ଭୁବନେଶ୍ୱର, ୯।୫(ସୁନିତ୍ ମିଶ୍ର):ବାଲିଅନ୍ତାରେ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାର ଠିକ୍ ଓ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଲୋକସେବା ଭବନରେ ଶନିବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବାଲିଅନ୍ତାରେ ହୋଇଥିବା ଭିଡ଼ ହତ୍ୟା ଘଟଣାକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନ ହୁଏ, ସେଥିପାଇଁ ପୋଲିସ ମହାନିର୍ଦ୍ଦେଶକ ସତର୍କ ଓ ସଜାଗ ରହିବା ପାଇଁ ତାଗିଦ କରିଛନ୍ତି।
ରାଜ୍ୟରେ ଆଇନ ଶାସନ ପ୍ରତିଷ୍ଠା ଲାଗି ପୋଲିସ କଠୋରରୁ କଠୋରତମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ପୋଲିସ ମହାନିର୍ଦ୍ଦେଶକ ଓ୍ବାଇ. ବି. ଖୁରାନିଆ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର, ଗୋଇନ୍ଦା ନିର୍ଦ୍ଦେଶକ ଆର୍.ପି. କୋଚ୍ଚେ, ଅତିରିକ୍ତ ମହାନିର୍ଦ୍ଦେଶ ଆଇନ ଶୃଙ୍ଖଳା ସଞ୍ଜୟ କୁମାର, ଏଡିଜି କ୍ରାଇମବ୍ରାଞ୍ଚ ବିନୟତୋଷ ମିଶ୍ର, ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ ଏବଂ ଡିସିପି ଜଗନମୋହନ ମୀନା ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ବାଲିଅନ୍ତାରେ ଜିଆର୍ପି କନଷ୍ଟେବଲ ସୌମ୍ୟରଞ୍ଜନ ସ୍ବାଇଁ ଜଣେ ଝିଅକୁ ରାସ୍ତା ଉପରେ ଖରାପ ବ୍ୟବହାର କରିବା କଥାକୁ ନେଇ ସେଠାରେ ଉପସ୍ଥିତ ଲୋକମାନେ ଉତ୍ତ୍ୟକ୍ତ ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ସ୍ଥାନୀୟ ଲୋକମାନେ ସୌମ୍ୟଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ସମୟର ଅନେକ ଭିଡିଓ ସମ୍ପୂର୍ଣ୍ଣ ଦେଶ ଭିତରେ ଓ ବାହାରେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି; ଯାହାକୁ ନେଇ ଓଡ଼ିଶାକୁ ସବୁଆଡୁ ନିନ୍ଦା କରାଯାଉଛି। ଘଟଣା ଦିନ ମୁଖ୍ୟମନ୍ତ୍ରୀ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଶନିବାର ୨ ଦିନିଆ ପଶ୍ଚିମବଙ୍ଗ ଗସ୍ତ ଶେଷକରି ଫେରିବା ପରେ ମୁଖ୍ୟମନ୍ତ୍ରୀ ତୁରନ୍ତ ବୈଠକ ଡକାଇ ଏ ପ୍ରକାର ଘଟଣାର ପୁନରାବୃତ୍ତି ରୋକିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
Dharitri – Odisha’s No.1 Odia Daily