କଟକ,୮।୧(ଶିଳ୍ପା ପ୍ରିୟଦର୍ଶିନୀ): ଶ୍ରୀରାମଚନ୍ଦ୍ର ଭଞ୍ଜ (ଏସ୍ସିବି) ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ପୁରୁଣା ଭେଷଜ ବିଭାଗରେ ବୁଧବାର ଅପରାହ୍ନରେ ଏକ ଅଘଟଣ ଘଟିଛି। ଜଣେ ରୋଗୀଙ୍କ ଉପରେ ଉକ୍ତ ବିଭାଗର ପ୍ରଥମ ମହଲା ୱାର୍ଡ ଛାତରୁ କଂକ୍ରିଟ ଖଣ୍ଡ ସହ ସିଲିଂ ଖସିପଡ଼ିଛି। ଫଳରେ ଖୋର୍ଦ୍ଧା ଅଞ୍ଚଳର ନାରାୟଣ ଦାସ (୭୦) ନାମକ ବୃଦ୍ଧ ରୋଗୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କର ମୁଣ୍ଡ ଓ ମୁହଁ ଫାଟିଯାଇଛି। ଘଟଣା ପରେ ଦେଢ଼ଘଣ୍ଟା ଯାଏ ତାଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇ ନ ଥିବା ତାଙ୍କ ପୁଅ ପ୍ରମୋଦ କୁମାର ଦାସ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲା ବାଘମାରୀସ୍ଥିତ ଅଟ୍ରି ଅଞ୍ଚଳର ନାରାୟଣ ମଧୁମେହ ରୋଗରେ ପୀଡ଼ିତ ହୋଇ ମଙ୍ଗଳବାର ବିଳମ୍ୱିତ ରାତିରେ ଏସ୍ସିବିର ପୁରୁଣା ଭେଷଜ ବିଭାଗର ପ୍ରଥମ ମହଲା ୱାର୍ଡରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ଜାରି ରହିଥିବାବେଳେ ହଠାତ୍ ବୁଧବାର ଅପରାହ୍ନରେ ନାରାୟଣ ଶୋଇଥିବା ବେଡ୍ ନିକଟ ଛାତରୁ କଂକ୍ରିଟ ଖଣ୍ଡ ସହ ସିଲିଂ ତାଙ୍କ ଉପରେ ଖସିପଡ଼ିଥିଲା। ଫଳରେ ତାଙ୍କ ମୁଣ୍ଡ ଓ ମୁହଁ ଫାଟି ଯାଇଥିଲା। ନିକଟରେ ଥିବା ଅନ୍ୟ ରୋଗୀଙ୍କ ସମ୍ପର୍କୀୟ ତାଙ୍କୁ ଉଦ୍ଧାର କରିଥିଲେ। ଏଭଳି ଅବ୍ୟବସ୍ଥା ଯୋଗୁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ସ୍ଥାନୀୟ ଫାଣ୍ଡି ପୋଲିସ ପହଞ୍ଚତ୍ ସ୍ଥିତି ଆୟତ୍ତ କରିଥିଲା। ହେଲେ ଘଟଣା ଘଟିବାର ଦେଢ଼ଘଣ୍ଟା ବିତିଥିଲେ ମଧ୍ୟ ନାରାୟଣଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇ ନ ଥିଲା କିମ୍ୱା ମେଡିକାଲ ଅଧିକାରୀ ଓ ବିଭାଗୀୟ ଅଧିକାରୀ ସେଠାରେ ପହଞ୍ଚତ୍ ନ ଥିଲେ। ଏ ନେଇ ନାରାୟଣଙ୍କ ପୁଅ ପ୍ରମୋଦ କହିଛନ୍ତି, ମେଡିକାଲରେ ରୋଗୀଙ୍କୁ ଚିକିତ୍ସା ପରିବର୍ତ୍ତେ ମରଣ ମୁହଁକୁ ଠେଲି ଦିଆଯାଉଛି। ମୋ ବାପା ଗୁରୁତର ଆହତ ହେବା ପରେ ସେଠାରେ ଥିବା କର୍ମଚାରୀ ଦୁର୍ୱ୍ୟବହାର କରୁଛନ୍ତି, ହେଲେ ଡାକ୍ତର ଚିକିତ୍ସା କରୁନାହାନ୍ତି। ଏପରିକି କୌଣସି ଅଧିକାରୀ ମଧ୍ୟ ପହଞ୍ଚତ୍ ନାହାନ୍ତି ବୋଲି ସେ କହିଛନ୍ତି। ତେବେ ଏସ୍ସିବି ଭଳି ସର୍ୱବୃହତ୍ ମେଡିକାଲରେ ଚିକିତ୍ସା ପାଇଁ ଶତାଧିକ ରୋଗୀ ଆଶା କରି ଆସୁଥିବାବେଳେ ମେଡିକାଲରେ ରୋଗୀ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉ ନ ଥିବାରୁ ରୋଗୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଉକ୍ତ ଘଟଣା ଓ ରୋଗୀଙ୍କ ଚିକିତ୍ସା ସମ୍ପର୍କରେ ମେଡିକାଲ ଭାରପ୍ରାପ୍ତ ଅଧୀକ୍ଷକ ପ୍ରଫେସର ଡା. ଗୌତମ ଶତପଥୀଙ୍କୁ ପଚାରିବାରୁ କହିଛନ୍ତି, କୌଣସି ଘଟଣା ସମ୍ପର୍କରେ ମୁଁ ଅବଗତ ନାହିଁ। ଯଦିଓ କୌଣସି ଘଟଣା ଘଟିଛି, ତେବେ ସେ ନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ଦେବାକୁ ମୁଁ କ୍ଷମତାପ୍ରାପ୍ତ ନୁହେଁ ବୋଲି କହିଛନ୍ତି।

