ଯୌତୁକ ଜନିତ ବଧୂହତ୍ୟା ଘଟଣା, ୩ ମାସ ପରେ ବନ୍ଧା ହେଲେ ଶ୍ବଶୁର-ଦିଅର

ଦିଗପହଣ୍ଡି,୩ା୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଜକରାପଲ୍ଲୀ ଗ୍ରାମର ଅଜିତ ବିଷୋୟୀଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ବିଷୋୟୀଙ୍କୁ ଗତ ଫେବୃଆରୀ ୪ ତାରିଖରେ ଅଧିକା ଯୌତୁକ ପାଇଁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ରବିବାର ସନ୍ଧ୍ୟାଙ୍କ ଶ୍ବଶୁର ନିରଞ୍ଜନ ବିଷୋୟୀ ଓରଫ ନୀର (୫୯) ଏବଂ ଦିଅର ବିଜୟ ବିଷୋୟୀ ଓରଫ ବିଜୁ(୨୬) ଙ୍କୁ ତଦନ୍ତକାରୀ ଅଧିକାରୀ ଚିକିଟି ଏସଡିପିଓ ବିଶ୍ଵାମିତ୍ର ହରପାଲ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ଥାନା ମାମଲା  ନଂ.୩୯/୨୬ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ଦ୍ବୟଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗତ ୨୦୨୧ ଡିସେମ୍ବର ୧୧ ତାରିଖରେ  ବ୍ରହ୍ମପୁର ସଦର ଥାନା ଲାଠି ଗ୍ରାମର କାଳିଆ ସ୍ବାଇଁଙ୍କ ଝିଅ ସନ୍ଧ୍ୟା ଜକରାପଲ୍ଲୀ ଗ୍ରାମର ନିରଞ୍ଜନ ଙ୍କ ପୁଅ ଅଜିତଙ୍କୁ ବିବାହ କରିଥିଲେ। ସ୍ବାମୀ ଓ ଶ୍ବଶୁର ଘର ଲୋକଙ୍କ ଦାବି ପ୍ରକାରେ ନଗଦ ୧ ଲକ୍ଷ ଟଙ୍କା, ସୁନା ଗହଣା, ସମସ୍ତ ପ୍ରକାର ଆସବାବପତ୍ର ପ୍ରଭୃତି ଯୌତୁକ ଦିଆଯାଇଥିଲା।  ବିବାହର କିଛି ଦିନ ସୁଖ ଶାନ୍ତିରେ କଟିବା ପରେ ଅଧିକ ଯୌତୁକ ଦାବୀ କରି ସ୍ବାମୀ ଓ ଶ୍ବଶୁର ଘର ଲୋକେ ସନ୍ଧ୍ୟାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଆରମ୍ଭ କରି ଦେଇଥିଲେ। ଫଳରେ ସନ୍ଧ୍ଯାଙ୍କୁ ପ୍ରାୟତଃ ବାପଘରେ ରହିବାକୁ ପଡୁଥିଲା। ବାହାର ରାଜ୍ୟରେ ଦାଦନ ଖଟିବାକୁ ଯାଇଥିବା ଅଜିତ କିଛିଦିନ ପୂର୍ବେ  ନିଜ ଗାଁକୁ ଫେରିବା ପରେ ତାଙ୍କ ସ୍ତ୍ରୀ ସନ୍ଧ୍ୟାଙ୍କୁ ଆଣି ତାଙ୍କ ଘରେ ଛାଡ଼ିବାକୁ ଶ୍ବଶୁର ଘର ଲୋକଙ୍କୁ ଅନୁରୋଧ କରିଥିଲେ।

ଗତ ଫେବୃଆରୀ ୧ ତାରିଖ ରେ ବାପ ଘର ଲୋକେ ସନ୍ଧ୍ୟାଙ୍କୁ ଜକରାପଲ୍ଲୀ ଗାଁ ଶ୍ବଶୁର ଘରେ ଛାଡ଼ି ଫେରିଥିଲେ। ତେବେ ପୁଣି ଥରେ ତାଙ୍କୁ ଶାରୀରିକ ନିର୍ଯାତନା ଦିଆଯାଇ ଜୋର ଜବରଦସ୍ତ ବିଷ ଖୁଆଇ ଦିଆ ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଫେବୃଆରୀ ୪ ତାରିଖ ପୂର୍ବାହ୍ନରେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ବେଳେ ଉପସ୍ଥିତ ଡାକ୍ତର ସନ୍ଧ୍ଯାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ନେଇ ସନ୍ଧ୍ୟା ଙ୍କ ମା’ ସବିତା ସ୍ବାଇଁ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି ତତ୍କାଳୀନ ଦିଗପହଣ୍ଡି ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର  ମକଦ୍ଦମା  ରୁଜୁ କରିବା ସହ ଗାଁ  ରୁ ମୃତଦେହ  ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ପଠାଇଥିଲେ।

ଏହି ଘଟଣାରେ ସନ୍ଧ୍ୟାଙ୍କ ସ୍ବାମୀ ଅଜିତଙ୍କୁ ତତ୍କାଳୀନ ତଦନ୍ତକାରୀ ଅଧିକାରୀ ଏସ.ଆଇ ସୋଫିଆ ମିଶ୍ର ଗିରଫ କରି କୋର୍ଟ ଚାଲାଣ କରିଥିଲେ । ବ୍ରହ୍ମପୁର ଏସ.ପି ଡ଼.ସର୍ବଣା ବିବେକ. ଏମ ଏହି ମାମଲାର ତଦନ୍ତକାରୀ ଅଧିକାରୀ ଏସ.ଆଇ ସୋଫିଆ ମିଶ୍ର ଙ୍କୁ ହଟାଇ ଚିକିଟି ଏସଡିପିଓଙ୍କୁ ତଦନ୍ତକାରୀ ଅଧିକାରୀ ଭାବେ ଗତ ମାର୍ଚ୍ଚ ୨୪ ତାରିଖରେ ଦାୟିତ୍ଵ ନ୍ୟସ୍ତ କରିଥିଲେ । ଘଟଣା ପରଠାରୁ ଅଭିଯୁକ୍ତମାନେ ଫେରାର ଥିଲେ । ସେ ଦୁହେଁ ଗାଁକୁ ଫେରିଥିବା ଖବର ପାଇ ତଦନ୍ତକାରୀ ଅଧିକାରୀ ଏସଡିପିଓ ସଦଳବଳେ ରବିବାର ଅପରାହ୍ନ ପ୍ରାୟ ୨ ଟାରେ ଅଭିଯୁକ୍ତଙ୍କ ଘରେ ଅତର୍କିତ ଚଢ଼ାଉ କରି ଅଭିଯୁକ୍ତ ବାପ ପୁଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।

 

Dharitri – Odisha’s No.1 Odia Daily

Share