ବ୍ରାସିଲିଆରେ କାପିଟୋଲ୍‌ ଛାପ

ଜାତିସଂଘ ଅନୁବନ୍ଧିତ ୧୯୩ ରାଷ୍ଟ୍ର ମଧ୍ୟରୁ ପ୍ରାୟ ୧୬୭ ଦେଶରେ ଗଣତନ୍ତ୍ର ଚାଲିଛି ବୋଲି ନଭେମ୍ବର ୨୦୨୨ରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଥିଲା। କିନ୍ତୁ ଗଭୀର ଭାବେ ଦେଖିଲେ ଗଣତନ୍ତ୍ରକୁ ଅନୁସରଣ କରୁଥିବା ଏହିସବୁ ଦେଶ ମଧ୍ୟରୁ କେତେକ ରାଷ୍ଟ୍ରରେ ଏକଚ୍ଛତ୍ରବାଦର ଗନ୍ଧ ଉକୁଟି ଉଠୁଛି। ଯେତେବେଳେ ତାହା ଉତ୍କଟ ରୂପ ଧାରଣ କରୁଛି ସେତେବେଳେ ଗଣତନ୍ତ୍ରର ବାସ୍ତବ ଚିତ୍ର ପଦାକୁ ଆସୁଛି। ଉତ୍ତର ଆମେରିକୀୟ ମହାଦେଶ ଯୁକ୍ତରାଷ୍ଟ୍ର ଆମେରିକାକୁ ସର୍ବପୁରାତନ ଗଣତାନ୍ତ୍ରିକ ଦେଶ ଭାବେ ଗଣାଯାଇଥାଏ। ହେଲେ ଦୁଇବର୍ଷ ତଳେ ଅର୍ଥାତ୍‌ ୬ ଜାନୁୟାରୀ ୨୦୨୧ରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସମର୍ଥକ କାପିଟୋଲ ହିଲ୍‌କୁ ପ୍ରବେଶ କରି ଭଙ୍ଗାରୁଜା କରିଥିଲେ। ଜୋ ବାଇଡେନ୍‌ ନିର୍ବାଚନରେ ଜିତିବାକୁ ଟ୍ରମ୍ପ୍‌ ସାଧାରଣରେ ଗ୍ରହଣ କରିପାରି ନ ଥିବାରୁ ଏଭଳି ଅରାଜକତା ଦେଖାଦେଇଥିଲା। ଏବେ ଦକ୍ଷିଣ ଆମେରିକୀୟ ଦେଶ ବ୍ରାଜିଲରେ ସମାନ ସ୍ଥିତି। ପୂର୍ବତନ ସେନା ଅଧିକାରୀ ତଥା ବ୍ରାଜିଲ୍‌ର ପୂର୍ବତନ ରାଷ୍ଟ୍ରପତି ଜୈର ବୋଲସୋନାରୋଙ୍କ ସମର୍ଥକମାନେ ୯ ଜାନୁୟାରୀ ୨୦୨୩ରେ ସେଠାକାର ରାଷ୍ଟ୍ରପତି ଭବନ ଉପରେ ଆକ୍ରମଣ କରିଛନ୍ତି। ନୂଆ ରାଷ୍ଟ୍ରପତି ଭାବେ ଲୁଇଜ୍‌ ଇନାସିଓ ଲୁଲା ଡା ସିଲ୍‌ଭା ବା ସାଧାରଣରେ ଲୁଲା ଭାବେ ପରିଚିତ ଏହି ଶ୍ରମିକ ନେତା ଦାୟିତ୍ୱ ଗ୍ରହଣ କରିବାର ମାତ୍ର ଏକ ସପ୍ତାହ ପରେ ବ୍ରାଜିଲ୍‌ରେ ଯେଉଁ ବିଶୃଙ୍ଖଳା ସୃଷ୍ଟି ହୋଇଛି, ସେଥିରେ ବୋଲସୋନାରୋଙ୍କ ଭଳି ଏକଚ୍ଛତ୍ରବାଦୀଙ୍କ ପ୍ରଚ୍ଛନ୍ନ ହାତ ଥିବା ଜଣାପଡ଼ିଛି। କେବଳ ଲୋକଦେଖାଣିଆ ଭାବେ ବୋଲସୋନାରୋ ଟୁଇଟ୍‌ କରି କହିଛନ୍ତି, ବିକ୍ଷୋଭ ଶାନ୍ତିପୂର୍ଣ୍ଣ ଭାବେ କରାଯିବାର ଥିଲା। ବିଶୃଙ୍ଖଳିତ ଆଚରଣ ଲାଗି ସେ ତାଙ୍କ ସମର୍ଥକମାନଙ୍କୁ ଗାଳି କରିଛନ୍ତି। ତେବେ ଗିରଫ ହେବା ଭୟରେ ବୋଲସୋନାରୋ କ୍ଷମତା ଶେଷ ହେବାର କିଛି ଦିନ ପୂର୍ବରୁ ଦେଶ ଛାଡ଼ି ଆମେରିକାରେ ରହିବା ତାଙ୍କ ଭୀରୁତାର ପ୍ରମାଣ ମିଳୁଛି।
ବୋଲସୋନାରୋଙ୍କ ଚରିତ୍ର ଭଲ ଭାବେ ବିଶ୍ୱବାସୀ ଜାଣିଛନ୍ତି। କ୍ଷମତା ଜାବୁଡ଼ି ଧରିବା ସକାଶେ ସେ ଯେଉଁ ପ୍ରୟାସ କରିଥିଲେ ତାହାକୁ ଦେଶବାସୀ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ଏକବିଂଶ ଶତାବ୍ଦୀରେ ବିଶ୍ୱରେ ଏମିତି ଅନେକ ନେତା ଅଛନ୍ତି, ଯେଉଁମାନେ ଆଜୀବନ ରାଷ୍ଟ୍ରର ସର୍ବେସର୍ବା ହୋଇ ରହିବାକୁ ଚାହୁଁଛନ୍ତି। ସଦ୍ୟ ଦୃଷ୍ଟାନ୍ତ ଭାବେ ଚାଇନାର ଶି ଜିନ୍‌ପିଙ୍ଗ ଓ ରୁଷିଆର ଭ୍ଲାଡିମିର୍‌ ପୁଟିନ୍‌ଙ୍କ ଚରିତ୍ର ସ୍ପଷ୍ଟ ପ୍ରତୀୟମାନ ହେଉଛି। ଆଉ ଟିକେ ଘର ନିକଟକୁ ଆସିଲେ ଭାରତର ପଡ଼ୋଶୀ ପାକିସ୍ତାନ ନିଜକୁ ଗଣତାନ୍ତ୍ରିକ ରାଷ୍ଟ୍ର ବୋଲି କହୁଛି। ସେହିଭଳି ମ୍ୟାନ୍‌ମାର ମଧ୍ୟ ସାମରିକ ନିୟନ୍ତ୍ରଣାଧୀନ ରହି ନିର୍ବାଚନ ମାଧ୍ୟମରେ ତଥାକଥିତ ଗଣତନ୍ତ୍ରର ମୋହର ମାରିବାକୁ ଚେଷ୍ଟା କରୁଛି। କିନ୍ତୁ ମନେପକାଇ ଦିଆଯାଇପାରେ ଯେ, ଅଧିକାଂଶ ଏକଚ୍ଛତ୍ରବାଦୀ ନେତା କ୍ଷମତାରେ ଥିବା ପର୍ଯ୍ୟନ୍ତ ଷଣ୍ଢ ଭଳିଆ ଏକତରଫା ବ୍ୟବହାର କରି ନିଜ ଲୋକଙ୍କ ଉପରେ ଅତ୍ୟାଚାର କରିଥାଆନ୍ତି। ଯେତେବେଳେ କ୍ଷମତାଚ୍ୟୁତ ହୁଅନ୍ତି ସେତେବେଳେ ମୂଷା ଭଳି ଦୌଡ଼ି ପଳାନ୍ତି। ନର୍ଦ୍ଦମା ଭିତରେ ମଧ୍ୟ ଲୁଚିବାକୁ ଚେଷ୍ଟା କରନ୍ତି।
ବ୍ରଜିଲ୍‌ କର୍ତ୍ତୃପକ୍ଷ ଆମେରିକାର କାପିଟୋଲ ହିଲ୍‌ ଉପରେ ଟ୍ରମ୍ପ୍‌ଙ୍କ ସମର୍ଥକଙ୍କ ଆକ୍ରମଣ ଘଟଣାରୁ କିଛି ଶିଖିଲା ଭଳି ମନେହେଉ ନାହିଁ। କାରଣ ଟ୍ରମ୍ପ୍‌ଙ୍କ ଭଳି ବୋଲସୋନାରୋ ଆଉ ଜଣେ ଏକଜିଦିଆ ନେତା। ଏକଚ୍ଛତ୍ରବାଦର ଆଭିମୁଖ୍ୟ ରଖି ଗତି କରୁଥିବା ଏଇ ଧରଣର ନେତାମାନେ କ୍ଷମତାରୁ ଅପସରି ଯିବାକୁ ସାଧାରଣରେ ଗ୍ରହଣ କରିପାରି ନ ଥାନ୍ତି। ଲୁଲା କ୍ଷମତାକୁ ଆସିବା ବ୍ରାଜିଲ୍‌ ପାଇଁ ଶୁଭଙ୍କର କୁହାଯାଉଛି। ହେଲେ ବୋଲସୋନାରୋଙ୍କ ନକାରାତ୍ମକ ଚିନ୍ତାଧାରାକୁ ଲୁଲା ତାଙ୍କ ଶାସନର ପ୍ରତି ପଦକ୍ଷେପରେ ଜଗିବା ଆବଶ୍ୟକ। ଏହି ପରିପ୍ରେକ୍ଷୀରେ ବ୍ରାଜିଲ୍‌, ରୁଷିଆ, ଭାରତ, ଚାଇନା ଓ ଦକ୍ଷିଣ ଆଫ୍ରିକାକୁ ନେଇ ଗଠିତ ‘ବ୍ରିକ୍ସ’ ଅନ୍ତର୍ଜାତୀୟ ସ୍ତରରେ ଅନ୍ୟତମ ଶକ୍ତିଶାଳୀ ମଞ୍ଚ ହୋଇଥିବାରୁ ବ୍ରାସିଲିଆରେ କ୍ଷମତା ପାଇଁ ଦେଖାଦେଇଥିବା ବିଦ୍ରୋହକୁ ଅନ୍ତର୍ଜାତୀୟ ସମୁଦାୟ ସୂକ୍ଷ୍ମ ସ୍ତରରେ ଅନିଶା କରିବା ଦରକାର। ଇତିମଧ୍ୟରେ ସର୍ବାଧିକ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତ ଲୁଲାଙ୍କୁ ସମର୍ଥନ କରିଛି। ଅନୁରୂପ ଭାବେ ସର୍ବପୁରାତନ ଗଣତାନ୍ତ୍ରିକ ଦେଶ ଆମେରିକା ବୋଲସୋନାରୋ ସମର୍ଥକଙ୍କ କାର୍ଯ୍ୟକଳାପକୁ ନିନ୍ଦା କରିଛି। ଏବର ସମୟରେ ଗଣତନ୍ତ୍ରକୁ ସୁଦୃଢ଼ କରିବାକୁ ହେଲେ ବୋଲସୋନାରୋଙ୍କ ଭଳି ମାନସିକତା ପୋଷଣ କରୁଥିବା ନେତାଙ୍କୁ କ୍ଷମତାରୁ ଦୂରେଇ ରଖିବା ଆବଶ୍ୟକ ହୋଇପଡ଼ିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri