟାର ନିମ୍ନରେ ଥିତ୍ବା ବିକାଶୋନ୍ମୁଖୀ ରାଷ୍ଟ୍ରଗୁଡ଼ିକୁ ସହାୟତାର ହାତ ବଢ଼ାଇ ସମ୍ମିଳିତ ପଦକ୍ଷେପ ଗ୍ରହଣ ମାଧ୍ୟମରେ ପୃଥିବୀର ଅନୁପମ ପ୍ରାକୃତିକ ପରିସଂସ୍ଥା ସବୁକୁ ସଂରକ୍ଷିତ କରି ଉତ୍ତର ପିଢ଼ିକୁ ଏକ ପ୍ରଦୂଷଣମୁକ୍ତ, ଗୁଣାତ୍ମକ ମାନଯୁକ୍ତ ସୁନ୍ଦର ଗ୍ରହ ହସ୍ତାନ୍ତର କରନ୍ତୁ।
ସମ୍ପାଦକ, ଓଡ଼ିଶା ପରିବେଶ ସମିତି, ଭୁବନେଶ୍ୱର
ମୋ-୯୪୩୭୦୭୬୧୦୦


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri