ହାଇକୋର୍ଟରେ ଚଣ୍ଡୀ ମନ୍ଦିର ମାମଲା ଖାରଜ

କଟକ ଅଫିସ,୨୦ା୭: କଟକ ଚଣ୍ଡୀ ମନ୍ଦିର ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣକୁ ବିରୋଧ କରି ହାଇକୋର୍ଟରେ ରୁଜୁ ହୋଇଥିବା ମାମଲା ମଙ୍ଗଳବାର ଖାରଜ ହୋଇଯାଇଛି। ଶୈଳବାଳା ମହାବିଦ୍ୟାଳୟର ପୁରାତନ ଛାତ୍ରୀ ସଂସଦ ପକ୍ଷରୁ ଆଗତ ଆବେଦନର ଶୁଣାଣି କରି ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଏବଂ ବିଚାରପତି ଆର୍‌.କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାକୁ ଖାରଜ କରିଦେଇଛନ୍ତି। ଫଳରେ ଚଣ୍ଡୀ ମନ୍ଦିରର ସମ୍ପ୍ରସାରଣ ନେଇ ଏବେ କୌଣସି ଆଇନଗତ ପ୍ରତିବନ୍ଧକ ନାହିଁ।
ଚଣ୍ଡୀ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ମନ୍ଦିର ସମ୍ମୁଖରେ ଥିବା କଲେଜର ପ୍ରାୟ ୩ ହଜାର ବର୍ଗ ଫୁଟ ଜମି ଅଧିଗ୍ରହଣ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସମ୍ପୃକ୍ତ ଜମିରେ ମହାବିଦ୍ୟାଳୟର ଖେଳପଡ଼ିଆ ରହିଛି। ଏହାକୁ ଏକ ଧାର୍ମିକ ଅନୁଷ୍ଠାନ ପାଇଁ ଅଧିଗ୍ରହଣ କରାଯିବା ବେଆଇନ ବୋଲି ଦର୍ଶାଇ ଶୈଳବାଳା ପୁରାତନ ଛାତ୍ରୀ ସଂସଦ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା। ରାଜ୍ୟରେ ନାରୀ ଶିକ୍ଷା ପାଇଁ ଶୈଳବାଳା ମହିଳା ମହାବିଦ୍ୟାଳୟକୁ ଏହି ଜମି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ କନ୍ୟା ପ୍ରଦାନ କରିଥିଲେ ବୋଲି ଆବେଦନକାରୀ ଆବେଦନରେ ଦର୍ଶାଇଥିଲେ। ଶିକ୍ଷାନୁଷ୍ଠାନର ଜମିକୁ ଏକ ନିର୍ଦ୍ଦିଷ୍ଟ ଧର୍ମ ପାଇଁ ବ୍ୟବହାର କରିବା ସମ୍ବିଧାନର ବିରୁଦ୍ଧାଚରଣ କରୁଛି ବୋଲି ଆବେଦନକାରୀଙ୍କ ପକ୍ଷରୁ କୋର୍ଟରେ ଯୁକ୍ତି ଦର୍ଶାଯାଇଥିଲା। ଅନ୍ୟପଟେ ଏହି ଜମି ମଧୁସୂଦନ ଦାସଙ୍କର ନୁହେଁ, ବରଂ ସରକାରୀ ଜମି ବୋଲି ସରକାରଙ୍କ ପକ୍ଷରୁ ସତ୍ୟପାଠ ମାଧ୍ୟମରେ ତଥ୍ୟ ପ୍ରମାଣ ଦାଖଲ କରାଯାଇଥିଲା। ଚଣ୍ଡୀ ମନ୍ଦିରର ଉନ୍ନତୀକରଣ ପାଇଁ ସବୁକିଛି ଆଇନ ଅନୁଯାୟୀ କରାଯାଉଥିବା ଉକ୍ତ ସତ୍ୟପାଠରେ କୁହାଯାଇଛି। ମନ୍ଦିର ଉନ୍ନତୀକରଣ କାର୍ଯ୍ୟରେ ରହିତାଦେଶ ଜାରି କରିବାକୁ କୋର୍ଟଙ୍କୁ ଆବେଦନକାରୀ ପ୍ରାର୍ଥନା କରିଥିଲେ। ତେବେ କୌଣସି ପ୍ରକାର ରହିତାଦେଶ ଦେବାକୁ ହାଇକୋର୍ଟ ମନା କରିଦେବା ସହ ଏହି ପିଟିଶନକୁ ଖାରଜ କରିଦେଇଛନ୍ତି।