Categories: ରାଜ୍ୟ

ଘରେ ରହି ପାଳନ କରନ୍ତୁ ପୂଜା; ସତର୍କତା ଅବଲମ୍ବନ କରନ୍ତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୦।୧୦: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ଭିଡିଓବାର୍ତ୍ତା ମାଧ୍ୟମରେ ସମ୍ବୋଧନ କରିଛନ୍ତି। ଶାରଦୀୟ ପୂଜା ସମୟରେ ସତର୍କତା ଅବଲମ୍ବନ କରିବାକୁ ସେ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଭିଡିଓବାର୍ତ୍ତାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି କହିଛନ୍ତି, ‘ରାଜ୍ୟ ଗତ ୭ ମାସ ହେବ ମହାମାରୀ କରୋନା ବିରୋଧରେ ଲଢ଼େଇ ଜାରି ରଖିଛି। ଏଥିଲାଗି ସମସ୍ତଙ୍କୁ ଅନେକ କଷ୍ଟ ଓ ତ୍ୟାଗ ସ୍ବୀକାର କରିବାକୁ ପଡ଼ୁଛି। କରୋନା ଯୋଗୁ ପିଲାମାନେ ଓ ବୟସ୍କ ଲୋକମାନଙ୍କୁ ଘରେ ରହିବାକୁ ପଡ଼ୁଛି। କରୋନା ମହାମାରୀ ଭୟାବହତା ଯୋଗୁ ପିଲାମାନେ ସ୍କୁଲ ସାଙ୍ଗସାଥୀ ଓ ଖେଳିବାର ମଜା ନେଇପାରୁ ନାହାନ୍ତି। ବୟସ୍କ ଓ ପିଲାମାନେ ଘରେ ରହିବା ଦ୍ୱାରା କରୋନା ବିରୋଧରେ ଲଢ଼େଇକୁ ଆମେ ଭଲ ଭାବରେ ଲଢ଼ିପାରିବା।’
ଏହି ଅବସରରେ ଆହୁରି ମଧ୍ୟ କହିଛନ୍ତି, ଓଡ଼ିଶା କରୋନା ସଂକ୍ରମଣକୁ ରୋକିବାରେ ସଫଳ ହୋଇଛି। ଏଥିରେ ରାଜ୍ୟର ସବୁ ନାଗରିକଙ୍କ ସହଯୋଗ ରହିଛି। ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଛି। ଆଗକୁ ଏହା ଆହୁରି କମିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ତା ପ୍ରକାଶ କରିଛନ୍ତି। ଗଞ୍ଜାମ ଓ ଗଜପତିର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ୨ ମାସ ତଳେ ଗଞ୍ଜାମ ହଟ୍‌ସ୍ପଟ ଥିଲା। ପ୍ରତ୍ୟେକ ଦିନ ଏଠାରୁ ଶହ ଶହ ପଜିଟିଭ ମାମଲା ସାମ୍ନାକୁ ଆସୁ୍‌ଥିଲା। ତେବେ ଲୋକଙ୍କ ସହଯୋଗ, ସାମୁହିକ ଯୋଗଦାନ ଓ କୋଭିଡ୍‌ ଯୋଦ୍ଧାଙ୍କ ପରିଶ୍ରମ ସଫଳ ହୋଇଛି। ଏହି ଦୁଇ ଜିଲାରେ ସଂକ୍ରମଣ ହ୍ରାସ ପାଇବା ଅନ୍ୟ ଜିଲା ପାଇଁ ପ୍ରେରଣା ହୋଇଛି।
କରୋନା ଭୟଙ୍କର ରୂପ ନେବାକୁ ଥିବା ବିଶେଷଜ୍ଞମାନେ ଆକଳନ କରିଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ଶୀତଋତୁ ସମତେ ଦୁର୍ଗାପୂଜା ଓ ଦୀପାବଳୀ ସମୟରେ ଅଧିକ ସତର୍କତା ଅବଲମ୍ବନ କରିବାକୁ ଗୁରୁତ୍ୱଆରୋପ କରିଛନ୍ତି। ସର୍ବସାଧାରଣ ସ୍ଥାନରେ ଭିଡ଼ ନ ଜମାଇ ଘରେ ରହି ମା’ଙ୍କ ପୂଜା କରିବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି। ଏଥିସହ ହାତଧୁଆ ଓ ସାମାଜି ଦୂରତା ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି। ରାଜ୍ୟବାସୀଙ୍କୁ ପୂଜା ଅଭିନନ୍ଦନ ଜଣାଇବା ସହିତ ମା’ଙ୍କ ପାଖରେ ସଂକ୍ରମଣ ଯେପରି ନ ବଢ଼ିବ ସେଥିଲାଗି ଶପଥ ନେଇ କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଜଣାଇଛନ୍ତି।