କୁକୁଡ଼ା ମାଂସ ଓ ବିଘ୍ନଜ ପ୍ରତିରୋଧ

ଆମିଷ ଖାଦ୍ୟ ମଧ୍ୟରେ ଏବେ କୁକୁଡ଼ା ମାଂସ ଏକ ପ୍ରମୁଖ ସ୍ଥାନ ଅଧିକାର କରିଛି। ଅନ୍ୟାନ୍ୟ ମାଂସ ତୁଳନାରେ ଏହା କେବଳ ଯେ ପୁଷ୍ଟିକର ତା’ ନୁହେଁ ନିରାପଦ ମଧ୍ୟ। ଏଥିରେ ଶ୍ୱେତସାର ପ୍ରାୟତଃ ନ ଥିଲାବେଳେ ଥାଏ ହାରାହାରି ୧୦୦ ଗ୍ରାମ୍‌ ପ୍ରତି ୨୪.୬୮ ଗ୍ରାମ୍‌ ପ୍ରୋଟିନ୍‌। ୧୨ ଗ୍ରାମ୍‌ ସ୍ନେହସାର, ୬୩.୯୩ ଗ୍ରାମ୍‌ ଜଳ ଏବଂ ଯଥେଷ୍ଟ ପରିମାଣରେ ଭିଟାମିନ୍‌ ଏ, ବି-୬ ଓ ବି-୫ ତଥା ଲୌହ, ୨୧୯ କିଲୋ କ୍ୟାଲୋରି। ଏହା ବ୍ୟତୀତ ଏହାର ୧୨ ଗ୍ରାମ୍‌ ସ୍ନେହସାର ମଧ୍ୟରେ କେବଳ ୩.୫ ଗ୍ରାମ୍‌ ପରିପୃକ୍ତ (ସାଚୁରେଟେଡ୍‌) ଏବଂ ୪.୯୩ ଗ୍ରାମ୍‌ ଏକକ-ଅପରିପୃକ୍ତ (ମନୋ-ଅନ୍‌ସାଚୁରେଟେଡ୍‌) ତଥା ୨.୭୪ ଗ୍ରାମ୍‌ ବହୁଳ ଅପରିପୃକ୍ତ (ପଲି-ଅନ୍‌ସାଚୁରେଟେଡ୍‌)। ଅତଏବ ହୃଦ୍‌ରୋଗୀ ଏବଂ ପୃଥୁଳକାୟଙ୍କ ପାଇଁ ଏହା ଅପେକ୍ଷାକୃତ ନିରାପଦ। ସେହିପରି ଏହାର ପ୍ରୋଟିନ୍‌ରେ ଥାଏ ୯ ପ୍ରକାର ଅତ୍ୟାବଶ୍ୟକ ଆମିନୋଅମ୍ଳ। ସେଗୁଡିକ ମଧ୍ୟରେ ପ୍ରମୁଖ ହେଲା ଲାଇସିନ୍‌, ଥ୍ରେଓନିନ୍‌, ଲାଗୁରିନ୍‌, ଆଇସୋ- ଲିଉସିନ୍‌ ଇତ୍ୟାଦି।
ପୃଥିବୀରେ କୁକୁଡ଼ା ମାଂସର ଚାହିଦା ବାର୍ଷିକ ୯୦ ହଜାର ନିୟୁତ (ବିଲିୟନ୍‌) ଟନ୍‌ ଅତିକ୍ରମ କରିଗଲାଣି। ତଥାପି ବିଗତ କେତେ ଦଶନ୍ଧି ଧରି ଏହା ବାର୍ଷିକ ୫/୭ ଶତାଂଶ କୁକୁଡ଼ା ପାଳନ କେନ୍ଦ୍ର ବା ଫାର୍ମଗୁଡ଼ିକ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏଣୁ ଏହା ଏକ ଦ୍ରୁତ ବର୍ଦ୍ଧିଷ୍ଣୁ ବ୍ୟବସାୟରେ ପରିଣତ ହୋଇଛି। ପରିଣାମ ରୂପେ ସମସ୍ତ ସଘନ କୃଷି ବା ପଶୁପାଳନ ଭଳି ଏହା ମଧ୍ୟ ଆଣୁଛି ନାନାଦି ଉତ୍କଟ ସ୍ବାସ୍ଥ୍ୟ ଏବଂ ପରିବେଶଜନିତ ସମସ୍ୟା। ବାର୍ଡ ଫ୍ଲୁକୁ ଏହାର ଅନ୍ୟତମ ଦୃଷ୍ଟାନ୍ତ ରୂପେ ଗ୍ରହଣ କରାଯାଇପାରେ। ତେବେ ଉତ୍ପାଦନ ଆହୁରି ବଢ଼ାଇବା ପାଇଁ ଏବଂ ତାହାକୁ ଅଧିକ ଲାଭଜନକ କରିବା ଲାଗି ଉତ୍କୁଣ୍ଠିତ ଫାର୍ମ ମାଲିକମାନେ ଆଶ୍ରୟ ନେଇଛନ୍ତି। କୃତ୍ରିମ ତଥା ବିଜ୍ଞାନସମ୍ମତ ହୋଇ ନ ଥିବା ପଦ୍ଧତିମାନଙ୍କର। ତନ୍ମଧ୍ୟରୁ ଅନ୍ୟତମ ହେଲା ବିଘ୍ନଜ ବା ଆଣ୍ଟି-ବାଇଓଟିକ୍‌ସର ଅପରିଣାମଦର୍ଶୀ ବିନିଯୋଗ। ଏହାକୁ କେବଳ କୁକୁଡ଼ାଙ୍କ ରୋଗ ନିରାକରଣ ଲାଗି ବ୍ୟବହାର କରାଯାଉନାହିଁ ବରଂ ତାଙ୍କୁ ରୋଗ ନ ହେବା ପାଇଁ ପ୍ରତିଶୋଧନ ରୂପେ ଏବଂ ସେଗୁଡିକର ଦ୍ରୁତ ଶାରୀରିକ ବୃଦ୍ଧିରେ ସହାୟକ ହେବା ପାଇଁ ମଧ୍ୟ ବହୁଳ ଭାବେ ଏହା କରାଯାଉଛି। ଫଳରେ ଯେଉଁ ଭୟଙ୍କର ପରିଣାମଗୁଡିକର ଉଦ୍ଭବ ଘଟୁଛି ତହିଁରୁ ଅଗ୍ରଗଣ୍ୟ ବିଘ୍ନଜ ପ୍ରତିରୋଧ ବା ଆଣ୍ଟି ବାଇଓଟିକ୍‌ ରେଜିଷ୍ଟାନ୍ସ।
ଏବେ ଭାରତ ସମେତ ପୃଥିବୀର ଅନେକ ଦେଶରେ ସଘନ ପଶୁପାଳନ କେନ୍ଦ୍ର ଏବଂ ବିଶେଷକରି କୁକୁଡ଼ା ପାଳନ କେନ୍ଦ୍ରରେ ବ୍ୟବହାର ହେଉଛି ପ୍ରଚୁର ବିଘ୍ନଜ। ଫଳରେ ସୃଷ୍ଟି ହେଉଛନ୍ତି ବିଘ୍ନଜ ପ୍ରତିରୋଧ ଶକ୍ତିସମ୍ପନ୍ନ ବୀଜାଣୁ, କବକ ଇତ୍ୟାଦି। ଅତଏବ ସେମାନେ ମଣିଷଠାରେ ସୃଷ୍ଟି କରୁଥିବା ରୋଗଗୁଡିକର ଚିକିତ୍ସା ସମ୍ଭବ ହୋଇପାରୁନାହିଁ। କ୍ରମଶଃ ଏ ସମସ୍ୟା ବିଶ୍ୱବ୍ୟାପୀ ଏବଂ ବିଶେଷକରି ବିକାଶଶୀଳ ଦେଶଗୁଡ଼ିକରେ ଅଧିକ ଗୁରୁତର ହେବାକୁ ଆରମ୍ଭ କରିଛି ବୋଲି ସଚେତନ କରାଇଦେଇଛି, ପ୍ରୋସିଡିଙ୍ଗସ୍‌ ଅଫ୍‌ ଦ ନ୍ୟାଶନାଲ ଏକାଡେମୀ ଅଫ୍‌ ସାଇନ୍‌ସେସ୍‌ରେ ପ୍ରକାଶିତ ଏକ ନିବନ୍ଧ (ମାର୍ଚ୍ଚ, ୨୦୧୬)।
ଏହା ରଚନା କରିଥିବା ଗବେଷକମାନେ ସୂଚିତ କରିଛନ୍ତି ଯେ, ବର୍ତ୍ତମାନ କେବଳ ବିତ୍ତଶାଳୀ ଦେଶ ସମୂହରେ ନୁହେଁ ନିମ୍ନ ତଥା ମଧ୍ୟମ ଆୟକାରୀ ଦେଶଗୁଡ଼ିକରେ ମଧ୍ୟ ପ୍ରାଣୀଜ ପ୍ରୋଟିନ୍‌ର ଚାହିଦା ବେଶ୍‌ ବଢ଼ି ଚାଲିଛି। ଏହି ଧାରା ଅବ୍ୟାହତ ରହିଲେ ଆଗାମୀ ଦୁଇ ଦଶକ ମଧ୍ୟରେ କୁକୁଡା ସମେତ ଅନ୍ୟ ସବୁ ପଶୁପାଳନ କ୍ଷେତ୍ରରେ ବିଘ୍ନଜର ବ୍ୟବହାର ପ୍ରାୟ ୬୭ ପ୍ରତିଶତ ବୃଦ୍ଧି ପାଇବ। ବ୍ରାଜିଲ୍‌, ରୁଷିଆ, ଭାରତ, ଚାଇନା ଏବଂ ଦକ୍ଷିଣ ଆଫ୍ରିକା ଅର୍ଥାତ୍‌ ‘ବ୍ରିକସ’ ଦେଶ ସମୂହରେ ଏହା ଆହୁରି ଅଧିକ, ଅର୍ଥାତ୍‌ ୯୦ରୁ ୯୯ ପ୍ରତିଶତ ହେବାର ସମ୍ଭାବନା ରହିଛି। ପ୍ରିନ୍‌ସେଟ୍‌ସ ବିଶ୍ୱବିଦ୍ୟାଳୟର ଗବେଷକ ଥୋମାସ ପି. ଭାନ୍‌ ବୋଏକେଲଙ୍କ ମତରେ ୨୦୩୦ ମସିହା ସୁଦ୍ଧା ଭାରତ ଭଳି କେତେକ ଦେଶରେ ବିଘ୍ନଜର ଏପରି ଅପବ୍ୟବହାର ହେଉଥିବା ପ୍ରାଣୀଙ୍କ ମାଂସର ଚାହିଦା ୨୦୧୦ ମସିହା ତୁଳନାରେ ଦ୍ୱିଗୁଣିତ ହୋଇଯାଇପାରେ। (ବାର୍ଷିକ ପ୍ରାୟ ୫ ଶତାଂଶ ହାରରେ ବୃଦ୍ଧି)।
ଅନ୍ୟପକ୍ଷରେ ଜନସଂଖ୍ୟା ବୃଦ୍ଧି ଏହା ତୁଳନାରେ ଯଥେଷ୍ଟ କମ୍‌ ହେଉଥିବା ଦୃଷ୍ଟିରୁ ମୁଣ୍ଡପିଛା ବିଘ୍ନଜ ବ୍ୟବହାର ଖୁବ୍‌ ଅଧିକ ହୋଇଯିବ। ବିଶେଷ କରି କୁକୁଡ଼ା ପାଳନ କ୍ଷେତ୍ରରେ ଏହା ୪୭୭ ଶତାଂଶ ବୃଦ୍ଧି ପାଇଲାବେଳେ ଘୁଷୁରି କ୍ଷେତ୍ରରେ ତାହା ହେବ ୧୬୪ ପ୍ରତିଶତ। ତହିଁରୁ ବହୁ ମାତ୍ରାରେ ପରିବେଶକୁ ନିର୍ଗତ ହେଲାବେଳେ, ଏହାର କିଛି ଗୁରୁତ୍ୱପୂର୍ଣ୍ଣ ଭାଗ ଖାଦ୍ୟ ଆଦି ମାଧ୍ୟମରେ ଶରୀର ମଧ୍ୟକୁ ପ୍ରବେଶ କରିବ।
କେତେକେ ପ୍ରଶ୍ନ କରିପାରନ୍ତି ଯେ, କୁକୁଡ଼ା ସମେତ ଅନ୍ୟାନ୍ୟ ପଶୁଙ୍କ ମାଂସ ଥିବା ବଳକା ବିଘ୍ନଜ ଏବଂ ବିଘ୍ନଜ ପ୍ରତିରୋଧ ଶକ୍ତିସମ୍ପନ୍ନ ଜୀବାଣୁ ରନ୍ଧନ ସମୟରେ ନଷ୍ଟ ହେଉ ନାହାନ୍ତି କାହିଁକି? ପ୍ରକୃତରେ ତାହା ଅନେକ ମାତ୍ରାରେ ହୁଏ। ଅଧିକାଂଶ ବିଘ୍ନଜ ଅଣୁ ଏବଂ ଜୀବାଣୁ ଏଥିରେ ନଷ୍ଟ ହୋଇଯାଆନ୍ତି। କିନ୍ତୁ କୁକୁଡ଼ାର ପେଟ ଭିତର ଏକ ଉଷ୍ଣ, ଅତିଥି ପରାୟଣ ରିଆକ୍ଟର କିମ୍ବା ଜୀବାଣୁ ଭଳି ସୂକ୍ଷ୍ମ ଜୀବମାନଙ୍କ ପାଇଁ ଏକ ଦ୍ୱିତୀୟ କ୍ରୀଡ଼ା ଭୂମି ରୂପେ କାର୍ଯ୍ୟକୁ ଏଠାରେ କେବଳ ସାଧାରଣ ନୁହେଁ, ଧ୍ରୁବୀକରଣ ହୋଇଥିବା (ମ୍ୟୁଟାଣ୍ଟ) ଜାତିଗୁଡ଼ିକର ମଧ୍ୟ ବୃଦ୍ଧି ଘଟିପାରେ। ଏମାନଙ୍କ ମଧ୍ୟରୁ କେତେକ ତାପପ୍ରତିରୋଧ ଶକ୍ତି ସମ୍ପନ୍ନ ହେଲାବେଳେ ଆଉ କେତେକଙ୍କଠାରେ ବହୁ ଔଷଧ ପ୍ରତିରୋଧ ଗୁଣ ପ୍ରକଟିତ ହୁଏ। ପୁନଶ୍ଚ କୁକୁଡ଼ାର ଖାଦ୍ୟ ରୂପେ ବ୍ୟବହୃତ ହେଉ ନ ଥିବା ଅଂଶଗୁଡ଼ିକୁ ଫିଙ୍ଗି ଦିଆଯାଏ। ତାହା ଜଳ ଓ ମାଟିରେ ମିଶି ସେଥିରେ ଥିବା ଜୀବମାନଙ୍କୁ ପ୍ରଭାବିତ କରନ୍ତି। ଅନେକ ସମୟରେ ଏ ପ୍ରକାର ଜୀବାଣୁ ପଶୁମାନଙ୍କୁ ଏବଂ ପଶୁମାନଙ୍କଠାରୁ ମନୁଷ୍ୟମାନଙ୍କୁ ସଂକ୍ରମିତ କରିଥାନ୍ତି। ସାର୍‌ ଜୀବାଣୁ, ଏଚ୍‌-୧ ଏନ୍‌-୧ ଏବଂ ଏଚ୍‌ଆଇଭି ଭୂତାଣୁ ଇତ୍ୟାଦି ଏହାର ଉଦାହରଣ। ଏଣୁ ସାଧାରଣ ଭାବେ ପଶୁପାଳନ ଏବଂ ବିଶେଷ ଭାବେ କୁକୁଡ଼ା ପାଳନ କେନ୍ଦ୍ରରେ ବିଘ୍ନଜ ଉଚିତ ମାତ୍ରାରେ ବ୍ୟବହାର ଲାଗି କଟକଣା ହେବା ଦରକାର। ଫାର୍ମ ମାଲିକମାନେ ମଧ୍ୟ ଜନସାଧାରଣଙ୍କ ସ୍ବାର୍ଥ ଦୃଷ୍ଟିରୁ ଏହାକୁ ଏକ ସାମାଜିକ ଦାୟିତ୍ୱ ରୂପେ ତୁଲାଇବା ଉଚିତ।

ପ୍ର. ରମେଶ ଚନ୍ଦ୍ର ପରିଡ଼ା
-ଉଷାନିବାସ, ୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ: ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ମହମ୍ମଦ ୟୁନୁସ ହେବେ କି ବାଂଲାଦେଶର ରାଷ୍ଟ୍ରପତି? ନୂତନ ଭୂମିକାକୁ ନେଇ ବଢ଼ିଲା ଚର୍ଚ୍ଚା

ଢାକା,୧୫।୨: ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବା ବେଳେ, ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଫେବୃଆରୀ ୧୨ରେ…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭାୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

IND vs PAK ମ୍ୟାଚ୍ ସମୟରେ କିପରି ରହିବ ପାଗ? ଶ୍ରୀଲଙ୍କାରେ ବର୍ଷା…

କଲମ୍ୱୋ,୧୫ା୨:  ଭାରତ ବନାମ ପାକିସ୍ତାନ ମ୍ୟାଚ୍ ସମୟରେ ବର୍ଷାର ଆଶଙ୍କା ଅଧିକ ରହିଛି । ଏହି T୨୦ ବିଶ୍ୱକପ୍ ୨୦୨୬ ମୁକାବିଲା କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ସନ୍ଧ୍ୟା…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

ଟି୨୦ ବିଶ୍ୱକପ୍‌ ମଝିରେ ଏହି ଦଳକୁ ଝଟ୍‌କା: ହଠାତ୍‌ ଘରକୁ ଫେରିଗଲେ…

ଚେନ୍ନାଇ,୧୫।୨: ଟି-୨୦ ବିଶ୍ୱକପ୍‌ରେ ନ୍ୟୁଜିଲ୍ୟାଣ୍ଡ ଦଳର ସବୁଠାରୁ ସଫଳ ବୋଲର ଲକି ଫର୍ଗୁସନ ଅଧାରୁ ଟୁର୍ନାମେଣ୍ଟ ଛାଡ଼ି ଘରକୁ ଫେରିଛନ୍ତି। ଫେବୃଆରୀ ୧୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷ…

ବିଜେଡି ମହିଳା ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ: ଜାଣନ୍ତୁ କାହାକୁ କେଉଁଠି ମିଳିଲା…

ଭୁବନେଶ୍ୱର,୧୫ା୨: ବିଜୁ ମହିଳା ଜନତା ଦଳ (BMJD) ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ଜିଲା ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଦାୟିତ୍ୱ ବଣ୍ଟନ କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri