ବନ୍ଧୁତ୍ୱରେ ବ୍ୟବସାୟ ଗଣିତ

ନିଃସ୍ୱାର୍ଥପରତା, ସମର୍ପଣ ଭାବନା, ତ୍ୟାଗ ଓ ସଦା ସଦିଚ୍ଛାରେ ଭରା ବନ୍ଧୁତାରେ ଭଟ୍ଟା। କଥାଟା ଅଡୁଆ ଲାଗୁଥିଲେ ମଧ୍ୟ ସାମ୍ପ୍ରତିକ ସମାଜର ଅପ୍ରିୟ ସତ୍ୟ ହେଉଛି ବନ୍ଧୁତ୍ୱରେ ବ୍ୟବସାୟ। ବନ୍ଧୁଙ୍କୁ ନେଇ ଆଲେଖ୍ୟ, କବିତା, ଉପନ୍ୟାସର ପାହାଡ ସୃଷ୍ଟି ହୋଇଛି ସତ କିନ୍ତୁ ବନ୍ଧୁତ୍ୱରେ ହିସାବନିକାଶ ଦିନକୁ ଦିନ ବଢିବାରେ ଲାଗିଛି ବୋଲି ଅସ୍ବୀକାର କରିହେବ ନାହିଁ। ପାରସ୍ପରିକ ନିବିଡ ସ୍ନେହ ଓ ସମ୍ପର୍କ ସାମାନ୍ୟ ମନୋମାଳିନ୍ୟରେ ତୁଟିଯାଉଛି। ଭାରତୀୟ ପୁରାଣଶାସ୍ତ୍ର ବର୍ଣ୍ଣିତ ଶ୍ରୀକୃଷ୍ଣ ଓ ସୁଦାମା, କର୍ଣ୍ଣ ଓ ଦୁର୍ଯ୍ୟୋଧନ, ମାତା ସୀତା ଓ ତ୍ରିଜଟାଙ୍କ ମଧ୍ୟରେ ସମ୍ପର୍କ ହେଉଛି ବନ୍ଧୁୁତ୍ୱର ଶ୍ରେଷ୍ଠ ନିଦର୍ଶନ। ଏଠି ବିଶେଷତ୍ୱ ହେଉଛି ରକ୍ତଗତ ସମ୍ପର୍କ ନ ଥାଇ ମଧ୍ୟ ବନ୍ଧୁତ୍ୱର ବନ୍ଧନ ଶିଖର ସ୍ପର୍ଶ କରିଛି। ଆଜି ମଧ୍ୟ ଶିଶୁମାନଙ୍କୁ ଏ ସୁନ୍ଦର ବନ୍ଧୁତ୍ୱର ଲୋରି, ଗଳ୍ପ ଶୁଣାଯାଉଛି। କିନ୍ତୁ ବିଡମ୍ବନା ଆଧୁନିକ ଯୁଗରେ ମଣିଷର ମସ୍ତିଷ୍କ ଯେତିକି ବିକଶିତ ହେଉଛି, ବନ୍ଧୁ ସମ୍ପର୍କର ଗ୍ରହଣୀୟତା ଭିନ୍ନ ରୂପ ନେଉଛି। ଭଲ ହେବା ପରିବର୍ତ୍ତେ ବଡହେବାର ମାନସିକତା ବନ୍ଧୁତ୍ୱର ପରିଭାଷାକୁ ଦୁର୍ବଳ କରୁଛି। ଗୁଆ ଦେଇ ହେଉ ବା କାର୍ଡ, ବନ୍ଧୁତ୍ୱରେ ମଜଭୁତ ସମ୍ପର୍କ କ୍ୱଚିତ ଦେଖିବାକୁ ମିଳୁଛି। ସାମ୍ପ୍ରତିକ ବନ୍ଧୁତ୍ୱ ବାର୍ତ୍ତା ଦେଉଛି ସ୍ବାର୍ଥପୂର୍ଣ୍ଣ ନ ହେଲେ ସାଙ୍ଗ ମୂଲ୍ୟହୀନ, ଭଲ ହେଉ ବା ଖରାପ ଅନ୍ୟର ଆଶା ପରିପୂଣ୍ଣର୍ର୍ କରିବାରେ ସହଯୋଗ କରିବା ହିଁ ଅନ୍ତରଙ୍ଗ ସମ୍ପର୍କ। ଅଦିଆକୁ ଦୁଆରଦିଆ ହିଁ ବନ୍ଧୁତ୍ୱରେ ହିସାବନିକାଶର ମୂଳଦୁଆ। କାରଣ ସ୍ବାର୍ଥ ସର୍ବଶ୍ରେଷ୍ଠ ବୋଲି ମାନିନେବାରୁ ଏପରି ହେଉଛି, ଯେଉଁଥିପାଇଁ ବନ୍ଧୁତ୍ୱରେ ହିସାବନିକାଶ ସବୁଠାରୁ ବଡପଣକିଆରେ ପରିଣତ। ଏହି ହିସାବନିକାଶ ପରମ୍ପରାଗତ, ଅସ୍ଥିମଜାଗତ ହେବାରେ ଲାଗିଛି। ସେ ଯେତିକି ଦେଇଛି ତା’ ପାଇଁ ସେତିକି ପ୍ରତିଦାନ ହିଁ ବନ୍ଧୁତ୍ୱର ଗଣିତ। ଏଠି ଧୈର୍ଯ୍ୟ, ପରୋପକାର, ସହନଶୀଳତା, ଆନ୍ତରିକତା ବଳିପଡୁଛିି। ମୂଲ୍ୟ ବଦଳରେ ମୂଲ୍ୟ, ଗୁଆ ବଦଳରେ ଗୁଆ, କାର୍ଡ ବଦଳରେ କାର୍ଡ, କୁହା ବଦଳରେ କୁହା, ନାହିଁ ବଦଳରେ ନାହିଁରେ ସୀମିତ ସମ୍ପର୍କ। ଏହା ହିଁ ସାମ୍ପ୍ରତିକ ବନ୍ଧୁତ୍ୱରେ ସର୍ବାଧିକ ଗ୍ରହଣୀୟତା। ଯେଉଁଥିପାଇଁ ସାହିଭାଇ, ସହୋଦର, ସଖା, ପ୍ରିୟ, ସାଙ୍ଗ, ବନ୍ଧୁର ଅର୍ଥ ବଦଳୁଛି। ଆଗକୁ କ’ଣ ହେବ ତାହା ଅନିଶ୍ଚିତ, କିନ୍ତୁ ବନ୍ଧୁତ୍ୱ ଏବେ ବ୍ୟବସାୟିକ ଗଣିତରେ ପରିଣତ।
ବିବାହ, ବ୍ରତ, ଶୁଦ୍ଧିକ୍ରିୟା, ଜନ୍ମଦିନରେ ବନ୍ଧୁ ଖୋଜା ପଡୁଛି। ବିପଦ ସମୟରେ ବନ୍ଧୁ କେତେଦିନ ଯାଏ ସମ୍ପର୍କ ନିର୍ବାହ କରୁଛି, ସହଯୋଗର ହାତ ବଢାଉଛି ତାହା ସମସ୍ତେ ଜାଣନ୍ତି। ଦେଇଥିଲେ ପାଇରେ ସନ୍ତୁଷ୍ଟି ପ୍ରକାଶ ଛଡା ଆଉ ଉପାୟ ନାହିଁ। ଏଥିରୁ ବିଚ୍ୟୁତ ମଣିଷ ବନ୍ଧୁତ୍ୱ ଏକ ଇତିହାସ ବୋଲି ଧରିନେଉଛି। ଆନୁଗତ୍ୟ, ଅନୁଗ୍ରହ, ବିଶ୍ୱାସ, କୃତଜ୍ଞତାର ମୂଲ୍ୟ କମୁଛି ଓ ଦେବା ପରେ ଆଶା ରଖୁଛି ବନ୍ଧୁ। କାରଣ ନିଶ୍ଚିତ କ’ଣ ତାହା ବନ୍ଧୁ ଅଙ୍ଗେ ନିଭାଉଛି। ନିରାଶାରେ ଭରା ଜୀବନ ବନ୍ଧୁର ସ୍ବପ୍ନରେ ପରିଣତ ହେଉଛି। ବନ୍ଧୁତ୍ୱରେ ବର୍ତ୍ତମାନ ଭଟ୍ଟା ପଡୁଥିବାର ଲକ୍ଷ୍ୟ କରାଯାଉଛି।
ଅଧୁନା ଘଟିଥିବା ଏକ ଘଟଣା ହେଉଛି ଯୁକ୍ତ୨ ପଢୁଥବା ପୁଅ ଗୋପାଳ। ଚାଷକାମ କରି ତା’ର ବାପା ଘର ଚଳାଉଥିଲେ। ସମୟ ସବୁବେଳେ ସମାନ ନ ଥାଏ। ସର୍ବାଙ୍ଗବାତର ଶିକାର ହୋଇ ବାପା ଆଠବର୍ଷ ଶଯ୍ୟାଶାୟୀ ହୋଇ ରହିବା ଭିତରେ ପରିବାର ନାନାଦି ଅସୁବିଧା ଦେଇ ଗତିକଲା। ଯେମିତି କି ଜଣେ ରୋଜଗାର ବ୍ୟକ୍ତି ରୋଗାକ୍ରାନ୍ତ ହେବା ପରେ ପରିବାର ଅଭାବ ଅନଟନ ଦେଇ ଗତି କରେ ତାହା ହିଁ ହେଲା। ଏମିତି କି ଔଷଧ କିଣିବାକୁ ମଧ୍ୟ ପାଖରେ ପଇସା ନ ଥିଲା।
ଏପଟେ ରୋଗୀ ସେବାରେ ଗୋପାଳ ମାଆଙ୍କର ଦିନରାତି ସମାନ ହୋଇଯାଉଥାଏ। ସ୍ଥିତି ଏମିତି ଯେ ଗୋପାଳ ନା ପାଠ ପଢିପାରୁଛି ନା ରୋଜଗାର କରି ପରିବାର ଚଳାଇବାରେ ସକ୍ଷମ ହୋଇଛି। ଏପରିସ୍ଥିତିରେ ବନ୍ଧୁର ଭୂମିକା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ବାସ୍ତବ ଚିତ୍ର ଓଲଟା। ଏପରିସ୍ଥିତିରେ ବନ୍ଧୁମାନେ ନିକଟ ହେବା ପରିବର୍ତ୍ତେ ଦୂରେଇଯିବାକୁ ଲାଗିଲେ।
ଏ ସମୟରେ ସେମାନଙ୍କ ସହଯୋଗ ଛାଡ, ସାନ୍ତ୍ୱନା ମିଳିବା କ୍ଷୀଣ ହେଲା। ଏତେ କଷ୍ଟ ପରେ ବି ଗୋପାଳର ବାପା ବଞ୍ଚିଲେ ନାହିଁ। ଗୋପାଳର ମାଆ କହୁଥାନ୍ତି ଭଲହେଲା ବାପା ଚାଲିଗଲେ। ତେବେ ବର୍ତ୍ତମାନ ଶୁଦ୍ଧିକ୍ରିୟାର ପାରମ୍ପରିକ ଓ ଆନୁଷ୍ଠାନିକ ପର୍ବପାଳନ। ସାହିଭାଇଙ୍କୁ ଖାଇବାକୁ ଦେବାକୁ ପଡିବ, ତୁଠ ପାଇଁ ଲୁଗାପଟା, କ୍ରିୟାକର୍ମ ପାଇଁ ଜିନିଷ ତଥା ପୁରୋହିତ ଓ ଅନ୍ୟାନ୍ୟ ଖର୍ଚ୍ଚପ୍ରକ୍ରିୟା। ଏଥିପାଇଁ ଗୋପାଳ ନିକଟରେ ଅର୍ଥ ଆସିବ କେଉଁଠୁ? ପୁଣି ଏସବୁ ସାମାଜିକ ଧରାବନ୍ଧା, ନ ହେଲେ ନ ଚଳେ। ଅଦିଆକୁ ଦୁଆରଦିଆ ନ୍ୟାୟରେ ଗୋପାଳ ଭାରାକ୍ରାନ୍ତ। ବାପା ଥିଲାବେଳେ ଗୋପାଳ ବନ୍ଧୁତ୍ୱର ପରିଭାଷା ଦେଖିଛି ଆଉ ଏବେ ବିପଦରେ ପଡି ଦେଖୁଛି ବନ୍ଧୁର ବନ୍ଧୁତ୍ୱକୁ। ଶେଷରେ ଅନନ୍ୟୋପାୟ ହୋଇ ପରିବାରର ଦୁଃଖସୁଖରେ ଠିଆ ହେଉଥିବା କ୍ଷେତ ଖଣ୍ଡିକୁ ବିକ୍ରିକଲା। ବନ୍ଧୁ, ସାହିଭାଇ, ପରିଜନଙ୍କୁ ଖାଇବାକୁ ଦେଲା, ଲୁଗା ପିନ୍ଧାଇଲା, କ୍ରିୟାକର୍ମ ବି କଲା। ଏବେ ଗୋପାଳର ଗୋଟିଏ ଲକ୍ଷ୍ୟ ଭଲ ମଣିଷଟିଏ ହେବ ଏବଂ ପରିବାର ଭରଣପୋଷଣ କରିବାକୁ ଅଣ୍ଟାଭିଡିବ। ତେବେ ଏହାପରେ ଗୋପାଳର ପାଠରେ ଡୋରି ଲାଗିବନି ତ? ଗୋପାଳ କ’ଣ ସତରେ ପରିବାର, ସମାଜ, ପରିବେଶକୁ ନେଇ ସରଳ ଓ ଜଟିଳ ସ୍ଥିତିରେ ଚଳିବା ଓ ଚଳାଇବାରେ ସକ୍ଷମ ହୋଇସାରିଲାଣି? ଏ ବନ୍ଧୁତ୍ୱରୁ ସେ କ’ଣ ଶିଖିଲା? ଭବିଷ୍ୟତରେ ସେ ଅନ୍ୟ ସହିତ ବନ୍ଧୁତ୍ୱ କେମିତି ନିର୍ବାହ କରିବ। ସେ କ’ଣ ଭଲ ବନ୍ଧୁଟିଏ ହୋଇପାରିବ। ଭବିଷ୍ୟତରେ ଗୋପାଳ ବନ୍ଧୁମାନଙ୍କୁ ସେହିପରି ଆଚରଣ କରିବନି ତ ଯାହା ତା’ ସହିତ ଘଟିଲା, ଅର୍ଥାତ୍‌ ବନ୍ଧୁତ୍ୱରେ ବ୍ୟବସାୟ ଗଣିତ। ମନରେ ଏବେ ଅନେକ ପ୍ରଶ୍ନ ଆମ ପାଇଁ ଆମର ବନ୍ଧୁତ୍ୱ ପାଇଁ। ଏ ଆମତ୍ସମୀକ୍ଷା ସାମ୍ପ୍ରତିକ ସମାଜରେ ବିପଦରେ ପଡିଥିବା ବନ୍ଧୁର ସ୍ବାର୍ଥ ପାଇଁ। ବିଚାର ବ୍ୟକ୍ତିଗତ ହୋଇପାରେ କିନ୍ତୁ ସାମାଜିକ ଓ ସାମୂହିକ ପ୍ରଭାବ ହେଉଛି ଏହାର ନିଷ୍କର୍ଷ। କିଏ କହିବ ଗୋପାଳ ସ୍ଥାନରେ କାଲି ଆଉ କିଏ ଥିବ।

  • ଶୁଭନାରାୟଣ ଶତପଥୀ
    ବିଜିପୁର, ବ୍ରହ୍ମଗିରି, ପୁରୀ
    ମୋ: ୯୪୩୮୪୩୨୦୨୩

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri