ଭୁବନେଶ୍ୱର,୨୭ା୬(ସୁନିତ୍ ମିଶ୍ର):ପୂର୍ବ ଭାରତରେ ଶିଳ୍ପାୟନର ବିକାଶକୁ ଆହୁରି ତ୍ୱରାନ୍ବିତ କରିବା ଏବଂ ଆଞ୍ଚଳିକ ସହଯୋଗ ମାଧ୍ୟମରେ ସନ୍ତୁଳିତ ଅଭିବୃଦ୍ଧି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଏକ ନୂଆ ପ୍ଲାଟ୍ଫର୍ମ ‘ଗୋ-ଇଷ୍ଟ’ର ଘୋଷଣା କରିଛନ୍ତି। ଭୁବନେଶ୍ୱରର ଏକ ହୋଟେଲରେ ଆୟୋଜିତ ଭାରତୀୟ ଶିଳ୍ପ ମହାସଂଘ ବା ‘ସିଆଇଆଇ’ ପୂର୍ବାଞ୍ଚଳ ପରିଷଦ ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଗୋ ଇଷ୍ଟ’ର ଅର୍ଥ ହେଉଛି ‘ଗଭର୍ନମେଣ୍ଟ ଅଫ୍ ଓଡ଼ିଶା-ଇଷ୍ଟର୍ନ ଇନ୍ଭେଷ୍ଟମେଣ୍ଟ ଆକ୍ସିଲରେଟ୍ ଆଣ୍ଡ୍ ସ୍ପେଶିଆଲ ଟାକ୍ସ ଫୋର୍ସ’। ଏହି ନୂତନ ପଦକ୍ଷେପ ମାଧ୍ୟମରେ ସମଗ୍ର ପୂର୍ବାଞ୍ଚଳ ଓ ପୂର୍ବୋତ୍ତର ରାଜ୍ୟର ଶିଳ୍ପଗୋଷ୍ଠୀଗୁଡ଼ିକ ତାଙ୍କ ନିଜ ରାଜ୍ୟରେ ତାଙ୍କର ଇଣ୍ଡଷ୍ଟ୍ରିଆଲ ବେସ୍ ଓ ମାର୍କେଟ୍କୁ ସୁରକ୍ଷିତ ରଖି ଓଡ଼ିଶାରେ ନିବେଶ କରିବାକୁ ବ୍ୟାପକ ସୁଯୋଗ ପାଇବେ। ଗତ ୨ ବର୍ଷ ମଧ୍ୟରେ ଓଡ଼ିଶାର ଶିଳ୍ପାୟନ ପ୍ରକ୍ରିୟା ବ୍ୟାପକ ସ୍ତରରେ ପହଞ୍ଚିଥିବା ବେଳେ ଆସନ୍ତା ୫ ବର୍ଷ ମଧ୍ୟରେ ଓଡ଼ିଶା ଶିଳ୍ପାୟନ ଓ ଅଭିବୃଦ୍ଧି କ୍ଷେତ୍ରରେ ପୂର୍ବ ଭାରତର ଶ୍ରେଷ୍ଠ ରାଜ୍ୟରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ବିଶ୍ୱାସ ବ୍ୟକ୍ତ କରିଛନ୍ତି।
ଏହି ସ୍ବତନ୍ତ୍ର ‘ଗୋ ଇଷ୍ଟ’ ନୀତି ଅଧୀନରେ ରାଜ୍ୟରେ ଏକ ଉଚ୍ଚସ୍ତରୀୟ ସ୍ବତନ୍ତ୍ର ଟାକ୍ସ ଫୋର୍ସ ଗଠନ କରାଯିବ, ଯାହା ସମସ୍ତ ନିବେଶ ପ୍ରକଳ୍ପକୁ ତ୍ୱରାନ୍ବିତ କରିବା ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ। ଏହାସହ ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ‘ଇପିକଲ’ ମଧ୍ୟରେ ଏକ ସମର୍ପିତ ‘ଗୋ ଇଷ୍ଟ ସେଲ୍’ ଗଠନ କରାଯିବ। ନିବେଶ ପ୍ରକ୍ରିୟା ଏବଂ ମଞ୍ଜୁରୀର ସ୍ଥିତିକୁ ରିଅଲ ଟାଇମ୍ ମନିଟରିଂ ଓ ଟ୍ରାକିଂ କରିବା ପାଇଁ ଏକ ସ୍ବତନ୍ତ୍ର ‘ଗୋ ସ୍ବିଫ୍ଟ’ ମ଼ଡ୍ୟୁଲ ମଧ୍ୟ ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ପଦକ୍ଷେପ ଫଳରେ ଓଡ଼ିଶାର ସୀମାବର୍ତ୍ତୀ ଜିଲାଗୁଡ଼ିକରେ ସର୍ବାଧିକ ପୁଞ୍ଜିନିବେଶ ହେବା ସହ ସେଠାରେ ଅନେକ ନୂଆ ଇଣ୍ଡଷ୍ଟ୍ରିଆଲ ଗ୍ରୋଥ୍ ସେଣ୍ଟର (ଶିଳ୍ପ ବିକାଶ କେନ୍ଦ୍ର) ଗଢ଼ିଉଠିବ, ଯାହା ସ୍ଥାନୀୟ ଅଞ୍ଚଳର ରୂପରେଖ ବଦଳାଇବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଶିଳ୍ପନୀତି ରିଜୋଲ୍ୟୁଶନ-୨୦୨୨ରେ କିଛି ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରାଯାଇଥିବା ନେଇ ସୂଚନା ଦେଇଛନ୍ତି। ଏହି ସଂଶୋଧନ ଦ୍ୱାରା ରାଜ୍ୟର ଆର୍ଥିକ ଅନଗ୍ରସର ଓ ପଛୁଆ ଅଞ୍ଚଳ ଭାବେ ପରିଚିତ ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, କନ୍ଧମାଳ, ବୌଦ୍ଧ ଓ ଗଜପତି ଭଳି ୧୫ ପ୍ରମୁଖ ଜିଲାରେ ଅଣ ଖଣିଜ ଦ୍ରବ୍ୟଭିତ୍ତିକ ଶିଳ୍ପ ପ୍ରତିଷ୍ଠା ପାଇଁ ଏକ ବ୍ୟାପକ ସୁଯୋଗ ସୃଷ୍ଟିହେବ। ଏହି ଜିଲାଗୁଡ଼ିକୁ ‘ଥ୍ରଷ୍ଟ ସେକ୍ଟର’ ବା ଅଗ୍ରାଧିକାର ଶ୍ରେଣୀରେ ସାମିଲ କରାଯିବ। ଏହାଦ୍ୱାରା ରାଜ୍ୟରେ ସନ୍ତୁଳିତ ଆଞ୍ଚଳିକ ବିକାଶ ସମ୍ଭବ ହୋଇପାରିବ।
କାର୍ଯ୍ୟକ୍ରମରେ ଜୁପିଟର ୱାଗନ୍ସ, ସିଂହଲ ଷ୍ଟିଲ୍, ମାସ୍କଟ ଷ୍ଟିଲ୍, ଶ୍ୟାମ ମେଟାଲିକ୍ସ ଏବଂ ସିଇଏସ୍ସି ଗ୍ରୀନ୍ ଏନର୍ଜି ଭଳି ପ୍ରମୁଖ କମ୍ପାନୀର ୨୩୦ରୁ ଅଧିକ ପ୍ରତିନିଧି ଯୋଗଦେଇଥିଲେ। ବୈଠକ ଅବସରରେ ଇସ୍ପାତ, ଡାଉନଷ୍ଟ୍ରିମ୍, ବସ୍ତ୍ରବୟନ, ବିଦ୍ୟୁତ, ସବୁଜ ଶକ୍ତି ଉପକରଣ ଏବଂ କେମିକାଲ୍ସ ଭଳି ୬ଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ୭ଟି ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷରିତ ହୋଇଛି। ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ରାଜ୍ୟକୁ ପ୍ରାୟ ୨୪,୮୨୩ କୋଟି ଟଙ୍କାର ପୁଞ୍ଜିନିବେଶ ଆସିବ ଏବଂ ପ୍ରାୟ ୨୯,୫୦୦ ଲୋକଙ୍କୁ କର୍ମସଂସ୍ଥାନ ମିଳିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହି ଅବସରରେ ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼ ଏବଂ ଝାଡ଼ଖଣ୍ଡ ସମେତ ପୂର୍ବ ଭାରତର ପ୍ରାୟ ୫୫ ଜଣ ପ୍ରମୁଖ ଶିଳ୍ପଦ୍ୟୋଗୀଙ୍କ ସହ ମୁଖ୍ୟମନ୍ତ୍ରୀ ସିଧାସଳଖ ଆଲୋଚନା କରିଛନ୍ତି।
ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ ସମସ୍ତ ଶିଳ୍ପଦ୍ୟୋଗୀଙ୍କୁ କହିଛନ୍ତି, ଗତ କିଛି ଦଶନ୍ଧି ଧରି ଭାରତର ଅର୍ଥନୈତିକ ଅଭିବୃଦ୍ଧି ମୁଖ୍ୟତଃ ପଶ୍ଚିମ ଓ ଦକ୍ଷିଣ କରିଡର ଉପରେ ନିର୍ଭର କରୁଥିଲା। ମାତ୍ର ବର୍ତ୍ତମାନ ଭାରତର ବିକାଶ କାହାଣୀର ପରବର୍ତ୍ତୀ ବଡ଼ ଅଧ୍ୟାୟ ପୂର୍ବ ଭାରତରେ ଲେଖାଯାଉଛି। ପୂର୍ବରୁ ଶିଳ୍ପ ପ୍ରତିଷ୍ଠା ପାଇଁ ଲାଗୁଥିବା ୪୦୦ ଦିନର ସମୟ ଏବେ କମି ୧୬୦ ଦିନରୁ କମ୍ କରିବାକୁ ଲକ୍ଷ୍ୟ ରଖାଯାଇଛି। ଜୁନ୍ ୨୦୨୪ଠାରୁ ଓଡ଼ିଶା ସରକାର ପ୍ରାୟ ୯.୫ ଲକ୍ଷ କୋଟି ଟଙ୍କାର ୪୭୭ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ଏହାଦ୍ୱାରା ପ୍ରାୟ ୬ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏଥିମଧ୍ୟରୁ ୩.୧୧ ଲକ୍ଷ କୋଟିରୁ ଅଧିକ ନିବେଶ ସହ ୧୫୨ଟି ପ୍ରକଳ୍ପର ଗ୍ରାଉଣ୍ଡିଂ ଶେଷହୋଇ ସେଗୁଡିକ ଉଦ୍ଘାଟନ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଅବସରରେ ଶିଳ୍ପମନ୍ତ୍ରୀ ସମ୍ପଦ ଚରଣ ସ୍ବାଇଁ କହିଛନ୍ତି, ଓଡ଼ିଶାରେ ଶିଳ୍ପ ଅନୁକୂଳ ନୀତି ସହ ଏକ ବଡ଼ ଏବଂ ଆଶାବାଦୀ ଯୁବ କାର୍ଯ୍ୟବଳ ରହିଛନ୍ତି। ନୂତନ ‘ଗୋ ଇଷ୍ଟ’ ଯୋଜନା ସୀମାବର୍ତ୍ତା ଓ ପଛୁଆ ଜିଲାଗୁଡ଼ିକରେ ଶିଳ୍ପାୟନର ଏକ ନୂଆ ଯୁଗ ଆରମ୍ଭ କରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏହି ଅବସରରେ ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ପାଓ୍ବାର ପଏଣ୍ଟ ଉପସ୍ଥାପନା ମାଧ୍ୟମରେ ଓଡ଼ିଶାର ଶିଳ୍ପ ଅଭିବୃଦ୍ଧି ଓ ନିବେଶର ସଫଳ ଚିତ୍ର ସିଆଇଆଇ ସଦସ୍ୟମାନଙ୍କ ସମ୍ମୁଖରେ ରଖିଥିଲେ।