ସଡ଼କ ନିରାପତ୍ତାର ଆହ୍ବାନ

ଈପ୍ସିତା ମହାନ୍ତି

ପ୍ରତି ମୁହୂର୍ତ୍ତରେ ଆମ ଦେଶର କୋଣ ଅନୁକୋଣରେ ଘଟିଚାଲିଛି ଛୋଟବଡ଼ ସଡ଼କ ଦୁର୍ଘଟଣା। ବର୍ଷକୁ ବର୍ଷ ଦେଶରେ ଏଥିଜନିତ ସାଧାରଣ ଆହତ, ଗୁରୁତର ଆହତ ଓ ମୃତାହତଙ୍କ ସଂଖ୍ୟା ବି ବୃଦ୍ଧି ପାଇବାରେ ଲାଗିଛି। ପ୍ରଶ୍ନ ହେଉଛି ଏସବୁ ସଡ଼କ ଦୁର୍ଘଟଣା କ’ଣ ଭାରତୀୟଙ୍କ ପାଇଁ ନିୟତିର ଖେଳ ନା ଭାଗ୍ୟର ବିଡ଼ମ୍ବନା? ଟ୍ରାଫିକ ନିୟମକୁ ଅବମାନନା କରିବାର ଅଭ୍ୟାସ ଏକ ପ୍ରକାରର ମନୋରଞ୍ଜନର କ୍ଷେତ୍ର ପାଲଟି ଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ଏମାନଙ୍କର ଲଗାମହୀନ ଗାଡ଼ି କେତେବେଳେ ରାସ୍ତା କଡ଼ରେ ଶୋଇଥିବା ପ୍ରବାସୀ ଶ୍ରମିକଙ୍କ ଉପରେ ଚଢ଼ି ଯାଇଥାଏ ତ ଆଉ କେତେବେଳେ ରାସ୍ତାକଡ଼ର ଘର ଭିତରକୁ ଧସେଇ ପଶି ଲୋକଙ୍କ ଜୀବନ ନେଇଯାଇଥାଏ।
ଗମନାଗମନ, ପରିବହନ ସହ ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ଯେଉଁଭଳି ସଡ଼କ ପଥ ଆବଶ୍ୟକ, ତାହା ଏପର୍ଯ୍ୟନ୍ତ ଆମ ଦେଶରେ ନିର୍ମାଣ ହୋଇପାରିନାହିଁ। ସଡ଼କପଥର ସମସ୍ତ ବିଶୃଙ୍ଖଳା ଆମ ସମାଜର ବିଶୃଙ୍ଖଳାକୁ ପ୍ରତିପାଦିତ କରୁଅଛି। ସାରାଦୁନିଆରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁରେ ଭାରତ ସର୍ବାଗ୍ରେ ରହିଛି ବୋଲି ନିକଟରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ତା’ ରିପୋର୍ଟରେ ପ୍ରକାଶ କରିଛି। ତଦନୁଯାୟୀ ୨୦୧୯ରେ ଆମଦେଶରେ ପ୍ରାୟ ୪.୮୧ ଲକ୍ଷ ସଡ଼କ ଦୁର୍ଘଟଣା ଘଟିଥିଲା; ଯେଉଁଥିରେ ୧.୫୧ ଲକ୍ଷରୁ ଊଦ୍ଧର୍‌ବ ଲୋକଙ୍କ ଜୀବନ ଯାଇଥିଲା। ଏହି ମାମଲାରେ ୨ୟ ସ୍ଥାନରେ ଆମ ପଛକୁ ଚାଇନା ରହିଅଛି। ବିଭିନ୍ନ ସରକାରୀ ଓ ବେସରକାରୀ ସର୍ବେକ୍ଷଣର ତଥ୍ୟ ଅନୁସାରେ ଆମଦେଶରେ ପ୍ରତିବର୍ଷ ସଡ଼କ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇ ଚାଲିଛି। ଏହାର ଅର୍ଥ ନୁହେଁ ଯେ, ଟ୍ରାଫିକକୁ ନିୟନ୍ତ୍ରଣ କରିବା ପାଇଁ ଆମ ଦେଶରେ ଆଇନକାନୁନ୍‌ର ସେଭଳି କିଛି ଅଭାବ ରହିଛି।
ବାସ୍ତବିକ ସବୁ ସ୍ତରରେ ସମ୍ବେଦନଶୀଳତା ସହ ଆଇନ ପ୍ରତି ସମ୍ମାନର ଅଭାବ ହେଉଛି ସଡ଼କ ଦୁର୍ଘଟଣାର ପ୍ରକୃତ ସମସ୍ୟା। ପୁଣି ଲାଇସେନ୍ସ ପ୍ରଣାଳୀରେ ଘୋର ଅନିୟମିତତା ତଥା ବ୍ୟକ୍ତିଗତ ସ୍ବଚ୍ଛନ୍ଦତା ଏବଂ ଅନୁଶାସନହୀନତା ମଧ୍ୟ ସଡ଼କ ଦୁର୍ଘଟଣାର ଅନ୍ୟତମ କାରଣ। ସେହିପରି ବେପରୁଆ ଗାଡି ଚାଳନା ଯଦିଓ ଏକ ପ୍ରମୁଖ କାରଣ ହୋଇପାରେ କିନ୍ତୁ ନାବାଳକ ଚାଳକ, ମଦ୍ୟପାନ କରି ଗାଡି ଚଳାଇବା, ବୁଲା ଜୀବଜନ୍ତୁ ହଠାତ୍‌ ଗାଡି ସମ୍ମୁଖକୁ ଚାଲି ଆସିବା, ତ୍ରୁଟିପୂର୍ଣ୍ଣ ରାସ୍ତା ନିର୍ମାଣ, ଖାଲଖମା ଓ ବିପର୍ଯ୍ୟସ୍ତ ସଡ଼କ ପଥ ମଧ୍ୟ ସଡ଼କ ଦୁର୍ଘଟଣା ଘଟିବାର ଗୋଟିଏ ଗୋଟିଏ ପ୍ରମୁଖ କାରଣ। କିଛି ମାସତଳେ କୋରାପୁଟ ଜିଲାର ଜୟପୁର-ବୋରିଗୁମ୍ମା ଜାତୀୟ ରାଜପଥରେ ଜଣେ ମହିଳା ନିଜ ସ୍ବାମୀଙ୍କ ମୋଟରସାଇକେଲରେ ବସି ଘରକୁ ଫେରୁଥିଲେ। ଖାଲଖମାରେ ପରିପୂର୍ଣ୍ଣ ଏହି ଜାତୀୟ ରାଜପଥରେ ସନ୍ତୁଳନ ରକ୍ଷା କରି ନ ପାରି ମହିଳା ଜଣକ ମୋଟରସାଇକେଲରୁ ଖସିପଡିବା ଯୋଗୁ ତାଙ୍କର ମୃତ୍ୟୁ ଘଟିଥିଲା କହିଲେ ଦେଖି ଏଭଳି ସଡ଼କ ଦୁର୍ଘଟଣା ପାଇଁ ଆମେ କାହାକୁ ଦାୟୀ କରିବା? ଚାଳକ, ସ୍ଥାନୀୟ ପ୍ରଶାସନ, ସରକାର, ଜନ ପ୍ରତିନିଧି, ରାଜପଥ କର୍ତ୍ତୃପକ୍ଷ, ସଂପୃକ୍ତ ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରୁ ପ୍ରକୃତରେ ଏଥିପାଇଁ କିଏ ଦାୟୀ? ନା ଠିକ୍‌ ରୂପେ ବସି ପାରି ନ ଥିବା ସେହ ମହିଳା ଜଣକ ଦାୟୀ। ଏସବୁ ପ୍ରଶ୍ନର ଉତ୍ତର ଖୋଜି ଚାଲିଲେ ସଡ଼କ ଦୁର୍ଘଟଣାର ସମସ୍ତ କାରଣ ନିକଟରେ ଆମେ ପହଞ୍ଚି ଯିବା।
ଟ୍ରାଫିକ ନିୟମ କଡ଼ାକଡ଼ି କରିଦେଲେ ବା ଲକ୍ଷାଧିକ ଟଙ୍କା ଜରିମାନା ସ୍ବରୂପ ଆଦାୟ କରିଦେଲେ ଯେ ସଡ଼କ ଦୁର୍ଘଟଣା ଥମିଯିବ ଏହାର କୌଣସି ଗ୍ୟାରେଣ୍ଟି ନାହିଁ। ସରକାର ମଦବିକ୍ରି ବନ୍ଦ କରିବା ସହିତ ନିୟମିତ ବ୍ୟବଧାନରେ ସଡ଼କପଥର ମରାମତି ଓ ନିର୍ମାଣ କାର୍ଯ୍ୟ ପ୍ରତି ଗୁରୁତ୍ୱ ଦେଲେ ସଡ଼କ ଦୁର୍ଘଟଣାଜନିତ କ୍ଷୟକ୍ଷତି ଯଥେଷ୍ଟ ପରିମାଣରେ ହ୍ରାସ ପାଇବ। କାରଣ ଏକ ଆକଳନ ଅନୁଯାୟୀ ଆମ ଦେଶର ଅର୍ଦ୍ଧାଧିକ ସଡ଼କ ଦୁର୍ଘଟଣା ମଦ୍ୟପାନ କରି ଗାଡି ଚାଳନା କରୁଥିବାରୁ ଘଟୁଥିବା ବେଳେ ନିମ୍ନମାନର ସଡ଼କ ପଥ ଯୋଗୁ ପ୍ରାୟ ୨୦ପ୍ରତିଶତ ଦୁର୍ଘଟଣା ଘଟୁଅଛି। ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନକୁ ଚିହ୍ନଟ କରି, ସେହି ସ୍ଥାନରେ ସତର୍କ ସୂଚନାର ଫଳକ ଲଗାଇବା ଏବଂ ଆବଶ୍ୟକ ସ୍ଥଳେ ସେହି ରାସ୍ତାର ନିର୍ମାଣ ଢାଞ୍ଚାରେ ପରିବର୍ତ୍ତନ କରିବା ଦ୍ବାରା ଦୁର୍ଘଟଣାକୁ ରୋକାଯାଇ ପାରିବ।
ଭାରତରେ ପ୍ରତିବର୍ଷ ସଡ଼କ ଦୁର୍ଘଟଣାରେ ୧ଲକ୍ଷ ୩୮ହଜାର ଲୋକ ପ୍ରାଣ ହରାଉଛନ୍ତି ବୋଲି ତତ୍କାଳୀନ ଗୃହସଚିବ ଜି.କେ. ପିଲ୍ଲେ କହିଥିଲେ। ବର୍ତ୍ତମାନ ଏହି ସଂଖ୍ୟା ଦେଢ଼ ଲକ୍ଷ ଡେଇଁ ସାରିଲାଣି ଅର୍ଥାତ୍‌ ଏଠାରେ ପ୍ରତିଦିନ ପ୍ରାୟ ୩ହଜାର ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି। ଏଥିରୁ ସ୍ପଷ୍ଟ ଯେ ସଡକ ଦୁର୍ଘଟଣା ଆମଦେଶର ଏକ ବଡ ସମସ୍ୟା। ତେଣୁ କେନ୍ଦ୍ରୀୟ ମନ୍ତ୍ରଣାଳୟକୁ ସଡ଼କ ଦୁର୍ଘଟଣା ସମ୍ପର୍କରେ ଚିନ୍ତା କରିବା ଆବଶ୍ୟକ। ପ୍ରତିବର୍ଷ ସଡ଼କ ଦୁର୍ଘଟଣାରେ ପ୍ରାୟ ୩୦ଲକ୍ଷ ଲୋକ ଆହତ ହେଉଛନ୍ତି। ଆହତଜନିତ ଅସୁସ୍ଥତା ଓ ଅକର୍ମଣ୍ୟତା ଯୋଗୁଁ ଏମାନଙ୍କ ମଧ୍ୟରୁ ଅନେକଙ୍କୁ କେବଳ ନିଜ ଚାକିରି ହିଁ ନୁହେଁ ଜୀବିକା ବି ହରାଇବାକୁ ପଡୁଛି। ପୁଣି ବୀମା କମ୍ପାନୀକୁ ବୀମାରାଶି ବାବଦରେ ପ୍ରଚୁର ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି। ପିଲ୍ଲେଙ୍କ ମତରେ ଦେଶର ଆର୍ଥିକ ବ୍ୟାପାରରେ ବି ଏହା ଖରାପ ପ୍ରଭାବ ପକାଉଛି। ଏକ ଆକଳନ ଅନୁଯାୟୀ, ଏସବୁ ଦୁର୍ଘଟଣାରେ ଆମଦେଶକୁ ବାର୍ଷିକ ୨୦ବିଲିୟନ ଡଲାରର ଅର୍ଥ ଖର୍ଚ୍ଚ କରିବାକୁ ପଡିଥାଏ। କେବଳ ଦିଲ୍ଲୀର ସଡ଼କରେ ହିଁ ପ୍ରତିବର୍ଷ ୩୮ହଜାର ନୂଆ କାର୍‌ ଗଡ଼ିଥାଏ। ଏହି ଦୃଷ୍ଟିରୁ ଯେତେ ସଡ଼କପଥ କିମ୍ବା ଫ୍ଲାଏଓଭର ନିର୍ମାଣ କଲେ ମଧ୍ୟ ଟ୍ରାଫିକ ସମସ୍ୟା ହ୍ରାସ ପାଇବ ନାହିଁ। ସଡ଼କ ଦୁର୍ଘଟଣାର ନିୟନ୍ତ୍ରଣ ପାଇଁ ମୋଟରଯାନ ନିୟମକୁ କଡ଼ାକଡ଼ିି କରିବାକୁ ଚେଷ୍ଟା କରୁଥିବା କଥା କେନ୍ଦ୍ର ସରକାର କହି ଚାଲିଛନ୍ତି। ଏ କ୍ଷେତ୍ରରେ ଲୋକଙ୍କ ଜୀବନ ରକ୍ଷା ପାଇଁ ପ୍ରବର୍ତ୍ତନ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ତ୍ୱରାନ୍ବିତ କରିବାର ଆବଶ୍ୟକତା ରହିଥିବା କଥାକୁ ସ୍ବୀକାର କରିଛନ୍ତି।
ଦୁର୍ଘଟଣାକୁ ରୋକିବା ପାଇଁ ଆଜି ଅନେକ ସଂସ୍ଥା ବୈଷୟିକ ଅନୁସନ୍ଧାନ ଚଳାଇଛନ୍ତି। ତାମିଲନାଡୁର କୋଏମ୍ବାଟୁରରେ ଥିବା ଆନ୍ନା ୟୁନିଭରସିଟି ଅଫ୍‌ ଟେକ୍ନୋଲୋଜିର ଅନୁସନ୍ଧାନକାରୀ ଦଳ ଏପରି ଏକ କୌଶଳ ପ୍ରସ୍ତୁତ କରିଛନ୍ତି, ଯାହା ଗାଡ଼ି ଚଳାଇବା ସମୟରେ ଫୋନ ଆସିଲେ ମୋବାଇଲକୁ ଜାମ କରିଦେବ। ଏଭଳି କୌଶଳ ନିହାତି ଭାବେ ସଡ଼କ ଦୁର୍ଘଟଣାକୁ ରୋକିବାରେ କିଛି ମାତ୍ରାରେ ସହାୟକ ହୋଇପାରିବ। କିନ୍ତୁ ଯେଉଁଦିନ ଲୋକଙ୍କ ମାନସିକତା ଓ ଚିନ୍ତାଧାରାରେ ପରିବର୍ତ୍ତନ ଆସିଯିବ, ସେହିଦିନ ସଡ଼କ ଦୁର୍ଘଟଣା ଅନେକାଂଶରେ ହ୍ରାସ ପାଇବ। ଏହା ହେଉଛି ସଡ଼କ ଦୁର୍ଘଟଣାକୁ ରୋକିବାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ। ସଡ଼କ ଦୁର୍ଘଟଣାରେ ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟ ମନ୍ତ୍ରୀ ଗୋପୀନାଥ ମୁଣ୍ଡେଙ୍କ ମୃତ୍ୟୁ ପରେ ପରେ କେନ୍ଦ୍ର ସରକାର ଏ ଦିଗରେ ଠୋସ ପଦକ୍ଷେପ ନେବା ଆରମ୍ଭ କରିଥିଲେ। ହେଲେ କାର୍ଯ୍ୟକାରିତାର ଅଭାବ ଯୋଗୁ ଏଭଳି ଦୁର୍ଘଟଣା ଆଜି ବି ଆମ ଦେଶର ସଡ଼କ ଉପରେ ଘଟିଚାଲିଛି।
ବୈପାରୀଗୁଡ଼ା, କୋରାପୁଟ,
ମୋ-୬୩୭୦୬୭୯୪୦୫


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri