ଭାରତରେ ବ୍ରେନ୍‌ ଡ୍ରେନ୍‌

ଡ. ନରେନ୍ଦ୍ର ସେଠୀ

ଆମେରିକା ଓ ଚାଇନା ପରେ ବିଶ୍ୱର ତୃତୀୟ ବୃହତ୍ତମ ଶିକ୍ଷା ପ୍ରଣାଳୀ ଥିବା ଭାରତରେ ୨.୫୯ କୋଟି ଛାତ୍ରୀଛାତ୍ର ପ୍ରାୟ ୪୫ ହଜାରରୁ ଅଧିକ ଡିଗ୍ରୀ ଓ ଡିପ୍ଲୋମା ସଂସ୍ଥାନରେ ପଢ଼ନ୍ତି। କିନ୍ତୁ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥାରେ ଭାରତ ଆନ୍ତର୍ଜାତିକ ମାନଦଣ୍ଡର ବହୁତ ପଛରେ। ବିଶ୍ୱ ବ୍ୟାଙ୍କର ଆକଳନ ଅନୁଯାୟୀ ଭାରତୀୟ ଶିକ୍ଷାନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟ ଗୁଡିକରେ ପ୍ରଚଳିତ ପାଠ୍ୟକ୍ରମ ପୁରୁଣା ଓ ତାହା ବିଶ୍ୱର ଦରକାରୀ ମାନବ ସମ୍ବଳ ଉପଯୋଗୀ ନୁହେଁ; ଯେଉଁଥି ପାଇଁ ଭାରତର ଅଧିକାଂଶ ପ୍ରଶିକ୍ଷିତ ମାନବ ସମ୍ବଳ ବିକଶିତ ରାଷ୍ଟ୍ରଗୁଡିକୁ ମୁହାଁଇ ଥାନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅଧିକାଂଶ ଛାତ୍ରୀଛାତ୍ର ବିଦେଶରେ ପଢିଲା ପରେ ଆଉ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରୁ ନାହାନ୍ତି। ଭାରତ ସରକାରଙ୍କ ୨୦୧୪ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ୨୦୦୬ ରୁ ୨୦୦୯ ମଧ୍ୟରେ ପିଏଚ.ଡି. କରିବାକୁ ଆମେରିକା ଯାଇଥିବା ଛାତ୍ରମାନଙ୍କ ମଧ୍ୟରୁ ଷାଠିଏ ଭାଗରୁ ଊର୍ଦ୍ଧ୍ୱ ଆଉ ପ୍ରତ୍ୟାବର୍ତ୍ତନ କରି ନ ଥିଲେ। ବର୍ତ୍ତମାନ ସମୟରେ ଉଚ୍ଚ ଶିକ୍ଷିତ ମାନବ ସମ୍ବଳକୁ ଆକୃଷ୍ଟ କରି ରଖିବା ଦେଶର ଅର୍ଥନୀତି ପାଇଁ ମଧ୍ୟ ଉପଯୋଗୀ। ବୈଶ୍ୱିକ ଅର୍ଥନୀତିରେ ଯେ କୌଣସି ଦେଶର ଉନ୍ନତି ତା’ର ଶିକ୍ଷିତ ଓ ପ୍ରଶିକ୍ଷିତ ମାନବ ସମ୍ବଳ ଉପରେ ନିର୍ଭର କରେ। ଏକ ଆକଳନ ଅନୁଯାୟୀ ୨୦୧୭ ମସିହା ସୁଦ୍ଧା ଭାରତର ପ୍ରାୟ ଦୁଇ କୋଟିରୁ ଅଧିକ ଲୋକ ବିଦେଶରେ ବସବାସ କରୁଛନ୍ତି। ଆମେରିକୀୟ ମହାକାଶ ସଂସ୍ଥା ନାସାର ଏକ ବୟାନ ଅନୁସାରେ ସେଠାରେ ଥିବା ପ୍ରତି ଦଶ ଜଣ ବୈଜ୍ଞାନିକଙ୍କ ମଧ୍ୟରୁ ଚାରିଜଣ ଭାରତୀୟ। ଅର୍ଥାତ୍‌ ନାସାର ୩୬ ପ୍ରତିଶତ ମହାକାଶ ବିଜ୍ଞାନୀ ଭାରତୀୟ। ସେହିପରି ଆମେରିକାର ୩୮ପ୍ରତିଶତ ଡାକ୍ତର ଭାରତୀୟ। ୨୦୦୮ ମସିହାରେ ରାଜ୍ୟ ସଭାରେ ଏକ ଉତ୍ତରରେ ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ମାଇକ୍ରୋସଫ୍ଟ କମ୍ପାନୀରେ ୩୪ପ୍ରତିଶତ, ଆଇବିଏମ୍‌ରେ ୧୭ପ୍ରତିଶତ ଭାରତୀୟ କାମ କରନ୍ତି । କହିବା ବାହୁଲ୍ୟ ଯେ ବିଶ୍ୱର ନାମୀ କମ୍ପାନୀଗୁଡ଼ିକ ମଧ୍ୟରେ ଥିବା ପେପ୍ସି, ସିଟି ବ୍ୟାଙ୍କ, ମାଷ୍ଟର କାର୍ଡ, ଗୁଗଲ ଓ ମାଇକ୍ରୋସଫ୍ଟର ମୁଖ୍ୟ ଭାବରେ ଭାରତୀୟମାନେ ଅଳଙ୍କୃତ କରି ସାରିଲେଣି। ତେବେ ଭାରତୀୟ ବୈଜ୍ଞାନିକ ଓ ଇଞ୍ଜିନିୟରମାନଙ୍କ ବିଦେଶ ପଳାୟନର କାରଣ ତର୍ଜମା କଲେ ଜଣାପଡେ ଏହା ପାଇଁ ଅନେକ ଆନୁଷଙ୍ଗିକ ବ୍ୟବସ୍ଥା ଦାୟୀ। ସେଥି ମଧ୍ୟରୁ ଗୋଟିଏ ହେଲା ବିଦେଶରେ ମିଳୁଥିବା ଉଚ୍ଚ ଦରମା। ଭାରତରେ ଜଣେ ବୈଜ୍ଞାନିକ ଓ ଇଞ୍ଜିନିୟରକୁ ବିଦେଶ ତୁଳନାରେ ନଗଣ୍ୟ ଦରମା ମିଳି ଥାଏ। ତା’ ଛଡା ବୈଜ୍ଞାନିକ ଓ ଇଞ୍ଜିନିୟରମାନଙ୍କୁ ମିଳୁଥିବା ଆନୁଷଙ୍ଗିକ ସୁବିଧା ସୁଯୋଗ ଓ ଆଧୁନିକ ଜୀବନ ଶୈଳୀ ଭାରତରେ ନ ଥାଏ। ଜଣେ ବୈଜ୍ଞାନିକକୁ କାମ କରିବା ପାଇଁ ସ୍ବାଧୀନତା ଓ ଗବେଷଣାତ୍ମକ ସଫଳତାର ଶ୍ରେୟ ଭାରତରେ ମିଳି ନ ଥାଏ। ଏପରି କି ଭାରତର ଅନେକ ପ୍ରସିଦ୍ଧ ଗବେଷଣାତ୍ମକ ଅନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟରେ ଜୀବନ କାଳ ମଧ୍ୟରେ ହାତଗଣତି ପଦୋନ୍ନତି ମିଳିବା କଷ୍ଟକର ହେଇଥାଏ। ଯେ କୌଣସି ଦେଶର ଅଗ୍ରଗତି ପାଇଁ ବହୁ ମୂଲ୍ୟ ମାନବ ସମ୍ବଳର ସଦୁପଯୋଗ ଅତ୍ୟନ୍ତ କାମ୍ୟ। ତେଣୁ ଭାରତ ଏକ ଆର୍ଥିକ ମହାଶକ୍ତି ଓ ବିକଶିତ ରାଷ୍ଟ୍ର ହେବାକୁ ହେଲେ ଆଗ ଏହି ବ୍ରେନ ଡ୍ରେନରେ ବ୍ରେକ ଲଗାଇବାକୁ ପଡିବ। ଏହି କ୍ଷେତ୍ରରେ ଏସିଆ ମହାଦେଶରେ ଚାଇନା ଓ ତାଇୱାନ ଭଳି ଦେଶ ସଫଳ ପ୍ରୟାସ କରି ସାରିଛନ୍ତି। ଚାଇନାରେ ଶହେରୁ ଅଧିକ ଟ୍ୟାଲେଣ୍ଟ ପ୍ରୋଗ୍ରାମ ଅଛି, ଯାହା ପ୍ରଶିକ୍ଷିତ ମାନବ ସମ୍ବଳକୁ ଲକ୍ଷ୍ୟ କରି କରାଯାଇଛି ଓ ଅନ୍ତର୍ଜାତୀୟ ସଂସ୍ଥାମାନଙ୍କ ସହ ହାତ ମିଳେଇ ଜ୍ଞାନର ଆଦାନ ପ୍ରଦାନ କରାଯାଉଛି । ସେହିପରି ବ୍ୟବସ୍ଥା ଆମ ଦେଶରେ ନ ଥିଲେ ମଧ୍ୟ ୟୁଜିସି ଭଳି ସଂସ୍ଥା ଯଥେଷ୍ଟ ସୁବିଧା ସୁଯୋଗ ସୃଷ୍ଟି କରିପାରୁ ନାହିଁ। ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଆମକୁ ପ୍ରଥମେ ଆମର ଶିକ୍ଷା ବ୍ୟବସ୍ଥାକୁ ଅମୂଳଚୂଳ ପରିବର୍ତ୍ତନ କରି ଆନ୍ତର୍ଜାତିକ ମାନର କରିବାକୁ ପଡିବ। ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ସରକାର ଶିକ୍ଷା ବ୍ୟବସ୍ଥାକୁ ପରିବର୍ତ୍ତନ କରିବାକୁ ଏକ ସାହସୀ ପଦକ୍ଷେପ ନେଇଛନ୍ତି। ଭାରତର ବିଶ୍ୱବିଦ୍ୟାଳୟଗୁଡିକର ଲାବରେଟୋରି ଗୁଡିକର ଆଧୁନିକୀକରଣ ଓ ଗବେଷକମାନଙ୍କୁ ଉଚିତ ପ୍ରାପ୍ୟ, ସମ୍ମାନ ଓ ସୁବିଧା ସୁଯୋଗ ଦିଆଯାଉ। ବିଜ୍ଞାନ ପ୍ରତିଭାଗୁଡିକୁ ଚିହ୍ନଟ କରି ପୁରସ୍କୃତ କରିବା ଦରକାର। ଭାରତ ଏକ ବିକଶିତ ଦେଶ ହେବାକୁ ମାତ୍ର ଏକ ଦଶନ୍ଧିରୁ କମ୍‌ ସମୟ ବାକି ଥିବାବେଳେ ବ୍ରେନ ଡ୍ରେନକୁ ଅଟକେଇବା ନିଶ୍ଚୟ ଏକ ଗୁରୁତ୍ୱପୂର୍ଣ୍ଣ କାମ। ଏଥିପାଇଁ ସରକାରୀ ଓ ବେସରକାରୀ କ୍ଷେତ୍ରରେ ଉଦ୍ୟମ ଆବଶ୍ୟକ। ଶିଳ୍ପ ଓ ଶିକ୍ଷାନୁଷ୍ଠାନ ଭିତରେ ସହଯୋଗ ବୃଦ୍ଧି ନିମିତ୍ତ ଉତ୍ତମ ବାତାବରଣ ସୃଷ୍ଟି କରିବାକୁ ହେବ। ଆଗାମୀ ଦିନରେ ଧନ୍ଦାମୂଳକ ଶିକ୍ଷାକୁ ବେଶି ଗୁରୁତ୍ୱ ଦେଉଥିବା ନୂତନ ଶିକ୍ଷାନୀତି କିପରି ଏହି ବିକଟ ସଂଶୟର ସାମ୍ନା କରିବ ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନୋବେଲ ବିଜୟୀ ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନ, ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ ହରଗୋବିନ୍ଦ ଖୁରାନା, ଶୁଭ୍ରମନ୍ୟମ ଚନ୍ଦ୍ରଶେଖର ଓ ଭେଙ୍କଟ ରାମକୃଷ୍ଣ ପ୍ରମୁଖ ସମସ୍ତେ ଭାରତୀୟ ବ୍ୟବସ୍ଥାରେ ଉପଯୁକ୍ତ ସୁବିଧା ସୁଯୋଗ ନ ପାଇ ବିଦେଶରେ ଖ୍ୟାତି ଅର୍ଜନ କରିଥିଲେ। ତେବେ ଆଗାମୀ ଦିନରେ ଏହାର ପୁନରାବୃତ୍ତି ନ ହେଉ ଓ ଭାରତର ଗୁଣୀ ଜ୍ଞାନୀ ମାଟି ମାଆର ପ୍ରଗତିରେ ସହାୟକ ହେଉ ଏତିକି ଆଶା।
ଭାବା ପରମାଣୁ ଗବେଷଣା କେନ୍ଦ୍ର
ଯାଦୁଗୁଡା, ପୂର୍ବ ସିଂହଭୂମ, ଝାଡଖଣ୍ଡ, ମୋ-୯୪୭୧୩୮୦୮୧୦


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri