ଅବଧାରିତ ଅପରାହ୍ନ

ମାର୍ଚ୍ଚ ୨୯ ତାରିଖ ପ୍ରାୟ ତିନିଟା ତିରିଶ ମିନିଟ – ଏକ ଅବଧାରିତ ଅପରାହ୍ନ, ଶ୍ରୀମା ଶ୍ରୀଅରବିନ୍ଦଙ୍କୁ ପ୍ରଥମେ ସାକ୍ଷାତ କରିଥିଲେ। ସ୍ଥାନଟି ଥିଲା ବର୍ତ୍ତମାନର ପ୍ଲେଗ୍ରାଉଣ୍ଡ ଭିତରେ ଥିବା ଗୃହର ଉପର ମହଲାକୁ ଯିବା ଶିଡି ପାହାଚର ଲାଣ୍ଡିଂରେ। ଶ୍ରୀଅରବିନ୍ଦ ଉପର ମହଲାରୁ ଓହ୍ଲାଇ ଆସି ପାହାଚର ଶେଷ ପ୍ରାନ୍ତରେ ଅପେକ୍ଷା କରିଥାନ୍ତି ସେ ଦିନର ସେହି ଫରାସୀ ତରୁଣୀ ମୀରାଙ୍କୁ। ଉଭୟଙ୍କ ଦୃଷ୍ଟିରେ ପରସ୍ପରକୁ ସାକ୍ଷାତ କରିବାର ଯେଉଁ ଅପୂର୍ବ ଆନନ୍ଦ ଓ ଆକାଂକ୍ଷା ତାକୁ ଭାଷାରେ ପ୍ରକାଶ କରିବା ପୃଥିବୀର କୌଣସି ଭାଷା ଯେ ସମର୍ଥ ତାହା ଏହି ଲେଖକର ମନେହୁଏ ନାହିଁ। ଅସଫଳ ଭାଷାରେ କହିଲେ, ସତେ ଯେପରି ଆକାଶ ନଇଁ ଆସୁଛି ଛୁଇଁ ଦେବାକୁ ପୃଥିବୀର ତୃଷାର୍ତ୍ତ ଓଷ୍ଠ। ସତେଯେପରି ପୃଥିବୀ ବଢେଇ ଦେଇଛି ତା’ର ଆବେଗ କମ୍ପନ ନିଃସର୍ତ୍ତ କରଯୁଗଳ ଅସୀମ ଅନନ୍ତ ଆକାଶ ଆଡେ। ସମ୍ପୂର୍ଣ୍ଣ ସମର୍ପିତ କରି ଦେଇଛି ନିଜକୁ। ମହାକାଳ କେବଳ ହିଁ ସାକ୍ଷୀ ଆକାଶ ସହିତ ଧରିତ୍ରୀର ସମ୍ପୂର୍ଣ୍ଣ ସମର୍ପଣ ପର୍ବର। ଶ୍ରୀଅରବିନ୍ଦଙ୍କୁ ସାଷ୍ଟାଙ୍ଗ ପ୍ରଣାମ ନିବେଦନ କରି ଶୋଇ ଯାଇଛନ୍ତି ବିଶ୍ୱଜନନୀ। ଏହି ସମର୍ପଣ ପର୍ବକୁ ସ୍ବୀକୃତି ଜଣାଇ ଶ୍ରୀଅରବିନ୍ଦ କହିଛନ୍ତି:- ”ଶରୀରର ପ୍ରତି ଜୀବକୋଷ ଯେ ସମର୍ପିତ ହୋଇପାରେ ଏହା ସେ ପ୍ରଥମେ ଲକ୍ଷ୍ୟ କଲେ। ଏହା ହିଁ ଥିଲା ଏକ ଅବଧାରିତ ଅପରାହ୍ନ।“
ଏହି ମୁହୂର୍ତ୍ତରେ ଶ୍ରୀମା ଅନୁଭବ କରିଥିଲେ, ପୃଥିବୀରେ ଅସଂଖ୍ୟ ଲୋକ ଅଜ୍ଞାନ ତମସାରେ ନିମଜ୍ଜିତ ରହିଥାନ୍ତୁ ନା କାହିଁକି ଭୂପୃଷ୍ଠରେ ଶ୍ରୀଅରବିନ୍ଦଙ୍କ ଉପସ୍ଥିତ ହିଁ ଦିନେ ସେ ତମସା ଆଲୋକରେ ରୂପାନ୍ତରିତ ହେବାର ତଥା ଦିବ୍ୟଯୁଗର ସୂତ୍ରପାତର ଅଲଂଘ୍ୟ ପ୍ରତିଶ୍ରୁତି।
”ବିଶ୍ୱାସର ଏ ଦଲିଲ ଅନନ୍ୟ। ବିଧାତାର ପଞ୍ଜିକାରେ ସେହି ମୁହୂର୍ତ୍ତରେ ସ୍ପଷ୍ଟ ହୋଇ ଉଠିଥିବ ଶ୍ରୀମାଙ୍କ ଭୂମିକା-ଶ୍ରୀଅରବିନ୍ଦଙ୍କ ଯୋଗଯଜ୍ଞରେ ସେ ହେବେ ପୁରୋହିତ, ଦେବେ ଆହୂତି, ଚେତନାର ରହସ୍ୟ ଲୋକରେ ସେ ଆପଣାକୁ ସମର୍ପଣ କରିବେ ମହାଯୋଗୀଙ୍କ ଅଭିନବ ଏବଂ ଦୁଃସହ ପରୀକ୍ଷାନିରୀକ୍ଷାର କଦବା ଆଧାର, କଦବା ସହଯୋଗୀ, କଦବା ସହକାରୀ, କଦବା ନିରୀକ୍ଷକ ଏବଂ କଦବା ଧାତ୍ରୀ ରୂପେ।“
”ଇତିହାସର ବିଡମ୍ବନାବଶତଃ ଶ୍ରୀମା’ଙ୍କୁ ଅବଶ୍ୟ ଭାରତରୁ ବିଦାୟ ନେବାକୁ ପଡିଲା, କିନ୍ତୁ ସୁକ୍ଷୁ ପର୍ଯ୍ୟାୟରେ ସେ ଯୋଗଯଜ୍ଞର ନୂତନ ପର୍ଯ୍ୟାୟ ଆରମ୍ଭ ହୋଇ ସାରିଥିଲା। ୧୯୨୦ ଏପ୍ରିଲ ୨୪ ତାରିଖରେ ଶ୍ରୀମାଙ୍କର ପୁନରାଗମନ ଉତ୍ତାରୁ ତାହା ଆମ ସ୍ଥୂଳ ଦୃଷ୍ଟିରେ ନେଲା ଯୁଗ୍ମ ତପସ୍ୟାର ରୂପ। ମନ ଓ ବୁଦ୍ଧିର ମାଧ୍ୟମ ଯୋଗେ ସେ ମହାଯୋଗର କଳନା ସମ୍ଭବପର ନୁହେଁ। କିନ୍ତୁ ଆକାଶକୁ ମାପି ନ ପାରିଲେ ମଧ୍ୟ ମହାଶୂନ୍ୟକୁ ଦୃଷ୍ଟିପାତ କଲେ ଯେମିତି ତାହାର ଅସୀମତାର ଧାରଣା କରିହୁଏ, ସେହିପରି ଦିବ୍ୟଶକ୍ତି ପ୍ରତି ଆସ୍ଥାଶୀଳ ହୋଇ ଶ୍ରୀମା ଏବଂ ଶ୍ରୀଅରବିନ୍ଦଙ୍କ ଆଭିମୁଖ୍ୟ ଦିଗରେ ଉନ୍ମୁଖ ହେଲେ ସେ ଅଭୂତପୂର୍ବ ତପସ୍ୟା ଉତ୍ତାପ ଊଣାଅଧିକ ଅନୁଭବ କରିହୁଏ। ଯେଉଁ ଅନୁଭବରୁ ଅନ୍ୟ କୌଣସି ଅଭିବ୍ୟକ୍ତି ଅଭାବରୁ ଏ ଲେଖକ ଉତ୍ତାପ ବୋଲି କହୁଛି, ତାହା ସୌମ୍ୟ ଉତ୍ତାପ; ବିନା ପ୍ରବାହରେ ତାହା ଆମ ଶୀତଳ ଚେତନାରେ ସାର କରେ ସଞ୍ଜୀବନୀର ଉଷ୍ମତା।
କିନ୍ତୁ ମାନବ ସଭ୍ୟତା ଆଜି ଏକ ବିଚିତ୍ର ପରିସ୍ଥିତିରେ ଉପନୀତ। ବିଜ୍ଞାନ ଓ ବୈଷୟିକ ଚମକତ୍ାରିତାରେ ମଣିଷ ଯେତିକି ସମୃଦ୍ଧ ହେଉଛି ନୈତିକତା ଓ ଆଧ୍ୟାମତ୍ିକତା ଦିଗରେ ସେତିକି ଅନ୍ତଃସାରଶୂନ୍ୟ ହୋଇଯାଉଛି। ଫଳରେ ଶାନ୍ତି ଓ ଆନନ୍ଦର ଦାରିଦ୍ର୍ୟକୁ ବରଣକରି ଆପଣେଇ ନେବାକୁ ବାଧ୍ୟ ହେଉଛି। ଭଗବତ ଅନ୍ବେଷା ସତେଯେପରି ଏକ ମରୀଚିକା। ଫଳରେ ଜୀବନର ପ୍ରତିପାଦରେ ଅପଶକ୍ତିର ମୁକାବିଲା ପାଇଁ ମଣିଷ ଅହରହ ଶ୍ୱାସରୁଦ୍ଧ। ସୁତରାଂ ଜୀବନର ପ୍ରତିଟି ମୁହୂର୍ତ୍ତ ସଂଘର୍ଷମୟ। ମହାଯୋଗୀ ଶ୍ରୀଅରବିନ୍ଦ ଏ ପରିସ୍ଥିତିକୁ ଚେତନାର ସଙ୍କଟ ଭାବରେ ଅଭିହିତ କରିଛନ୍ତି। ଏହି ସଙ୍କଟରୁ ମୁକ୍ତି ପାଇଁ ଶ୍ରୀଅରବିନ୍ଦ ନୂତନ ଚେତନା ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି ନୂତନ ଚେତନା ମନୁଷ୍ୟର ସମସ୍ତ ମୂଲ୍ୟବୋଧକୁ ପରିବର୍ତ୍ତନ କରିଦେବ। ସେତେବେଳେ ମଣିଷ ବ୍ୟକ୍ତିଗତ ଓ ସମଷ୍ଟିଗତ ଅହଂ ପରିତ୍ୟାଗ କରି ଦିବ୍ୟ ପ୍ରେରଣା ଦ୍ୱାରା ପରିଚାଳିତ ହେବ।
ଋଷି ଶ୍ରୀଅରବିନ୍ଦଙ୍କ ମହାଯୋଗର ଆଭିମୁଖ୍ୟ ସମ୍ପ୍ରତି ଅନେକଙ୍କୁ ଜଣା। କ୍ରମାଗତ ଅଧିକରୁ ଅଧିକ ବ୍ୟକ୍ତି ଜାଣିବାର ସୁଯୋଗ ଅବ୍ୟାହତ ରହିଛି। (The Human Cycle) ‘ମାନବ ଯୁଗଚକ୍ର’ ଗ୍ରନ୍ଥର ବଂଶ ପରିଚ୍ଛେଦରେ ଇଙ୍ଗିତ ଦେଇଛନ୍ତି ଏପରି କି ଅଳ୍ପ ସଂଖ୍ୟକ ବ୍ୟକ୍ତି ଯଥାର୍ଥ ଅଭୀପ୍‌ସା ସହ ସାଧନା କଲେ ମହାଶକ୍ତିର ବିଭୂତି କାର୍ଯ୍ୟକାରୀ ହେବ।

  • ବିମଳ ପ୍ରସନ୍ନ ଦାସ
    ମୋ: ୯୪୩୮୧୮୬୨୨୬