ଦଶମ ପିଲାଙ୍କ ପାଇଁ ନୂଆ ଢାଞ୍ଚା

ଭୁବନେଶ୍ୱର, ୧୭।୭(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଢାଞ୍ଚାରେ ନବମ ଓ ଦଶମ ପିଲାଙ୍କ ପରୀକ୍ଷା ହେବ। ଏଭଳି ପନ୍ଥା ଆପଣେଇଛି ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍‌ଇ)। ରାଜ୍ୟରେ ଯଦି କୋଭିଡ୍‌ କଟକଣା କିମ୍ବା ଅନ୍ୟ କୌଣସି କାରଣରୁ ବିଦ୍ୟାଳୟ ବନ୍ଦ ରୁହେ, ତେବେ ପରିଷଦ ପକ୍ଷରୁ ନବମ ଓ ଦଶମ ଶ୍ରେଣୀ ପାଇଁ ଏହି ବ୍ୟବସ୍ଥା ଅନୁସାରେ ପରୀକ୍ଷା କରାଯିବ।

ଶିକ୍ଷାବର୍ଷ ୨୦୨୧ ଜୁଲାଇରୁ ଆରମ୍ଭ ହୋଇ ୨୦୨୨ ଏପ୍ରିଲରେ ଶେଷ ହେବ। ଏହି ସମୟରେ ୪ଟି ଫର୍ମେଟିଭ୍‌ ଆସେସମେଣ୍ଟ ଓ ୨ଟି ସମେଟିଭ୍‌ ଆସେସମେଣ୍ଟ ହେବ। ୪ଟି ଫର୍ମେଟିଭ୍‌ ଆସେସମେଣ୍ଟ ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହ, ନଭେମ୍ବର ପ୍ରଥମ ସପ୍ତାହ, ଜାନୁଆରୀ ଦ୍ୱିତୀୟ, ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ପରୀକ୍ଷା ଅନୁଷ୍ଠିତ ହେବ। ଏହି ପରୀକ୍ଷା ଶ୍ରେଣୀ ଶିକ୍ଷକଙ୍କ ଦ୍ୱାରା ପରିଚାଳନା କରାଯିବ। ତେବେ ପ୍ରଶ୍ନପତ୍ର ପ୍ରସ୍ତୁତି କରିବ ମାଧ୍ୟମିକ ଶିକ୍ଷା ପରିଷଦ। କୌଣସି ପରିସ୍ଥିତିରେ ଯଦି ଫାଇନାଲ ପରୀକ୍ଷା ନ ହୁଏ ତେବେ ଆସେସମେଣ୍ଟ ଟେଷ୍ଟ ଆଧାରରେ ମୂଲ୍ୟାଙ୍କନ ହେବ। ତେଣୁ ଅଭିଭାବକ ଓ ଛାତ୍ରୀଛାତ୍ରମାନେ ସବୁ ପରୀକ୍ଷାକୁ ଗୁରତ୍ୱ ଦିଅନ୍ତୁ ବୋଲି ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଛି। କୋଭିଡ୍‌ ପରିସ୍ଥିତିକୁ ଅନୁଧ୍ୟାନ କରି ମାଟ୍ରିକ ପରୀକ୍ଷା ଦିଗରେ ଚୂଡ଼ାନ୍ତ ନିଷ୍ପତ୍ତି ଆଗାମୀ ଦିନରେ ନିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି।