ହାଟଡିହୀ,୧୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ୍ ଅଧୀନ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ କମେଣ୍ଟ ମାରିବା ଏବଂ ହଇରାଣ କରିବା ଘଟଣାରେ ପୋଲିସ୍ ଜଣେ ଯୁବକଙ୍କୁ ଗିରଫ କରିଛି।
ସମଣା ପଞ୍ଚାୟତ ଗିରିଗାଁ ଗ୍ରାମର ପ୍ରଳୟ ଯେନା (ପିତା: ଟୁକୁନା ଯେନା) ଉକ୍ତ ଛାତ୍ରୀ ଜଣକ ସ୍କୁଲକୁ ଯିବାଆସିବା ସମୟରେ ରାସ୍ତାରେ ନିୟମିତ କମେଣ୍ଟ ମାରିବା ସହ ହଇରାଣ ହରକତ କରୁଥିଲେ। ଏଥିଯୋଗୁଁ ଛାତ୍ରୀ ଜଣକ ଭୟ ଓ ଅସୁରକ୍ଷିତ ମନେକରି ସ୍କୁଲ ଯିବା ବନ୍ଦ କରିଦେଇଥିଲେ, ଯାହାଦ୍ୱାରା ତାଙ୍କ ପାଠପଢ଼ାରେ ବାଧା ସୃଷ୍ଟି ହୋଇଥିଲା।
ଏ ସମ୍ପର୍କରେ ଛାତ୍ରୀଙ୍କ ପରିବାର ଲୋକେ ପ୍ରଳୟଙ୍କୁ ପଚାରିବାରୁ ପ୍ରଳୟଙ୍କ ସମ୍ପର୍କୀୟ ଟୁକୁନା ଜେନା, ସୁରେନ୍ଦ୍ର ଜେନା, କଇଁ ଜେନା, କାମିନୀ ଜେନା ଓ ବର୍ଷା ଜେନା ଏକଜୁଟ୍ ହୋଇ ଛାତ୍ରୀଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରି ମୁଣ୍ଡ ଫଟାଇ ଦେଇଥିଲେ।
ଘଟଣା ନେଇ ଛାତ୍ରୀଙ୍କ ପରିବାର ପକ୍ଷରୁ ନନ୍ଦିପଦା ଥାନାରେ ଅଭିଯୋଗ ପରେ ପୋଲିସ୍ ମାମଲା ନଂ ୩୮୧/୨୦୨୬ ରୁଜୁ କରିବା ସହ POCSO ଆକ୍ଟର ଧାରା ୧୨ ଏବଂ ଅନ୍ୟାନ୍ୟ ଦଫାରେ ଅଭିଯୁକ୍ତ ପ୍ରଳୟ ଯେନାଙ୍କୁ ଗିରଫ କରିଥିବା ନନ୍ଦିପଦା ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି ସୂଚନା ଦେଇଛନ୍ତି।