କେବିକେ ଅଞ୍ଚଳକୁ କେନ୍ଦ୍ରୀୟ ସହାୟତା କମିଛି

ବଲାଙ୍ଗୀର ଅଫିସ,୨୦ା୩: ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା(ପିଏମକେଏସୱାଇ)ର ଏକ ଉପାଦାନ ହେଉଛି ଏଆଇବିପି (ତ୍ୱରିତ ସିଞ୍ଚାଇ ଲାଭ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମକୁ ବନ୍ଦ କରାଯାଇନାହିଁ। କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି କ୍ରମେ ଏଆଇବିପି ୨୦୨୧ରୁ ୨୦୨୬ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ନୀତି ଆୟୋଗ ପକ୍ଷରୁ ସୂଚନା ଅଧିକାର ଆଇନ ଜରିଆରେ ବଲାଙ୍ଗୀରର ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡାଙ୍କୁ ତଥ୍ୟ ପ୍ରଦାନ କରାଯାଇଛି। ନୂଆଦିଲ୍ଲୀ ସଂସଦମାର୍ଗ ସ୍ଥିତ ନୀତି ଆୟୋଗ କାର୍ଯ୍ୟାଳୟର ଓଡିଶା ଜନସୂଚନା ଅଧିକାରୀ ରାଜେନ୍ଦ୍ର ସିଂ ଏହି ସୂଚନା ପ୍ରଦାନ କରିଛନ୍ତି। ଓଡିଶାର କେବିକେ ଅଞ୍ଚଳକୁ ବର୍ତ୍ତମାନ କେନ୍ଦ୍ର ରାଜ୍ୟ ସହାୟତା ହାର ୬୦:୪୦ ରହିଛି ବୋଲି ତଥ୍ୟରେ କୁହାଯାଇଛି। ପ୍ରେସ୍‌ ବିଜ୍ଞପ୍ତିରେ ପଣ୍ଡା କହିଛନ୍ତି ଯେ, ପୂର୍ବରୁ କେବିକେ ଅଞ୍ଚଳ ପାଇଁ ଏଆଇବିପିରେ କେନ୍ଦ୍ର ରାଜ୍ୟ ସହାୟତା ହାର ଯଥାକ୍ରମେ ୯୦:୧୦ ଥିଲା। ଦେଶର ସ୍ବତନ୍ତ୍ର ପାହ୍ୟା ରାଜ୍ୟମାନଙ୍କ ସହିତ ଓଡିଶାର କେବିକେ ଅଞ୍ଚଳକୁ ଏଆଇବିପିରେ କେନ୍ଦ୍ର ରାଜ୍ୟ ସହାୟତା ହାର ୯୦:୧୦ ଥିଲା। ଏବର ବ୍ୟବସ୍ଥାରେ କେବିକେ ଅଞ୍ଚଳରେ ଜଳସେଚନର ବିକାଶ କେବଳ ପ୍ରଭାବିତ ହେବ ଏହା ନୁହେଁ ବରଂ ଏକ ପଛୁଆ ଅଞ୍ଚଳ ଭାବେ କେନ୍ଦ୍ର ସରକାରଙ୍କ ଯେଉଁ କେବିକେ ମାନ୍ୟତା ଥିଲା ତାହା ମଧ୍ୟ ଶେଷ ହେବ ବୋଲି ପଣ୍ଡା କହିଛନ୍ତି।
ସାଧାରଣ ପାହ୍ୟା ରାଜ୍ୟଗୁଡିକ ପାଇଁ ଏହି ଅନୁଦାନ ହାର ଭିନ୍ନ ଥିଲା। ବର୍ତ୍ତମାନ ସାଧାରଣ ପାହ୍ୟା ରାଜ୍ୟମାନଙ୍କ ପାଇଁ କେନ୍ଦ୍ର ରାଜ୍ୟ ସହାୟତା ହାର ଯଥାକ୍ରମେ ୨୫:୭୫ ରହିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, କୃଷି ଓ କୃଷକର ବିକାଶ ପାଇଁ ଜଳସେଚନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ତତ୍କାଳୀନ ଭାରତ ସରକାର ୧୯୯୫-୯୬ ମସିହାରେ ଏଆଇବିପି ଯୋଜନା ଆରମ୍ଭ କରିଥିଲେ। ଜଳସେଚନ ରାଜ୍ୟର ବିଷୟବସ୍ତୁ ହୋଇଥିଲେ ମଧ୍ୟ ରାଜ୍ୟମାନଙ୍କର ନିର୍ମାଣାଧୀନ ଓ ପ୍ରସ୍ତାବିତ ଜଳସେଚନ ପ୍ରକଳ୍ପଗୁଡିକୁ କେନ୍ଦ୍ର ସରକାର ଏହି ଯୋଜନା ମାଧ୍ୟମରେ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଆଗେଇ ଆସିଥିଲେ। ସ୍ବତନ୍ତ୍ର ପାହ୍ୟା ରାଜ୍ୟମାନଙ୍କୁ ଓ ଓଡିଶାର ଅବିଭକ୍ତ କେବିକେ ଅଞ୍ଚଳର ଜିଲାମାନଙ୍କୁ ତଥା ବର୍ତ୍ତମାନର ୮ଟି ଜିଲାକୁ ସାଧାରଣ ପାହ୍ୟା ରାଜ୍ୟ ଅପେକ୍ଷା ଅଧିକ କେନ୍ଦ୍ରୀୟ ଆର୍ଥିକ ସହାୟତାର ବ୍ୟବସ୍ଥା ଥିଲା। ନୂଆପଡା ଜିଲାର ଲୋୟର ଇନ୍ଦ୍ର ଏହି ଯୋଜନାରେ ଅଧିକ ମାତ୍ରାରେ କେନ୍ଦ୍ରୀୟ ଅନୁଦାନ ପାଇଛି। ଏଆଇବିପି ଯୋଜନା ସଂଶୋଧିତ ହେବା ଫଳରେ ୨୦୨୧ ମାର୍ଚ୍ଚ ମାସରୁ କେବିକେ ଅଞ୍ଚଳର ଅନେକ ନିର୍ମାଣାଧୀନ ଓ ପ୍ରସ୍ତାବିତ ଜଳସେଚନ ପ୍ରକଳ୍ପଗୁଡିକ ପୂର୍ବାପେକ୍ଷା କମ୍‌ ଆର୍ଥିକ ସହାୟତା ପାଉଛନ୍ତି ଓ ଆଗକୁ ମଧ୍ୟ ଏହି ଧାରା ଜାରି ରହିବ ବୋଲି ପଣ୍ଡା କହିଛନ୍ତି। ରାଜ୍ୟର ସମସ୍ତ ରାଜନୈତିକ ଦଳ ଓ ନେତୃବୃନ୍ଦ ଏହାକୁ ନେଇ ନିରବ ରହିବା, ସମଗ୍ର ଓଡିଶା ଓ ବିଶେଷ କରି କେବିକେ ଅଞ୍ଚଳର ଚାଷ ଓ ଚାଷୀଙ୍କ ସମସ୍ୟା ପ୍ରତି ଉଦାସୀନତା ମନୋଭାବ ବୋଲି ପଣ୍ଡା କହିଛନ୍ତି।