Odisha Elections 2024

କଲେରା, ପାଣି ଓ ଖଣି

ସହଦେବ ସାହୁ

କାହାକୁ ‘ସ୍ମାର୍ଟ’ କହିଲା ବେଳେ ଆମ ମନ ଭିତରେ ଠକ ବୋଲି ଗୋଟିଏ ଧାରଣା ଆସେ। ଆମ ରାଜ୍ୟ ସରକାର ସବୁ କାମରେ ସ୍ମାର୍ଟ ବୋଲି କହିହେବା ମୂଳରେ ଏମିତି କିଛି ଗୋଟାଏ ଠକାମି ଥିଲାପରି ମନେହେଉଛି-ନିର୍ବାଚନ ଜିତିବା ପାଇଁ ଏ ସ୍ମାର୍ଟନେସ୍‌! ପାଠକମାନେ ପନ୍‌- ସମୋଚ୍ଚାରିତ ହାସ୍ୟୋଦ୍ଦୀପକ ଶବ୍ଦ- ଭାବିପାରନ୍ତି, ଯେମିତି ଲୋକେ କହନ୍ତି ରାଜନୀତିରେ ପଲିଟିକ୍ସ ପଶିଗଲାଣି। ହଇଜା ରୋଗର କାରଣ ଭିବ୍ରିଓ କଲେରେ (Vibrio cholerae) ଜୀବାଣୁ, ତାହା ଆମ ରାଜ୍ୟରେ ବସା ବାନ୍ଧିଛି। କାଳକ୍ରମେ ବର୍ଦ୍ଧିତ ହୋଇ ପ୍ରାୟ ୧୫୦୦ ପ୍ରକାରର ହେଲାଣି, କେତେକ ମାରାତ୍ମକ ତ କେତେକ ସାମାନ୍ୟ ଜ୍ୱର ଆଣନ୍ତି। ଜଳ ଦ୍ୱାରା ପରିବାହିତ କଲେରା ଜୀବାଣୁ ଦୂଷିତ ପାଣି ଏବଂ ଭଲଭାବେ ସିଝି ନ ଥିବା ଖାଦ୍ୟ ଜରିଆରେ ଦେହରେ ପ୍ରବେଶ କରନ୍ତି – ମଣିଷ ଛଡ଼ା ଆଉ କେଉଁ ପ୍ରାଣୀ ଦେହରେ ଏମାନେ ଦେଖାଯା’ନ୍ତି ନାହିଁ। ସାଧାରଣ ଚିକିତ୍ସା ପାଇଁ ଗରିବର ପଇସା ନ ଥାଏ ବୋଲି କଲେରାରେ ଗରିବମାନେ ମରନ୍ତି। ଖରାଦିନ ଶେଷଆଡ଼କୁ ପାହାଡ଼ିଆ ଜିଲାମାନଙ୍କରେ ଶୁଖିଆସୁଥିବା ଜଙ୍ଗଲୀ ଝରରୁ ପାଣି ନେଇ ଲୋକେ ପିଅନ୍ତି ଓ ରନ୍ଧାବଢ଼ା କରନ୍ତି। ଉପକୂଳ ଜିଲାଗୁଡ଼ିକରେ ଝାଡ଼ା ପରିସ୍ରା କରୁଥିବା ପୋଖରୀମାନ କଲେରା ଜୀବାଣୁ ବିସ୍ତାରର କ୍ଷେତ୍ର। ସମୁଦ୍ର ଉପକୂଳର ଲୁଣିଆ ପାଣିରେ କଲେରା ଜୀବାଣୁ ବେଶ୍‌ ବଢ଼େ।
ଗରିବମାନଙ୍କ ପାଇଁ ପାନୀୟଜଳ ଅପହଞ୍ଚ। ରାଜ୍ୟରେ ଅନେକ ବର୍ଷର ଶାସନ କିଛି ପରିବର୍ତ୍ତନ ଆଣିପାରିନାହିଁ। ୧୯୯୯ର ସୁପର୍‌ ସାଇକ୍ଲୋନ୍‌ ପରେ ପ୍ରାୟ କୋଟିଏ ଲୋକ (ଓଡ଼ିଶାର ଏକ ତୃତୀୟାଂଶ) କଲେରାରେ ପଡ଼ିଥିଲେ ହେଁ ସ୍ବାସ୍ଥ୍ୟ ବିଭାଗ ହଇଜା କହି ସମସ୍ୟାଟାକୁ ଉଡ଼ାଇ ଦେଇଥିଲା, ସେମିତି ଏବକାର ସ୍ବାସ୍ଥ୍ୟ ମନ୍ତ୍ରୀ ବିଧାନସଭାରେ କହିଛନ୍ତି, କାଶୀପୁରର ରୋଗ ଏକ ହଇଜା (ତରଳ ଝାଡ଼ା), କଲେରା ନୁହେଁ। ମନେରଖିବା କଥା, ୨୦୧୦ ପରଠାରୁ ଉଚ୍ଚ ଆୟର ଦେଶଗୁଡ଼ିକରେ ଏ ରୋଗ ପ୍ରାୟ ନାହିଁ। ଗରିବମାନଙ୍କ ଭିତରେ, ଆଫ୍ରିକା ଓ ଦକ୍ଷିଣ ପୂର୍ବ ଏସିଆ ଭଳି କେତେକ ସ୍ଥାନରେ କଲେରା ଅଛି। ଓଡ଼ିଶା ତ କଲେରା ଜୀବାଣୁର ଉପନିବେଶ: ୧୯୯୯, ୨୦୦୦, ୨୦୦୩, ୨୦୦୫, ୨୦୦୬, ୨୦୦୭, ୨୦୧୦ ଓ ୨୦୧୨ରେ କଲେରା ଭୀଷଣ ରୂପ ନେଇଥିଲା। ରାୟଗଡ଼ା ଜିଲାର କାଶୀପୁର ଅଞ୍ଚଳରେ ପ୍ରାୟ ପ୍ରତିବର୍ଷ କଲେରା ବ୍ୟାପେ, ୨୦୦୭ରେ କାଶୀପୁର କଲେରା ସଂକ୍ରମଣର କେନ୍ଦ୍ର ଥିଲା। ଓଡ଼ିଶାର ଜଳକଷ୍ଟ ଅଞ୍ଚଳରେ ହଇଜା ଚିରସହଚର ହୋଇଗଲାଣି। କଲେରାର ଟିକା ବାହାରିଥିଲେ ହେଁ ସରକାରଙ୍କ ଚିନ୍ତାରେ ନାହିଁ। କଲେରା ଟିକା ବି ଇ-କୋଲାଇ ଜୀବାଣୁ କରୁଥିବା ହଇଜାରୁ ରକ୍ଷା କରେ। ଟିକା ୧୮ରୁ ୬୪ ବର୍ଷର ଲୋକଙ୍କୁ ଥରେ ପାଟିରେ ଦିଅ ଏବଂ ଅଙ୍ଗନଓ୍ବାଡି ଜରିଆରେ ରୋଗୀକୁ ଯଥେଷ୍ଟ ପାଣି ପିଇବାର ସୁବିଧା କର, ଓଆର୍‌ଏସ୍‌ ଯୋଗାଅ, ପଖାଳଭାତ ଖାଇବାକୁ ଉତ୍ସାହିତ କର। ବଡ଼ ବଡ଼ ଘୋଷଣା କରିବାରେ ସରକାର ବ୍ୟସ୍ତ। ୨୫ ମାର୍ଚ୍ଚ ୨୦୨୧୦ରେ ସରକାର କହିଲେ: ଅଫିସରମାନେ ଜଳାଭାବ ସ୍ଥାନଗୁଡିକୁ ଚିହ୍ନଟ କରନ୍ତୁ, ପ୍ରତି ପଞ୍ଚାୟତ ଓ ସହରୀ ସଂଗଠନଗୁଡିକ ଜଳସଙ୍କଟକୁ ଟାଳିବାରେ କିପରି ପ୍ରସ୍ତୁତ ହେଉଛନ୍ତି ଜଣାନ୍ତୁ। ଲୋକଙ୍କ ଗୁହାରି ଶୁଣ ଓ ୧୦୦% ଜଳାଭାବ ଦୂର କର, ସେଥିଲାଗି ପ୍ରସ୍ତୁତ ହେଲଣି ବୋଲି ସାର୍ଟିଫିକେଟ୍‌ ଦିଅ। ଏ ସବୁ ଆଶୀର୍ବାଣୀ ଖବର ଆକାରରେ ବାହାରିଗଲେ ନିର୍ବାଚନ-ରଣ ଜିତିବା ସହଜ ହୋଇଯିବ ବୋଲି ଶାସକ ଦଳ ଭାବେ। ଖବରରେ ୧୭୦୦୦ କୋଟି ଟଙ୍କାର ୮୯ଟା ପ୍ରକାଣ୍ଡ ପ୍ରକଳ୍ପ, ୨୦୨୪ ସୁଦ୍ଧା ସବୁ ଗାଁର ସମସ୍ତ ପରିବାରକୁ ପାଇପ୍‌ ଜଳ ଯୋଗାଣ। ଗତ ୩ ବର୍ଷରେ ତ ୩୮୦୦ କୋଟି ଖର୍ଚ୍ଚ ହେଲାଣି ଆଉ ସହରାଞ୍ଚଳରେ ମୋଟ ଆବଶ୍ୟକତା ୧୦୮୮ ମିଲିୟନ ଲିଟର୍‌ ଥିବା ବେଳେ ୧୦୯୩ ମିଲିୟନ ଲିଟର୍‌ ଯୋଗାଉଛନ୍ତି ବୋଲି କହୁଛନ୍ତି, କିନ୍ତୁ ଏ ୫ ମିଲିୟନ ଲିଟର ଅଧିକା କୁଆଡ଼େ ଗଲା! ମୋ ଘର ପାଖ ବିଜେବି ନଗରରେ ଅତିକମ୍‌ରେ ୭ଟା ଜାଗାରେ ଭୂତଳ ପାଇପ୍‌ରେ କଣା ଯୋଗୁ ପାନୀୟ ଜଳ ବୋହିଯାଉଛି। ଏଭଳି ଜଳ ନଷ୍ଟ କରିବା ଲାଗି ଠିକାଦାର ଉପରେ ବା ତନଖି କଲାବାଲା ଅଫିସର ଉପରେ ଦଣ୍ଡ ହେଉନାହିଁ। କାରଣ ସେମାନେ ନିର୍ବାଚନୀ ଖର୍ଚ୍ଚ ଯୋଗାଉଛନ୍ତି। ସାହି ପିଲାଏ ପାଇପ୍‌ କଣାକରି ନିର୍ଗତ ପାନୀୟ ଜଳରେ ଗୋଧୋଉଛନ୍ତି। କି ଲୋକସାନ! ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ଏକ ପ୍ରହସନ ହୋଇଯିବନି ତ! ଡିସେମ୍ବର ୨୦୨୨ ତ ମାତ୍ର ୫ ମାସ ରହିଲା, ଦେଖିବା ନାହିଁକି ସବୁ ସହରରେ ସବୁ ଘରେ ପାଇପ୍‌ ଲାଗିଥିବ, ପାଣି ବୋହୁ ନ ଥିବ! ଦ୍ୱିତୀୟ ସଂସ୍କରଣ ଅମୃତର ଏ କାମ! ସ୍ବଚ୍ଛ ଭାରତ ମିଶନ ୨.୦ ପାର୍‌ ହୋଇଯାଇଥିବ। ୨୦୧୫ରୁ ଅମୃତ ମିଶନ ଆରମ୍ଭ ହେଲାଣି। ଏଯାଏ କାହିଁକି ସରିନାହିଁ କାହାକୁ ତ ଦାୟୀ କରାଯାଉନାହିଁ। ଯେଉଁ ୯ଟା ସହରରେ ଏ କାମ ସରିଲାଣି ସେ ସହରଗୁଡିକର ଅବସ୍ଥା ଦେଖନ୍ତୁ। କିନ୍ତୁ କାଗଜପତ୍ରରେ ଓଡ଼ିଶା ୩ ବର୍ଷକାଳ ଦେଶରେ ପ୍ରଥମ ହେଉଛି। ଲଣ୍ଡନ, ନ୍ୟୁୟର୍କ, ସିଙ୍ଗାପୁର ଓ ଟୋକିଓ ଭଳି ପୁରୀ ବି ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ସହର ହେଲାଣି ବୋଲି ସରକାର କହୁଛନ୍ତି। ଏଥିଯୋଗୁ ୪୦୦ ଟନ୍‌ ପ୍ଲାଷ୍ଟିକ୍‌ ଆବର୍ଜନା ହ୍ରାସ ପାଇଲା ବୋଲି କହୁଛନ୍ତି। ଆଉ ୧୭ଟି ସହରରେ ‘ଟ୍ୟାପ୍‌ରୁ ପିଅ’ ଯୋଜନା କାର୍ଯ୍ୟକାରୀ ହେବ। ତେଣେ ମୁଗୁରା ମେଲା ବୋଲି ସରକାର ଭାବୁନାହାନ୍ତି।
୨୦୨୫କୁ ବିପଦ ମାଡ଼ିଆସୁଛି। ସରକାର ଭାବୁନାହାନ୍ତି- ଖଣିଜ ଉତ୍ତୋଳନ ଯେତିକି ଲାଭ ସେତିକି କ୍ଷତି। ଓଡ଼ିଶାର ଭବିଷ୍ୟତ ଜଳ ହିଁ ତିଆରି କରିବ। ଅଥଚ ଓଡ଼ିଶାର ଜୀବନରେଖା ଖଣିଜ ପଦାର୍ଥ, କିନ୍ତୁ ତା’ର ଉତ୍ତୋଳନ ମାନେ ଭୂତଳ ଜଳସ୍ତରକୁ ନିମ୍ନଗାମୀ କରିବା ଏବଂ ସ୍ବଳ୍ପ ଗଭୀରରେ ଥିବା ଭୂତଳ ଜଳସ୍ତରକୁ ଶୁଖେଇଦେବା; ଭୂପୃଷ୍ଠରେ କେତେଗୁଡିଏ ଖାଲ, ପୋଖରୀ କିମ୍ବା ଗଡ଼ିଆ କରିଦେଲେ ଜଳ ଭରଣା କରିହେବ ନାହିଁ। ବୋତଲ-ଭର୍ତ୍ତି-ଜଳ ଶିଳ୍ପ ବଢ଼ିଚାଲିଛି; ଆମ ନାଳନର୍ଦ୍ଦମା, ହ୍ରଦ, ନଦୀ ଏପରି କି ଗାଁ ପୋଖରୀ ବୋତଲରେ ଭର୍ତ୍ତି ହୋଇଗଲାଣି। ଲିଟର୍‌କିଆ ବୋତଲ ଭର୍ତ୍ତି କରିବାକୁ ୧.୬ ଲିଟର ପାଣି, ଜାଳ, ଆଉ କିଛି ସାଧନ ଦରକାର। ‘ଟ୍ୟାପ୍‌ରୁ ପିଅ’ ଯୋଜନା ଏସବୁ ଲୋକସାନ କମାଇବ ତ! ୨୦୧୩ରୁ ୨୦୧୭- ୪ ବର୍ଷ ଭିତରେ ଆମ ରାଜ୍ୟର ଭୂତଳ ଜଳ ଉତ୍ତୋଳନ ୩୦%ରୁ ୪୨%କୁ ବଢ଼ିଯାଇଛି। ଅଥଚ ଭୂତଳ ଜଳଭଣ୍ଡାର ସେତେ ପରିମାଣରେ ଭର୍ତ୍ତି ହେଉନାହିଁ। ଭୂତଳ ଜଳ ଭରଣା କରିବାର ଚିନ୍ତା ନାହିଁ। ଘୁସ୍‌ ଖାଇଲେ ବିଡିଏ, ବିଏମ୍‌ସି ଆଦି ବୃଷ୍ଟିଜଳ ଅମଳକୁ କାଗଜପତ୍ରରେ ଦେଖାଇଦିଅନ୍ତି, ପ୍ରକୃତ କାମ ହେଉଛି କି ନା ଦେଖନ୍ତିନାହିଁ। ତେଣୁ ଭୂପୃଷ୍ଠରୁ ବୃଷ୍ଟିଜଳ ଭୂତଳକୁ ନ ଭେଦି ସିଧାସଳଖ ସମୁଦ୍ରକୁ ଚାଲିଯାଉଛି।
୨୦୧୯ରୁ ଚାଲୁ ହୋଇଥିବା ଜଳଜୀବନ ମିଶନ ଘରେ ଘରେ ପାଇପ୍‌ ଜଳ ଯୋଗାଇବ ତ। ଭୂତଳ ଜଳ ବ୍ୟବହାର ବଢ଼ିଯିବ, ଏଯାବତ୍‌ ୬୫%ରୁ ବେଶି ଖର୍ଚ୍ଚ ହେଲାଣି। କାହିଁ ଟ୍ୟାପ୍‌? ଚାରିଆଡ଼େ ପକ୍କାରାସ୍ତା ଏବଂ ବହୁତଳ କଂକ୍ରିଟ କୋଠା – ଏସବୁ ଦରକାର କରୁଛି ଦିନକୁ ୪୩୫ ମିଲିଅନ୍‌ ଲିଟର୍‌ – ଜଳର ଚାହିଦା ପ୍ରତି ୧୦ ବର୍ଷରେ ଦୁଇଗୁଣ ବଢୁଛି। ତା’ ସାଙ୍ଗକୁ ବହୁ ପରିମାଣର ଜଙ୍ଗଲ ଧ୍ୱଂସ ଜଳଧାରଣ ଶକ୍ତିକୁ ନଷ୍ଟ କରୁଛି।
sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତିନି ବନ୍ଧୁ ଗ୍ରାମୀଣ ଅଞ୍ଚଳର ରୋଗୀମାନଙ୍କୁ ମାତ୍ର ୧ ଟଙ୍କାରେ ଇ-କ୍ଲିନିକ ମାଧ୍ୟମରେ ଡାକ୍ତରଙ୍କ ପରାମର୍ଶ ନେବାର ବ୍ୟବସ୍ଥା କରିଛନ୍ତି। ଆଙ୍କାଶ ଟଣ୍ଡନ ଏବଂ ତାଙ୍କର...

ଦଶମ ପରୀକ୍ଷାଫଳ

ଡ. ମନୋରଞ୍ଜନ ପ୍ରଧାନ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ପରିଚାଳିତ ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏ ବର୍ଷ ମୋଟାମୋଟି ଭାବରେ...

ବିରାଡ଼ି ହାତରେ ମାଛଭାର

ଡ. ପ୍ରଫୁଲ୍ଲ କୁମାର ସାହୁ ଗଣତନ୍ତ୍ର କହିଲେ ସାଧାରଣତଃ ସମାନତା, ସ୍ବାଧୀନତା ଓ ଆଇନର ଶାସନକୁ ବୁଝାଏ, ଯାହା ଏକ ପ୍ରତିନିଧିମୂଳକ କାର୍ଯ୍ୟବିଧି। ଏହା ଲୋକଙ୍କ...

ତୀର୍ଥଯାତ୍ରୀଙ୍କ ମୃତ୍ୟୁ

ଉତ୍ତରାଖଣ୍ଡର ଚାରିଧାମ ଯଥା ଯମୁନୋତ୍ରୀ, ଗଙ୍ଗୋତ୍ରୀ, କେଦାରନାଥ ଓ ବଦ୍ରିନାଥ ଯାତ୍ରା ଏକ ଧାର୍ମିକ ଯାତ୍ରା। ଏହି ଚାରିଧାମ ଯାତ୍ରା ମୁଖ୍ୟତଃ ପାଣିିପାଗ ସ୍ଥିତିକୁ ଲକ୍ଷ୍ୟ...

ଏଇ ଭାରତରେ

ଧୁମ୍‌ଧାମ୍‌ରେ ପୁଅ ବାହାଘର କରିବା ପାଇଁ ଅନେକେ ସ୍ବପ୍ନ ଦେଖିଥାନ୍ତି। କିନ୍ତୁ ଏମିତି ଇଚ୍ଛା ବେଳେବେଳେ ସମାଜରେ ବଞ୍ଚତ୍ରହିବା ଦୁର୍ବିଷହ କରିଦିଏ। ଏଭଳି ଏକ ଘଟଣା...

କୃଷିଭୂମି ରୂପାନ୍ତରଣର ବିପଦ

ଈପ୍ସିତା ମହାନ୍ତି   ପ୍ରାଚୀନ ଭାରତୀୟ ସଂସ୍କୃତ ପୁସ୍ତକରେ କୃଷିଜମି ୧୨ ଶ୍ରେଣୀରେ ବିଭକ୍ତ ଥିଲା। ‘ଭୂମିବର୍ଗା’ ନାମକ ଏହି ପୁସ୍ତକ ୨ ହଜାର ବର୍ଷ...

ରାଜନେତାଙ୍କ ଅନୁଭବ ବାହାରେ

ହରେକୃଷ୍ଣ ପଣ୍ଡା   ଅନ୍ୟାନ୍ୟ ଦେଶ ଭଳି ଭାରତ ଏକ ଭୂଖଣ୍ଡ ନୁହେଁ। ଏ ଦେଶର ମାଟି, ଗୋଡି, ପାହାଡ, ପର୍ବତ ଜୀବନ୍ତ ବୋଲି ମହାନ୍‌...

ଦାୟିତ୍ୱହୀନତାରୁ ବିପର୍ଯ୍ୟୟ

ଏବେ ଦୁଇଟି ଦୁର୍ଘଟଣା ସମସ୍ତଙ୍କୁ ବ୍ୟଥିତ କରିବା ଭଳି ବିଷୟ ଭାବେ ଉଭା ହୋଇଛି। ୨୫ ମେ’ ୨୦୨୪ରେ ଗୁଜରାଟର ରାଜକୋଟସ୍ଥିତ ଗେମିଂ ଜୋନ୍‌ରେ ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri