ସ୍କୁଲ୍‌ରୁ କାଫେ

ଶିଶୁମାନଙ୍କର ଶିକ୍ଷା ଅଧିକାରକୁ ଭ୍ରୂକ୍ଷେପ ନ କରି ରାଜ୍ୟ ସରକାର ବିଗତ ଦିନଗୁଡ଼ିକରେ ରାଜ୍ୟର ଅନେକ ସ୍କୁଲ ବନ୍ଦ କଲେ। ୨୦୦୧ ମସିହାରେ ସର୍ବଶିକ୍ଷା ଅଭିଯାନ କାର୍ଯ୍ୟକ୍ରମ ମାଧ୍ୟମରେ ଆବଶ୍ୟକତା ନ ଥିବା ଅଞ୍ଚଳରେ ସରକାର ବିଦ୍ୟାଳୟ ମାନ ଖୋଲିଥିଲେ। ପରବର୍ତ୍ତୀ ସମୟରେ ପିଲାଙ୍କ ସଂଖ୍ୟାରେ ବୃଦ୍ଧି ନ ହେବା ଯୋଗୁ ଧୀରେ ଧୀରେ ସେହି ବିଦ୍ୟାଳୟଗୁଡ଼ିକୁ ବନ୍ଦ କଲେ। ଯାହା ଫଳରେ ସରକାରଙ୍କ ଅପାରଗତା ହେତୁ ଅନେକ ପିଲା ନିଜ ଅଧିକାରରୁ ବଞ୍ଚିତ ହେଲେ। ଫଳତଃ ବିଦ୍ୟାଳୟର ସୁନ୍ଦର ସୁନ୍ଦର ଅଟ୍ଟାଳିକା ଯାହା ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଗଢ଼ିଉଠିଥିଲା ତାହା ଏବେ ଭୂତକୋଠି ପାଲଟି ଯାଇଛି। ସେହି ବିଦ୍ୟାଳୟ ଗୃହର ସୁବିନିଯୋଗ ନିମନ୍ତେ ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ହସ୍ତାନ୍ତର କରିବା ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହା ଏକ ଉତ୍ତମ ପଦକ୍ଷେପ, ମାତ୍ର ବିଦ୍ୟାଳୟର ପୁନରୁଦ୍ଧାର ବଦଳରେ ଏହା ଶ୍ରେୟସ୍କର ନୁହେଁ।
ଅନ୍ୟାନ୍ୟ ବିଦ୍ୟାଳୟ ପରି ବୌଦ୍ଧ ଜିଲାର ଗଜରାଜପୁର ପ୍ରାଥମିକ ବିଦ୍ୟାଳୟକୁ ମଧ୍ୟ ଦୁଇବର୍ଷ ହେଲା ସରକାର ବନ୍ଦ କରିଛନ୍ତି। ବିଦ୍ୟାଳୟକୁ ପୁନଃ କାର୍ଯ୍ୟକ୍ଷମ ନ କରିପାରିବା ହେତୁ ସେହି ବିଦ୍ୟାଳୟକୁ ସ୍ବୟଂ ସହାୟକ ଗୋଷ୍ଠୀକୁ ହସ୍ତାନ୍ତର କରି ସେଠାରେ ଏକ ମିଶନ ଶକ୍ତି କାଫେ ସରକାର ଆରମ୍ଭ କରିଛନ୍ତି। ଏହା ମଧ୍ୟ ଏକ ଉଚିତ ପଦକ୍ଷେପ, ମାତ୍ର ବିଦ୍ୟାଳୟରେ ଥିବା ସମସ୍ୟାକୁ ସମାଧନ ନ କରି ତା’ ବଦଳରେ ଅନ୍ୟ କିଛି କରିବା ପରିତାପର ବିଷୟ। ଶିକ୍ଷା ହେଉଛି ସବୁର ମୂଳ। ଶିକ୍ଷାକୁ ସବୁ କ୍ଷେତ୍ରରେ ଗୁରୁତ୍ୱ ଦିଆଯାଉଥିବା ବେଳେ ଶିକ୍ଷା ବଦଳରେ ଜୀବନ ଜୀବିକାକୁ ଗୁରୁତ୍ୱ ଦେବା କେତେ ଯୁକ୍ତିଯୁକ୍ତ। ଗୋଷ୍ଠୀ ସହଯୋଗ ବିନା କୌଣସି ଯୋଜନା ସଫଳ ହୁଏ ନାହିଁ। ମିଶନ ଶକ୍ତି କାଫେ ପାଇଁ ଆଗେଇ ଆସିଥିବା ସ୍ବୟଂ ସହାୟକ ଗୋଷ୍ଠୀ ବିଦ୍ୟାଳୟ ବନ୍ଦ ହେବା ପୂର୍ବରୁ ବିଦ୍ୟାଳୟକୁ ଠିକ୍‌ କରି ପାରିଥାନ୍ତେ।
ସରକାର ବିଦ୍ୟାଳୟଗୁଡ଼ିକୁ ବନ୍ଦ କରିବାର ଉଦ୍ଦେଶ୍ୟକୁ ନିରପେକ୍ଷ ଭାବରେ ଯଦି ସମୀକ୍ଷା କରାଯାଏ ତେବେ ଫଳ ସ୍ବରୂପ କେତୋଟି ବିଷୟ ଉଲ୍ଲେଖ କରାଯାଇ ପାରେ। ସମସ୍ତେ ପଢ଼ିବେ, ସମସ୍ତେ ବଢ଼ିବେ ନାରା ନେଇ ସର୍ବଶିକ୍ଷା ଅଭିଯାନ ଆରମ୍ଭ ହୋଇଥିଲା। ଶିକ୍ଷାକୁ ଘରେ ଘରେ ପହଞ୍ଚାଇବା ପାଇଁ ପ୍ରତି ଗାଁରେ ବିଦ୍ୟାଳୟ ଖୋଲାଗଲା। ଏଥିପାଇଁ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଅନୁଦାନ ଦେଲେ। ରାଜ୍ୟ ସରକାର ସେହି ଅନୁଦାନକୁ ଖର୍ଚ୍ଚ କରିବା ପାଇଁ ବିଦ୍ୟାଳୟ ଆବଶ୍ୟକ ନ ଥିବା ଗାଁଗୁଡ଼ିକରେ ପିଲା ସଂଖ୍ୟାକୁ କାଗଜ ପତ୍ରରେ ବୃଦ୍ଧିକରି ଯୋଗ୍ୟ ବିବେଚିତ କରି ନୂତନ ବିଦ୍ୟାଳୟ ମାନ ଖୋଲିଚାଲିଲେ। ସେହି ବିଦ୍ୟାଳୟଗୁଡ଼ିକରେ ନିୟମିତ ଶିକ୍ଷକ ବଦଳରେ ଠିକା ଶିକ୍ଷକ ନିଯୁକ୍ତି କଲେ। ଶିକ୍ଷକ ନିଯୁକ୍ତି ହେଲେ, ପିଲାମାନେ ବିଦ୍ୟାଳୟକୁ ଆସିଲେ ମାତ୍ର ଶିକ୍ଷାର ଗୁଣବତ୍ତାରେ ବୃଦ୍ଧି ଏବଂ ନିୟମିତ ଉପସ୍ଥାନରେ ବୃଦ୍ଧି ବଦଳରେ ଧୀରେ ଧୀରେ ଏହାର ଅବନତି ଘଟିଲା। ଠିକା ଶିକ୍ଷକମାନେ ପାଠପଢ଼ା ବଦଳରେ ନିଜର ଚାକିରିକୁ ନିୟମିତ କରିବା ପାଇଁ ଗୁରୁତ୍ୱ ଦେଲେ। ଧୀରେ ଧୀରେ ଶିକ୍ଷା ନିଜର ଗୁଣବତ୍ତା ହରାଇଲା। ପିଲାଙ୍କ ଉପସ୍ଥାନରେ ଅବନତି ଘଟିଲା। ଅଭିଭାବକମାନେ ସରକାରୀ ବିଦ୍ୟାଳୟ ପ୍ରତି ମୁହଁ ମୋଡ଼ିବା ଆରମ୍ଭ କଲେ।
୨୦୦୯ ସମିହାର ମୁକ୍ତ ଏବଂ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ ଏହି ଧାରାକୁ ରୋକି ପାରିଲା ନାହିଁ। ଏହି ଆଇନରେ ପ୍ରତି ୪୦ଜଣ ଶିଶୁରେ ଏବଂ ୧ କିଲୋମିଟର ପରିଧିରେ ଗୋଟିଏ ଲେଖାଏ ବିଦ୍ୟାଳୟ ଖୋଲିବା ପାଇଁ ନିର୍ଦ୍ଦେଶ ରହିଛି। ଯଦି କୌଣସି ପ୍ରାକୃତିକ ପ୍ରତିବନ୍ଧକ ଥାଏ ତେବେ ଏହାଠାରୁ କମ୍‌ ଦୂରତା ଏବଂ କମ୍‌ ପିଲାରେ ମଧ୍ୟ ବିଦ୍ୟାଳୟ ଖୋଲାଯାଇ ପାରିବ। ଉପରୋକ୍ତ ଗଜରାଜପୁର ବିଦ୍ୟାଳୟ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖାଦେଇଛି। ସେହି ବିଦ୍ୟାଳୟଠାରୁ ନିକଟସ୍ଥ ବିଦ୍ୟାଳୟର ଦୂରତା ୧ କିଲୋମିଟର ହେଲେ ମଧ୍ୟ ସେହି ଗାଁ ଏବଂ ବିଦ୍ୟାଳୟ ମଧ୍ୟରେ ଜାତୀୟ ରାଜପଥ ରହିଛି। ଯେଉଁଠି ହଜାର ହଜାର ଯାନବାହନ ଯାତାୟାତ କରୁଛନ୍ତି। ସେହି ବାଟଦେଇ ଶିଶୁମାନେ ନିୟମିତ ବିଦ୍ୟାଳୟକୁ ଯିବା ବେଳେ ଆକସ୍ମିକ ଦୁର୍ଘଟଣାକୁ ଏଡ଼ାଇ ଦେଇ ହେବନାହିଁ। ଏ ପରିପ୍ରେକ୍ଷୀରେ ଗଜରାଜପୁରର ପ୍ରଥମିକ ବିଦ୍ୟାଳୟକୁ ବନ୍ଦ କରିବାର କୌଣସି ଯୁକ୍ତି ନ ଥିଲା। ଏପରି ଅନେକ ବିଦ୍ୟାଳୟ ସରକାର ବନ୍ଦ କରିଛନ୍ତି, ଭୁଲ୍‌ ଆକଳନ ଏବଂ ଭୁଲ୍‌ ତଥ୍ୟକୁ ନେଇ।
ଏଠାରେ ସ୍ବତଃ ପ୍ରଶ୍ନ ଉଠେ କମ୍‌ ଶିଶୁ ଥିବା ଗାଁଗୁଡ଼ିକରେ ବିଦ୍ୟାଳୟ ଖୋଲାଗଲା କାହିଁକି? ପାଖ ଗାଁରେ ବିଦ୍ୟାଳୟ ଥାଇ ସୁଦ୍ଧା ଆଉ ଗୋଟିଏ ବିଦ୍ୟାଳୟ ଖୋଲିବାର କି ଯୁକ୍ତି ରହିଛି? ବିଦ୍ୟାଳୟରେ ଶିକ୍ଷାର ଗୁଣବତ୍ତା ବୃଦ୍ଧି ପାଇଁ ସରକାରଙ୍କ ତରଫରୁ କ’ଣ ପ୍ରୟାସ କରାଯାଇଛି? ଗୋଷ୍ଠୀକୁ କାହିଁକି ଶିକ୍ଷାର ବିକାଶରେ ସାମିଲ କରାଯାଇ ନାହିଁ? ଏହାର ସମୀକ୍ଷା କରିବାର ଆବଶ୍ୟକତା ରହିଛି ।
ଦିନକୁ ଦିନ ସରକାର ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଅଧିକ ଗୁରୁତ୍ୱ ଦେଇ ଆସୁଛନ୍ତି। ସରକାର ପ୍ରାୟତଃ ସବୁକାମରେ ମହିଳାମାନଙ୍କୁ ସାମିଲ କରି ସେମାନଙ୍କର ଜୀବନ ଜୀବିକାର ବୃଦ୍ଧି ପାଇଁ ଅନେକ ଅନୁଦାନ ମଧ୍ୟ ଦେଉଛନ୍ତି। ପୁରୁଷମାନଙ୍କ ଅପେକ୍ଷା ମହିଳାମାନେ ଅଧିକ ଦାୟିତ୍ୱବାନ୍‌। ତେଣୁ ତାଙ୍କୁ ଆର୍ଥିକ କ୍ଷମତା ଦେଲେ ଅନୁଦାନର ସୁବିନିଯୋଗ ହେବା ସଙ୍ଗେ ସଙ୍ଗେ ପରିବାରର ଆର୍ଥିକ ଉନ୍ନତି ହୋଇପାରିବ। ମିଶନ ଶକ୍ତି ମାଧ୍ୟମରେ ଅନେକ କାର୍ଯ୍ୟକ୍ରମ ଆମ ରାଜ୍ୟରେ ଚାଲୁଛି। ସେଥି ମଧ୍ୟରୁ ବେଶି ମାତ୍ରାରେ ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକ ତରଫରୁ କାଫେଟେରିଆ ମାନ ଖୋଲାଯାଇ ମହିଳାମାନଙ୍କ ପାଇଁ ରୋଜଗାରର ପନ୍ଥା ସୃଷ୍ଟି କରାଯାଇ ପାରିଛି। ଗାଁଗୁଡ଼ିକରେ ତ ଏଥିପାଇଁ ଜାଗା ମିଳିବା କଷ୍ଟକର, ତେଣୁ ସରକାର ବନ୍ଦ ହୋଇଯାଇଥିବା ବିଦ୍ୟାଳୟ ଗୃହଗୁଡ଼ିକୁ ଏଥିପାଇଁ ବ୍ୟବହାର କରୁଛନ୍ତି।
ବନ୍ଦ ହୋଇଥିବା ବିଦ୍ୟାଳୟଗୁଡ଼ିକରୁ କେତେକ ବିଦ୍ୟାଳୟ ପୁନଃ ଚାଲୁ କରିବାର ଆବଶ୍ୟକତା ସରକାର ଅନୁଭବ କରିବା ଉଚିତ। ବିଦ୍ୟାଳୟ ପ୍ରତି ଶିଶୁମାନଙ୍କର ଆଗ୍ରହ ଜନ୍ମାଇବା ସରକାରଙ୍କର ଦାୟିତ୍ୱ। ନିଜ ପିଲାର ଶୈକ୍ଷିକ ଉନ୍ନତି ନ ହେଲେ ଅଭିଭାବକମାନେ ବିଦ୍ୟାଳୟ ପ୍ରତି ମୁହଁମୋଡ଼ିବା ସ୍ବାଭାବିକ। ତେଣୁ ବିଦ୍ୟାଳୟରେ ପିଲା ସଂଖ୍ୟା କମିବାରେ ଲାଗିଛି। ଏପଟେ ସରକାର ବିଦ୍ୟାଳୟକୁ ବନ୍ଦ କରିଦେଇ ନିଜ ମୁଣ୍ଡରୁ ଅଠା ଛଡ଼ାଉଛନ୍ତି। ପିଲା ସଂଖ୍ୟା ବିଷୟରେ ଅଧିକାରୀମାନଙ୍କର ଭୁଲ୍‌ ତଥ୍ୟ ଯୋଗୁ କେତେକ ବିଦ୍ୟାଳୟ ବନ୍ଦ କରାଯାଇଛି। ସେହି ବିଦ୍ୟାଳୟ ବିଷୟରେ ସରକାର ଆଉଥରେ ବିଚାର କରିବା ଉଚିତ। ସରକାର କାଫେ ବିଷୟରେ ଯେମିତି ସକ୍ରିୟ ହୋଇ କାମ କରୁଛନ୍ତି। ବିଦ୍ୟାଳୟକୁ ବଞ୍ଚାଇବାକୁ ମଧ୍ୟ ସେପରି ସକ୍ରିୟତା ଦେଖାଇଲେ ଶିଶୁମାନେ ତାଙ୍କର ଅଧିକାର ଫେରିପାଇବେ।

  • ରାଜୀବ କର୍ମି
    ଶଗଡ଼ା, ବୌଦ୍ଧ
    ମୋ-୮୩୨୮୮୪୮୧୪୫

Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri