Categories: ଖେଳ

ବୋଟାସ ଦ୍ରୁତତମ

ମୁଗେଲୋ (ଇଟାଲୀ), ୧୨ା୯ (ଏପି)-ଟସ୍କାନ ଫର୍ମୁଲା ଓ୍ବାନ ମୋଟର ରେସ୍‌ ଗ୍ରାଁ ପ୍ରି ପାଇଁ ଶୁକ୍ରବାର ଅନୁଷ୍ଠିତ ଦ୍ୱିତୀୟ ପ୍ରାକ୍ଟିସ ସେସନରେ ମର୍ସିଡିଜ୍‌ ଟିମ୍‌ମେଟ ଲୁଇସ୍‌ ହାମିଲଟନଙ୍କୁ ପଛରେ ପକାଇ ଭାଲ୍‌ଟେରି ବୋଟାସ ଦ୍ରୁତତମ ବିବେଚିତ ହୋଇଛନ୍ତି। ମ୍ୟାକଲରେନ୍‌ର ଲାଣ୍ଡୋ ନୋରିସ୍‌ଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ରେସ୍‌ରୁ ବାହାରି ଯାଇଥିଲେ। ବୋଟାସ ହାମିଲଟନଙ୍କ ଠାରୁ ୦.୨୦୭ ସେକେଣ୍ଡ ଆଗୁଆ ରେସ୍‌ ଶେଷ କରିଥିଲେ। ରେଡ୍‌ ବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ ବୋଟାସଙ୍କଠାରୁ ୦.୦୩୯ ସେକେଣ୍ଡ ପଛରେ ତୃତୀୟ ହୋଇଥିଲେ। ଶୁକ୍ରବାର ଅନୁଷ୍ଠିତ ପ୍ରଥମ ପ୍ରାକ୍ଟିସ ସେସନରେ ମଧ୍ୟ ବୋଟାସ ଦ୍ରୁତତମ ବିବେଚିତ ହୋଇଥିଲେ। ସେ ରେଡ୍‌ବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ଙ୍କଠାରୁ .୦୪୮ ସେକେଣ୍ଡ ଆଗରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। କରୋନା ମହାମାରୀ ସମୟରେ ସିଜନର ୯ମ ଫର୍ମୁଲା ଓ୍ବାନ୍‌ ରେସ୍‌ରେ ପ୍ରାକ୍ଟିସ ସେସନରେ ପ୍ରଥମ ଥର ଦର୍ଶକଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା। ପ୍ରାୟ ୩,୦୦୦ ଦର୍ଶକ ତିନୋଟି ଷ୍ଟାଣ୍ଡ୍‌ରେ ଭାଗ ହୋଇ ରେସ୍‌କୁ ଉପଭୋଗ କରିଥିଲେ। ଫେରାରିର ଚାଲର୍‌ସ ଲେକ୍‌ରେକ୍‌ ତୃତୀୟ ହୋଇଥିଲେ। ଫେରାରିର ଟିମ୍‌ର ଏହାଥିଲା ୧,୦୦୦ତମ ଫର୍ମୁଲା ଓ୍ବାନ ରେସ୍‌। ଚାମ୍ପିୟନଶିପ୍‌ ଲିଡର ଲୁଇସ୍‌ ହାମିଲଟନ ଟିମ୍‌ମେଟ୍‌ ବୋଟାସଙ୍କଠାରୁ .୫୩ ସେକେଣ୍ଡ ମନ୍ଥରରେ ଚତୁର୍ଥ ହୋଇଥିଲେ। ଗତ ରବିବାର ମୋଞ୍ଜାଠାରେ ଇଟାଲିଆନ ଗ୍ରାଁ ପ୍ରିରେ କ୍ୟାରିୟରର ପ୍ରଥମ ରେସ୍‌ ଜିତିଥିବା ପିଏରେ ଗ୍ୟାସ୍‌ଲି ୫ମ ସ୍ଥାନରେ ରହିଥିଲେ।

Share