Posted inଫୁରସତ

ଲଙ୍କା ଦହନ ପାଇଁ ହନୁମାନଙ୍କୁ ଶ୍ରୀରାମଙ୍କ ଆଜ୍ଞା ଥିଲା

ଗୋସ୍ବାମୀ ତୁଳସୀ ଦାସ ତ୍ରିଜଟାର ମୁହଁରେ  କୁହାଇଛନ୍ତି -‘ସପନେ ବାନର ଲଙ୍କା ଜାରି l ଜାତୁଧାନ ସେନା ସବ ମାରି l’
ଏହା ଶୁଣି ମୁଁ ଭ୍ରମରେ ପଡ଼ିଗଲି l ତ୍ରିଜଟାର ପ୍ରଥମ ସ୍ବପ୍ନ  କଥା ତ ସତ୍ୟ l ଏକ ମର୍କଟ ଲଙ୍କାକୁ ଆସିଛି ବୋଲି ସେ  କହିଲା l ଏହା ଶୁଣି ମୁଁ ତ ନିଜକୁ ବିଶ୍ୱାସ କରିପାରିଲି ନାହିଁ ଆଜ୍ଞା l ହେଲେ ସ୍ବପ୍ନର ଦ୍ୱିତୀୟ କଥା – ମର୍କଟଟି ଲଙ୍କାକୁ ଜାଳିଦେବ l  ଏ ପଦ ଶୁଣି ମୁଁ ସ୍ତମ୍ଭୀଭୂତ ହୋଇଗଲି l ସ୍ବପ୍ନର ପ୍ରଥମ ଅଂଶଟା ଠିକ୍‌ ମାନେ ଦ୍ୱିତୀୟ ଅଂଶ ବି ନିଶ୍ଚୟ ସତ୍ୟ ହେବ l ଏହାଛଡା ସ୍ବପ୍ନ ଦେଖିବା ଲୋକ ବି ଯାହିତାହି ଲୋକ ନୁହେଁ l ବାପା ବିଭୀଷଣଙ୍କ ପରି ତ୍ରିଜଟା ବି ଜଣେ ରାମ ଭକ୍ତ l ତେଣୁ ଜଣେ ସନ୍ଥ ଦେଖିଥିବା ସ୍ବପ୍ନର ଅର୍ଦ୍ଧେକ ସତ୍ୟ ହେବ ଏବଂ ଆର ଅର୍ଦ୍ଧେକ ମିଥ୍ୟା ହେବ, ଏପରି ତ ହେବା ଅସମ୍ଭବ l ଆପଣ ତ ପ୍ରତ୍ୟକ୍ଷରେ ଏ କାର୍ଯ୍ୟ କରିବା ପାଇଁ କହିନାହାନ୍ତି l ଏବେ ଜଣେ ସନ୍ଥଙ୍କ ମାଧ୍ୟମରେ ସୂଚନା ଦେବାର  ଅର୍ଥ ଏ କାମ କରିବା ପାଇଁ ମୋତେ ଆପଣଙ୍କ ପରୋକ୍ଷ ନିର୍ଦ୍ଦେଶ l ପ୍ରତ୍ୟକ୍ଷ ଭାବେ ଆପଣ ନିର୍ଦ୍ଦେଶ ଦେଇଥିଲେ ଆପଣଙ୍କ ‘ମର୍ଯ୍ୟାଦା ପୁରୁଷୋତ୍ତମ ’ ବିଶେଷଣରେ ନିଶ୍ଚେ  କଳଙ୍କ ଲାଗିଯାଇଥାନ୍ତା l ଜଗତ କହିଥାନ୍ତା – ତୁମ ଅବତାରୀ ରାମ କେମିତିକା ଠାକୁର ମ? ଠାକୁର କ’ଣ କେବେ କାହା ଘରେ ନିଆଁ ଲଗେଇବାକୁ ନିର୍ଦ୍ଦେଶ  ଦେଇପାରନ୍ତି? ବଡ଼ ଅନର୍ଥ ହୋଇ ଯାଇଥାନ୍ତା ପ୍ରଭୁ l
ତ୍ରିଜଟାର ସ୍ବପ୍ନ ଅନୁସାରେ ଆପଣ ନିଜର ସଂକଳ୍ପ ବଳରେ ଲଙ୍କାକୁ ଦହନ କରିସାରିବା ପରେ  ତା’ ସ୍ବପ୍ନ ମାଧ୍ୟମରେ ମୋତେ ସୂଚନା ଦେଉଛନ୍ତି ବୋଲି ମୋର ହୃଦ୍‌ବୋଧ ହେଲା l ଜଗତ ଜାଣିବା ପାଇଁ ସିନା ଲଙ୍କା ପୋଡ଼ି ଶେଷରେ ହେଲା କିନ୍ତୁ ତା’ ପୂର୍ବରୁ ଆପଣ ସେ କାମ ପ୍ରଥମେ ସାରି ଦେଇଥିଲେ l
ଜାମ୍ବବାନ ଆଡକୁ ହନୁମାନ ବୁଲିପଡ଼ି କହିଲେ, ଆଜ୍ଞା, ଏଇଥିପାଇଁ କାର୍ଯ୍ୟର କ୍ରମ ବଦଳେଇ କହିଥିଲି -ନାଘି ସିନ୍ଧୁ ହାଟକପୂର ଜାରା…. l ଆପଣ କୁହନ୍ତୁ ଏହା ମିଛ ହୋଇ ପାରେ କି? ଜାମ୍ବବାନ ସବୁ କଥା ବୁଝି ପାରିଲେ l
ମହାଭାରତ ଯୁଦ୍ଧ ପଡ଼ିଆରେ ଶ୍ରୀକୃଷ୍ଣଙ୍କ ବିରାଟ ରୂପରେ କ୍ଷତ୍ରିୟ  ଯୋଦ୍ଧାମାନଙ୍କ ନିଧନ ଦେଖି  ଅର୍ଜୁନ ବାସ୍ତବିକ ସନ୍ଦେହରେ ପଡ଼ିଗଲେ l ଆଶ୍ଚର୍ଯ୍ୟ ହୋଇ ପ୍ରଭୁଙ୍କୁ ପଚାରିଲେ – ହେ ଭଗବାନ ! ଭୀଷ୍ମ, ଦ୍ରୋଣ, କର୍ଣ୍ଣ ଆଦି ବୀରମାନଙ୍କୁ ମାରିବାକୁ ହେବ ନା ଏମାନେ ମରି ସାରିଛନ୍ତି ?  ଏହାର ଉତ୍ତରରେ ଭଗବାନ କହିଲେ –    ମୟେବୈତା ନିହତା ପୂର୍ବମେବ ନିମିତ୍ତ ମାତ୍ର ଭ ସବ୍ୟସାଚିନ।
ହେ ଅର୍ଜୁନ ! ଏମାନଙ୍କୁ  ମୁଁ ପୂର୍ବରୁ ନାଶି ସାରିଛି l ତୁ କେବଳ ନିମିତ୍ତ ମାତ୍ର ହେବୁ l
  ଏଠି ଠିକ୍‌ ସମାନ ଘଟଣା ଘଟିଛି l ତ୍ରିଜଟାଙ୍କ ସ୍ବପ୍ନ ମାଧ୍ୟମରେ ପ୍ରଭୁ ଶ୍ରୀରାମ ସତେ ଅବା କହୁଛନ୍ତି – ହେ ହନୁମାନ ! ଲଙ୍କା ଦହନ ମୁଁ କରିସାରିଛି l କେବଳ ମାତ୍ର ତୁମର  ଅଭିନୟ ବାକି ଅଛି l
ତେଣୁ କ୍ରମ ବଦଳେଇ ହନୁମାନ ଯାହା କହିଛନ୍ତି ତାହା ପୂରା ଠିକ୍‌ l ଭାବଗତ ଦୃଷ୍ଟିରୁ ସେ ଆଦୌ ମିଛ କହିନାହାନ୍ତି l ଭକ୍ତ ଆଉ ଭଗବାନଙ୍କ ଭିତରେ ନିରନ୍ତର  ଚାଲୁଥିବା ଭାବର କଥାକୁ ବାହାରର ତଥାକଥିତ ପଣ୍ଡିତମାନେ ଜାଣିବେ କେମିତି? ଲଙ୍କା ଦହନ କରି ସେ ଦୂତ ଧର୍ମର ଆଦୌ ବିରୁଦ୍ଧାଚରଣ କରିନାହାନ୍ତି କି ବିନା ଆଜ୍ଞାରେ  ଲଙ୍କା ଦହନ କରିଥିବାର ଯେଉଁ ଆରୋପ ହନୁମାନଙ୍କ ଉପରେ ଆତ୍ମଘୋଷିତ ଜ୍ଞାନୀମାନେ କରୁଛନ୍ତି, ତାହା ସମ୍ପୂର୍ଣ୍ଣ ନିରାଧାର l ଏପରି ଅଭିଯୋଗ କରି ସେଇ ପଣ୍ଡିତମାନେ ନିଜ ନିର୍ବୋଧପଣିଆକୁ ବାହାରେ ପ୍ରକାଶ କରୁଛନ୍ତି ଯାହା l
 ହନୁମାନ କହିଲେ, ପ୍ରଭୁ ମୁଁ ତ ଜାଣିଲି ଯେ ଏହା ଆପଣଙ୍କ ପରୋକ୍ଷ ନିର୍ଦ୍ଦେଶ ବୋଲି କିନ୍ତୁ  ମନେ ମନେ ଆପଣଙ୍କୁ ପ୍ରାର୍ଥନା କଲି ଯେ ଆଉ ଟିକେ ପରିଷ୍କାର ଭାବେ କଥାଟି ଖୋଲି କହିଲେ ମୁଁ ଟିକେ ନିଶ୍ଚିତ ହୁଅନ୍ତି l ଲଙ୍କାପୋଡ଼ି ମାନେ ଏକ ବିରାଟ କାର୍ଯ୍ୟ l ଯଦି କରିଦେବି କାଳେ ଭୁଲ ହୋଇଯିବ l ଆପଣଙ୍କ ଯଶ ଆଉ କୀର୍ତ୍ତିରେ କଳଙ୍କ ଲାଗିଯିବ l
ହନୁମାନ କହୁଥାନ୍ତି l ପ୍ରଭୁ ବି ହନୁମାନଙ୍କର ଏହି ନିରଭିମାନ କଥାଗୁଡ଼ିକୁ ଭଲ ଭାବରେ ଶ୍ରବଣ କରୁଥାନ୍ତି l ହନୁମାନ ହାତଯୋଡ଼ି କହିଲେ -ଆଜ୍ଞା, ଆପଣ ଅନ୍ତର୍ଯ୍ୟାମୀ l ପ୍ରାର୍ଥନା ଶୁଣିଲେ l ପ୍ରଥମେ ତ୍ରିଜଟା ମାଧ୍ୟମରେ ସୂଚନା ଦେଲେ l ପରେ ମୋତେ ନିଶ୍ଚିତ କରିବା ପାଇଁ ରାବଣ ଦ୍ୱାରା କଥାଟା ପୂରା ଖୋଲିଦେଲେ l ମେଘନାଦ ମୋତେ ନାଗ ଫାଶରେ ବାନ୍ଧି ରାବଣ ପାଖକୁ ନେଇଗଲା l ମୁଁ କ’ଣ ସହଜରେ ବାନ୍ଧି ହୋଇଥାନ୍ତି l କେବଳ ଆପଣଙ୍କ କାର୍ଯ୍ୟ ( ଲଙ୍କା ଦହନ ) ଲାଗି ବନ୍ଧା ହୋଇଗଲି l ରାବଣକୁ ବହୁତ ପ୍ରକାରେ ବୁଝେଇଲି l ସେ କିଛି ଶୁଣିବାକୁ ପ୍ରସ୍ତୁତ ନ ଥିଲା l ଓଲଟି ଆଦେଶ ଦେଲା – ବେଗି ନ ହରହୁ ମୂଢ଼ କର ପ୍ରାର୍ଥନା l ମୁଁ ଏଇଠି ଚିନ୍ତା କଲି  ରାବଣ ଯଦି ମୋତେ ମାରିଦେବ ତେବେ ତ୍ରିଜଟାର ସ୍ବପ୍ନ କ’ଣ ସ୍ବପ୍ନରେ ରହିଯିବ?  ଭାବନା ଶେଷ ହୋଇନି ଆପଣ ପୁଣି ବିଭୀଷଣକୁ ପ୍ରେରିତ କଲେ l ବିଭୀଷଣ ଭାଇ ରାବଣକୁ ନୀତିବାଣୀ ଶୁଣାଇ ବିନୀତ ହୋଇ କହିଲା -ମହାରାଜ, ଦୂତ କଦାପି ବଧ ଯୋଗ୍ୟ ନୁହେଁ l ଆଉ ଯଦି କିଛି ଦଣ୍ଡ ଥାଏ ତେବେ ଦିଅନ୍ତୁ l ଆପଣଙ୍କ ସୁନାମ ବଢ଼ିବ l
