୧୮ ପଡ଼ୋଶୀଙ୍କ ସହିତ ରହିଛି ଚାଇନାର ସୀମା ବିବାଦ

ବେଜିଂ, ୯।୭: ଚାଇନାର ସୀମା ବିବାଦ କେବଳ ଭାରତ ସହିତ ନୁହେଁ। ଡ୍ରାଗନ୍‌ ସହିତ ୧୮ଟି ପଡ଼ୋଶୀ ଦେଶର ଏଭଳି ସ୍ଥଳ ଏବଂ ସାମୁଦ୍ରିକ ସୀମା ବିବାଦ ଜାରି ରହିଛି। ଚାଇନା ପଡ଼ୋଶୀଙ୍କ ଅଞ୍ଚଳ ନିଜ ଦଖଲକୁ ନେବା ଲାଗି ଷଡ଼ଯନ୍ତ୍ର ରଚିଛି। ଏଲ୍‌ଏସିରେ ୩୫ କିମି ଅଞ୍ଚଳରେ ଚାଇନା ଭାରତ ମଧ୍ୟରେ ବିବାଦ ରହିଛି। ଚାଇନା ଭାରତର ୩୮ ହଜାର ବର୍ଗ କିମି ଅଞ୍ଚଳକୁ ନିଜ ଅଧୀନକୁ ନେଇଛି। ଏହାକୁ ଅକ୍ସାଇ ଚାଇନା କୁହାଯାଉଛି। ସେହିପରି ଭୁଟାନର ଉତ୍ତର ଏବଂ ପଶ୍ଚିମ ଅଞ୍ଚଳକୁ ନେଇ ଚାଇନା ସୀମା ବିବାଦ ଜାରି ରଖିଛି। ବ୍ରୁନେଇର ଏକ୍ସକ୍ଲୁସିଭ୍‌ ଇକୋନୋମିକ୍‌ ଜୋନ୍‌ ଦକ୍ଷିଣ ଚାଇନା ସାଗରରରେ ରହିଛି। ଏଠାରେ ଚାଇନା ଦାଦାଗିରି ଦେଖାଇ କିଛି ସାମୁଦ୍ରିକ ଅଞ୍ଚଳକୁ ନିଜ ଦଖଲକୁ ନେଇଛି। ମାଲେସିଆର ଏକ୍ସକ୍ଲୁସିଭ୍‌ ଇକୋନୋମିକ୍‌ ଜୋନ୍‌ରେ ଚାଇନାର ବିବାଦ ରହିଛି। ଲାଓସେ, ତାଇଓ୍ବାନ୍‌ ଏବଂ କାମ୍ବୋଡ଼ିଆର କିଛି ଅଞ୍ଚଳକୁ ଚାଇନା ନିଜର ବୋଲି ଦାବି କରୁଛି। ଏଠାରେ ୟୁଓ୍ବାନ ବଂଶ ରାଜୁତି କରୁଥିବା କହି ଚାଇନା ଏଭଳି କରୁଛି। ଥାଇଲାଣ୍ଡର ମିକାଙ୍ଗ୍‌ ନଦୀ ଉପରେ ଚାଇନା ଜୋର୍‌ ଜବରଦସ୍ତ ନିଜ କବ୍‌ଜାକୁ ନେବାକୁ ଉଦ୍ୟମ କରୁଛି। ଏହି ନଦୀରେ ଚାଇନା ବେଆଇନ ଭାବେ ନିଜର ମାଲବାହୀ ଜାହାଜ ଚଳାଚଳ କରାଉଛି। ଦକ୍ଷିଣ ଚାଇନା ସାଗରରେ ଜାପାନ ସହିତ ବିବାଦ ଜାରି ରହିଛି। ସେଙ୍କାକୁ ଏବଂ ରିଓକେୟୁ ଦ୍ୱୀପକୁ ନେଇ ଚାଇନା ଜାପାନ ସହିତ ବିବାଦ ବହୁ ଦିନରୁ ଲାଗି ରହିଛି। ଭିଏତ୍‌ନାମର ମେକ୍କାଲେସ୍‌, ପାରାସୋଲ୍‌ ଏବଂ ଇସ୍ପାର୍ଟେଲ ଆଦି ଅଞ୍ଚଳକୁ ନେଇ ଚାଇନାର ବିବାଦ ରହିଛି। ନେପାଳର ଦୋଲଖାକୁ ବିବାଦ ରହିଛି। ସେହିପରି କଜାକିସ୍ତାନର ୧୪ ହଜାର ବର୍ଗ କିମି ଜମିକୁ ନେଇ ବିବାଦ ରହିଛି। ଉତ୍ତରକୋରିଆର ମାଉଣ୍ଟ ପିକଟୁ ଏବଂ ଦକ୍ଷିଣ କୋରିଆ ସହିତ ପୂର୍ବ ଚାଇନା ସାଗରରେ ବିବାଦ ରହିଛି। ତାଜିକିସ୍ତାନଠାରୁ ୧୯୯୯ରେ ୨୦୦ ବର୍ଗକିମି ଜମି ଏବଂ ୨୦୦୨ରେ ୧୧୨୨ ବର୍ଗକିମି ଜମି ଚାଇନା ଦଖଲ କରିନେଇଛି। କିର୍ଗିଜସ୍ତାନ ସହିତ ୭୨୫୦ ବର୍ଗ କିମି ଜମି ଉପରେ ଚାଇନାର ବିବାଦ ରହିଛି। ଏହାକୁ ହାତେଇବା ଲାଗି ଚାଇନା ଉଦ୍ୟମ କରୁଛି।

Share