କୁଚିଣ୍ଡା,୨୧।୯(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ନିକଟରେ ଏକ ଘରୋଇ ବସ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁଚିଣ୍ଡା ଥାନା ପାରୁଆଭାଡି ପଞ୍ଚାୟତ ସାନଜଟିଆପାଲି ଗ୍ରାମର ବିକ୍ରମ ବାଦୀ(୪୫)। ଏନେଇ ପୋଲିସ କୁଚିଣ୍ଡା ଥାନାରେ ଏକ ଦୁର୍ଘଟଣା ମାମଲା ରୁଜୁ କରି ଘରୋଇ ବସ(ନଂ.ଓଡି୧୪ୟୁ ୭୩୧୩)କୁ ଜବତ କରି ତଦନ୍ତ ଚଳାଇଛି। କୁଚିଣ୍ଡା ପୋଲିସ ମୃତଦେହ ଜବତ କରି କୁଚିଣ୍ଡା ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇଛି।
ମିଳିଥିବା ସୂଚନା ଅନୁଯାୟୀ, ବିକ୍ରମ ଟଙ୍କା ଉଠାଇବା ପାଇଁ ସାଇକେଲ ଯୋଗେ କୁଚିଣ୍ଡା ବ୍ୟାଙ୍କକୁ ଯାଉଥିଲେ। ହେଲେ ବିକ୍ରମ ପତ୍ରାପାଲି ବଉଳଗଛ ଛକ ରାସ୍ତାକଡ଼ରେ ସାଇକେଲ ରଖି କୌଣସି କାମରେ ରାସ୍ତାରେ ଛିଡ଼ା ହୋଇଥିଲେ। ସେତିକିବେଳେ ବାମରା ପଟୁ କୁଚିଣ୍ଡା ଯାଉଥିବା ଏକ ଘରୋଇ ବସ୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ବିକ୍ରମ ତଳେ ପଡିଯାଥିଲେ। ଏପରିକି ମୁଣ୍ଡରେ ଗଭୀର ଆଘାତ ଲାଗି ପ୍ରବଳ ରକ୍ତସ୍ରାବ ହୋଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କୁଚିଣ୍ଡା ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

