ବକିଂହାମ୍, ୨୧।୯: ଲଣ୍ଡନ ବକିଂହାମ୍ ପ୍ରାସାଦ ବାହାରେ ଉଜ୍ଜ୍ୱଳ ନାଲି ପୋଷାକ ଏବଂ ଉଚ୍ଚ, କଳା ଲୋମଶ ଟୋପି ପିନ୍ଧିଥିବା ସୈନିକଙ୍କ ଏକ ସ୍ବତନ୍ତ୍ର ପରିଚୟ ରହିଛି। ସେଠାକୁ ଯାଉଥିବା ପ୍ରତ୍ୟେକ ପର୍ଯ୍ୟଟକ ଏହି ସ୍ବତନ୍ତ୍ର ପୋଷାକ ଏବଂ ଟୋପିଧାରୀ ସୈନିକଙ୍କୁ ଦେଖିବାକୁ ପାଇଥାନ୍ତି। ହେଲେ ବ୍ରିଟିଶ ରାଜତନ୍ତ୍ରର ସବୁଠାରୁ ପରିଚିତ ପ୍ରତୀକଗୁଡ଼ିକ ମଧ୍ୟରେ ସୈନିକମାନଙ୍କ ପାଇଁ ଭାଲୁ ଲୋମରେ ପ୍ରସ୍ତୁତ କଳା ଟୋପି (ବିୟର ସ୍କିନ କ୍ୟାପ୍) ଏବେ ବିବାଦ ମଧ୍ୟକୁ ଟାଣି ହୋଇଯାଇଛି। ଏହା ଖୁବ୍ଶୀଘ୍ର ଇତିହାସ ହେବାକୁ ଯାଉଛି। ବ୍ରିଟିଶ ଆଇନ ପ୍ରଣେତାମାନଙ୍କ ଏକ ଗୋଷ୍ଠୀ ସରକାରଙ୍କୁ ରାଜାଙ୍କ ଗାର୍ଡଙ୍କ ଦ୍ୱାରା ପିନ୍ଧାଯାଉଥିବା ସାଧାରଣ ଶିରୋଭୂଷଣରେ ପ୍ରକୃତ ଭାଲୁ ଛାଲର ବ୍ୟବହାର ବନ୍ଦ କରିବାକୁ ଅନୁରୋଧ କରିଛନ୍ତି। ଏହି ପ୍ରଥା ଯଥାର୍ଥ ପ୍ରମାଣ କରିବା ଅସମ୍ଭବ ଏବଂ ଏହାକୁ କୃତ୍ରିମ(ଫକସ ଫର) ବିକଳ୍ପ ସହିତ ବଦଳାଯିବା ଉଚିତ୍ ବୋଲି ୧୮ଜଣ ଏମ୍ପି ଏବଂ ହାଉସ୍ ଅଫ୍ ଲର୍ଡସ୍ର ଜଣେ ସଦସ୍ୟ ପ୍ରତିରକ୍ଷା ମନ୍ତ୍ରୀ ଲୁକ୍ ପୋଲାର୍ଡଙ୍କ ନିକଟକୁ ପଠାଇଥିବା ଏକ ଚିଠିରେ ଉଳ୍ଲେଖ କରିଛନ୍ତି। ଏଥିସହିତ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ଏହାର ଯୋଗାଣକାରୀମାନଙ୍କୁ ସରକାରଙ୍କ ପ୍ରାଣୀ କଲ୍ୟାଣ ପ୍ରତି ପ୍ରତିଶ୍ରୁତି ସହିତ ତାଳ ଦେଇ ଏକ ଉପଯୁକ୍ତ କୃତ୍ରିମ ଲୋମ ବିକଳ୍ପ ବିକଶିତ ଏବଂ ଗ୍ରହଣ କରିବା ପାଇଁ ଉତ୍ପାଦକମାନଙ୍କ ସହିତ ସକ୍ରିୟ ଭାବେ କାର୍ଯ୍ୟ କରିବାକୁ ଆହ୍ବାନ କରିଛନ୍ତି। ଚିଠିରେ ଉଲ୍ଲେଖ ରହିଛି, ପ୍ରକୃତ ଭାଲୁଛାଲର କ୍ରମାଗତ ବ୍ୟବହାର ଆଜିର ନୈତିକ ମାନଦଣ୍ଡ ପୂରଣ କରୁନାହିଁ ଏବଂ ବିକଳ୍ପ ସାମଗ୍ରୀ ବିକଶିତ ହେବା ପର୍ଯ୍ୟନ୍ତ ନୂତନ ଅର୍ଡରଗୁଡ଼ିକୁ ସ୍ଥଗିତ ରଖିବାକୁ ଯୁକ୍ତି ଦର୍ଶାଯାଇଛି। ସବୁଠାରୁ ବଡ଼ କଥା ହେଲା, ଏହି ସ୍ବତନ୍ତ୍ର ଟୋପି ପ୍ରସ୍ତୁତ କରିବା ପାଇଁ ଭାଲୁଙ୍କୁ ପ୍ରଥମେ କ୍ରସ୍ବୋ ଦ୍ୱାରା ଗୁଳି କରାଯାଇ ହତ୍ୟା କରାଯିବା ସହ ସେମାନଙ୍କ ଛୁଆଙ୍କୁ ଅନାଥ କରାଯାଉଛି।
ଭାଲୁଛାଲ ଟୋପି ବ୍ୟବହାର ବିରୋଧରେ ଅନେକ ଅଭିଯାନର ନେତୃତ୍ୱ ନେଇଥିବା ୟୁକେର ପ୍ରାଣୀ ଅଧିକାର ସଂଗଠନ ପେଟା କହିବା ହେଲା ସୂଚନା ଅଧିକାର ତଥ୍ୟ ଅନୁସାରେ ୨୦୨୪ରେ ୨୨ଟି ଏବଂ ୨୦୨୫ରେ ୯୬ଟି ଭାଲୁଛାଲ ଟୋପି ଅର୍ଡର କରାଯାଇଥିଲା। ୨୦୨୪ର ଏକ ଅଭିଯାନରେ ପେଟା କହିଥିଲା, ଗୋଟିଏ ଟୋପି ତିଆରି କରିବା ପାଇଁ ଅତିକମ୍ରେ ଗୋଟିଏ ଭାଲୁର ଚମଡ଼ା ଆବଶ୍ୟକ ହୁଏ। ଏପରି କି ୨୦୧୭ରୁ ଜୁଲାଇ ୨୦୨୪ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା କ୍ରୟ କରାଯାଇଥିବା ୫୨୬ଟି ଭାଲୁଛାଲ ଟୋପି ପାଇଁ ସେହି ସଂଖ୍ୟାର ଭାଲୁଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ତେଣୁ ଭାଲୁଙ୍କ ବଂଶ ସୁରକ୍ଷିତ କରିବା ସହ ସେମାନଙ୍କୁ ଏଭଳି ହତ୍ୟା କରାଯିବାରୁ ନିବୃତ୍ତ କରିବା ପାଇଁ ଏକ କୃତ୍ରିମ ବିକଳ୍ବ ବାହାର କରିବା ଆବଶ୍ୟକ ବୋଲି ପେଟା ପକ୍ଷରୁ କୁହାଯାଇଛି।
ଭାଲୁଛାଲ ଟୋପିଗୁଡ଼ିକୁ ସାଧାରଣତଃ ରାଜାଙ୍କ ଗାର୍ଡମାନେ ବ୍ୟବହାର କରିଥାନ୍ତି। ସେମାନେ ବକିଂହାମ୍ ପ୍ରାସାଦ ଏବଂ ଅନ୍ୟାନ୍ୟ ରାଜକୀୟ ବାସଭବନ ବାହାରେ ପହରା ଦିଅନ୍ତି। ଏହା ମଧ୍ୟ ରାଜାଙ୍କ ଜନ୍ମଦିନ ପରେଡ ଏବଂ ସଂସଦର ଉଦ୍ଘାଟନୀ ଅଧିବେଶନ ସମେତ ରାଜକୀୟ ତଥା ସାଧାରଣ ଉତ୍ସବଗୁଡ଼ିକର ଏକ ପ୍ରମୁଖ ବିଶେଷତା ଅଟେ। ଏହି ଟୋପି ପରିଧାନ କରୁଥିବା ସୈନିକମାନେ ବ୍ରିଟିଶ ସେନାର ପାଞ୍ଚଟି ଫୁଟ ଗାର୍ଡ ରେଜିମେଣ୍ଟରୁ ଆସିଥାନ୍ତି। ସେଗୁଡ଼ିକ ହେଲା ଗ୍ରେନାଡିୟର ଗାର୍ଡସ, କୋଲ୍ଡଷ୍ଟ୍ରିମ ଗାର୍ଡସ, ସ୍କଟ୍ସ ଗାର୍ଡସ, ଆଇରିଶ ଗାର୍ଡସ ଏବଂ ୱେଲ୍ସ ଗାର୍ଡସ। ପ୍ରାଚୀନ ୧୯ ଶତାବ୍ଦୀରୁ ଆରମ୍ଭ ହୋଇ ଏହି ଟୋପିଗୁଡ଼ିକ ସୈନିକମାନଙ୍କୁ ଯୁଦ୍ଧକ୍ଷେତ୍ରରେ ଅଧିକ ଉଚ୍ଚ ଏବଂ ପ୍ରଭାବଶାଳୀ ଦେଖାଇବା ପାଇଁ ଉଦ୍ଦିଷ୍ଟ ଥିଲା। ଏକ ବାଉଁଶ କିମ୍ବା ବେତର ଫ୍ରେମ୍ ଉପରେ ନିର୍ମିତ ଏହି ଟୋପିଗୁଡ଼ିକ ପ୍ରାୟ ୪୫ ସେଣ୍ଟିମିଟର (୧୮ ଇଞ୍ଚ) ଉଚ୍ଚ ଅଟେ। ୱେଲ୍ସ ଗାର୍ଡଙ୍କ ମତରେ ଭାଲୁ ଲୋମକୁ ପରିଷ୍କାର ଏବଂ ଆକୃତିରେ ରଖିବା ପାଇଁ ସେଗୁଡ଼ିକୁ ଯତ୍ନର ସହିତ ରକ୍ଷଣାବେକ୍ଷଣ କରାଯାଏ ଏବଂ ବ୍ରଶ, ବାଷ୍ପ ଦିଆଯାଏ ଏବଂ ଏପରିକି ସାମ୍ପୁ ମଧ୍ୟ କରାଯାଏ। ଯଥାଯୋଗ୍ୟ ଯତ୍ନ ସହିତ ଏକ ଭାଲୁଛାଲ ଟୋପି ଦଶନ୍ଧି ଦଶନ୍ଧି ଧରି ସେବାରେ ରହିପାରେ।

