ତାକୁ ଗୋଟେ କୋଣକୁ କିଆଁ ଫୋପାଡ଼ିଦେଲ? ସିଏ ତୁମ ଘରଦ୍ୱାର ସଫା କରିଦେଲା। ତୁମ ଘର ସଫା ରହିଲାରୁ ଲକ୍ଷ୍ମୀ ବିଜେ କଲେ। ଧନଧାନ୍ୟରେ ଘର ପୂରିଉଠିଲା। ଏ ସବୁର ମୂଳରେ ଥିଲା ଏଇ ଝାଡୁ। ହେଲେ ତାକୁ କିଆଁ ହୀନିମାନ କଲ? ତା’ ପ୍ରତି ଅବହେଳା ଅନ୍ୟାୟ ବଢ଼ିଚାଲିବାରୁ ଦିନେ ତା’ର ଧୈର୍ଯ୍ୟଚ୍ୟୁତି ହେଲା। ସେହି ଝାଡୁ ଦିନେ ଉଠିଲା ପ୍ରହାର କରିବାକୁ। ଆପଣାର ଶକ୍ତି ସାମର୍ଥ୍ୟ ସୂଚାଇଦେବାକୁ।
ବ୍ୟକ୍ତି, ପରିବାର, ଅନୁଷ୍ଠାନ, ଶାସନ, ସଂସ୍କୃତି, ସର୍ବୋପରି ସମାଜ ସୁଧାରକ କଲମ ଗୋଟିଏ ଝାଡୁ ସଦୃଶ। ନିଜେ ସର୍ବକାଳୀନ ଅବହେଳିତ ଏବଂ ବିପଦଗ୍ରସ୍ତ। ତଥାପି ତିଷ୍ଠିରହିଛି କଲମର ଗାର। କବି ଗୋଦାବରୀଶ ମହାପାତ୍ରଙ୍କ ‘ହେ ମୋର କଲମ’ କବିତାରେ ୧୮୩୯ରେ ବ୍ରିଟିଶ ଲେଖକ ଏଡ୍ୱାର୍ଡ ବୁଲେୱର୍ ଲିଟନଙ୍କ କଥିତ ‘ଅସିଠାରୁ ମସି ବଡ଼’ର ଯଥାର୍ଥତା ପ୍ରତିପାଦିତ ହୋଇଛି। ଅସି ବା ଖଡ୍ଗର ବିପ୍ଳବ ତିଷ୍ଠି ନାହିଁ। ତିଷ୍ଠି ରହିଛି ମସି ଅର୍ଥାତ୍ କଲମ ଦ୍ୱାରା ସୃଷ୍ଟ ବିପ୍ଳବ। ସେ ସ୍ରଷ୍ଟା ତୁଲ୍ୟ। କଲମ ସମ୍ବୋଧନରେ କବି ଲେଖିଛନ୍ତି, ”ମୂଲ୍ୟ ତୁମର କେତୋଟି ପଇସା, ତନୁ ତବ ଦୁର୍ବଳ। ଥରାଇଛ କେତେ ହୃଦ-ମନ୍ଦିର ବନ୍ଧୁର ଧରାତଳ“। କଲମ ମଡ଼ା ଦେହରେ ଜୀବନ ସଞ୍ଚ଼ାର କରିପାରେ। କେତେ ପ୍ରଭାବଶାଳୀ ଆଣ୍ଠେଇପଡ଼ିଛନ୍ତି କଲମ ମୁନରେ। ଦୟନୀୟ ସ୍ଥିତିରେ ଥାଇ ସମାଜକୁ ସ୍ଥିତିବାନ୍ ରଖିଛି ଏହି କଲମ। କଳେବଳେ କୌଶଳେ ଏହାକୁ ହାତେଇବାକୁ ଯେତେ ପ୍ରଲୋଭନ, ଧମକ ଆଉ ମୁନ ଭାଙ୍ଗିଦେବାକୁ ଅସଫଳ ପ୍ରୟାସ ସତ୍ତ୍ୱେ ଝାଡୁ ପରି କଲମ ଗର୍ବ କରୁଛି କାଳ କାଳକୁ। ଲେଖିବାର ଯେତେ ଅତ୍ୟାଧୁନିକ ବ୍ୟବସ୍ଥା ପ୍ରଚ଼ଳନ ହେଲେ ମଧ୍ୟ କଲମର ଦସ୍ତଖତ ଆଗକୁ ରହିଥିବ। କଲମ ଗାରରେ କାହାର ଭାଗ୍ୟ ଖୋଲିଯାଏ ତ କାହା ଭାଗ୍ୟରେ ତାଲା ପଡ଼ିଯାଏ। ଏଇ କଲମ ମାଧ୍ୟମରେ ପୋଷଣ କରିହୁଏ ଆଉ ଶୋଷଣ ମଧ୍ୟ। ସରକାରୀ କଲମ କାହା ଉପରେ ପ୍ରତିଶୋଧ ପରାୟଣ ହେଲା ତ ସେ ମଲା। ଏମିତି ଉଦାହରଣ ବି ଅଛି। ‘ମୋ ହାତରେ କଲମ ଅଛି’ କହି ଧମକ ଦେଉଥିବା ଅଧିକାରୀ ମଧ୍ୟ ଅଛନ୍ତି।
ସମାଜରେ ଝାଡୁ ପରି ଅସାମାଜିକ ତତ୍ତ୍ୱ ସଫା କରୁଥିବା ଲୋକେ ଅବହେଳିତ, ଲାଞ୍ଛିତ, ଅବାଞ୍ଛିତ, ବଞ୍ଚିତ, ନିର୍ଯାତିତ ହେଲେ ସମାଜ ପତନାଭିମୁଖୀ ହୁଏ। କଲମ ଧରୁଥିବା କେହି ସମାଜ ସଂସ୍କାରକ, ସାହିତି୍ୟକ, କବି, ଲେଖକ ଓ ସାମ୍ବାଦିକଗଣ ଏହି ବର୍ଗଭୁକ୍ତ। ବ୍ୟକ୍ତି, ସମାଜ ଓ ଶାସନକୁ ସଚ଼େତନ, ଗତିଶୀଳ, ସକ୍ରିୟ କରୁଥିବାରୁ ଏମାନଙ୍କର ଆଦର ଯୁଗେଯୁଗେ ରହିଛି, ରହିଥିବ ମଧ୍ୟ। ସ୍ରଷ୍ଟା କଲମ କାଳେ କାଳେ ସତ୍ୟଦ୍ରଷ୍ଟା। ତାକୁ ଲଙ୍ଗଳ କରି ଆଉ କେହି ମାଲିକ ହୋଇ କଲମ ଚାଷରେ ସ୍ବାର୍ଥ ଅମଳ ଚାହିଁଲେ ସେହି କଲମ ଆଉ କାହା ହାତରେ ଥାଇ ତାକୁ ଉଜାଡ଼ିଦିଏ। କଲମ ଚାଳନା ସାରସ୍ବତ ସାଧନା ଅନ୍ତର୍ଭୁକ୍ତ, ମଙ୍ଗଳକାମୀ ପରିବର୍ତ୍ତନ ଧର୍ମୀ। ଝାଡୁ ନ ଧରିଲେ ଅବାଗିଆ ସୁଧୁରିବେନି, ଅଳିଆ ସଫା ହେବନାହିଁ। ସେହିପରି କଲମ ନ ଧରିଲେ ଅବ୍ୟବସ୍ଥା ହଟିବନି, ଭୟ ରହିବନାହିଁ।
ବିକ୍ରମ ମହାରଣା
ମୋ: ୮୦୧୮୯୬୭୯୬୦