ଛତ୍ରପୁର, ୧୪।୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତାର ହାତ ବଢ଼ାଇଛି ଛତ୍ରପୁରସ୍ଥିତ ୟୁରୋ ସ୍କୁଲ। ‘ଅର୍ଣ୍ଣବ ରିଲିଫ୍ ପାଣ୍ଠି’କୁ ସ୍କୁଲ ପକ୍ଷରୁ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇ ଅନ୍ୟମାନଙ୍କ ପାଇଁ ଏକ ମହତ୍ ଉଦାହରଣ ସୃଷ୍ଟି କରାଯାଇଛି। ଜିଲ୍ଲାର ପ୍ରଥମ ଶିକ୍ଷାନୁଷ୍ଠାନ ଭାବେ ୟୁରୋ ସ୍କୁଲ ଏହି ସହାୟତା ପ୍ରଦାନ କରି ମାନବିକତାର ପରିଚୟ ଦେଇଛି।
ବନ୍ୟା ବିପର୍ଯ୍ୟୟରେ ପ୍ରଭାବିତ ଜନସାଧାରଣଙ୍କୁ ରିଲିଫ୍ ଓ ଆବଶ୍ୟକୀୟ ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ ଗଠିତ ଅର୍ଣ୍ଣବ ରିଲିଫ୍ ପାଣ୍ଠିକୁ ବିଭିନ୍ନ ସରକାରୀ ଅଧିକାରୀ, କର୍ମଚାରୀ, ପୋଲିସ ବିଭାଗ, ସାମ୍ବାଦିକ ସଂଘ ସମେତ ବିଭିନ୍ନ ସଂସ୍ଥା ସ୍ୱେଚ୍ଛାକୃତ ଭାବେ ଆର୍ଥିକ ସହଯୋଗ ପ୍ରଦାନ କରୁଛନ୍ତି। ଏହି ଅଭିଯାନରେ ସାମିଲ ହୋଇ ସ୍କୁଲର ଅଧ୍ୟକ୍ଷ ରଞ୍ଜନ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ମୁଖ୍ୟ ପୃଷ୍ଠପୋଷକ ସସ୍ମିତା ମହାପାତ୍ର ପବିତ୍ର ଶିଶୁ ଦିବସ ଅବସରରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କୁ ସାକ୍ଷାତ କରି ଏକ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ସ୍କୁଲ କର୍ତ୍ତୃପକ୍ଷଙ୍କ ଏଭଳି ସାମାଜିକ ଦାୟିତ୍ୱବୋଧ ଓ ମାନବିକତାପୂର୍ଣ୍ଣ ପଦକ୍ଷେପକୁ ଜିଲ୍ଲାପାଳ ଭୂୟସୀ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଥିଲେ। ଏହି ପଦକ୍ଷେପ ଅନ୍ୟ ଶିକ୍ଷାନୁଷ୍ଠାନ ଓ ସଂଗଠନଗୁଡ଼ିକୁ ମଧ୍ୟ ସହଯୋଗ ପାଇଁ ପ୍ରେରଣା ଯୋଗାଇବ ବୋଲି ଆଶା ପ୍ରକାଶ ପାଇଛି।
ଉଲ୍ଲେଖଯୋଗ୍ୟ ଯେ, ୟୁରୋ ସ୍କୁଲ କେବଳ ଗୁଣାତ୍ମକ ଓ ବୈଷୟିକ ଶିକ୍ଷାଦାନରେ ସୀମିତ ନ ରହି ବିଭିନ୍ନ ସମୟରେ ସାମାଜିକ କାର୍ଯ୍ୟକଳାପରେ ନିଜର ଯୋଗଦାନ ରଖିଆସିଛି। କରୋନା ମହାମାରୀ ସମୟରେ ସ୍କୁଲ ପକ୍ଷରୁ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରିବା ସହ ମାସ୍କ ଓ ବିଭିନ୍ନ ଆବଶ୍ୟକୀୟ ସାମଗ୍ରୀ ବଣ୍ଟନ କରାଯାଇଥିଲା। ଏଥିସହ ସ୍କୁଲ ଆରମ୍ଭ ହେବାଠାରୁ ଅନେକ ଗରିବ ଓ ଅସହାୟ ପରିବାରର ଛାତ୍ରଛାତ୍ରୀଙ୍କୁ ମାଗଣାରେ ଶିକ୍ଷାଦାନ କରି ଶିକ୍ଷା ସହ ସେବା ଓ ସାମାଜିକ ଦାୟିତ୍ୱବୋଧର ଅନନ୍ୟ ଉଦାହରଣ ସୃଷ୍ଟି କରିଆସିଛି।