ସେତେବେଳେ ପର୍ଯ୍ୟନ୍ତ ବି ମୁଁ ଜାଣି ପାରୁ ନ ଥାଏ ଯେ ଲଙ୍କା ଦହନ ନିମନ୍ତେ ପ୍ରକ୍ରିୟାଟା କେଉଁ ଢଙ୍ଗରେ ଆପଣ କରାଉଛନ୍ତି l କିନ୍ତୁ ରାବଣ ଯେତେବେଳେ ଘୋଷଣା କଲା —
‘କପି କେଁ ମମତା ପୁଛ ପର ସବହି କହଉଁ ସମୁଝାଇ
ତେଲ ବୋରି ପଟ ବାଁଧି ପୁନି ପାୱକ ଦେହୁ ଲଗାଇ l’
ହଁ ଆଜ୍ଞା, ଏବେ ମୁଁ ଦୃଢ଼ ହୋଇଗଲି ଯେ ଲଙ୍କାପୋଡ଼ି ପାଇଁ ଆପଣଙ୍କ ଆଦେଶ ଅଛି l ମର୍କଟ ଲାଙ୍ଗୁଡ଼ରେ ତୈଳ ଯୁକ୍ତ କନା ଗୁଡ଼ାଇ ଅଗ୍ନି ସଂଯୋଗ କଲେ ସେ କ’ଣ ସ୍ଥିର ହୋଇ ରହିପାରିବ? ତେଣୁ ମୁଁ ଲଙ୍କାର ଏମୁଣ୍ଡରୁ ସେ ମୁଣ୍ଡ ପର୍ଯ୍ୟନ୍ତ ଚାରିଆଡେ ଦୌଡିଲି l ଏତେ ବଡ଼ ଲଙ୍କା ନଗରୀକୁ କ’ଣ ମୁଁ ଏକୁଟିଆ ପୋଡ଼ିପାରି ଥାନ୍ତି, ଯଦି ଏଠି ବି ଆପଣ ସାହାଯ୍ୟ କରି ନ ଥାନ୍ତେ l
ମୁଁ କ’ଣ ପବନ ଦେବତାଙ୍କୁ ଅନୁରୋଧ କରିଥିଲି କି ଜୋରରେ ବହିବାକୁ l ଆପଣ ନିଶ୍ଚେ ନିର୍ଦ୍ଦେଶ ଦେଇଥିଲେ l
ଏହାକୁ ଗୋସ୍ବାମୀ କଲମ କଲେ :-
‘ହରି ପ୍ରେରିତ ତେହି ଅବସର ଚଲେ ମରୁତ ଉନଚାଶ
ଅଟହାସ୍ୟ କରି ଗର୍ଜl କପି ବଢ଼ି ଲାଗ ଅକାସ l’
ପାଠକେ ! ଏଠାରେ ଦେଖନ୍ତୁ l ହନୁମାନଙ୍କୁ ଲଙ୍କା ଦହନରେ ସହଯୋଗ କରିବା ପାଇଁ ଅଣଚାଶ ପବନ ବହିଲା l ତା ପୁଣି କାହା ନିର୍ଦ୍ଦେଶରେ?  ସ୍ପଷ୍ଟ ଭାବରେ ଲିଖିତ ପ୍ରମାଣ ଅଛି – ହରି ପ୍ରେରିତ…
ଯେଉଁମାନେ ଯୁକ୍ତି କରୁଛନ୍ତି ଯେ, ବିନା ଆଜ୍ଞାରେ ହନୁମାନ କେମିତି ଲଙ୍କା ପୋଡ଼ି ପକେଇଲେ ବୋଲି, ସେମାନେ ହନୁମାନଙ୍କ କାର୍ଯ୍ୟାବଳୀକୁ ଭାବର ସହ ବୁଝିନାହାନ୍ତି l ଯଦି ହନୁମାନ ସେପରି କରିଥାନ୍ତେ, ତେବେ ସେ ଲଙ୍କାରୁ ଫେରି ଶ୍ରୀରାମଙ୍କ ପାଖରେ ପହଞ୍ଚୁ  ପହଞ୍ଚୁ ପ୍ରଭୁ ତାଙ୍କୁ ବାଡ଼ି ଧରି ମାରିବାକୁ ଗୋଡ଼ାଇଥାନ୍ତେ l  ସେମିତି କିଛି ହୋଇଛି କି?  ନା, ବରଂ ଶ୍ରୀରାମଙ୍କ ପାଖରେ ହନୁମାନ ପହଞ୍ଚତ୍ବା ପରେ ପ୍ରଭୁ ଅତ୍ୟନ୍ତ ପ୍ରସନ୍ନ ଚିତ୍ତରେ ପଚାରିଛନ୍ତି –
‘କହୁ କପି ରାବଣ ପାଳିତ ଲଙ୍କା
କେହି ଧି ଦହେଉ ଦୁର୍ଗ ଅତି ବଙ୍କା lା
ପ୍ରଭୁ ପ୍ରସନ୍ନ ଜାନା ହନୁମାନା
ବୋଲା ବଚନ ବିଗତ ଅଭିମାନା ll’
ପାଠକେ ! ଆସନ୍ତୁ ଲଙ୍କା ଦହନ ପ୍ରକ୍ରିୟାକୁ ଟିକେ ଜ୍ଞାନ ନେତ୍ରରେ ବିଚାର କରିବା l ଚାରିଆଡେ ନିଆଁ ଲାଗିବା ମାତ୍ରେ ରାବଣ ଅଗ୍ନି ଦେବତାଙ୍କୁ ନାଲିଆଖି ଦେଖାଇବାରୁ ଅଗ୍ନି ଦେବତା ନିର୍ବାପିତ ହୋଇଗଲେ l ଏହା ଦେଖି ହନୁମାନ ନିଜ କପାଳରୁ ବ୍ରହ୍ମ ଅଗ୍ନି ସୃଷ୍ଟି କଲେ l ବ୍ରହ୍ମ ଅଗ୍ନି ମାନେ ଜ୍ଞାନର ଅଗ୍ନି l
ଗାଁକୁ ନେତା ବା ମନ୍ତ୍ରୀ ଆସିବାକୁ ଥିଲେ ମାସକ ଆଗରୁ ସଫାସଫି, କ୍ଷେତ୍ର ପ୍ରସ୍ତୁତି ଆଦି କାର୍ଯ୍ୟକ୍ରମ ଚାଲେ l ପରମ ପୁରୁଷ ପ୍ରଭୁ ଯେତେବେଳେ କିଛି ଦିନ ପରେ ତାମସିକ ରାଜ୍ୟ ଲଙ୍କାରେ ପ୍ରବେଶ କରିବାର ଅଛି, ତା ପୂର୍ବରୁ ହନୁମାନ ଯାଇ ବ୍ରହ୍ମ ବା ଜ୍ଞାନର ଅଗ୍ନି ଜାଳି ପରିବେଶଟିକୁ ପବିତ୍ର କରିଦେଇ ଆସିଲେ ବୋଲି ବୁଝିବାକୁ ପଡ଼ିବ l
ତେଣୁ ପ୍ରଭୁଙ୍କ ଆଜ୍ଞାରେ ସବୁକିଛି ହୋଇଛି l ହନୁମାନ କେବଳ ନିମିତ୍ତମାତ୍ର l
-ଦିବ୍ୟାଲୋକ ସନ୍ଧାନେ,
 ରାମନଗର, ତେଲେଙ୍ଗାପେଣ୍ଠ, କଟକ

Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏକମାତ୍ର ନଦୀ, ଯାହାର ବାଲିରୁ ମିଳେ ସୁନା! ଓଡ଼ିଶାରେ ବି ବୋହୁଛି…

ନୂଆଦିଲ୍‌ଲୀ,୨୬।୯: ଭାରତରେ ନଦୀଗୁଡ଼ିକୁ କେବଳ ଜଳର ଉତ୍ସ ଭାବେ ଗ୍ରହଣ କରାଯାଏ ନାହିଁ, ବରଂ ଦେଶର ଅର୍ଥନୀତି ଏବଂ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଏଗୁଡ଼ିକର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?