ନୂଆଦିଲ୍ଲୀ,୧୯ା୧୧:କ୍ୟାମ୍ବ୍ରିଜ ଡିକ୍ସନାରିରେ ୨୦୨୫ ବର୍ଷର ଓ୍ବାର୍ଡ ଅଫ୍ ଦି ଇୟର ଭାବେ ମାନ୍ୟତା ପାଇଛି ‘ପାରାସୋସିଆଲ’, ଯାହାର ଅର୍ଥ ହେଉଛି ସେଲିବ୍ରିଟିଙ୍କ ପ୍ରତି ଏକତରଫା ଆକର୍ଷଣ। ଯଦି ଜଣେ ବ୍ୟକ୍ତି ଏଭଳି କୌଣସି ସେଲିବ୍ରିଟି, କାଳ୍ପନିକ ଚରିତ୍ର କିମ୍ବା ସାଧାରଣ ଜୀବନରେ ଥିବା ବ୍ୟକ୍ତିଙ୍କ ସହ ଏକତରଫା ଓ ଭାବନାତ୍ମକ ସମ୍ପର୍କ ଅନୁଭବ କରନ୍ତି, ଯାହାଙ୍କୁ ସେ ବ୍ୟକ୍ତିଗତ ଭାବେ ଜାଣି ନ ଥାନ୍ତି ତାକୁ ପାରାସୋସିଆଲ ରିଲେଶନ୍ କୁହାଯାଏ। ଟିଭି, ଫିଲ୍ମ, ପୋଡ୍କାଷ୍ଟ ଭଳି ମିଡିଆ କିମ୍ବା ସାମାଜିକ ଗଣମାଧ୍ୟମ ଜରିଆରେ ଏହି ସମ୍ପର୍କ ବିକଶିତ ହୋଇଥାଏ, ଯେଉଁଠି ଦର୍ଶକ ବା ସମ୍ପୃକ୍ତ ୟୁଜର ସହି ପରିଚିତ ବ୍ୟକ୍ତିଙ୍କୁ ବ୍ୟକ୍ତିଗତ ଜାଣିଥିବା ମନେକରନ୍ତି। ଏହା ତାଙ୍କର ଏକ ମିଥ୍ୟା ଧାରଣା। ଆମେରିକୀୟ ଫୁଟ୍ବଲର୍ ଟ୍ରାଭିସ୍ କେଲ୍ସେ ଏବଂ କଣ୍ଠଶିଳ୍ପୀ ଟେଲର ସ୍ବିଫ୍ଟ ସେମାନଙ୍କ ନିର୍ବନ୍ଧ ଘୋଷଣା କରିବା ସମୟରେ ପ୍ରଶଂସକମାନେ ଦେଖାଇଥିବା ରୁଚି ଏହାର ଏକ ଉତ୍କୃଷ୍ଟ ଉଦାହରଣ। ୧୯୫୬ରେ ଆମେରିକୀୟ ସମାଜବିଜ୍ଞାନୀମାନେ ଟିଭି ଦର୍ଶକମାନେ ପରଦାରେ ଆସୁଥିବା ବ୍ୟକ୍ତିତ୍ୱଙ୍କ ସହ ପାରାସୋସିଆଲ ରିଲେଶନ୍ରେ ରହୁଥିବା ନେଇ ପ୍ରଥମ ଥର ଦେଖାଯାଇଥିଲା। ଶିକାଗୋ ୟୁନିଭର୍ସିଟିର ସୋସିଓଲୋଜିଷ୍ଟ ଡୋନାଲ୍ଡ ହୋର୍ଟନ୍ ଏବଂ ରିଚାର୍ଡ ଓ୍ବୋହଲ୍ ପ୍ରଥମେ ଏହି ଶବ୍ଦକୁ ବ୍ୟବହାର କରିଥିଲେ। ପରବର୍ତ୍ତୀ ସମୟରେ ଏହାର ବହୁଳ ବ୍ୟବହାର ହେବାରେ ଲାଗିଲା। ୨୦୨୫ରେ କ୍ୟାମ୍ବ୍ରିଜ ଡିକ୍ସନାରିରେ ଡେଲୁଲୁ, ସ୍ଲୋପ୍, ସ୍କିବିଡି ଓ ଟ୍ରାଡ୍ଓ୍ବାଇଫ୍ ସମେତ ୬,୦୦୦ ନୂଆ ଶବ୍ଦକୁ ଯୋଡ଼ାଯାଇଛି। ତନ୍ମଧ୍ୟରୁ ପାରାସୋସିଆଲକୁ ଶ୍ରେଷ୍ଠ ବିବେଚନା କରାଯାଇଛି।
Dharitri – Odisha’s No.1 Odia Daily

