Categories: ଖେଳ

ଚେନ୍ନାଇ ଦଳ: ହାଜେଲଉଡ୍‌ଙ୍କ ବଦଳରେ ବେହରେନଡର୍ଫ ସାମିଲ

ମୁମ୍ବାଇ,୧୦।୪(ପି.ଟି.): ଅଷ୍ଟ୍ରେଲିଆ ଦ୍ରୁତ ବୋଲର ଜୋଶ ହାଜେଲଉଡ୍‌ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରୁ ଓହରିଯିବା ପରେ ଚେନ୍ନାଇ ସୁପର କିଙ୍ଗ୍ସ ଦଳରେ ଅଦଳବଦଳ ହୋଇଛି। ହାଜେଲଉଡ୍‌ଙ୍କ ବଦଳରେ ଅନ୍ୟତମ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ଜାସନ ବେହରେନଡର୍ଫଙ୍କୁ ଚେନ୍ନାଇ ଦଳରେ ସାମିଲ କରାଯାଇଛି। ଆଇପିଏଲ୍‌ ଆୟୋଜକ ଏ ନେଇ ସୂଚନା ଦେଇଛନ୍ତି। ବାମହାତୀ ଦ୍ରୁତ ବୋଲର ବେହରେନଡର୍ଫ ଏ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ପାଇଁ ୧୧ଟି ଦିନିକିଆ ଓ ୭ଟି ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ଦ୍ୱିତୀୟଥର ପାଇଁ ସେ ଆଇପିଏଲ୍‌ ଖେଳିବାକୁ ଯାଉଛନ୍ତି। ପୂର୍ବରୁ ସେ ୨୦୧୯ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ପ୍ରତିନିଧିତ୍ୱ କରିଥିଲେ। ୫ଟି ମ୍ୟାଚ୍‌ ଖେଳି ସେ ୫ଟି ଉଇକେଟ ହାସଲ କରିଥିଲେ।
ଆଶେସ୍‌ ଓ ଭାରତରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ରେ ନିଜକୁ ପ୍ରସ୍ତୁତ କରିବା ପାଇଁ ହାଜେଲଉଡ ଆଇପିଏଲ୍‌ରୁ ଓହରିଯାଇଛନ୍ତି। ଗତ ସଂସ୍କରଣରେ ୩୦ ବର୍ଷୀୟ ହାଜେଲଉଡ୍‌ ଚେନ୍ନାଇ ପାଇଁ ୩ଟି ମ୍ୟାଚ୍‌ ଖେଳିଥିଲେ।

Share