ଭୋଜନ ଟେବୁଲରେ ଜଳବାୟୁ ଚିନ୍ତା

ପ୍ର. ରମେଶ ଚନ୍ଦ୍ର ପରିଡ଼ା

 

ବର୍ତ୍ତମାନର ବିଶ୍ୱ ସମ୍ମୁଖରେ ପରିବେଶ ପ୍ରଦୂଷଣର ସବୁଠାରୁ ବିପଜ୍ଜନକ ତଥା ଘାତକ ପରିଣାମ ରୂପେ ଉଭା ହୋଇଛି ଜାଗତିକ ଉଷ୍ମତା ବୃଦ୍ଧି ଏବଂ ତଜ୍ଜନିତ ଜଳବାୟୁ ପରିବର୍ତ୍ତନ। ଅଙ୍ଗାରକାମ୍ଳ, ମିଥେନ, ନାଇଟ୍ରସ୍‌ ଅକ୍‌ସାଇଡ୍‌ ଏବଂ ଓଜୋନ୍‌ ଭଳି ସବୁଜଗୃହ ବାଷ୍ପର ନିର୍ଗମନ ନିୟନ୍ତ୍ରଣ ମାଧ୍ୟମରେ ଏ ସମସ୍ୟାର ସମାଧାନ ଲାଗି ଆନ୍ତର୍ଜାତିକ ସ୍ତରଠାରୁ ଜାତୀୟସ୍ତର ପର୍ଯ୍ୟନ୍ତ ଏବେ ଚାଲିଛି ଆଲୋଚନା। ୧୯୯୫ରେ ବର୍ଲିନଠାରେ ଅନୁଷ୍ଠିତ ପ୍ରଥମ ‘କନ୍‌ଫରେନ୍ସ ଅଫ୍‌ ପାର୍ଟିଜ୍‌’ ବା କପ୍‌-୧’ ଠାରୁ ଆରମ୍ଭକରି ୨୦୨୨ ରେ ମିଶରର ଶର୍ମ-ଏଲ୍‌-ଶେଖ୍‌ର ‘କପ୍‌-୨୭’ ପର୍ଯ୍ୟନ୍ତ ସବୁଠାରେ ବିଶ୍ୱର ୧୯୦ରୁ ଊର୍ଦ୍ଧ୍ୱ ସଦସ୍ୟ ରାଷ୍ଟ୍ରର ପ୍ରତିନିଧିମାନେ ଏ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନାକରି ନୂତନ ପଦକ୍ଷେପ କଥା ସ୍ଥିରକରି ଆସୁଛନ୍ତି। ଏବେ ଏଥିରେ ଅନେକ ଦେଶ ୨୦୫୦ ସୁଦ୍ଧା ସବୁଜଗୃହ ବାଷ୍ପ ନିର୍ଗମନକୁ ଶୂନ୍ୟସ୍ତରକୁ ଆଣିବାର ପ୍ରତିଶ୍ରୁତି ଦେଇଛନ୍ତି(ଭାରତ ୨୦୭୦ ମସିହାରେ)। ଅତଏବ ଜାଗତିକ ଉଷ୍ମତା ବୃଦ୍ଧି ସହନୀୟ ସୀମା, ଅର୍ଥାତ୍‌ ଶିଳ୍ପଯୁଗ ପୂର୍ବରୁ ଥିବା ବିଶ୍ୱର ତାପମାତ୍ରାଠାରୁ ଅତିବେଶିରେ ୧.୫ ଡିଗ୍ରୀ ସେଲ୍‌ସିୟସ ମଧ୍ୟରେ ସୀମିତ ରହିବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ବିଭିନ୍ନ ଦେଶରେ ଏ ଦିଗରେ କାର୍ଯ୍ୟକ୍ରମ ମାନ ଅଳ୍ପ ବହୁତେ ଆରମ୍ଭ ହେଲାଣି।
ଇତିମଧ୍ୟରେ ୧୫ ଏପ୍ରିଲ୨୦୨୩ରେ ବିଶ୍ୱବ୍ୟାଙ୍କ ଦ୍ୱାରା ଆୟୋଜିତ ହୋଇଯାଇଛି ‘ବ୍ୟକ୍ତିଗତ ଭାବେ ଆଚରଣଗତ ପରିବର୍ତ୍ତନ ଦ୍ୱାରା କିପରି ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରଣ କରିହେବ’ କାର୍ଯ୍ୟକ୍ରମ। ତହିଁରେ ଅଂଶଗ୍ରହଣ କରି ଭାରତର ପ୍ରଧାନମନ୍ତ୍ରୀ ମତପ୍ରକାଶ କରିଛନ୍ତି, ଯେତେବେଳେ ଆମେ ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରଣ କରିବା ଚିନ୍ତାଧାରାକୁ ‘ଆଲୋଚନା ଟେବୁଲ’ରୁ ପ୍ରତ୍ୟେକ ‘ଭୋଜନ ଟେବୁଲକୁ ନେଇପାରିବା ସେତେବେଳେ ଏହା ଏକ ଗଣ ଆନ୍ଦୋଳନରେ ପରିଣତ ହେବ ଏବଂ ଲୋକେ ସଚେତନ ହୋଇପାରିବେ ଯେ, ସେମାନଙ୍କ ଦୈନନ୍ଦିନ ଜୀବନର ପ୍ରତିଟି ସାଧାରଣ କାର୍ଯ୍ୟ ଏକତ୍ର ପରିବେଶକୁ ସୁରକ୍ଷା ଦେବା ପାଇଁ ଯଥେଷ୍ଟ ଶକ୍ତିଶାଳୀ ହୋଇପାରିବ। ପ୍ରକୃତରେ ଏ ମନ୍ତବ୍ୟର ପ୍ରୟୋଗାତ୍ମକତା ଅତ୍ୟନ୍ତ ସୁଦୂର ପ୍ରସାରଣ।
‘ଭୋଜନ ଟେବୁଲ୍‌’କୁ ପରିବାରର ଲୋକେ ବ୍ୟବହାର କରିଥାନ୍ତି ଏକତ୍ର ଭୋଜନ କରିବା ପାଇଁ। ଏଠାରେ ଅଧିକାଂଶ ସମୟରେ ଆଲୋଚନା ହୋଇଥାଏ ବିଭିନ୍ନ ରୁଚିର ଖାଦ୍ୟ ସମ୍ପର୍କରେ। ତେଣୁ ଚାଲନ୍ତୁ, ପ୍ରଧାନମନ୍ତ୍ରୀଙ୍କ ଉକ୍ତିକୁ ମନରେ ରଖି ବିଚାରକୁ ନେବା ଯେ ଆମ ଖାଦ୍ୟାଭାସରେ ପରିବର୍ତ୍ତନ କିପରି ଏ ଲକ୍ଷ୍ୟ ସାଧନରେ ସହାୟକ ହୋଇପାରିବ। ବୈଜ୍ଞାନିକମାନଙ୍କ ଆକଳନ ଅନୁସାରେ ଶିଳ୍ପ ଓ ଯାନବାହନକୁ ବାଦ୍‌ ଦେଲେ ଆମକୁ ଖାଦ୍ୟ ଯୋଗାଉଥିବା କୃଷି ଓ ପଶୁପାଳନ ହେଉଛି ସର୍ବାଧିକ ସବୁଜଗୃହ ବାଷ୍ପ ନିର୍ଗମନକାରୀ (ସମୁଦାୟର ୨୬ ଶତାଂଶ)। ‘ଇଣ୍ଟର ଗଭର୍ନମେଣ୍ଟାଲ ପ୍ୟାନେଲ ଅନ୍‌ କ୍ଲାଇମେଟ୍‌ ଚେଞ୍ଜ’ର ପୂର୍ବତନ ଅଧ୍ୟକ୍ଷ ରଜେନ୍ଦ୍ର ପଚୌରୀଙ୍କ ମତଥିଲା ଯେ, ଆମେ ଯଦି ଆମ ଖାଦ୍ୟାଭ୍ୟାସକୁ ନିରାମିଷ ଦିଗାଭିମୁଖୀ କରିପାରିବା ତାହା ଏହି ନିର୍ଗମନ ହ୍ରାସ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ତେଣୁ ସେ ଥରେ କହିଥିଲେ, ଯଦି ସମଗ୍ର ବିଶ୍ୱର ଲୋକେ ସପ୍ତାହକୁ ଦିନେ ବା ଦୁଇଦିନ ସମ୍ପୂର୍ଣ୍ଣ ନିରାମିଷ ଭୋଜନ କରନ୍ତି ତେବେ ଏ ବାଷ୍ପମାନଙ୍କ ନିର୍ଗମନ ୧୦ରୁ ୨୦ ପ୍ରତିଶତ ହ୍ରାସ ପାଇପାରିବ। ତାଙ୍କ ଉକ୍ତିର ସତ୍ୟତା ଉପଲବ୍ଧି କରିହୁଏ ଯେତେବେଳେ ଆମେ ବିବିଧ ଖାଦ୍ୟ ଉତ୍ପାଦନ ତଥା ପ୍ରକ୍ରୟାକରଣ ଆଦି ହେତୁ ଘଟୁଥିବା ବାଷ୍ପୀୟ ନିର୍ଗମନ କଥା ବିଚାରକୁ ନେଉ।
ଏହି ତାଲିକାର ସର୍ବାଗ୍ରେ ରହିଛି ଗୋମାଂସ। ସାଧାରଣତଃ ଏଥିରୁ ୧ କି.ଗ୍ରା. ଉତ୍ପାଦନ ପାଇଁ ୯୯.୪୮ କି.ଗ୍ରା. ଅଙ୍ଗାକାମ୍ଳ ସମତୁଲ୍ୟ ବିବିଧ ସବୁଜଗୃହ ବାଷ୍ପର ନିର୍ଗମନ ଘଟେ। ସେହିପରି ମେଣ୍ଢା ବା ଛେଳିମାଂସ, ଚିଙ୍ଗୁଡ଼ି, ଘୁଷୁରି ମାଂସ, କୁକୁଡ଼ାମାଂସ ଓ ମାଛ ପାଇଁ ତାହା ହେଉଛି ଯଥାକ୍ରମେ ୩୯.୭୨, ୨୬.୮୭, ୧୨.୩୧, ୯.୮୯ ଏବଂ ୭.୬୦ କି.ଗ୍ରା.। ଅନ୍ୟପକ୍ଷରେ, ପଶୁପକ୍ଷୀମାନଙ୍କଠାରୁ ଉତ୍ପାଦିତ ଖାଦ୍ୟ ମଧ୍ୟରୁ ଛେନା ପାଇଁ ଏହା ସର୍ବାଧିକ ୨୩.୮୮ ହେଲାବେଳେ ଅଣ୍ଡା ପାଇଁ ୪.୬୭ ଏବଂ ଗାଈ ବା ମଇଁଷି କ୍ଷୀର ପାଇଁ ୩.୧୫। ଅନ୍ୟପକ୍ଷରେ ଚାଉଳ (୪.୪୫ କି.ଗ୍ରା./କି.ଗ୍ରା.) ଭଳି ଅଳ୍ପ କେତେକ ଉଦ୍ଭିଦଜ ପଦାର୍ଥକୁ ଛାଡ଼ିଦେଲେ ଅନ୍ୟ ସବୁ କ୍ଷେତ୍ରରେ ତାହା ଅପେକ୍ଷାକୃତ କମ୍‌, ଯେପରିକି ଟମାଟୋ (୨.୦୯), ମକା (୧.୭୦), ଗହମ (୧.୫୭), ଲେମ୍ବୁ (୧.୨୨), ମଟର (୦.୯୮), ଆପଲ୍‌ (୦.୯୦), ପାଚିଲା କଦଳୀ (୦.୮୬), ବାଦାମ (୦.୫୬), ଆଳୁ (୦.୪୬), ଡାଲି (୫.୦) ଏବଂ ବିବିଧ କୋଳି (୦.୪୩)। ଅତଏବ ଆମ ଖାଦ୍ୟାଭ୍ୟାସ ପ୍ରାଣିଜରୁ ଉଦ୍ଭିଦଜ ଦିଗରେ ଗତିକଲେ ତାହା ଜାଗତିକ ଉଷ୍ମତା ହ୍ରାସରେ ସହାୟକ ହେବ ବୋଲି ଡ. ପଚୌରୀ ଦେଇଥିବା ମତ ଅକ୍ଷରେ ଅକ୍ଷରେ ସତ୍ୟ।
ପ୍ରାଣିଜ ଖାଦ୍ୟ ଅଧିକ ସବୁଜଗୃହ ବାଷ୍ପ ଉତ୍ପାଦନକାରୀ ହେବାର କାରଣ ହେଲା ପଶୁପାଳନ ପାଇଁ ଅରଣ୍ୟ ଧ୍ୱଂସକରି ସୃଷ୍ଟି କରାଯାଉଥିବା ବ୍ୟାପକ ତୃଣଭୂମି। ପୁନଶ୍ଚ ଘାସ ଓ ଅନ୍ୟାନ୍ୟ ଗୋଖାଦ୍ୟ ଉତ୍ପାଦନ ଲାଗି ବ୍ୟବହୃତ ରାସାୟନିକ ସାରରୁ ନିର୍ଗମନ ଘଟୁଥିବା ପ୍ରଚୁର ନାଇଟ୍ରସ୍‌ ଅକ୍‌ସାଇଡ୍‌ ମଧ୍ୟ ଏହି ଶ୍ରେଣୀର। ଅନ୍ୟପକ୍ଷରେ ମାଛ ଓ ଚିଙ୍ଗୁଡ଼ିଚାଷ ପାଇଁ ଉପକୂଳବର୍ତ୍ତୀ ଅଞ୍ଚଳରୁ ଧ୍ୱଂସ କରାଯାଉଛି ଶକ୍ତିଶାଳୀ ଅଙ୍ଗାରକାମ୍ଳ ଶୋଷଣକାରୀ ଲୁଣା ଜଙ୍ଗଲ। ଏସବୁ ତୁଳନାରେ ଖାଦ୍ୟଶସ୍ୟ, ପନିପରିବା, ଫଳମୂଳ ଆଦି ଉଦ୍ଭିଦଜ ଖାଦ୍ୟ ଉତ୍ପାଦନ ପାଇଁ ଆବଶ୍ୟକ ହୋଇଥାଏ ଅପେକ୍ଷାକୃତ କମ୍‌ ଶକ୍ତି, ଭୂମି ଓ ଜଳ ଏବଂ ଏଗୁଡ଼ିକ ସୀମିତ ପରିମାଣରେ ସବୁଜଗୃହ ବାଷ୍ପର ନିର୍ଗମନ ଘଟାନ୍ତି। ଅବଶ୍ୟ ଚାଉଳ(ଧାନ) ଭଳି କେତେକ ଶସ୍ୟ ଏଥିରେ ବ୍ୟତିକ୍ରମ । ଏହାର ଚାଷଜମିରୁ ବହୁମାତ୍ରାରେ ମିଥେନ୍‌ର ନିର୍ଗମନ ଘଟେ। ଏଣୁ ଏହା ବଦଳରେ ଏବେ କମ୍‌ ନିର୍ଗମନକାରୀ ତଥା ପରିବେଶ ସହାୟକ ମିଲେଟ୍‌ ଭଳି ଶସ୍ୟର ଚାଷକୁ ଗୁରୁତ୍ୱ ପ୍ରଦାନ କରାଯାଉଛି।
ପ୍ରସଙ୍ଗକ୍ରମେ ଏଠାରେ ଆଉ ଗୋଟିଏ କଥା ଉଲ୍ଲେଖଯୋଗ୍ୟ। ତା’ହେଲା, ଆମେ ବେପରୁଆଭାବେ ନଷ୍ଟ କରୁଥିବା ଖାଦ୍ୟ। ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥାର ଆକଳନ ଅନୁସାରେ ବାର୍ଷିକ ପ୍ରାୟ ୧ ବିଲିୟନ ଟନ୍‌ ଖାଦ୍ୟ ନଷ୍ଟ ହୋଇଥାଏ, ଯାହାକି ବିଶ୍ୱର ସମସ୍ତ ଉତ୍ପାଦନର ୧୭ ଶତାଂଶ ଏବଂ ଏହା ୮ ଶତାଂଶ ଜାଗତିକ ଉଷ୍କତା ବୃଦ୍ଧିକାରୀ ସବୁଜଗୃହ ବାଷ୍ପ ନିର୍ଗମନର କାରଣ। ପ୍ରାଣିଜ ଖାଦ୍ୟର ସପକ୍ଷବାଦୀମାନେ ଏହାର ପ୍ରୋଟିନ୍‌ର ଉଚ୍ଚମାନ ଏବଂ ଏଥିରେ ଥିବା ବିବିଧ ପୁଷ୍ଟିକର ତତ୍ତ୍ୱ ସମ୍ପର୍କରେ ଯୁକ୍ତି ବାଢ଼ିଥାନ୍ତି। ତେବେ ଏହା କଲାବେଳେ ସେମାନେ ଭୁଲିଯାଆନ୍ତି ତହିଁରେ ଥିବା କୋଲେଷ୍ଟରଲ, ପରିପୃକ୍ତ ଚର୍ବି ଆଦି ଅସ୍ବାସ୍ଥ୍ୟକର ଉପାଦନ କଥା। ଏଣୁ ଏହାକୁ ସୀମିତ ମାତ୍ରାରେ ହିଁ ଭୋଜନ କରିବା ଉଚିତ। ଆମକୁ ମନେରଖିବାକୁ ହେବ ଯେ ମଣିଷ ମୂଳତଃ ଶାକାହାରୀ। ଅବସ୍ଥା ଚକ୍ରରେ ପଡ଼ି ସେ ମାଂସାହାରୀ ପାଲଟିଛି, ଯାହାକି ଏବେ ପରିବେଶ ଓ ପରିସଂସ୍ଥା ପାଇଁ ଘାତକ ସାବ୍ୟସ୍ତ ହୋଇଛି। ଏଣୁ ଚାଲନ୍ତୁ ଭୋଜନ ଟେବୁଲ ନିକଟରେ ବସି ଏସବୁ ବିଷୟରେ ଚିନ୍ତା କରିବା।
ଉଷା ନିବାସ, ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ: ୯୯୩୭୩୦୧୪୬୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri