ଜଳବାୟୁ ପରିବର୍ତ୍ତନ ଓ କୃଷି ଜଙ୍ଗଲ

ଇଂ. ମାୟାଧର ସ୍ବାଇଁ

 

ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତୀୟ ମିଳିତ ଜାତିସଂଘର ‘ଆନ୍ତଃ ସରକାରୀ ଜଳବାୟୁ ପରିବର୍ତ୍ତନ ପରିଷଦ’ (ଆଇପିସିସି)ର ସଦ୍ୟତମ ରିପୋର୍ଟ ଏହିବର୍ଷ ଏପ୍ରିଲ ମାସରେ ପ୍ରକାଶ ପାଇଛି। ଏଥିରେ ଜଳବାୟୁ ପରିବର୍ତ୍ତନର ସାଂଘାତିକ ଭବିଷ୍ୟ ବାଣୀ ଅଛି। ଆମେ ଯଦି ବର୍ତ୍ତମାନ ହାରରେ ବାୟୁମଣ୍ଡଳକୁ ସବୁଜଗୃହ ଗ୍ୟାସ୍‌ ନିର୍ଗତ କରିବା, ତାହାହେଲେ ଏହି ଶତାବ୍ଦୀର ଶେଷବେଳକୁ ପୃଥିବୀର ତାପମାତ୍ରା ପ୍ରାକ୍‌-ଶିଳ୍ପ ସଭ୍ୟତାର ତାପମାତ୍ରାଠାରୁ ୩.୭ ଡିଗ୍ରୀ ସେଲ୍‌ସିୟସ୍‌ ଅଧିକ ହେବ। ସୂଚନାଯୋଗ୍ୟ, ୨୦୧୫ ଡିସେମ୍ବରରେ ପ୍ୟାରିସ୍‌ ସମ୍ମିଳନୀରେ ତାପମାତ୍ରା ବୃଦ୍ଧିକୁ ୧.୫ ଡିଗ୍ରୀ ସେଲ୍‌ସିୟସ ମଧ୍ୟରେ ସୀମିତ ରଖିବା ପାଇଁ ଆହ୍ବାନ ଦିଆଯାଇଥିଲା ଏବଂ ୨୦୨୧ରେ ଗ୍ଲାସ୍‌ଗୋ ଜଳବାୟୁ ସମ୍ମିଳନୀରେ ଏହାର କାର୍ଯ୍ୟକାରିତାକୁ ନିଶ୍ଚିତ କରିବା ପାଇଁ ଗୁରୁତ୍ୱ ଦିଆଯାଇଥିଲା।
ସବୁଜଗୃହ ଗ୍ୟାସ୍‌ଗୁଡ଼ିକ ମଧ୍ୟରେ ଅଙ୍ଗାରକାମ୍ଳର ଭାଗ ହେଉଛି ସର୍ବାଧିକ। କଳକାରଖାନା, ଗାଡ଼ିମୋଟର, ବିଦ୍ୟୁତ୍‌ କେନ୍ଦ୍ର ଆଦିରେ କୋଇଲା, ପେଟ୍ରୋଲିୟମ୍‌ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ଆଦି ଜୀବାଶ୍ମ ଇନ୍ଧନର ଦହନ ଯୋଗୁ ଏହା ବାୟୁମଣ୍ଡଳକୁ ନିର୍ଗତ ହେଉଛି। ଅଙ୍ଗାରକାମ୍ଳ ଅବଶୋଷଣର ଏକ ମୁଖ୍ୟ ଉତ୍ସ ହେଉଛି ଉଦ୍ଭିଦ ଜଗତ। ଉଦ୍ଭିଦ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ରହଣ କରି ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ସୂର୍ଯ୍ୟକିରଣରୁ ଖାଦ୍ୟ ପ୍ରସ୍ତୁତ କରିଥାଏ। ଫଳରେ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ପରିମାଣ ହ୍ରାସ କରିବା ପାଇଁ ଜଙ୍ଗଲର ଅବଦାନ ହେଉଛି ଅସୀମ। ମାତ୍ର କ୍ରମଶଃ ସଭ୍ୟତାର ବିକାଶ ସହିତ ତାଳ ଦେଇ ରାସ୍ତା, କଳକାରଖାନା, ଜଳବିଦ୍ୟୁତ୍‌ କେନ୍ଦ୍ର ଆଦିର ନିର୍ମାଣ ପାଇଁ ଜଙ୍ଗଲ ପରିମାଣ ହ୍ରାସ ପାଉଛି। ଏଣୁ ପୂର୍ବଭଳି ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଅଧିକ ପରିମାଣରେ ଅବଶୋଷଣ ହେଉନାହିଁ। ଏଥିପାଇଁ ଜଙ୍ଗଲ ବୃଦ୍ଧି ଆବଶ୍ୟକ, କିନ୍ତୁ ଏହାର ବିପରୀତ ଦେଖାଯାଉଛି। ବିକାଶ କାର୍ଯ୍ୟ ପାଇଁ ହେଉ କିମ୍ବା ଜଙ୍ଗଲରେ ଅଗ୍ନିକାଣ୍ଡ ପାଇଁ ହେଉ, ପ୍ରାୟ ପ୍ରତି ଦେଶରେ ଜଙ୍ଗଲ କ୍ଷୟ ହେଉଛି। ଏହାର ବିକଳ୍ପ ହେଉଛି କୃଷିଜଙ୍ଗଲ ବା ଆଗ୍ରୋଫରେଷ୍ଟ୍ରି।
କୃଷି ଜଙ୍ଗଲ ବା ବୃକ୍ଷ ଆଧାରିତ କୃଷି ହେଉଛି ଗୋଟିଏ ପ୍ରତିଷ୍ଠିତ ପ୍ରାକୃତିକ କାର୍ଯ୍ୟ, ଯାହା ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ପରିମାଣ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଅନ୍ୟ ଅର୍ଥରେ ଏହା କାର୍ବନ-ନିରପେକ୍ଷ (କାର୍ବନ ନିଉଟ୍ରାଲ୍‌) ବୃଦ୍ଧିରେ ସହାୟକ ହୋଇଥାଏ। ରୋଜଗାର, ଉତ୍ପାଦନ ଓ ପରିବେଶ ସଂରକ୍ଷଣକୁ ପ୍ରୋତ୍ସାହନ ଦେବା ପାଇଁ ଭାରତ ୨୦୧୪ ମସିହାରେ ଗୋଟିଏ କୃଷି ଜଙ୍ଗଲ ନୀତି ଗ୍ରହଣ କରିବାରେ ଥିଲା ପୃଥିବୀରେ ପ୍ରଥମ ଦେଶ। ପ୍ରତ୍ୟେକ କୃଷି କ୍ଷେତ୍ରରେ ହୁଡ଼ାରେ ବୃକ୍ଷରୋପଣ ପାଇଁ ୨୦୧୬ ରେ ୧୦୦୦ କୋଟି ଟଙ୍କା ବ୍ୟୟରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ୨୦୨୨-୨୩ରେ କେନ୍ଦ୍ର ସରକାରଙ୍କ ବଜେଟରେ କୃଷି ଜଙ୍ଗଲକୁ ପ୍ରୋତ୍ସାହନ ଦେବା ପାଇଁ ଅର୍ଥମନ୍ତ୍ରୀ ଘୋଷଣା କରିଥିଲେ।
କୃଷି ଜଙ୍ଗଲର ଅନେକ ଉପକାର ଅଛି। ଏହା ଜଙ୍ଗଲ ଅଞ୍ଚଳ ବାହାରେ ବୃକ୍ଷ ଆଚ୍ଛାଦନକୁ ବୃଦ୍ଧି କରିଥାଏ। ଏହା ପ୍ରାକୃତିକ ଜଙ୍ଗଲର ସରୋଗେଟ୍‌ ଭାବେ କାର୍ଯ୍ୟ କରି ପ୍ରାକୃତିକ ଜଙ୍ଗଲ ଉପରେ ଥିବା ଚାପକୁ କମାଇ ଦେଇଥାଏ। ଏହା କୃଷକର ରୋଜଗାରକୁ ବଢ଼ାଇଥାଏ। ପୁନଶ୍ଚ ଏହା ଦେଶର ଜାଳେଣି କାଠର ପ୍ରାୟ ଅଧା ଚାହିଦା, ଛୋଟ କାଠ (ଟିମ୍ବର) ଚାହିଦାର ପ୍ରାୟ ଦୁଇ-ତୃତୀୟାଂଶ, ପ୍ଲାଏଉଡ୍‌, ଆବଶ୍ୟକତାର ୭୦-୮୦ ପ୍ରତିଶତ, କାଗଜ ଓ ମଣ୍ଡ କଳର ୬୦ ପ୍ରତିଶତ କଞ୍ଚାମାଲ ଏବଂ ୯ରୁ ୧୧ ପ୍ରତିଶତ ସବୁଜ ଗୋଖାଦ୍ୟର ଚାହିଦା ପୂରଣ କରିଥାଏ। ଏହା ବ୍ୟତୀତ ଏଥିରୁ ଲାଖ, ଅଠା, ଝୁଣା ଓ ଔଷଧ ଗୁଣ ଥିବା ପଦାର୍ଥ ଉତ୍ପାଦିତ ହୋଇଥାଏ।
ବୃକ୍ଷ ଉତ୍ପାଦ ଓ ବୃକ୍ଷ ସେବାର ମଧ୍ୟ ଗ୍ରାମ୍ୟ ଜୀବିକାରେ ଅବଦାନ ରହିଛି। ଫଳ, ଗୋଖାଦ୍ୟ, ଇନ୍ଧନ, ସାର, ତନ୍ତୁ ଆଦି ଉପଲବ୍ଧ ହେବା ସହିତ ଏହା ପୋଷଣ ନିରାପତ୍ତା ଓ ରୋଜଗାର ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ ଏବଂ ଶସ୍ୟହାନି ପାଇଁ ଏହା ବୀମା ଭଳି କାର୍ଯ୍ୟ କରିଥାଏ। ଏହା ବ୍ୟତୀତ କୃଷି ଜଙ୍ଗଲ ମୃତ୍ତିକା କ୍ଷୟ ନିୟନ୍ତ୍ରଣ, ଜଳଧାରଣ, ପୋଷଣ ପୁନଃ ଚକ୍ରଣ, କାର୍ବନ ସଞ୍ଚୟ, ଜୈବବିବିଧତା ସଂରକ୍ଷଣ ଓ ପରିଷ୍କାର ବାୟୁଦେବାରେ ସାହାଯ୍ୟ କରିଥାଏ।
ଭାରତ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତୀୟ ନିଜର ଅଙ୍ଗୀକାରବଦ୍ଧତାକୁ ପୂରଣ କରିବାରେ କୃଷି ଜଙ୍ଗଲ ସାହାଯ୍ୟ କରିପାରିବ। ଭାରତ ଅତିରିକ୍ତ ଜଙ୍ଗଲ ଓ ବୃକ୍ଷ ସୃଷ୍ଟି କରି ୨୦୩୦ ମସିହା ସୁଦ୍ଧା ୨.୫ରୁ ୩.୦ ବିଲିୟନ ଟନ୍‌ ଅଙ୍ଗାରକାମ୍ଳର ଅବଶୋଷଣ ପାଇଁ ପ୍ରତିଶ୍ରୁତି ଦେଇଛି। ଏହା ମଧ୍ୟ ୨୦୭୦ ସୁଦ୍ଧା ନେଟ୍‌ ଶୂନ- କାର୍ବନ ଦେଶରେ ପରିଣତ ହେବା ପାଇଁ ଘୋଷଣା କରିଛି। ନେଟ୍‌ ଶୂନ- କାର୍ବନର ଅର୍ଥ ହେଉଛି ମନୁଷ୍ୟକୃତ ସମସ୍ତ ଅଙ୍ଗାରକାମ୍ଳ ଗ୍ୟାସ ବୃକ୍ଷଜଗତ ଦ୍ୱାରା ଅବଶୋଷଣ ହୋଇପାରିବ ଏବଂ ଏହା ଫଳରେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ପରିମାଣ ବୃଦ୍ଧି ପାଇବ ନାହିଁ। ଭାରତ ମଧ୍ୟ ୨୦୩୦ ମସିହା ସୁଦ୍ଧା ୨୬ ନିୟୁତ ହେକ୍ଟର ପତିତ ଜମିର ପୁନରୁଦ୍ଧାର କରିବା ପାଇଁ ଘୋଷଣା କରିଛି। କୃଷି ଜଙ୍ଗଲ ସୃଷ୍ଟି ଦ୍ୱାରା ଭାରତର ଏହି ପ୍ରତିଶ୍ରୁତିକୁ ପୂରଣ କରାଯାଇପାରିବ।
ଅନେକ ଦିନ ଧରି କୃଷି ଓ ଜଙ୍ଗଲ ମଧ୍ୟରେ ଥିବା ଫାଙ୍କରେ କୃଷି ଜଙ୍ଗଲ ପଡ଼ିଯାଇଛି ଏବଂ ଏହାର ପ୍ରକୃତ ମାଲିକ କିଏ ଜଣାପଡୁନାହିଁ। କେତେକ ରାଜ୍ୟରେ ଏହା କୃଷି ବିଭାଗ ଅଧୀନରେ ଥିବା ବେଳେ ଅନ୍ୟ କେତେକ ରାଜ୍ୟରେ ଜଙ୍ଗଲ ବିଭାଗ ଅଧୀନରେ ଅଛି। କେନ୍ଦ୍ର ସରକାରରେ ଏହା କୃଷି ମନ୍ତ୍ରଣାଳୟ ଅଧୀନରେ ଅଛି। ପରିବେଶ, ଜଙ୍ଗଲ ଓ ଜଳବାୟୁ ମନ୍ତ୍ରଣାଳୟ ଅଧୀନରେ ଏହାର ଅଧିକ ବିକାଶ ହୋଇପାରିବ ବୋଲି କେତେକ ବିଶେଷଜ୍ଞଙ୍କର ମତ ରହିଛି।
କୃଷି ଜଙ୍ଗଲର ଅଭିବୃଦ୍ଧି ନିମିତ୍ତ କୃଷକମାନଙ୍କୁ ଆର୍ଥିକ ସହାୟତା ଓ ସହଜ ଋଣର ବ୍ୟବସ୍ଥା କରିବାକୁ ପଡ଼ିବ। ଏହାକୁ କାର୍ବନ ବ୍ୟବସାୟ (କାର୍ବନ ଟ୍ରେଡିଂ) ସହ ସଂଯୋଗ କରି ଚାଷୀମାନଙ୍କୁ ଏହାର ଫଳ ଦେବା ପାଇଁ ବ୍ୟବସ୍ଥା ହେବା ଉଚିତ। ସହଯୋଗ ସମିତି, ସ୍ବୟଂ ସହାୟକ ଗୋଷ୍ଠୀ ଓ କୃଷକ ସଂଘ ମାଧ୍ୟମରେ ଏହାର ବିକାଶ ଆବଶ୍ୟକ। ଦେଶର ଅତିକମ୍‌ରେ ଦଶ ପ୍ରତିଶତ କୃଷିଜମିରେ ଏହା କରିବାର ଲକ୍ଷ୍ୟ ରଖି କାର୍ଯ୍ୟ ଆରମ୍ଭ ହେବା ଦରକାର। ଜଳବାୟୁ ପରିବର୍ତ୍ତନ ପ୍ରତିକାରର ଏକ ମାଧ୍ୟମ ସହ ଏହାର ଅନେକ ଉପକାର ଥିବାରୁ ଏହାର ବିକାଶ କରିବା ହେଉଛି ସରକାରଙ୍କ ନୈତିକ କର୍ତ୍ତବ୍ୟ ଓ ଦାୟିତ୍ୱ।
୭୦, ଲକ୍ଷ୍ମୀବିହାର, ଫେଜ୍‌-୧, ଭୁବନେଶ୍ୱର
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri