ଛଳନା ନ କରି ଚଳିହେବ କି

ଆପଣ କେବେ ବୁଢ଼ିଆଣୀର ଘର ଦେଖିଛନ୍ତି- ଘର ମାନେ ଜାଲ। ଜାଲ ତିଆରି କରି ଏପରି ଜାଗାରେ ସେ ମେଲି ଦେଇଥାଏ ଯେ, ସେଇ ବାଟ ଦେଇ ଆସୁଥିବା କୀଟ ପତଙ୍ଗ ସହଜରେ ପଡ଼ିଯାଏ ଫାଶରେ। ସେଠାରୁ ବାହାରିବାର ଯୁ ମିଳେନା ତାକୁ। କିଛି ସମୟ ଯୁଝିବା ପରେ ତା’ର ସମସ୍ତ ଶକ୍ତି ସାମର୍ଥ୍ୟ ସରିଯାଏ ଓ ଶେଷରେ ସେ ପାଲଟିଯାଏ ବୁଢ଼ିଆଣୀର ଆହାର। ଖାଲି ଖାଦ୍ୟ ଆହରଣ ପାଇଁ ନୁହେଁ, ନିଜର ସାଥୀ ଖୋଜିବା କିମ୍ବା ନିଜକୁ ବିପଦରୁ ରକ୍ଷା କରିବା ପାଇଁ ମଧ୍ୟ ହରେକ୍‌ ରକମର ପ୍ରାଣୀ ବିଭିନ୍ନ କୌଶଳ ଅବଲମ୍ବନ କରନ୍ତି। ଏମିତି କୌଶଳ ମାନ ଅବଲମ୍ବନ କରୁ ନ ଥିଲେ କେହି ତିଷ୍ଠି ପାରନ୍ତେ ନାହିଁ। ଏଇ କୌଶଳ ଭିତରୁ କିଛି ଅଛି, ଯାହା ଜନ୍ମରୁ ପ୍ରାଣୀମାନେ ଆପେ ଆପେ ଜାଣିଯାଆନ୍ତି। ମାତ୍ର ଆଉ କିଛି ଅଛି, ଯାହା ସେମାନଙ୍କର ଗୋଷ୍ଠୀ ଜୀବନରେ ସେମାନେ ଶିକ୍ଷା କରନ୍ତି। ଏଇ କୌଶଳ କେବଳ ପ୍ରାଣିସମାଜରେ ସୀମିତ ହୋଇ ନାହିଁ। ଏହାକୁ ମଣିଷ ଅଧିକ ଉପଯୋଗ କରି କୌଶଳକ୍ରମେ ବିଶାଳ ଦିଗନ୍ତ ଆବିଷ୍କାର କରିଛି।
ଆପଣ କେତେବେଳେ ଟେଲିଫୋନ୍‌ ପାଇଥିବେ ଏଇଭଳି। ସେପଟରୁ ଟେଲିଫୋନ୍‌ କରିଥିବା ବାବୁଜଣକ ପ୍ରଥମେ କହିବେ ସାର୍‌ ନମସ୍କାର। ମୁଁ ବିପିନ କହୁଛି ସାର୍‌, ଗତକାଲି ଆପଣ ଯେଉଁ ଲେଖାଟି ଫେସ୍‌ବୁକ୍‌ରେ ପୋଷ୍ଟ କରିଥିଲେ ସେଇଟା ପଢ଼ୁପଢ଼ୁ ମୋ ଆଖି ଓଦା ହୋଇଗଲା । ଗତଥର ଆପଣଙ୍କ ସହିତ ଦେଖାହୋଇଥିଲା ଆମ କଲେଜ ଫଙ୍କ୍‌ସନ୍‌ରେ। ଆପଣ ଯେଉଁ ଭାଷଣ ଦେଇଥିଲେ ଆଜିଯାଏ ମନେଅଛି ସମସ୍ତଙ୍କର। ସାର୍‌, ଗୋଟିଏ ଛୋଟିଆ କାମ ପାଇଁ ମନେପକାଉଥିଲି ସାର୍‌। ଆପଣଙ୍କୁ କାଲି ଅଫିସ୍‌ରେ ଭେଟିପାରିବି ସାର୍‌? ଏତେବେଳକୁ ଆପଣ ବୁଝିଯିବେଣି ପ୍ରଥମ ଯେଉଁ ଦୁଇଟି କଥା ବାବୁଜଣକ କହିଲେ ତାହା କେବେବି ଲକ୍ଷ୍ୟ ନୁହେଁ, ମାତ୍ର ଉପଲକ୍ଷ୍ୟ-ଉପକ୍ରମଣିକା।
ଅନେକ ପରିସ୍ଥିତି ଅଛି, ଯେଉଁଠି ଆପଣ ଯାହା ସତ ତାହା କହିପାରିବେ ନାହିଁ। ଯେମିତି କଲେଜ ଇଲେକ୍‌ସନ୍‌ ପାଇଁ ଜୋର୍‌ରେ ପ୍ରଚାର ଚାଲିଛି। ଗୋଟିଏ ଦଳର କିଛି ପିଲା ଆସି ଆପଣଙ୍କ ନିକଟକୁ ତାଙ୍କ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଓ କହିଲେ, ”କ’ଣ ଭାଇ, ଆମ ପ୍ରାର୍ଥୀ ଆପଣଙ୍କ ଭୋଟ ପାଇବେ ତ?“ ଆପଣ ପରିସ୍ଥିତିର ଗମ୍ଭୀରତାକୁ ବଦଳେଇବା ପାଇଁ କହିବେ- ”ମୋର ତ ନିଜର କେହି କ୍ୟାଣ୍ଡିଡେଟ୍‌ ନାହାନ୍ତି। ଆପଣଙ୍କୁ ନ ଦେବି କ’ଣ ପାଇଁ?“ ସେମାନେ ଖୁସି ହୋଇ ଆପଣଙ୍କ ସହିତ ହାତ ମିଳାଇ ତାଙ୍କ ଖାତାରେ ଆଉ ଗୋଟାଏ ଭୋଟ ଚଢ଼ିଲା ବୋଲି ଭାବି ଖୁସିହୋଇ ଫେରିଯିବେ। ଅଥଚ ଯଦି ଟିକିଏ ଛଳନା ନ କରି ଆପଣ ସ୍ବାଭାବିକ ଭାବରେ କହିଥାଆନ୍ତେ ଯେ, ଆପଣ ଆଉ କାହାକୁ ଦେବାକୁ ମନସ୍ଥ କରିଛନ୍ତି କିମ୍ବା ଆପଣ ଭାବିଚିନ୍ତି ନିଷ୍ପତ୍ତି ନେବେ, ତା’ହେଲେ ସେଇ ଦଳରୁ ଯଦି ଉତ୍ପାତିଆ କେହି ଥିବେ ତା’ହେଲେ ଆପଣଙ୍କର ଚଉଦ ପୁରୁଷ ଉଦ୍ଧାର କରିବା କଥା ନିଧାର୍ଯ୍ୟ।
ପିଲାବେଳେ ଆମେ ଗୋଟିଏ ଛୋଟ ଗପ ପଢ଼ିଥିଲେ। ଦୁଇ ସାଙ୍ଗ ଜଙ୍ଗଲରେ ବୁଲୁବୁଲୁ ଦେଖିଲେ ବହୁ ଦୂରରୁ ଗୋଟିଏ ବିଶାଳକାୟ ଭାଲୁ ସେମାନଙ୍କ ଆଡ଼କୁ ଆସୁଛି। ସାଙ୍ଗ ଦୁହେଁ କାଳ ବିଳମ୍ବ ନ କରି ମୁହଁ ତଳକୁ କରି ପଡ଼ିରହିଲେ ଓ ମୁର୍ଦ୍ଦାରର ଅଭିନୟ କଲେ। ଭାଲୁ ସେମାନଙ୍କ ପାଖରେ ପହଞ୍ଚତ୍ ତାଙ୍କୁ ଗଡ଼େଇ ଦେଲାରୁ ମଲା ଲୋକ ପରି ତାଙ୍କର ପାର୍ଥତ୍ବ ଶରୀର ଗଡ଼ିଗଡ଼ି ଗଲା। ଭାଲୁ ଭାବିଲା ହୁଏତ ସେ ଦୁଇଟିଯାକ ଶବ। ତେଣୁ ସେଠାରୁ ପଳେଇଗଲା; ମାତ୍ର ଏଇ ଦୁଇ ବନ୍ଧୁ ବହୁ ସମୟଯାଏ ପଡ଼ିରହି ଭାଲୁକୁ ଲକ୍ଷ୍ୟ କରୁଥା’ନ୍ତି। ଯେତେବେଳେ ବହୁ ଦୂରକୁ ସେ ଚାଲିଗଲା, ସେତେବେଳେ ସେମାନେ ବିପରୀତ ଦିଗକୁ ଦୌଡ଼ି ଦୌଡ଼ି ଯାଇ ନିଜର ଜୀବନ ବଞ୍ଚେଇଦେଲେ। ଯଦି ସେଦିନ ସେମାନେ ଛଳନା ଟିକିଏ କରିନଥା’ନ୍ତେ, ତା’ହେଲେ କ’ଣ ଜୀବନ ନେଇ ଘରକୁ ଫେରିଥାନ୍ତେ!
ବହୁ ବର୍ଷତଳେ ଆମ ରାଜ୍ୟର ପଶ୍ଚିମାଞ୍ଚଳରେ ଚାକିରି କଲାବେଳେ ଗୋଟିଏ ରୋଚକ କଥା ଶୁଣିଥିଲି। ଏକଦା ସେ ଅଞ୍ଚଳରେ ଜଣେ ଡାକ୍ତର ଭାରି ନଁା କରିଥିଲେ ରୋଗୀ ସେବାରେ। ସେକାଳରେ ଲୋକମାନଙ୍କର ବିଶ୍ୱାସ ଥିଲା ହଇଜା ରୋଗ ଠାକୁରାଣୀଙ୍କ ଆକ୍ରୋଶରୁ ହୁଏ ଏବଂ ତାଙ୍କର କୃପା ହେଲେ ଭଲ ହୁଏ। ସେ ଗୋଟିଏ ଲୋକକୁ ପଇସା ଦେଇ ରଖୁଥିଲେ, ଯିଏକି ଜଣେ ଗୁଣିଆର ଅଭିନୟ କରୁଥିଲା ଏବଂ ସେ ରୋଗୀର କାନରେ କହୁଥିଲା, ”ମା’ ଏବେ ପ୍ରସନ୍ନ ହେଲେଣି, ତୋ ରୋଗ ଅଲ୍‌ବତ ଛାଡ଼ିଯିବ। ଡାକ୍ତରବାବୁ ଯେଉଁ ସୁଜା ବା ଇଞ୍ଜେକ୍‌ସନ୍‌ ଦେବେ ତାକୁ ନେବାକୁ ଅରାଜି ହେବୁନି।“ ତା’ପରେ ଡାକ୍ତରବାବୁ ତାଙ୍କର ଡାକ୍ତରିବିଦ୍ୟା ପ୍ରୟୋଗ କରୁଥିଲେ ଏବଂ ଅଧିକାଂଶ ରୋଗୀ ଆରୋଗ୍ୟ ପ୍ରାପ୍ତ ହେଉଥିଲେ। ହୁଏତ ଏପରି ଛଳନାପୂର୍ଣ୍ଣ କାର୍ଯ୍ୟ ଆଧୁନିକ ମନୋବିଜ୍ଞାନର ‘ପ୍ଲାସିବୋ ଇଫେକ୍ଟ’ ପରି କାର୍ଯ୍ୟ କରୁଥିଲା। ସେଇ ଡାକ୍ତର କ୍ରମେ ଏତେ ଲୋକପ୍ରିୟ ହେଲେ ଯେ, ମୁଁ ସେଇ ଅଞ୍ଚଳରେ ପହଞ୍ଚତ୍ଲା ବେଳକୁ ସେ ସାଂସଦ ପାଲଟି ଗଲେଣି।
ଆଜିକାଲି ଯୁଦ୍ଧରେ ବି ଛଳନାକୁ ପ୍ରୟୋଗ କରାଯାଉଛି। ନିକଟରେ ରୁଷ-ୟୁକ୍ରେନ୍‌ ଯୁଦ୍ଧରେ ପ୍ରୟୋଗ କରାଯାଇଥିବା ଛଳନାଟିଏ ଆପଣଙ୍କ ନଜରକୁ ଆସିଥିବ। ରୁଷିଆ ପକ୍ଷରୁ ଏକ ବିଶାଳ ଅସ୍ତ୍ରଶସ୍ତ୍ର ସଜ୍ଜିତ ପୋତ କୃଷ୍ଣ ସାଗରରେ ମୁତୟନ କରାଯାଇଥିଲା। ଏତେ ଅତ୍ୟାଧୁନିକ ଯନ୍ତ୍ରପାତି ସମ୍ମିଳିତ ଯୁଦ୍ଧ ପୋତଟିର ନଁା ଥିଲା ‘ମୁସ୍କୋଭା’। ଏହାର ଆନୁମାନିକ ମୂଲ୍ୟ ଥିଲା ପାଞ୍ଚ ହଜାର କୋଟି ଟଙ୍କାରୁ ଅଧିକ। ଏହା ଥିଲା ରୁଷିଆ ନୌସେନାର ଅହଂକାରର ପ୍ରତୀକ; ମାତ୍ର ୟୁକ୍ରେନ୍‌ ତରଫରୁ ଗୋଟିଏ ଚାଲ୍‌ ଖେଳା ହେଲା। ସେମାନେ କିଛି ଡ୍ରୋନ୍‌ ଉଡ଼େଇଦେଲେ ଯୁଦ୍ଧ ଜାହାଜର ଗୋଟିଏ ଦିଗରେ ଆଉ ମସ୍କୋଭାର ରାଡାର ଅବିଳମ୍ବେ ତାକୁ ଠାବ କଲା। କାଳବିଳମ୍ବ ନ କରି ସେଇ ଡ୍ରୋନ୍‌କୁ ଆକ୍ରମଣ କରିବାକୁ ମସ୍କୋଭାର ସ୍ବୟଂଚାଳିତ ଅସ୍ତ୍ରଗୁଡ଼ିକ ସଙ୍ଗେ ସଙ୍ଗେ ପ୍ରସ୍ତୁତ ହୋଇଗଲେ। ଯେତେବେଳେ ମସ୍କୋଭାର ସାମରିକ ଶକ୍ତି ସେଇ ଡ୍ରୋନ୍‌ ଉପରେ କେନ୍ଦ୍ରିଭୂତ, ସେତିକିବେଳେ ମିଜାଇଲ୍‌ ମାଡ଼ କଲା ୟୁକ୍ରେନ୍‌ ସେନା ମସ୍କୋଭା ଉପରେ। ମସ୍କୋଭା ଭିତରେ ଥିବା ବିଶାଳ ବାରୁଦ ଭଣ୍ଡାର ଅଗ୍ନିପିଣ୍ଡରେ ପରିଣତ ହେଲା ଅଚିରେ ଏବଂ ଫଳ ଏଇଆ ହେଲା ଯେ, ଅଳ୍ପ ସମୟ ଭିତରେ ଗଭୀର ସମୁଦ୍ର ଭିତରେ ବୁଡ଼ିଗଲା ମସ୍କୋଭା। ଆଉ ତା’ ସହିତ ସାମୟିକ ଭାବରେ ନୀରବିଗଲା ଆକ୍ରମଣକାରୀ ରାଷ୍ଟ୍ରର ଅହଂକାର।
ଛଳନାଶ୍ରୟୀ ହୋଇ ଯେତେବେଳେ ଜଣେ ଅନ୍ୟର ଅମଙ୍ଗଳ କରେ ବା ଅନ୍ୟକୁ ଲୁଣ୍ଠନ କରେ, ସେତେବେଳେ ତାହା ପରିତ୍ୟଜ୍ୟ; ମାତ୍ର ଯେତେବେଳେ ନିଜକୁ ବଞ୍ଚାଇ ହେବ ଟିକିଏ ଛଳନା କରି, ତାହା କଲେ କ’ଣ ତାକୁ ଅପରାଧ କହିବା! କ୍ରୋଧକୁ ଏକ ଅବଗୁଣ ଭାବରେ ସବୁବେଳେ ଧରିନିଆଯାଇଛି; ମାତ୍ର ଯେତେବେଳେ ଅନ୍ୟାୟ ସଙ୍ଘଟିତ ହେଉଥାଏ, ତାକୁ ଯଦି ସହିଯିବା ଏବଂ ନିଜର କ୍ରୋଧ ପ୍ରକାଶ କରିବା ନାହିଁ, ତା’ହେଲେ ତାହା ବୃହତ୍ତର ଅମଙ୍ଗଳର କାରଣ ହୋଇଯିବ। ତେଣୁ ଛଳନା କଲାବେଳେ ସବୁବେଳେ ତାହା ଯେପରି ଏକ ବୃହତ୍ତର ସ୍ବାର୍ଥର ପରିପନ୍ଥୀ ହେଉନାହିଁ ତାହା ଦେଖିଲେ ଆମ ନିଜର ମଙ୍ଗଳ ଏବଂ ସମାଜର ବି।

  • ନିରଞ୍ଜନ ସାହୁ
    ମୋ:୯୪୩୮୪୮୨୯୧୧

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri